ଭୁବନେଶ୍ବର: ଆଇଆଇଟି, ଭୁବନେଶ୍ବରର ୯ମ ସମାବର୍ତନ ଉତ୍ସବ ଡିସେମ୍ବର ୪ ତଥା ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ହେବ। କରୋନା ମହାମାରୀ ପାଇଁ ଏଥର ଫିଜିକାଲ ଉତ୍ସବ ବଦଳରେ ଅଭିନବ ଉପାୟରେ ଉତ୍ସବ କରାଯିବ। ଉଭୟ ଅନ୍ଲାଇନ୍ ଓ ଫିଜିକାଲ ମୋଡ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ ‘ନିଶଙ୍କ’ ମୁଖ୍ୟଅତିଥି ଭାବେ ଯୋଗଦେଇ ଅନ୍ଲାଇନ୍ରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ, ଆଇଆଇଟି ଭୁବନେଶ୍ବରର ବୋର୍ଡ ଅଫ୍ ଗର୍ଭନରସ୍(ବିଓଜି)ର ଚେୟାରମ୍ୟାନ୍ ରାଜେନ୍ଦ୍ର ପ୍ରସାଦ ସିଂ ସମ୍ମାନିତ ଅତିଥିଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆଇଆଇଟିର ନିର୍ଦେଶକ ଆର ଭି ରାଜା କୁମାର ଉତ୍ସବରେ ଅଧ୍ୟକ୍ଷତା କରିବା ସହ ରିପୋର୍ଟ ଉପସ୍ଥାପନ କରିବେ।
ଜଟଣୀ ଅରୁଗୁଳସ୍ଥିତ କ୍ୟାମ୍ପସରେ ପୂର୍ବାହ୍ନ ୧୦ଟା ୫୫ରେ ହେବାକୁ ଥିବା ଏହି ଉତ୍ସବରେ ୩ ଜଣଙ୍କୁ ସ୍ବର୍ଣ୍ଣ ପଦକ ଓ ୧୮ ଜଣ ଛାତ୍ରଛାତ୍ରୀଙ୍କୁ ରୌପ୍ୟ ପଦକ ପ୍ରଦାନ କରାଯିବ। ବି.ଟେକ୍ ଛାତ୍ର ଆଦିତ୍ୟ ପାଲ୍ ରାଷ୍ଟ୍ରପତି ସ୍ବର୍ଣ୍ଣ ପଦକ ପାଇବାକୁ ଥିବା ବେଳେ ଏମ୍ଟେକ୍ ଛାତ୍ର ସଙ୍କେତ ଦେ ଚୌଧୁରୀ ଓ ଏମ୍.ଏସ୍ସି ଛାତ୍ର ସୌଭିକ୍ ଚକ୍ରବର୍ତ୍ତୀ ନିର୍ଦେଶକ ସ୍ବର୍ଣ୍ଣ ପଦକ ପାଇବେ। ଏହାବ୍ୟତୀତ ବିଭିନ୍ନ ବିଭାଗରେ ସର୍ବୋଚ୍ଚ ନମ୍ବର ରଖି କୃତିତ୍ବ ହାସଲ କରିଥିବା ୧୮ ଜଣ ଛାତ୍ରଛାତ୍ରୀଙ୍କୁ ରୌପ୍ୟ ପଦକ ପ୍ରଦାନ କରାଯିବ। ବିଟେକ୍ ପାଠ୍ୟକ୍ରମରେ ଆଦିତ୍ୟ ପାଲ୍, ଅରବିନ୍ଦ ଟିକେଆର, ଅବିନାଶ ମିଶ୍ର, ଅମନ୍ ସିଂଘଲ୍, ମନପୁରମ୍ ଜ୍ୟୋତି ଭେଙ୍କଟ ସାଇ ଆଦିତ୍ୟ ଓ ଶୁଭଜିତ୍ ମଣ୍ଡଳ, ଏମ୍ଟେକ୍ ପାଠ୍ୟକ୍ରମରେ ସଙ୍କେତ ଦେ ଚୌଧୁରୀ, ଦୁସନେ ଆଜ୍ୟାଙ୍କ ରାଜେନ୍ଦ୍ର, ପ୍ରିୟବ୍ରତ ଦାସ, ଅନୁପ କୁମାର ଯାଦବ, ଗୌରବ ଭଟ୍ଟାଚାର୍ଯ୍ୟ, ଖାଡ଼କେ ଲିନା ସଞ୍ଜୟ ଓ ଦେବଜିତ୍ ରଣା ଏବଂ ଏମ୍.ଏସ୍ସି ପାଠ୍ୟକ୍ରମରେ ସୌଭିକ୍ ଚକ୍ରବର୍ତୀ, ଏ. ସୁସେନ ଜେମ୍ସ, ଦେବବ୍ରତ ମଣ୍ଡଳ, ସୁଦେଷ୍ନା ଗୌସ୍ବାମୀ ଓ ଅର୍କପ୍ରଭା ରାୟ ରୌପ୍ୟ ପଦକ ପାଇବେ।
