ନିଯୁକ୍ତି କ୍ଷେତ୍ରରେ ଭୁବନେଶ୍ବର ଆଇଆଇଟିର ସଫଳତା, ୭ ଛାତ୍ରଛାତ୍ରୀଙ୍କୁ ୪୫ ଲକ୍ଷରେ ନିଯୁକ୍ତି

୩୨% ଛାତ୍ରଛାତ୍ରୀଙ୍କୁ ମିଳିସାରିଛି ନିଯୁକ୍ତି ଅଫର୍‌

ଭୁବନେଶ୍ବର: ୨୦୨୦-୨୧ ଶିକ୍ଷାବର୍ଷରେ ଭୁବନେଶ୍ବର ଆଇଆଇଟିର ଛାତ୍ରଛାତ୍ରୀ ନିଯୁକ୍ତି କ୍ଷେତ୍ର‌ରେ ‌ବେଶ୍‌ ସଫଳତା ହାସଲ କରିଛନ୍ତି। କରୋନା ମହାମାରୀ ସମୟରେ ବି ଏଠାକାର ଛାତ୍ରଛାତ୍ରୀ ଦେଶ ବିଦେଶର ନାମକରା କମ୍ପାନିରେ ନିଯୁକ୍ତି ଅଫର୍‌ ପାଇଛନ୍ତି। ଏ ପର୍ଯ୍ୟନ୍ତ ମୋଟ ୩୨% ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଅଫର୍‌ ମିଳି ସାରିଥିବା ଆଇଆଇଟି ନିର୍ଦ୍ଦେଶକ ପ୍ରଫେସର୍‌ ଆର. ଭି ରାଜାକୁମାର ସୂଚନା ଦେଇଛନ୍ତି।

ପ୍ରଫେସର ରାଜା କୁମାର କହିଛନ୍ତି ଯେ ପ୍ରତିବର୍ଷ ଏଠାକାର ଛାତ୍ରଛାତ୍ରୀ ନିଯୁକ୍ତି କ୍ଷେତ୍ରରେ ବେଶ୍‌ ସଫଳତା ହାସଲ କରୁଛନ୍ତି। ୨୦୨୦-୨୧ ଶିକ୍ଷାବର୍ଷରେ ଏ ପର୍ଯ୍ୟନ୍ତ ୮୮ଜଣ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଅଫର୍‌ ମିଳିଛି। କୋଡ୍‌ ନେସନ୍‌ ଇନୋଭେସନ ଲ୍ୟାବ୍‌, ଆନାଲଗ୍‌ ଡିଭାଇସ୍‌, ଆମାଜନ୍‌, ଡ୍ରିମ୍‌ ୧୧, ରୁପେକ୍‌, ଜେଏଲ୍‌ଆର, କାଟରପିଲ୍ଲାର, ମାଥ୍‌ୱାର୍କ, ଅଏଲ୍‌ ଇଣ୍ଡିଆ ଲିମିଟେଡ୍‌ ଆଦି କମ୍ପାନିରୁ ଛାତ୍ରଛାତ୍ରୀ ଅଫର୍‌ ପାଇଛନ୍ତି। ବି.ଟେକ୍‌ ପାଠ୍ୟକ୍ରମର ଇଲେକ୍ଟ୍ରିକାଲ ସାଇନ୍ସ୍‌ ବିଭାଗର ୭ଜଣ ଛାତ୍ରଛାତ୍ରୀ ବାର୍ଷିକ ୪୫ ଲକ୍ଷ ଟଙ୍କାରେ ନିଯୁକ୍ତି ଅଫର୍‌ ପାଇଛନ୍ତି, ଯାହାକି ଏକ ରେକର୍ଡ। ଆଇଟି ଓ କୋର୍‌ ଇଣ୍ଡଷ୍ଟ୍ରିସ୍‌ରେ ଅଧିକ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଅଫର୍‌ ମିଳିଛି। କରୋନା ମହାମାରୀ ସମୟରେ ସାରା ବିଶ୍ବରେ ନିଯୁକ୍ତି କ୍ଷେତ୍ର ପ୍ରଭାବିତ ହୋଇଥିବା ବେଳେ ଆଇଆଇଟିର ଛାତ୍ରଛାତ୍ରୀଙ୍କ ସଫଳତା ଶିକ୍ଷାନୁଷ୍ଠାନକୁ ଆଗକୁ ବଢ଼ିବା କ୍ଷେତ୍ରରେ ବେଶ୍‌ ସହାୟକ ହେବ। ଆଇଆଇଟି ଭୁବନେଶ୍ବର କ୍ୟାରିୟର୍‌ ଡେଭଲପ୍‌ମେଣ୍ଟ ସେଲ୍‌ର ପ୍ରଫେସର୍‌-ଇନ୍‌-ଚାର୍ଜ ଏ କେ ପ୍ରଧାନଙ୍କ କହିବାନୁଯାୟୀ, ଭର୍ଚୁଆଲ୍‌ ମୋଡ୍‌ରେ କ୍ୟାମ୍ପସ୍‌ ପ୍ଲେସମେଣ୍ଟ ଏକ ନୂଆ ଟ୍ରେଣ୍ଡ୍‌ ସୃଷ୍ଟି କରିଛି। ଆଗକୁ ମଧ୍ୟ ଏଠାକାର ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର