ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ବର: ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଖିଳ ଭାରତ ଜାତୀୟ କଂଗ୍ରେସର ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଡ. ଏ ଚେଲା କୁମାର, ଅଖିଳ ଭାରତ କଂଗ୍ରେସ କମିଟିର ସଂପାଦକ ଜି ରୁଦ୍ର ରାଜୁ, ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ କଂଗ୍ରେସର ଉପସଭାପତି ଶିବାନନ୍ଦ ରାୟ, ରାଜ୍ୟ କଂଗ୍ରେସର ଉପସଭାପତି ଯଜ୍ଞେଶ୍ୱର ବାବୁ, ପୂର୍ବତନ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ତଥା ପିସିସି ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ, ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ଜାନକୀ ବଲ୍ଲଭ ପଟ୍ଟନାୟକ, ରାଜ୍ୟ କଂଗ୍ରେସ ପୂର୍ବତନ ଉପସଭାପତି ଶୁଭେନ୍ଦୁ ମହାନ୍ତି, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଗୀତାଞ୍ଜଳି ମହାନ୍ତି, ରଶ୍ମି ମହାପାତ୍ର, ଜିଲ୍ଲା ମୁଖପାତ୍ର ସଂଜୀବ ମହାନ୍ତି, ଉପସଭାପତି ଆଶିଷ ମଲ୍ଲିକ, ବ୍ଲକ ସଭାପତି ମିହିର ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଭୁବନେଶ୍ୱର ଜିଲ୍ଲାର ଦିବଂଗତ ନେତୃବୃନ୍ଦଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା।

କମିଟି ସଭାପତି ବିଶ୍ୱଜିତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୬ଟି ପ୍ରସ୍ତାବ ଗୃହୀତ ହୋଇଥିଲା। ପ୍ରସ୍ତାବ ଉପରେ ଆଲୋଚନା ପରେ ପ୍ରତ୍ୟେକ ସ୍ତରରେ କମିଟି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ସହିତ ପ୍ରତ୍ୟେକ ୱାର୍ଡକୁ ସଂପର୍କ ଯାତ୍ରାକରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଆସନ୍ତା ପୌର ନିର୍ବାଚନରେ କଂଗ୍ରେସ କିଭଳି ବିଜୟ ହାସଲ କରିବ ତା’ ଉପରେ ଚେଲା କୁମାର ଗୁରୁତ୍ୱାରେପ କରିଥିଲେ। ୨ ନମ୍ବର ବ୍ଲକ ସଭାପତି ଅଶୋକ ଦାସ ଧନ୍ୟବାଦ ଦେଇଥିଲେ। ବୈଠକ ପୂର୍ବରୁ ଉପସଭାପତି ଶିବାନନ୍ଦ ରାୟ ସାମ୍ବାଦିକ ସମ୍ମିଳନୀରେ କଳା କୃଷି ଆଇନ ପ୍ରତ୍ୟାହୃତ ହେବା ଗଣତନ୍ତ୍ର ଓ କୃଷକଙ୍କର ବିଜୟ ବୋଲି କହିଥିଲେ। ଅହଂକାରୀ ସରକାର ପରାସ୍ତ ହେଲା। ଦୀର୍ଘ ୭ ବର୍ଷ ଭିତରେ ନରେନ୍ଦ୍ର ମୋଦୀ ସରକାର ଯେତେସବୁ ଆଇନ ଆଣିଛନ୍ତି ତାହା ଜନବିରୋଧୀ ବୋଲି ସେ କହିଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସଂପାଦକ ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ବ୍ଲକ ସଭାପତି ବ୍ରହ୍ମାନନ୍ଦ ସାହୁ, ଶ୍ରୀଧର ବଳିଆର ସିଂ, ଦେବରାଜ ମିଶ୍ର, ଇନ୍ଦ୍ରଜିତ ପରିଡ଼ା, ମୋହନ ଜେନା, ଶତ୍ରୁଘନ ବେହେରା, ଯୋଗୀନାଥ ନାୟକ, ଦୀପକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର