ଛାତ୍ର ଆଦିତ୍ୟ ପାଲ୍ଙ୍କୁ ରାଷ୍ଟ୍ରପତି ସ୍ବର୍ଣ୍ଣପଦକ
୩ ଜଣଙ୍କୁ ସ୍ବର୍ଣ୍ଣ, ୧୮ଜଣଙ୍କୁ ରୌପ୍ୟପଦକ
ଭୁବନେଶ୍ବର : ଆଗକୁ ଅନେକ ଆହ୍ବାନ ଆସୁଛି। ତାହାର ସମ୍ମୁଖୀନ ହେବାକୁ ପଡ଼ିବ। ଏଥିପାଇଁ ଏବେଠାରୁ ପ୍ରସ୍ତୁତ ରହିବା ସହ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ କଠିନ ପରିଶ୍ରମ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍ ‘ନିଶଙ୍କ’ ଭୁବନେଶ୍ବର ଆଇଆଇଟି ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଛନ୍ତି। ଭୁବନେଶ୍ବର ଆଇଆଇଟିର ୯ମ ସମାବର୍ତ୍ତନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପୋଖରିଆଲ୍ ଅନ୍ଲାଇନ୍ରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି ଡିଗ୍ରିଧାରୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ କହିଲେ, ଆଇଆଇଟି ଭୁବନେଶ୍ବରରୁ ଯେଉଁ ଶିକ୍ଷା ପାଇଛନ୍ତି, ତାହାକୁ ଆଧାର କରି ରାଷ୍ଟ୍ର ଗଠନରେ ନିଜକୁ ସାମିଲ କରନ୍ତୁ। ବିଶ୍ବସ୍ତରୀୟ ଛାତ୍ରଛାତ୍ରୀ ସୃଷ୍ଟି କରିବା କ୍ଷେତ୍ରରେ ଭୁବନେଶ୍ବର ଆଇଆଇଟି ପ୍ରମୁଖ ଭୂମିକା ଗ୍ରହଣ କରିଛି। ଜାତୀୟ ଶିକ୍ଷାନୀତି-୨୦୨୦ ଉପରେ ବକ୍ତବ୍ୟ ରଖି କେନ୍ଦ୍ରମନ୍ତ୍ରୀ କହିଲେ, ସମୟ ଥିଲା ବିଶ୍ବର ସ୍କଲାରମାନେ ନାଳନ୍ଦା, ତକ୍ଷଶୀଳା ପରି ଶିକ୍ଷାନୁଷ୍ଠାନରୁ ଜ୍ଞାନ ଆହରଣ କରିବାକୁ ଭାରତକୁ ଆସୁଥିଲେ। ଏବେ ପୁଣି ପୂର୍ବ ସ୍ଥିତି ଫେରିବାକୁ ଯାଉଛି। ନୂତନ ଶିକ୍ଷା ନୀତି ଦ୍ବାରା ଭାରତକୁ ବିଶ୍ବସ୍ତରରେ ନେତୃତ୍ବ ନେବ ଏବଂ ଜ୍ଞାନର ଶକ୍ତି ଭାବେ ପରିଗଣିତ ହେବ।
କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଅଧ୍ୟାପକ, ଛାତ୍ରଛାତ୍ରୀଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ କାର୍ଯ୍ୟକ୍ରମର ସ୍ୱପ୍ନକୁ ପୂରଣ କରି ଅନୁସନ୍ଧାନ ଓ ରୋଜଗାର ସୃଷ୍ଟି ପାଇଁ ‘ଆତ୍ମନିର୍ଭର ଭାରତ ଅଭିଯାନ’ରେ ସାମିଲ ହେବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ। ଆଇଆଇଟି