ଭୁବନେଶ୍ବର: ବର୍ଷକୁ  ୪ ଦିନ ପାଇଁ ବିରାଜନ୍ତି ମା’ ଜଗଜ୍ଜଜନନୀ। ମା’ଙ୍କୁ ପାଛୋଟିବାକୁ ସହରରେ ଜମେ ଉତ୍ସବର ଭିଡ଼। କିଏ ନୂଆ ପୋଷାକ କିଣିବାକୁ ତ ପୁଣି କିଏ ଏହାକୁ ମାନିଲା ଭଳି ଚୁଡ଼ି ଓ କାନଫୁଲ ବାଛି ନେବାକୁ ବଜାର ଅଭିମୁଖେ ଛୁଟିଛନ୍ତି। କୋଲକାତା ପରେ କଟକ ଏବଂ କଟକ ପରେ ଏବେ ଭୁବନେଶ୍ବରରେ ମନମତାଣିଆ ତୋରଣ, ମେଢ଼ ହେଉଥିବାରୁ ଭୁ‌ବନେଶ୍ବରିଆଙ୍କ ଘରେ ଜମିଲାଣି ବନ୍ଧୁବାନ୍ଧବଙ୍କ ଆସର। ମେଳା ବୁଲା, ଦୋଳି ‌ଖେଳା, ମୀନା ବଜାରରୁ ଭଳିକି ଭଳି ସାମଗ୍ରୀ କିଣା ସାଙ୍ଗକୁ ମେଲୋଡିମନସ୍କ ହେଲେଣି ସହରିଆ। କିଏ କିଏ ପୂଜା ବଜାରକୁ ଆସୁଥିବା ନୂଆ ନୂଆ ପତ୍ରିକା କିଣିବାକୁ ରାଜଧାନୀ ପତ୍ରିକାହାଟରେ ଭିଡ଼ କଲେଣି ତ’ ନବରାତ୍ର ବ୍ରତଧାରୀମାନେ ଫଳ, ପୂଜା ସାମଗ୍ରୀ କିଣିବାକୁ ପୂଜା ବଜାରକୁ ସରଗରମ କଲେଣି। ମୋଟ୍‌ଉପରେ ଆଜି ମା’ ଜଗତଜନନୀଙ୍କ ଚକ୍ଷୁଦାନ ସହ ସହରଟା ବି ଉତ୍ସବର ସମୁଦ୍ରରେ ଉବୁଟୁବୁ ହେଲାଣି। 
ଅପରପକ୍ଷେ ଗତକାଲି ଅପେକ୍ଷା ଆଜି ମଧ୍ୟ ରାଜଧାନୀର ବିଭିନ୍ନ ରାସ୍ତାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ବିଶେଷ କରି ପୂଜାମଣ୍ଡପ ସଂଲଗ୍ନ ରାସ୍ତାରେ ଗାଡ଼ି ଗଡ଼ିବା ପାଇଁ ଅଧ ଘଣ୍ଟା ସମୟ ଲାଗୁଛି। ବିଶେଷ କରି ମଣ୍ଡପ ସମ୍ମୁଖରେ‌ଲୋକମାନେ ଗାଡ଼ି ରଖି ଫଟୋ ଉଠାଇବା ଓ ରାସ୍ତା କଡ଼ ପାର୍କିଂ ହିଁ ଭିଡ଼ର ମୁଖ୍ୟକାରଣ ବୋଲି ଜଣାପଡ଼ିଛି।  ମୁଖ୍ୟ ରାସ୍ତାକୁ ଲାଗି  ମଣ୍ଡପଗୁଡ଼ିକ ଥିବାରୁ ଏହାର ସଂଲଗ୍ନ ରାସ୍ତାରେ ଟ୍ରାଫିକ୍‌ନିୟନ୍ତ୍ରଣ ପୁଲିସ ହାତରୁ ବାହାରି ଯାଇଥିଲା। ସର୍ଭିସ୍ ରୋଡ୍ ଗୁଡ଼ିକ‌ରେ ଭିଡ଼ ହେଉଥିବାରୁ ଜାତୀୟ ରାଜପଥରେ ମଧ୍ୟ ଭିଡ଼ ପରିଲକ୍ଷିତ ହୋଇଥିଲା। ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଭିଡ଼ ଲାଗି ରହିଥିଲା। ପରେ ବିଭିନ୍ନ ଛକରେ ଡାଇଭର୍ସନ କରାଯିବା ପରେ ଟ୍ରାଫିକ୍ ଭିଡ଼ ନିୟନ୍ତ୍ରଣକୁ ଆସିଥିଲା। 

Advertisment

ଦଶହରା ଓ କୁମାର ପୂର୍ଣ୍ଣିମାରେ ନୂଆ ପୋଷାକ ପିନ୍ଧିବାକୁ ଝିଅମାନେ ପ୍ରବଳ ଭିଡ଼ ମାର୍କେଟ ବିଲ୍ଡିଂଠାରୁ ଆରମ୍ଭ କରି ମଲ୍‌, ସୋ’ରୁମ୍‌ରେ ଦେଖିବାକୁ ମିଳିଲାଣି। ନିଜ ମନ ମୁତାବକ ମେହେନ୍ଦି ପକାଇବାକୁ ମେହେନ୍ଦି ଆର୍ଟିଷ୍ଟ୍‌କୁ ଅଗ୍ରିମ ଦେଇ ସାରିଥିବା ବେଳେ ଏବେ ମେହେନ୍ଦି ଆର୍ଟିଷ୍ଟ୍‌ଙ୍କୁ ବି ଫୁର୍‌ସତ ନାହିଁ। ସେପଟେ ପାର୍ଲର ଯାଇ ମହିଳାମାନେ ନିଜ ରୂପରଙ୍ଗକୁ ସଜାଇ ଦେଲେଣି। ପ୍ରଦର୍ଶନୀ ପଡ଼ିଆରେ ଦାଣ୍ଡିଆ ନାଇଟ୍‌ର ମଜା ନେଉଛନ୍ତି ଯୁବପିଢ଼ି। ମେଳା, ମହୋତ୍ସବ ଯୋଗୁଁ ସହରର ରାସ୍ତାଘାଟ ଏବେ ଜନସମୁଦ୍ର ପାଲଟିଯାଇଛି। ଅଧକିଲୋମିଟର ରାସ୍ତା ଯିବାକୁ ଅଧଘଣ୍ଟାରୁ ଅଧିକ ସମୟ ଲାଗୁଛି। ସହରଟା ନୂଆ ବୋହୂ ଭଳି ସଜେଇ ହୋଇଥିବା ବେଳେ ଲୋକଙ୍କ ଆନନ୍ଦଉଲ୍ଲାସରେ ଗଗନପବନ ଉତ୍‌ଫୁଲିତ ହେଉଛି। 

ଦାଣ୍ଡିଆ ନୃତ୍ୟରେ ମସ୍‌ଗୁଲ ଯୁବପିଢ଼ି

ରାଜଧାନୀରେ କୋଲକାତା ଶୈଳୀର ‌ତୋରଣ ଓ ମେଢ଼ ପରେ ଗୁଜରାଟୀ ପରମ୍ପରାକୁ ଝଟକାଉଛି ‘ଦାଣ୍ଡିଆ ନାଇଟ୍‌’। ଏକାଥରେ ଦୁଇ ଦୁଇଟି ଭିନ୍ନ ଭିନ୍ନ ସଂସ୍କୃତିର ସ୍ୱାଦ ପାଉଛନ୍ତି ସହରବାସୀ। ‘ପ୍ରୟାସ’ ପକ୍ଷରୁ ଗତ ୨୬ ତାରିଖଠାରୁ ‘ନବରାତ୍ର ଦାଣ୍ଡିଆ ମହୋତ୍ସବ’ ଆୟୋଜିତ ହୋଇଯାଇଛି। ଏହା ୨ ତାରିଖ ଯାଏ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ। ପ୍ରତ୍ୟହ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ମହୋତ୍ସବରେ ଜମୁଛି ଦାଣ୍ଡିଆ ନୃତ୍ୟ ସହ ଖାଦ୍ୟ ଆସର। ପ୍ରବେଶ ଶୁଳ୍କ ମୁଣ୍ଡପିଛା ୨୦୦ ଟଙ୍କା ରହିଥିବାରୁ ସହରିଆ ଏଠାରେ ୩/୪ ଘଣ୍ଟା ଆରାମରେ କାଟୁଛନ୍ତି। ରାଜଧାନୀବାସୀଙ୍କୁ ଦାଣ୍ଡିଆର ସମ୍ପୂର୍ଣ୍ଣ ସ୍ବାଦ ଦେବାକୁ ଅନୁଷ୍ଠାନ ପକ୍ଷରୁ ସୁରତରୁ ୨୦୦ ଲୋକଙ୍କ ପାଇଁ କଷ୍ଟ୍ୟୁମ ବରାଦ କରାଯାଇଛି। ଯାହାକି ଦାଣ୍ଡିଆ ନୃତ୍ୟକୁ ଆହୁରି ଜୀବନ୍ତ କରୁଛି। ମାତ୍ର ୫୦ରୁ ୬୦ ଟଙ୍କା ଭଡ଼ା ବାବଦକୁ ନେଇ ଲୋକମାନେ ଦାଣ୍ଡିଆ କଷ୍ଟ୍ୟୁମ ପିନ୍ଧି ରିଲ୍‌ଟିଏ କରିବାକୁ ଭୁଲୁନାହାନ୍ତି। ଖାଲି ପ୍ରଦର୍ଶନୀ ପଡ଼ିଆ ନୁହେଁ, ବିଭିନ୍ନ ତାରକା ହୋଟେଲରେ ବି ଆସନ୍ତାକାଲିଠାରୁ ଦାଣ୍ଡିଆ ଓ ଗର୍‌ବା ଉତ୍ସବ ଅନୁଷ୍ଠିତ ହେବ। 

Untitled-20