ଡିଜିଟାଲ୍ ଯୁଗରେ ପାଠାଗାରର ଚାହିଦା ଜମାରୁ କମିନି। ରାଜଧାନୀରେ ଥିବା ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରକୁ ଗଲେ, ଏହା ବାରି ହୋଇପଡ଼ିବ। ଛାତ୍ରଛାତ୍ରୀମାନେ ଏତେ ପରିମାଣରେ ଏଠାକୁ ପଢ଼ିବାକୁ ଆସୁଛନ୍ତି ଯେ ଚଉକି ମିଳୁନି। ସେଥିପାଇଁ ନୂଆ ସଦସ୍ୟ ବି ନିଆଯାଉନି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ରହିଛି ଏହି ପାଠାଗାର। ରାଜ୍ୟ ସରକାର ତ ରାଜ୍ୟରେ ପାଠାଗାର ଆନ୍ଦୋଳନକୁ ଆଗେଇ ନେବା ପାଇଁ ଏକ ପାଠାଗାର ନିର୍ଦ୍ଦେଶାଳୟ ଘୋଷଣା କରିସାରିଛନ୍ତି। ନିର୍ଦ୍ଦେଶାଳୟର ଚିହ୍ନବର୍ଣ୍ଣ ନଥିଲେ ବି ପାଠାଗାର ନିର୍ଦ୍ଦେଶକ ଭାବେ ବିଭାଗୀୟ ନିର୍ଦ୍ଦେଶକଙ୍କୁ ଦାୟିତ୍ବ ମିଳିଛି।
କିନ୍ତୁ ଖୋଦ୍ ରାଜଧାନୀରେ ଗୋଟିଏ ରାଜ୍ୟ ପାଠାଗାର ଠିକ୍ ଭାବେ ପରିଚାଳନା କରାଯାଇପାରୁନି। ଲାଇନ୍ କଟିଗଲେ ସଙ୍ଗେ ସଙ୍ଗେ ସଂଯୋଗ ବ୍ୟବସ୍ଥା ହୋଇପାରୁନି। ପୁଣି ପାଠକଙ୍କୁ ସର୍ବନିମ୍ନ ସୁବିଧା ମିଳୁନି। ଏଥି ପାଇଁ ଗତ ଗୁରୁବାର ଦିନ ଛାତ୍ରଛାତ୍ରୀମାନେ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ପାଠକମାନଙ୍କ ମଧ୍ୟରେ ଥିବା ପୁଞ୍ଜିଭୂତ ଅସନ୍ତୋଷର ଏହା ଥିଲା ଏକ ପ୍ରତିଫଳନ। ଆବଶ୍ୟକତାକୁ ଦେଖି ସଂସ୍କୃତି ବିଭାଗ ତୁରନ୍ତ ପାଠାଗାର କଳେବର ବୃଦ୍ଧି କରୁ। ଆହୁରି ଭଲ ପରିବେଶ ଯୋଗାଉ। କାରଣ ଏହି ପାଠଗାର ସହ ସହରର ବୌଦ୍ଧିକ ପରିବେଶ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଯୋଡ଼ି ହୋଇ ରହିଛି।
-ଅମିତାଭ