ଭୁବନେଶ୍ବର ଆଇଆଇଟି ପ୍ରତିଷ୍ଠା ଦିବସ : ଡିଆର୍‌ଡିଓ ସହ ସହଭାଗିତା ବଢ଼ିବ

ଭୁବନେଶ୍ବର/ଜଟଣୀ : ଗବେଷଣା, ଦୀର୍ଘକାଳୀନ ପ୍ରକଳ୍ପ, ପ୍ରୟୋଗାତ୍ମକ ଗବେଷଣା କ୍ଷେତ୍ରରେ ଆଇଆଇଟି ଭୁବନେଶ୍ବର ଓ ଡିଆରଡିଓ ମଧ୍ୟରେ ସହଭାଗିତା ଲାଗି ଅନେକ ସୁଯୋଗ ରହିଛି। ଷ୍ଟାର୍ଟ-ଅପ୍ କେନ୍ଦ୍ରଗୁଡ଼ିକୁ ମେଣ୍ଟରିଂ କରିବା ସହ ସେଣ୍ଟର ଅଫ୍‌ ଏକ୍ସଲେନ୍ସ(ଉତ୍କର୍ଷ କେନ୍ଦ୍ର) ପ୍ରତିଷ୍ଠା ଦିଗରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଡିଆର୍‌ଡିଓ (ଡିଫେନ୍ସ ରିସର୍ଚ୍ଚ ଡେଭଲପ୍‌ମେଣ୍ଟ ଅର୍ଗାନାଇଜେସନ)ର ଚେୟାରମ୍ୟାନ୍‌ ଜି. ଏସ୍‌ ରେଡ୍ଡୀ କହିଛନ୍ତି।

ଭୁବନେଶ୍ବର ଆଇଆଇଟିର ୧୩ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଭର୍ଚୁଆଲ୍‌ ମାଧ୍ୟମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ରେଡ୍ଡୀ କହିଲେ, ଆଇଆଇଟି ଓ ଡିଆରଡିଓ ମଧ୍ୟରେ ସମସ୍ତ ପ୍ରକାର ବିନିମୟ ଦ୍ବାରା ରାଜ୍ୟ ତଥା ଦେଶର ପ୍ରଗତି ହୋଇପାରିବ। ଯେଉଁଥିରେ ଆଇଆଇଟି ଭୁବନେଶ୍ୱର ପ୍ରମୁଖ ଭୂମିକା ଗ୍ରହଣ କରିବ। ପ୍ରକୃତ ଆତ୍ମନିର୍ଭରଶୀଳ ସେତେବେଳେ ଆସିବ, ଯେତେବେଳେ ଅତ୍ୟାଧୁନିକ ପ୍ରଣାଳୀର ଡିଜାଇନ୍, ବିକାଶ, ଉତ୍ପାଦନ, ପ୍ରତିରକ୍ଷା ବ୍ୟବସ୍ଥା ଦ୍ୱାରା ଦେଶ ସମୃଦ୍ଧ ଦିଗରେ ଆଗେଇବ। ଯୁଦ୍ଧ ଟ୍ୟାଙ୍କ ‘ଅର୍ଜୁନ’ ଓ ଯୁଦ୍ଧ ବିମାନ ତିଆରି କରି ଭାରତ ସ୍ୱଦେଶୀ ଜ୍ଞାନକୌଶଳର ପରିଚୟ ଦେଇଛି। ଆଇଆଇଟି ଭୁବନେଶ୍ୱର ନିଜର ପାରଦର୍ଶିତା, ଗବେଷଣା, ବୈଷୟିକ ଜ୍ଞାନକୌଶଳର ମାଧ୍ୟମରେ ଦେଶର ଉତ୍ପାଦନ କ୍ଷେତ୍ରକୁ ଆହୁରି ମଜଭୁତ କରିପାରିବ। ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାଙ୍କ ଉଦ୍ୟମ ବେଶ୍‌ ପ୍ରଶଂସନୀୟ। ଏବେ ପରବର୍ତ୍ତୀ ପିଢ଼ି ଉପରେ ଧ୍ୟାନ ଦେବାକୁ ହେବ। ଭାରତକୁ ସମଗ୍ର ବିଶ୍ବରେ ଅଭିବୃଦ୍ଧି ଦିଗରେ ନେବାକୁ ହେଲେ ନିଜର ବୁଦ୍ଧି, ଆଡଭାନ୍ସ ମିସାଇଲ୍ ଟେକ୍ନୋଲୋଜି, ସାଇବର ସୁରକ୍ଷା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଆଇଆଇଟି ନିର୍ଦେଶକ ପ୍ରଫେସର୍‌ ଆର୍‌.ଭି ରାଜାକୁମାର ଅଧ୍ୟକ୍ଷତା କରି କହିଲେ, ଦ୍ୱିତୀୟ ପିଢ଼ିର ଆଇଆଇଟିଗୁଡ଼ିକ ମଧ୍ୟରେ ଏହି ଅନୁଷ୍ଠାନ ଆଗରେ ରହିଛି। ଗତ ୧୨ବର୍ଷ ମଧ୍ୟରେ ଶିକ୍ଷାନୁଷ୍ଠାନ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ସର୍ବଶ୍ରେଷ୍ଠ ଶିକ୍ଷାଦାନ ସହ କ୍ୟାମ୍ପସଗୁଡ଼ିକର ସର୍ବୋତ୍ତମ ନିର୍ମାଣ, ଇଣ୍ଟର ଆଇଆଇଟି ସ୍ପୋର୍ଟସ୍ ମିଟ୍, ପ୍ରାସଙ୍ଗିକ ଗବେଷଣା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଛି। କୋଭିଡ୍‌-୧୯ ମୁକାବିଲାରେ ବେଶ୍‌ ସଫଳତା ମିଳିଛି। ଟାସ୍କଫୋର୍ସ ଗଠନ ଦ୍ବାରା ଏହି ମହାମାରୀ ବିସ୍ତାରକୁ ରୋକା ଯାଇପାରିଛି। ଅନ୍‌ଲାଇନ୍‌ ମାଧ୍ୟମରେ ଅଧ୍ୟାପକ, ଅଧ୍ୟାପିକା ଶିକ୍ଷା ପ୍ରଦାନ କରିଛନ୍ତି। ହାଇବ୍ରିଡ୍‌ ମୋଡ୍‌ରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଯାଇଛି, ଯାହାକି ସମ୍ପୂର୍ଣ୍ଣ ନିଆରା। ନିର୍ଦ୍ଧାରିତ ସମୟରେ ପରୀକ୍ଷା ଶେଷ ହେବା ସହ ଫଳ ପ୍ରକାଶ କରାଯାଇଛି। ଶିକ୍ଷାନୁଷ୍ଠାନକୁ ଆହୁରି ଆଗକୁ ନେବା ଦିଗରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସେ ସୂଚନା ଦେଇଥିଲେ।

