ଭୁବନେଶ୍ୱର, ୭।୧୦ (ଇମିସ): କଥାରେ ଅଛି ବିବାହ ଈଶ୍ବରଙ୍କ ଦ୍ବାରା ସ୍ଥିରୀକୃତ ହୋଇଥାଏ। ହେଲେ ଗତ କିଛି ଦଶନ୍ଧି ମଧ୍ୟରେ ଜୀବନସାଥୀ ଚୟନ କ୍ଷେତ୍ରରେ ଭାରତରେ ଏକ ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ ହୋଇଛି। ବର୍ତ୍ତମାନର ଡିଜିଟାଲାଇଜେସନ୍‌ ଯୁବକମାନଙ୍କୁ ସେମାନଙ୍କର ଜୀବନସାଥୀ ଖୋଜିବାରେ ସାହାଯ୍ୟ କରୁଛି। ଛତୁ ଫୁଟିବା ଭଳି ଅନେକ ୱେବସାଇଟ୍ ଖୋଲି ଏ କ୍ଷେତ୍ରରେ ଯୁବପିଢ଼ିଙ୍କୁ ସେମାନଙ୍କ ସାଥୀ ଖୋଜିବାରେ ସାହାଯ୍ୟ କରୁଛନ୍ତି। ତେଣୁ ପ୍ରେମ ବିବାହ ସଂଖ୍ୟା ବଢ଼ୁଛି। ଏଥିରେ ଯୁବକ, ଯୁବତୀଙ୍କ ମା’ମାନଙ୍କ ସମର୍ଥନ ମଧ୍ୟ ରହୁଛି। ଭୁବନେଶ୍ବରରେ ୮୦ ପ୍ରତିଶତ ମହିଳା ସେମାନଙ୍କ ପିଲାଙ୍କ ପ୍ରେମ ବିବାହକୁ ସମର୍ଥନ କରୁଥିବା ଏକ ସର୍ଭେରୁ ଜଣାପଡ଼ିଛି।
ଅପରପ‌େକ୍ଷ ଉପଯୁକ୍ତ ଜୀବନ ସାଥୀ ଚୟନ ପାଇଁ ଅନେକ ବୈବାହିକ ୱେବସାଇଟ୍‌ ଏକାଧିକ ଯୁବକ/ଯୁବତୀଙ୍କ ପ୍ରୋଫାଇଲ ସହ ବିବାହ ଆଶାୟୀଙ୍କୁ ପରସ୍ପର ସହ ସାକ୍ଷାତ କରିବାରେ ସାହାଯ୍ୟ କରୁଛନ୍ତି। ଯାହାକି ଏବେ ଏକ ସାଧାରଣ କଥାରେ ପରିଣତ ହୋଇଛି। ନିକଟରେ ଦେଶର ୫ ହଜାର ଯୁବକ ଏବଂ ଯୁବତୀଙ୍କୁ ନେଇ ହୋଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି ଯେ ୫୦% ଭାରତୀୟ ମା’ ନୂତନ ପରିବର୍ତ୍ତନକୁ ଗ୍ରହଣ କରୁଛନ୍ତି। ସେମାନେ ଡେଟିଂ ଆପ୍‌ରେ ନିଜ ସାଥୀ ଖୋଜିବାରେ ସେମାନଙ୍କ ପିଲାମାନଙ୍କୁ ସମର୍ଥନ କରୁଛନ୍ତି। ‘ଟ୍ରୁଲି ମ୍ୟାଡଲି’ ପକ୍ଷରୁ ଭାରତରେ ଡେଟିଂ ଉପରେ କରାଯାଇଥିବା ସର୍ଭେରୁ ଏହା ଜଣାପଡ଼ିଛି ଯେ ଭୁବନେଶ୍ୱରର ୮୦% ମା’ ନିଜ ପିଲାମାନଙ୍କ ପାଇଁ ପ୍ରେମ ବିବାହକୁ ଅଧିକ ସମର୍ଥନ କରୁଛନ୍ତି।

Advertisment

ଅଧ୍ୟୟନରୁ ଏହା ମଧ୍ୟ ଜଣାପଡ଼ିଛି ଯେ ଭାରତର ମେଟ୍ରୋ ଏବଂ ୫୦ ହଜାରରୁ ୧ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହରରେ ପ୍ରାୟ ୭୦% ଯୁବତୀ ଏବଂ ୮୦% ଯୁବକଙ୍କ ପ୍ରେମ ବିବାହକୁ ସେମାନଙ୍କ ମା’ମାନେ ପସନ୍ଦ କରନ୍ତି। ସାଥୀ ଚୟନରେ କ୍ୟାରିଅର୍‌ ଓ ଶିକ୍ଷାକୁ ଅଧିକ ଗୁରୁତ୍ବ ଦେଉଥିବା ଯୁବକ/ଯୁବତୀମାନେ କହିଛନ୍ତି। ୫୦% ଉତ୍ତରଦାତା ଡେଟିଂ ଆପ୍‌ରେ ଜୀବନ ସାଥୀ ଖୋଜିବା ଉପରେ ବିଶ୍ୱାସ କରନ୍ତି। ୨୦%ରୁ କମ୍ ଉତ୍ତରଦାତା ନିଜ ମା’ମାନେ ଡେଟିଂ ଆପ୍ ବିଷୟରେ ଜାଣିନାହାନ୍ତି ବୋଲି କହିଛନ୍ତି। କେବଳ ୭% ସୂଚାଇଛନ୍ତି ସେମାନଙ୍କ ମା’ ମାନେ ଡେଟିଂ ଆପ୍ ପସନ୍ଦ କରନ୍ତି ନାହିଁ।

ଜୟପୁର, ଇନ୍ଦୋର ଓ ଲକ୍ଷ୍ନୌ ପରି ଅଣ-ମେଟ୍ରୋ ସହରରେ ମା’ମାନେ ଝିଅର ବିବାହକୁ ଅଧିକ ଗୁରୁତ୍ବ ଦେଇଥା’ନ୍ତି। ୫୫% ପୁରୁଷ ସେମାନଙ୍କ ପିଲାଙ୍କ ବିବାହ ପାଇଁ ଅଧିକ ଚାପ ପ୍ରୟୋଗ କରିଥା’ନ୍ତି। ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ ଏବଂ କୋଲକାତା ପରି ମେଟ୍ରୋରେ ଅଧିକ ମହିଳା କାର୍ଯ୍ୟ କରୁଥିବା ବେଳେ ୫୩% କହିଛନ୍ତି, ମା’ମାନେ ଝିଅମାନଙ୍କ ବିବାହ ପାଇଁ ଅଧିକ ଚାପ ପକାଇଥା’ନ୍ତି। ସମୟ ସହିତ ତାଳ ଦେଇ ମା’ମାନଙ୍କ ଚିନ୍ତାଧାରା ଉନ୍ନତ ହୋଇଥିଲେ ମଧ୍ୟ ୨୨% ଉତ୍ତରଦାତା ଡେଟିଂ ଆପ୍ ବ୍ୟବହାର ବିଷୟରେ ମା’ଙ୍କ ସହ ଆଲୋଚନା କରିବାରେ କୁଣ୍ଠାବୋଧ କରିଥିଲେ।