ଭୁବନେଶ୍ବର ଜିଲ୍ଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ: ବିଏମ୍‌ସି ଓ ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ

ୱାର୍ଡ ଓ ପଞ୍ଚାୟତସ୍ତରରେ ଗଠନ ‌ହେବ କମିଟି, ସେପ୍ଟେମ୍ବର ସୁଦ୍ଧା ମହିଳା, ଯୁବ ଓ ଛାତ୍ର କମିଟି ବୈଠକ

ଭୁବନେଶ୍ବର: ମହାନଗର ନିଗମ ଓ ପଞ୍ଚାୟତ ନିର୍ବାଚନକୁ ନଜରରେ ରଖି ଭୁବନେଶ୍ବରରେ ସଙ୍ଗଠନକୁ ମଜବୁତ କରିବାକୁ ଅଣ୍ଟା ଭିଡ଼ିଛି ବିଜେଡି। ୨୦୧୯ ସାଧାରଣ ନିର୍ବାଚନରେ ସାଂସଦ ପ୍ରାର୍ଥୀଙ୍କ କ୍ଷେତ୍ରରେ ଦଳର ରଣନୀତି ଯେଉଁଭଳି ଭାବେ ବିଫଳ ହେଲା, ତାହା ଯେପରି ଆଗାମୀ ମହାନଗର ନିଗମ ନିର୍ବାଚନରେ ନ ହୁଏ ସେଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ‌ଦଳୀୟ ନେତୃବୃନ୍ଦ। ସେହିଭଳି ପୁରୁଣା କର୍ମୀଙ୍କୁ ଦଳକୁ ଫେରାଇ ଆଣିବା ସହ କଂଗ୍ରେସ ଭୋଟକୁ ନିଜ ପକେଟ୍‌କୁ ଆଣିବା ପାଇଁ ତଳସ୍ତରର ନେତାମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଏଥିସହ ପ୍ରତି ୱାର୍ଡରେ ୱାର୍ଡସ୍ତରୀୟ କମିଟି ଗଠନ, ତୃଣମୂଳସ୍ତରରେ ନିୟମିତ ବୈଠକ, ସେପ୍ଟେମ୍ବର ସୁଦ୍ଧା ସଙ୍ଗଠନିକ ଜିଲ୍ଲାର ଯୁବ, ମହିଳା ଓ ଛାତ୍ରର କାର୍ଯ୍ୟକାରିଣୀ ବୈଠକ କରିବାକୁ କୁହାଯାଇଛି। ମତାନ୍ତର, ମନାନ୍ତର ଭୁଲି ସମସ୍ତେ ଏକାଠି ହୋଇ ଭୁବନେଶ୍ବରରେ ବିଜେଡିକୁ ଏକ ନମ୍ବରରେ ରଖିବା ପାଇଁ ଆଜି ବସିଥିବା ଭୁବନେଶ୍ବର ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଆହ୍ବାନ ଦେଇଛନ୍ତି ନେତୃବୃନ୍ଦ।

ବୈଠକରେ ଯୋଗଦେଇ ଭୁବନେଶ୍ବର ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟିକା ପ୍ରମିଳା ମଲ୍ଲିକ କହିଲେ; ଭୁବନେଶ୍ୱର ଏକ ସମ୍ବେଦନଶୀଳ ସାଂଗଠନିକ ଜିଲ୍ଲା ହୋଇଥିବାରୁ ସାରା ରାଜ୍ୟର ନଜର ଏବେ ଏଠାରେ କେନ୍ଦ୍ରୀଭୂତ ହୋଇଛି। ଗତ ସାଧାରଣ ନିର୍ବାଚନରେ ଭୁବନେଶ୍ବରରେ ବିଜେଡି ସାଂସଦ ପ୍ରାର୍ଥୀଙ୍କ ପରାଜୟର ପ୍ରତିଶୋଧ ନେବାର ବେଳ ଆସିଛି। ଏଥିପାଇଁ ଏବେଠାରୁ ପ୍ରସ୍ତୁତ ହେବାକୁ ପଡ଼ିବ। ବିଗତ ଦିନରେ ଦଳ ଛାଡ଼ି ଥିବା କର୍ମୀଙ୍କୁ ଫେରାଇ ଆଣିବାକୁ ପଡ଼ିବ। ଏଥିସହ କଂଗ୍ରେସ ଭୋଟରକୁ ଆମ ଆଡକୁ ଆକୃଷ୍ଟ କରିବାକୁ ପଡ଼ିବ।