ଭୁବନେଶ୍ବରର ବୋର୍ଡ ଅଫ୍ ଗର୍ଭନର୍ସ (ବିଓଜି)ର ଚେୟାରମ୍ୟାନ୍ ରାଜେନ୍ଦ୍ର ପ୍ରସାଦ ସିଂ ଯୋଗଦେଇ କହିଲେ, ଏଠାରୁ ସଫଳତାର ସହ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ରାଷ୍ଟ୍ର ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଭୁବନେଶ୍ବର ଆଇଆଇଟିର ନିର୍ଦ୍ଦେଶକ ଆର୍ ଭି. ରାଜାକୁମାର ଉତ୍ସବରେ ଅଧ୍ୟକ୍ଷତା କରି ବାର୍ଷିକ ରିପୋର୍ଟ ଉପସ୍ଥାପନ କରିଥିଲେ।
ଏହି ଅବସରରେ ୩ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣପଦକ ଓ ୧୮ ଛାତ୍ରଛାତ୍ରୀଙ୍କୁ ରୌପ୍ୟପଦକ ପ୍ରଦାନ କରାଯାଇଥିଲା। ବି.ଟେକ୍ ଛାତ୍ର ଆଦିତ୍ୟ ପାଲ୍ଙ୍କୁ ରାଷ୍ଟ୍ରପତି ସ୍ବର୍ଣ୍ଣପଦକ, ଏମ୍.ଟେକ୍ ଛାତ୍ର ସଙ୍କେତ ଦେ ଚୌଧୁରୀ ଓ ଏମ୍.ଏସ୍ସି ଛାତ୍ର ସୌଭିକ୍ ଚକ୍ରବର୍ତ୍ତୀଙ୍କୁ ନିର୍ଦ୍ଦେଶକ ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇଥିଲା। ବି.ଟେକ୍ ପାଠ୍ୟକ୍ରମରେ ଆଦିତ୍ୟ ପାଲ୍, ଅରବିନ୍ଦ ଟିକେଆର, ଅବିନାଶ ମିଶ୍ର, ଅମନ୍ ସିଂଘଲ୍, ମନପୁରମ୍ ଜ୍ୟୋତି ଭେଙ୍କଟ ସାଇ ଆଦିତ୍ୟ ଓ ଶୁଭଜିତ୍ ମଣ୍ଡଳ, ଏମ୍.ଟେକ୍ ପାଠ୍ୟକ୍ରମରେ ସଙ୍କେତ ଦେ ଚୌଧୁରୀ, ଦୁସନେ ଆଜ୍ୟାଙ୍କ ରାଜେନ୍ଦ୍ର, ପ୍ରିୟବ୍ରତ ଦାସ, ଅନୁପ କୁମାର ଯାଦବ, ଗୌରବ ଭଟ୍ଟାଚାର୍ଯ୍ୟ, ଖାଡ଼କେ ଲିନା ସଞ୍ଜୟ ଓ ଦେବଜିତ୍ ରଣା ଏବଂ ଏମ୍.ଏସ୍ସି ପାଠ୍ୟକ୍ରମରେ ସୌଭିକ୍ ଚକ୍ରବର୍ତୀ, ଏ. ସୁସେନ ଜେମ୍ସ, ଦେବବ୍ରତ ମଣ୍ଡଳ, ସୁଦେଷ୍ନା ଗୌସ୍ବାମୀ ଓ ଅର୍କପ୍ରଭା ରାୟଙ୍କୁ ରୌପ୍ୟପଦକ ଦିଆଯାଇଥିଲା। ମୋଟ ୪୪୬ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରଦାନ କରାଯାଇଛି। ୩୫ ଛାତ୍ରଛାତ୍ରୀଙ୍କୁ ପିଏଚ୍ଡି, ୧୪୧ଜଣଙ୍କୁ ଏମ୍.ଟେକ୍, ୭୦ ଜଣଙ୍କୁ ଏମ୍.ଏସ୍ସି ଓ ୨୦୦ ଛାତ୍ରଛାତ୍ରୀଙ୍କୁ ବି.ଟେକ୍ ଡିଗ୍ରି ଦିଆଯାଇଥିଲା। ଏହି ଅବସରରେ ଷ୍ଟୁଡେଣ୍ଟ ଆକ୍ଟିଭିଟିସ୍ ସେଣ୍ଟର(ଏସ୍ଏସି), ପ୍ଲେ କୋର୍ଟସ ଓ ସ୍କୁଲ ଅଫ୍ ହ୍ୟୁମାନିଟିଜ୍, ସୋସିଆଲ୍ ସାଇନ୍ସ ଓ ମ୍ୟାନେଜ୍ମେଣ୍ଟ ବିଲଡିଂ ଉଦ୍ଘାଟିତ ହୋଇଥିଲା।