ରାଜଧାନୀ ପ୍ରତିଷ୍ଠା ଦିବସରେ ସାଂସଦ ଅପରାଜିତାଙ୍କୁ ଡକାଗଲାନି। ଏଥର ସରକାରୀ ଭାବେ ଉତ୍ସବର ଆୟୋଜନ କରାଯାଇଥିଲା। ବିଏମ୍‌ସି ଏହି ଦାୟିତ୍ବ ନେଇଥିଲା। ଅପରାଜିତାଙ୍କୁ ଡାକିବାକୁ ବିଏମ୍‌ସି କର୍ତ୍ତୃପକ୍ଷ ଉଚିତ ମଣିଲେ ନାହିଁ। ନିଜେ ସାଂସଦ ଏହାର ପ୍ରତିବାଦ ଜଣାଇଥିଲେ। ଗଣମାଧ୍ୟମ ସାମ୍ନାରେ ରାଜ୍ୟ ସରକାରଙ୍କ ହୀନ ମାନସିକତାକୁ ସମାଲୋଚନା କରିଥିଲେ। କେବଳ ଏହି କାର୍ଯ୍ୟକ୍ରମ ନୁହେଁ, ରାଜଧାନୀରେ ରାଜ୍ୟ ସରକାରଙ୍କ ବହୁ ସରକାରୀ ପ୍ରକଳ୍ପ ଉଦ୍‌ଘାଟନ, ଶିଳାନ୍ୟାସରେ ସାଂସଦଙ୍କୁ ଲୋଡ଼ାଯାଏନି।

Advertisment

publive-image

କିନ୍ତୁ ସାଂସଦଙ୍କ ପାଇଁ କେବେ ଭୁବନେଶ୍ବର ଜିଲ୍ଲା ବିଜେପି ସଂଗଠନ କିମ୍ବା ବିଜେପି କର୍ପୋରେଟର୍‌ମାନେ ବାହାରନ୍ତିନି। ସାଂସଦ ଓ ଜିଲ୍ଲା ସଂଗଠନ ଦୁଇ ସମାନ୍ତରାଳ ରେଖାରେ ଚାଲୁଥିବା ବାରମ୍ବାର ଧରାପଡ଼ିଯାଇଛି। ଏଥର ପ୍ରତିଷ୍ଠା ଦିବସରେ ସାଂସଦଙ୍କ ଡକା ନଯିବା ପ୍ରତିବାଦରେ ସାଂସଦଙ୍କ ସପକ୍ଷରେ ବିଜେପି କର୍ପୋରେଟର୍‌ମାନେ ମିଳିତ ଭାବେ ବାହାରିଲେ। ଏକ ସାମ୍ବାଦିକ ସମ୍ମିଳନୀ ଡାକି ରାଜ୍ୟ ସରକାରଙ୍କ ବିରୋଧରେ ହୁଙ୍କାର ଦେଲେ। ସରକାର କ୍ଷମା ନ ମାଗିଲେ ଆନ୍ଦୋଳନ ହେବ ବୋଲି ଧମକ ଦେଲେ। ଏହା ମଧ୍ୟରେ ତିନି ସପ୍ତାହ ବିତିଗଲାଣି। ସରକାର ତ କ୍ଷମା ମାଗିଲେନି କି ଜବାବ ବି ଦେଲେନି। ପୂରା ଅଣଦେଖା କରିଦେଲେ। କିନ୍ତୁ ବିଜେପି କର୍ପୋରେଟର୍‌ମାନେ ଆନ୍ଦୋଳନକୁ ଓହ୍ଲାଇଲେନି। ଏପରିକି ବିଏମ୍‌ସିର ମାସିକ କାଉନ୍‌ସିଲ୍‌ ବୈଠକରେ ପ୍ରତିବାଦ କରିବାକୁ ବି ଉଚିତ ମଣିଲେନି। ସତରେ ସାଂସଦଙ୍କ ପ୍ରତି ଆନ୍ତରିକତା ଥିଲା ନା ବାଧ୍ୟବାଧକତାରେ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ, ତାହା ଏବେ ଚର୍ଚ୍ଚାର ବିଷୟ।

-ଅମିତାଭ