ଭୁବନେଶ୍ବର: ସଂଗଠନ ସୃଜନ ଅଭିଯାନ ଜରିଆରେ ଓଡ଼ିଶାରେ ଜିଲ୍ଲା କଂଗ୍ରେସ ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଅଧିକାଂଶ ସାଙ୍ଗଠନିକ ଜିଲ୍ଲା ପାଇଁ ଏଆଇସିସି ପର୍ଯ୍ୟବେକ୍ଷକ ଓଡ଼ିଶାରେ ପହଞ୍ଚିସାରିଛନ୍ତି। ଭୁବନେଶ୍ବର ସଂଗଠନ ଜିଲ୍ଲା ପାଇଁ ନିୟୋଜିତ ହୋଇଥିବା ଏଆଇସିସି ପର୍ଯ୍ୟବେକ୍ଷକ ଜେ.ଡି ଶୀଲମ ସ୍ଥାନୀୟ ନେତାଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି। ବର୍ତ୍ତମାନସୁଦ୍ଧା ୧୧ଜଣ ଆଶାୟୀ ଜିଲ୍ଲା ସଭାପତି ପାଇଁ ଫର୍ମ ନେଇଛନ୍ତି। ତହିଁରୁ ଆଜିସୁଦ୍ଧା ୩ଜଣ ଆବେଦନ କରିଥିବା କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି।

Advertisment

ଜିଲ୍ଲା ସଭାପତି ପାଇଁ ୬ଜଣିଆ ତାଲିକା ପ୍ରସ୍ତୁତ କରିବେ ପର୍ଯ୍ୟବେକ୍ଷକ। ଏଥିରେ ଅନୁସୂଚିତ ଜାତି, ଜନଜାତି, ମହିଳା, ଓବିସି ଓ ସଂଖ୍ୟାଲଘୁ ଆଦି ବର୍ଗ ଉପରେ ଗୁରୁତ୍ବ ଦିଆଯିବ। ଭୁବନେଶ୍ବର ଜିଲ୍ଳା ସଭାପତି ପାଇଁ ବର୍ତ୍ତମାନ ଜିଲ୍ଲା ସଂଯୋଜକ ଥିବା ବିଶ୍ବଜିତ ଦାଶ, ଭୁବନେଶ୍ବର ମଧ୍ୟ ବିଧାୟକ ପ୍ରାର୍ଥୀ ପ୍ରକାଶ ଜେନା ଓ ଅଭିଳାଷ ମାଣିଆ ଆବେଦନ କରିଛନ୍ତି। ଏହାସହ ଦଳର କିଛି ମୁଖପାତ୍ର ମଧ୍ୟ ଜିଲ୍ଲା ସଭାପତି ପାଇଁ ଫର୍ମ ନେଇଛନ୍ତି। ଜିଲ୍ଲା ସଭାପତି ପାଇଁ ଆବେଦନ ଆହୁରି ୩ଦିନ ବାକି ରହିଥିବାରୁ ଆଶାୟୀଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଆସନ୍ତା ୧୪ତାରିଖ ସୁଦ୍ଧା ତାଲିକା ପ୍ରସ୍ତୁତ କାର୍ଯ୍ୟ ଶେଷ ହେବ।

ବର୍ତ୍ତମାନ ଜିଲ୍ଲା ସଂଯୋଜକ ଥିବା ବିଶ୍ବଜିତ ଦାଶ ପୁନର୍ବାର ଏହି ପଦ ପାଇଁ ଆଶା ରଖିଛନ୍ତି। ଛାତ୍ର କଂଗ୍ରେସରୁ ରାଜନୀତି ଆରମ୍ଭ କରିଥିବା ଶ୍ରୀ ଦାଶ ଭୁବନେଶ୍ବରରେ ଦଳର ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସ୍ଥାନୀୟ କଂଗ୍ରେସ ନେତୃବର୍ଗଙ୍କ ସହ ତାଙ୍କର ଭଲ ସଂପର୍କ ଦୃଷ୍ଟିରୁ ଜିଲ୍ଲା ସଭାପତି ପାଇଁ ତାଙ୍କର ପଲା ଭାରୀ ରହିଛି। ତେବେ ଅଭିଳାଷ ମାଣିଆ ଜିଲ୍ଲା ସଭାପତି ପାଇଁ ଆବେଦନ କରିବା ପରେ ଦଳ ଭିତରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି।   
 କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯୁବ ନେତୃତ୍ବଙ୍କୁ ଗୁରୁତ୍ବ ଦେବା ଓ ରାଜ୍ୟ କଂଗ୍ରେସରେ ଆଉ ଏକ ସମାନ୍ତରାଳ ଗୋଷ୍ଠୀ ଅଭିଳାଷଙ୍କ ପଛରେ ରହିଥିବାରୁ ଏଥର ଭୁବନେଶ୍ବର ଜିଲ୍ଲା ସଭାପତି ଚୟନ ରୋଚକ ହେବ ବୋଲି ଦଳୀୟ ନେତା କହୁଛନ୍ତି। ଏହାସହ ଗତ ସାଧାରଣ ନିର୍ବାଚନରେ ଭୁବନେଶ୍ବର ମଧ୍ୟରୁ ବିଧାୟକ ପ୍ରାର୍ଥୀ ହୋଇଥିବା ପ୍ରକାଶ ଜେନା ଜିଲ୍ଲା ସଭାପତି ଦୌଡ଼ରେ ରହିଛନ୍ତି। ତେବେ ‌ଶ୍ରୀ ଜେନା ଶେଷ ପର୍ଯ୍ୟନ୍ତ ଏହି ଦୌଡ଼ରେ ରହିବେ ନାଁ ଆବେଦନ ପ୍ରତ୍ୟାହାର କରିବେ ତାହା ଉପରେ ନଜର ରହିଛି।