ମୋଟ ୪୪୬ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରଦାନ କରାଯିବ। ୩୫ ଜଣ ଛାତ୍ରଛାତ୍ରୀଙ୍କୁ ପିଏଚ୍ଡି ଡିଗ୍ରି, ୧୪୧ ଜଣଙ୍କୁ ଏମ୍.ଟେକ୍, ୭୦ ଜଣଙ୍କୁ ଏମ୍.ଏସ୍ସି ଓ ୨୦୦ ଜଣ ଛାତ୍ରଛାତ୍ରୀଙ୍କୁ ବି.ଟେକ୍ ଡିଗ୍ରି ଦିଆଯିବ। ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ଅଭିଭାବକମାନେ ଏହି ଉତ୍ସବରେ ସାମିଲ ହୋଇପାରିବେ। ଆଇଆଇଟି ନିର୍ଦେଶକ ପ୍ରଫେସର ଆର ଭି ରାଜା କୁମାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଅନ୍ଲାଇନ୍ରେ ହେବାକୁ ଥିବା ଏହି ଉତ୍ସବରେ ଭାଗନେବା ଲାଗି ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଆଗ୍ରହ ପ୍ରକାଶ କରିଛନ୍ତି। ଉତ୍ସବ ଅବସରରେ ଷ୍ଟୁଡେଣ୍ଟ ଆକ୍ଟିଭିଟିସ୍ ସେଣ୍ଟର(ଏସ୍ଏସି), ପ୍ଲେ କୋର୍ଟସ ଓ ସ୍କୁଲ ଅଫ୍ ହ୍ୟୁମାନିଟିଜ୍, ସୋସିଆଲ୍ ସାଇନ୍ସ ଓ ମ୍ୟାନେଜ୍ମେଣ୍ଟ ବିଲଡିଂ ଉଦ୍ଘାଟିତ ହେବ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟ ଭିତ୍ତିଭୂମି ବିକାଶ ଲାଗି ମିଳିଥିବା ଅର୍ଥରେ ୪୨ ଏକର ପରିମିତ ଅଞ୍ଚଳରେ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ ହୋଇଛି। ଗତବର୍ଷ ସମାବର୍ତନ ଉତ୍ସବ ପରି ଏଥର ବି ଛାତ୍ରମାନେ କୁର୍ତ୍ତା ଓ ପାଇଜାମା ଏବଂ ଛାତ୍ରୀମାନେ ସାଲୱାର୍ ଓ କମିଜ୍ ପିନ୍ଧିବେ। ସମସ୍ତ ଛାତ୍ରଛାତ୍ରୀ ସମ୍ବଲପୁରୀ ହସ୍ତତନ୍ତରେ ପ୍ରସ୍ତୁତ ଷ୍ଟୋଲ ପକାଇବେ। ବି.ଟେକ୍ ଛାତ୍ରଛାତ୍ରୀଙ୍କ ପାଇଁ ଖଇରିଆ, ଏମ୍ଏସ୍ସି ପିଲାଙ୍କର ନୀଳ, ଏମ୍.ଟେକ୍ ପିଲାଙ୍କ ପାଇଁ ସବୁଜ ଓ ପିଏଚ୍ଡି ଛାତ୍ରଛାତ୍ରୀଙ୍କ ଲାଗି ହଳଦିଆ ରଙ୍ଗର ଷ୍ଟୋଲ ହୋଇଛି।