ବୈଠକରେ ସଭାପତିତ୍ବ କରି ଜିଲ୍ଲା ବିଜେଡି ସଭାପତି ତଥା ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ କହିଲେ; କୋଭିଡ୍ ପରିଚାଳନା, କ୍ରୀଡ଼ା ଭିତ୍ତିଭୂମି ବିକାଶ ଓ ଦେଶରେ ପ୍ରଥମ କରି ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ ପ୍ରଚଳନରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ଯୋଗୁଁ ରାଜ୍ୟର ୩ କୋଟିରୁ ଅଧିକ ଲୋକ ଉପକୃତ ହେଉଛନ୍ତି। ରାଜ୍ୟ ସରକାରଙ୍କ ପ୍ରତିଟି ଯୋଜନାକୁ ପ୍ରତି ଘରେ ଘରେ ପହଞ୍ଚାଇବା ଆମର ମୁଖ୍ୟ ଲକ୍ଷ୍ୟ। ମୁଖ୍ୟମନ୍ତ୍ରୀଙ୍କ ସଫଳ କୋଭିଡ୍‌ ପରିଚାଳନା ପାଇଁ ଆଜି ଭୁବନେଶ୍ବରରେ ଶତ ପ୍ରତିଶତ ଟିକାକରଣ ହୋଇପାରିଛି। ଯାହାକୁ ସାରା ବିଶ୍ବ ପ୍ରଶଂସା କରିଛି। ପୌର ଓ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କର୍ମୀମାନଙ୍କୁ ଏକାଠି କରିବାକୁ ସେ ଆହ୍ବାନ ଦେଇଥିଲେ। ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ ପରସ୍ପରକୁ ଜାଣିବା ଜିଣିବା ଓ ଭୁବନେଶ୍ୱରରେ ଦଳକୁ ଏକ ନମ୍ବର କରିବାକୁ ସଙ୍ଗଠନର ନେତାମାନଙ୍କୁ ଆହ୍ବାନ ଦେଇଥିଲେ। ସାଙ୍ଗଠନିକ ଜିଳ୍ଲାର ଅନ୍ୟତମ ପର୍ଯ୍ୟବେକ୍ଷକ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ‘ଓଡ଼ିଶା ମୋ ପରିବାର’ର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ଯୋଗଦେଇ ମହାନଗର ନିଗମ ଓ ପଞ୍ଚାୟତ ନିର୍ବାଚନରେ ଯେପରି ଦଳ ଶତ ପ୍ରତିଶତ ସଫଳତା ହାସଲ କରିବ ସେଦିଗରେ କାମ କରିବାକୁ ଆହ୍ବାନ ଦେଇଥିଲେ।

ଭୁବନେଶ୍ବର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିରଞ୍ଜି ନାରାୟଣ ମହାସୂପକାର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମରେଶ ବେହେରା, ସୁବାସ ସାହୁ, ବିଜୟଲକ୍ଷ୍ମୀ ମହାପାତ୍ର, ରବି ଛୋଟରାୟ, ସୂର୍ଯ୍ୟକାନ୍ତି ଜେନା, ରାଜେନ୍ଦ୍ର ସାମର୍ଥା, ସମରେନ୍ଦ୍ର ସାହୁଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟା/ସଭ୍ୟ, ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ପୂର୍ବତନ କର୍ପୋରେଟର, ୱାର୍ଡ ସଭାପତି, ଭୁବନେଶ୍ବର ଜିଲ୍ଲାର ବୁଦ୍ଧୀଜୀବୀମାନେ ଯୋଗଦେଇଥିଲେ। ଏହି ଅବସରରେ ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ବିଜେପି ଗ୍ରାମୀଣ ମଣ୍ଡଳ ସଭାପତି ତଥା କଲ୍ୟାଣପୁର ଗ୍ରାମ ପଞ୍ଚାୟତରେ ସାଂସଦଙ୍କ ପ୍ରତିନିଧି ଭୁବନ ମୋହନ ଦାସ, ପୂର୍ବତନ ସରପଞ୍ଚ ସୁବ୍ରତ ମହାପାତ୍ର, ପାଞ୍ଚ ପଞ୍ଚାୟତର ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ତପନ ଦାସ, ପାଞ୍ଚ ପଞ୍ଚାୟତ ସମ୍ପାଦକ କାଶିନାଥ ସ୍ବାଇଁ, ବିଜେନ୍ଦ୍ର ପଢ଼ିହାରୀ, ପ୍ରଶାନ୍ତ ପ୍ରଧାନ, ଜ୍ଞାନରଞ୍ଜନ ପୃଷ୍ଟିଙ୍କ ସମେତ ବହୁ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର