ଭୁବନେଶ୍ବର: ରେଳ ବଜେଟ୍ରେ ଭୁବନେଶ୍ବର ବିକାଶ ପାଇଁ ଆଶା ଦେଖାଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଅମୃତ ଭାରତ ଷ୍ଟେସନ ଯୋଜନାରେ ପୂର୍ବରୁ କେବଳ ଭୁବନେଶ୍ବର ରେଳ ଷ୍ଟେସନର ବିକାଶ ଲାଗି ନକ୍ସା ପ୍ରସ୍ତୁତ ହୋଇଥିଲା। ଏବେ ଏଥିରେ ସହରର ଆଉ ୩ଟି ଷ୍ଟେସନ୍ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଯେଉଁଥିରେ ନ୍ୟୁ ଭୁବନେଶ୍ବର ରେଳ ଷ୍ଟେସନ୍ ସମେତ ଲିଙ୍ଗରାଜ ଷ୍ଟେସନ ଓ ମଞ୍ଚେଶ୍ବର ଷ୍ଟେସନ୍ ରହିଛି। ଏହି ୩ଟି ରେଳ ଷ୍ଟେସନ ଭୁବନେଶ୍ବରବାସୀଙ୍କ ଆଶା ଆକାଂକ୍ଷା ପୂରଣ କରିବ ବୋଲି ରେଳମନ୍ତ୍ରୀ କହିବା ସହ ଏହା ପର୍ଯ୍ୟଟନ ଶିଳ୍ପକୁ ସମୃଦ୍ଧ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଏଥିସହ ୨୦୨୩-୨୪ ଆର୍ଥିକ ବର୍ଷରେ ଦେଶରେ ବନ୍ଦେ ମେଟ୍ରୋ ଟ୍ରେନ୍ ଚଳାଇବା ଉପରେ କେନ୍ଦ୍ର ସରକାର ଗୁରୁତ୍ବ ଦେଇଛନ୍ତି। ତେଣୁ ଭୁବନେଶ୍ବର-କଟକ ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଇବାର ସ୍ବପ୍ନ ଏହି ଯୋଜନା ମାଧ୍ୟମରେ ସଫଳ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି।
ରେଳ ବଜେଟ୍ରେ ଲିଙ୍ଗରାଜ ଷ୍ଟେସନ ଉପରେ ଗୁରୁତ୍ବାରୋପ କରି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଲିଙ୍ଗରାଜ ଟେମ୍ପୁଲ ରୋଡ୍ ଅତି ଗୁରୁତ୍ବପୂର୍ଣ୍ଣ ଷ୍ଟେସନ୍। ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଲାଗି ପ୍ରତିଦିନ ବହୁ ଲୋକ ଦେଶବିଦେଶରୁ ଓଡ଼ିଶା ଆସନ୍ତି। ତେଣୁ ଆମେ ଗୋଟିଏ ସୁନ୍ଦର ରୂପରେଖ ପ୍ରସ୍ତୁତ କରୁଛୁ। ବିମାନବନ୍ଦରରୁ ଓହ୍ଲାଇବା କ୍ଷଣି ପର୍ଯ୍ୟଟକମାନେ ଯେପରି ସେହି ସହରର ତଥା ରାଜ୍ୟର ପର୍ଯ୍ୟଟନସ୍ଥଳୀ ବୁଲିପାରିବେ, ସେଥିପ୍ରତି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ବ ଦେଉଛନ୍ତି। ତେଣୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଲାଗି ଲିଙ୍ଗରାଜ ଷ୍ଟେସନ ରହିଥିବାରୁ ଯେଉଁ ଯାତ୍ରୀ ବିମାନରେ ଓହ୍ଲାଇବେ, ସେ ସିଧାସଳଖ ଷ୍ଟେସନକୁ ଯାଇପାରିବେ। ବିମାନବନ୍ଦରରୁ ରେଳ ଷ୍ଟେସନକୁ ହାଇଡ୍ରୋଜେନ୍ ନ ହେଲେ ବ୍ୟାଟେରି ଚାଳିତ ଗାଡ଼ି ଚାଲିବ। ନିୟମିତ ବ୍ୟବଧାନରେ ଗାଡ଼ିଗୁଡ଼ିକ ଚାଲିବାକୁ ଥିବାରୁ ବିମାନ ଯାତ୍ରୀଙ୍କୁ ସିଧାସଳଖ ଷ୍ଟେସନକୁ ନେଇପାରିବ। ସେଠାରେ ବିଶ୍ବସ୍ତରୀୟ ସୁବିଧା ପାଇବା ପରେ ଯାତ୍ରୀମାନେ ଟ୍ରେନ୍ରେ ବସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଲାଗି ପୁରୀ ଯାଇ ପାରିବେ।
ଭୁବନେଶ୍ବର ବିମାନବନ୍ଦରକୁ ସଂଯୋଗ ହେବ ଶ୍ରୀଲିଙ୍ଗରାଜ ଷ୍ଟେସନ
ନ୍ୟୁ ଭୁବନେଶ୍ବର ଓ ମଞ୍ଚେଶ୍ବର ଷ୍ଟେସନରେ ଉପଲବ୍ଧ ହେବ ବିଶ୍ବସ୍ତରୀୟ ସୁବିଧା
ଭୁବନେଶ୍ବର-କଟକକୁ ଗଡ଼ିପାରିବ ବନ୍ଦେ ମେଟ୍ରୋ ଟ୍ରେନ୍
ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଯେ ୨୦୨୨-୨୩ ଆର୍ଥିକ ବର୍ଷରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଲିଙ୍ଗରାଜ ଟେମ୍ପୁଲ ରୋଡ୍ ପିଏଚ୍କୁ ଦୁଇଟି ମାଧ୍ୟମରେ ସଂଯୋଗ ଲାଗି ନକ୍ସା ପ୍ରସ୍ତୁତ ଚାଲିଛି। ଅଧିକାରୀମାନେ ସର୍ଭେ କରୁଛନ୍ତି। ୭ କିମିର ଫ୍ଲାଏଓଭର୍ ମାଧ୍ୟମରେ ବିମାନବନ୍ଦର ଓ ରେଳ ଷ୍ଟେସନ୍ ମଧ୍ୟରେ ସଂଯୋଗ କରାଯିବ। ସେହିପରି ବିନା ଫ୍ଲାଏଓଭର୍ରେ ଯାତ୍ରୀମାନେ କିଭଳି ୩ କିମି ରାସ୍ତା ଅତିକ୍ରମ କରି ଷ୍ଟେସନରେ ପହଞ୍ଚି ପାରିବେ, ସେଥିପାଇଁ ମଧ୍ୟ ସର୍ଭେ କରାଯାଉଛି। ୨୦୧୮ ଜୁଲାଇ ୭ରେ ଭୁବନେଶ୍ବର ସହରର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ମଞ୍ଚେଶ୍ବର ଓ ବାରଙ୍ଗ ଷ୍ଟେସନ୍ ମଧ୍ୟରେ ଭୁବନେଶ୍ବର ନ୍ୟୁ ରେଳଷ୍ଟେସନ୍ ପ୍ରତିଷ୍ଠା କରାଯାଇଥିଲା। ପୁରୁଣା ତଥା ମାଷ୍ଟର କ୍ୟାଣ୍ଟିନ୍ଠାରେ ଥିବା ମୁଖ୍ୟ ରେଳ ଷ୍ଟେସନଠାରୁ ୧୪କିମି ଦୂରରେ ନିର୍ମାଣ ହୋଇଥିବା ଏହି ଷ୍ଟେସନ୍ ସହରବାସୀଙ୍କ ଲାଇଫ୍ ଲାଇନ୍ ପାଲଟିବ ବୋଲି କୁହାଯାଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରେଳଷ୍ଟେସନ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରିନାହିଁ। ୫ ବର୍ଷ ପରେ ବି ଏକ୍ସପ୍ରେସ୍ ଟ୍ରେନ୍ ଏହି ଷ୍ଟେସନ ଲାଗି ସାତ ସପନ ପାଲଟିଛି। କେବେ ଏହି ରେଳ ଷ୍ଟେସନ୍ ଯାତ୍ରୀଙ୍କ ଆଶା ଆକାଂକ୍ଷା ପୂରଣ କରିବ, ତାହାକୁ ଚାହିଁ ରହିଛନ୍ତି ରାଜଧାନୀବାସୀ। ଏଭଳି ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କ ଆଶ୍ବାସନା ଅମୃତ ସଦୃଶ ହୋଇଛି। ପୂର୍ବତଟ ରେଳପଥର ଜଣେ ଅଧିକାରୀ କହିଛନ୍ତି ଯେ ନ୍ୟୁ ଭୁବନେଶ୍ବର ରେଳଷ୍ଟେସନ ଓ ମଞ୍ଚେଶ୍ବର ରେଳଷ୍ଟେସନରେ ଆଧୁନିକ ସୁବିଧା ସୁଯୋଗ ଉପଲବ୍ଧ କରାଯିବ। ଷ୍ଟେସନର ଉଭୟ ପାର୍ଶ୍ବର ବିକାଶ ହେବ। ବର୍ତ୍ତମାନ ରୂପରେଖରେ ପରିବର୍ତ୍ତନ କରାଯିବ। ତେବେ କିଭଳି ବିକାଶ ହେବ ସେନେଇ ଏବେ ସୁଦ୍ଧା ନକ୍ସା ପ୍ରସ୍ତୁତ ହୋଇ ନାହିଁ।
/sambad/media/post_attachments/wp-content/uploads/2023/02/74.jpg)
ସେପଟେ ସ୍ବଳ୍ପ ଦୂରତାର(୫୦ରୁ ୬୦ କିଲୋମିଟର) ସଟଲ୍ ପାଇଁ ଦେଶରେ ବନ୍ଦେ ମେଟ୍ରୋ ଟ୍ରେନ୍ ଚଳାଚଳ କରିବାକୁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହି ଟ୍ରେନ୍ଗୁଡ଼ିକ ବହୁ କମ୍ ଦୂରତ୍ବରେ ଥିବା ସହରଗୁଡ଼ିକୁ ପରସ୍ପର ମଧ୍ୟରେ ଯୋଡ଼ିବାରେ ସହାୟକ ହେବ। ଏହାର ଡିଜାଇନ୍ ଓ ପ୍ରୋଟଟାଇପ ଏବେ ପ୍ରସ୍ତୁତି ଚାଲିଛି, ଯାହାକି ଚଳିତବର୍ଷ ଅଗଷ୍ଟ ମାସରେ ଚୂଡ଼ାନ୍ତ କରାଯିବ। ୨୦୨୪ ବେଳକୁ ଏହା ନିର୍ମାଣ ହେବା ସହ ଦେଶରେ ଗଡ଼ିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଶାବ୍ୟକ୍ତ କରିଛନ୍ତି। ଏହି ଟ୍ରେନ୍ ଦ୍ବାରା ଓଡ଼ିଶାର କିଛି ସହର ଉପକୃତ ହୋଇପାରିବେ। ବିଶେଷକରି କଟକ-ଭୁବନେଶ୍ବର ସହର ପାଇଁ ଉପଯୋଗୀ ହେବ। ଓଡ଼ିଶାରେ ବନ୍ଦେ ମେଟ୍ରୋ ଟ୍ରେନ୍ ଚଳାଚଳ କଲେ ଭୁବନେଶ୍ବର, କଟକ ୩୦ କିମି ଯାତ୍ରାକୁ ପ୍ରାଥମିକତା ଦିଆଯିବ ବୋଲି ସେ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/75.jpg)