କପିଳେଶ୍ବର ମନ୍ଦିର ସଂରକ୍ଷଣ ଦାୟିତ୍ବ ଏଏସ୍ଆଇ ନେବ। ଏଥିପାଇଁ ଶ୍ରେୟ ନେବାକୁ ଦୁଇ ପ୍ରତିପକ୍ଷ ରାଜନୈତିକ ଦଳଙ୍କ ମଧ୍ୟରେ ବିବାଦ ହୋଇନି, ବରଂ ବିବାଦ ହୋଇଛି ବିଜେପି ଭିତରେ। ଦଳରେ ଚାଲିଥିବା ଅନ୍ତର୍ଦ୍ବନ୍ଦ୍ବକୁ ଏହି ଘଟଣାଟି ପଦାରେ ପକାଇଦେଲା। ଗୋଟିଏ ପଟେ ସାଂସଦ ଓ ଅନ୍ୟ ପଟେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ। ଅବଶ୍ୟ ବିଜେପିର ଭୁବନେଶ୍ବର ସଂଗଠନ କାହା ପକ୍ଷରେ, ତାହା ଏଥିରୁ ସ୍ପଷ୍ଟ ହେଲା ନାହିଁ। ତେବେ ଗୋଟିଏ ପଟେ ଶ୍ରେୟ ପାଇଁ ଦୁଇ ଜଣଙ୍କ ଭିତରେ ଛାୟା ପ୍ରତିଦ୍ବନ୍ଦ୍ବିତା ଲାଗିଥିବା ବେଳେ କପିଳେଶ୍ବର ମନ୍ଦିର ଏଏସ୍ଆଇ ଅଧୀନକୁ ଯିବା ନେଇ କେହି ଉତ୍ସାହିତ ବି ହେଉ ନାହାନ୍ତି। ନା ସ୍ଥାନୀୟ ଲୋକ ନା ସେବାୟତ ନା ବିଶେଷଜ୍ଞ, କେହି ଏଥିରେ ଖୁସି ହେବା ଜଣାପଡ଼ୁନାହିଁ। କାରଣ ଏଏସ୍ଆଇ ପୁରୁଣା ଭୁବନେଶ୍ବର ଅଞ୍ଚଳରେ ବହୁ ମନ୍ଦିରର ସଂରକ୍ଷଣ ଦାୟିତ୍ବ ନେଇଛି। କିନ୍ତୁ କି ପ୍ରକାର ସଂରକ୍ଷଣ ହେଉଛି, ତାହା ସମସ୍ତେ ଦେଖୁଛନ୍ତି।
କେଉଁଠି ମନ୍ଦିରରୁ ପାଣି ଗଳୁଛି ତ କେଉଁଠି ଲୋକଙ୍କ ପାଇଁ ପିଇବା ପାଣି ବ୍ୟବସ୍ଥା ନାହିଁ। ପୁଣି ମନ୍ଦିର ପରିସରରେ ଥିବା ଐତିହ୍ୟସମ୍ପନ୍ନ ପୁଷ୍କରିଣୀଗୁଡ଼ିକ ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ରହିଛନ୍ତି। କେବଳ ଘାସ ଗାଲିଚା ବାଦ୍ ଏଏସ୍ଆଇର ଆଖିଦୃଶିଆ କାମ କେହି ଦେଖିପାରୁ ନାହାନ୍ତି। ଆଖପାଖରେ ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ଲଗାଇବାରେ ଏଏସ୍ଆଇ ଯେତିକି କଠୋର ହେଉଛି, ସଂରକ୍ଷିତ ଐତିହ୍ୟର ବିକାଶ କ୍ଷେତ୍ରରେ ସେତିକି ତତ୍ପରତା ଦେଖାଉନି। ଏଏସ୍ଆଇ ଲୋକଙ୍କ ମଧ୍ୟରେ ବିଶ୍ବାସ ଜନ୍ମାଇ ପାରୁନଥିବାରୁ କପିଳେଶ୍ବର ମନ୍ଦିରକୁ ଏଏସ୍ଆଇ ନେଲେ କେତେ, ନ ନେଲେ କେତେ, କାହାର କିଛି ଫରକ ପଡ଼ୁନି। କେମିତି ମନ୍ଦିରରେ ନୀତିକାନ୍ତି ଠିକ୍ ହେବ, ସେଥିପାଇଁ ଠୋସ୍ ପଦକ୍ଷେପ ଲୋକ ଚାହୁଛନ୍ତି।
-ଅମିତାଭ