ଶ୍ରୀ ରେଡ୍ଡୀଙ୍କ ଉପସ୍ଥିତିରେ ଆଇଆଇଟି ଭୁବନେଶ୍ବର ନିର୍ଦ୍ଦେଶକ ପ୍ରଫେସର୍‌ ରାଜାକୁମାର ଅଧ୍ୟାପକ ଓ କର୍ମଚା‌ରୀଙ୍କୁ ଏକ୍ସଲେନ୍ସ ଆୱାର୍ଡ ପ୍ରଦାନ କରିଥିଲେ। ଶ୍ରୀନିବାସ ପିନିସେଠୀ, ନିର୍ମଳେନ୍ଦୁ ଆଚାର୍ଯ୍ୟ, ଅନୁପ ଥୋମାସ୍‌, ରାଜକୁମାର ଗୁଡ଼ୁରୁଙ୍କୁ ଟିଚିଂ ଏକ୍ସଲେନ୍ସ ଆୱାର୍ଡ ପ୍ରଦାନ କରାଯାଇଥିଲା। ଗବେଷଣା ପାଇଁ ଭି ଆର୍‌ ପେଡିରେଡ୍ଡୀ, ରଞ୍ଜନ ଝା, ଶୁଭ୍ରାଂଶୁ ଶେଖର ସାମନ୍ତରାୟ, ଭେନୁଗୋପାଳ ଆରୁମୁରୁଙ୍କୁ ନିର୍ଦେଶକ ପୁରସ୍କାର, ସେବା ପାଇଁ ଶାନ୍ତନୁ ପାଲ, ବାରଥରାମଖ ରାମକୁମାର, ଶ୍ରୀନିବାସ କରଙ୍କିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଫେସର୍‌ ସରୋଜ କୁମାର ନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର