ପୁରୁଣା ଭୁବନେଶ୍ବର(ଲିଙ୍ଗରାଜ ସାହୁ): ୧୯୬୩ ମସିହାରେ ସ୍କୁଲ ସମୟରେ ଘରୁ ୧୦ ପଇସା ନେଇ କପିଳେଶ୍ବରରୁ ଚାଲିଚାଲି ଲିଙ୍ଗରାଜ ମନ୍ଦିରରେ ଓଆର୍ଟି ବସ୍ରେ ବସି ପୁରୁଣା ବସ୍ଷ୍ଟାଣ୍ଡରେ ଓହ୍ଲାଇ ପୁଣି ଚାଲିଚାଲି ୟୁନିଟ୍-୬ କଳାକେନ୍ଦ୍ରରେ ତବଲା ଶିଖିବାକୁ ଯାଉଥିଲି। ସଂଗୀତ ବି ଭଲ ହେଉଥିଲା। ସେଠାରେ ଗୀତ ଶୁଣି ଗୀତ ଶିଖିବାକୁ ନବକୁମାର ପଣ୍ଡା ସାର୍ କହିଲେ। ମହତାବ ରୋଡ୍ ପଟେ ଯଦିଓ ପାଖବାଟ, ମାତ୍ର ଦିନରେ ବି ଭୟ ଯୋଗୁ ସେପଟେ ଯାଉ ନଥିଲୁ। ବାପାଙ୍କ ଦୋକାନ ୟୁନିଟ୍-୧ମାର୍କେଟ୍ରୁ ଫେରିବା ବେଳେ ଥରେ ରାତି ୧ଟା ହୋଇଗଲା। ସାଇକେଲ୍ ଚଲାଇ ମାର୍କେଟ୍ରୁ ଆସିବା ବେଳେ ଭୂତ ଭୟରେ ଘର ପାଖରେ ତଳେ ପଡ଼ି ବେହୋସ ହୋଇପଡ଼ିଥିଲି।
ସେ ସମୟରେ ସଂଗୀତ ପରିବେଷଣ କହିଲେ ଗୀତିନାଟ୍ୟ ଓ ଡ୍ରାମା। ଅତି ଆଗ୍ରହ ସହକାରେ ଲୋକେ ଦେଖନ୍ତି। କପିଳେଶ୍ବର, ଓଲ୍ଡଟାଉନ୍, ବଡ଼ଗଡ, ସୁନ୍ଦରପଦା, ଝାରପଡ଼ା ସମେତ ବିଭିନ୍ନ ଅଞ୍ଚଳରେ ଡ୍ରାମା କରିବାକୁ ଯିବା ବେଳେ ଆମକୁ ଯିବା ପାଇଁ ଜାଗା ମିଳେନି। ଅଖା ଆଡ଼େଇ ଆଡ଼େଇ ଯାଉ। ଲୋକ ଦେଖିବାକୁ ଷ୍ଟେଜ୍ ଚାରିପଟେ ଅଖା ବିଚ୍ଛା ହୋଇ ପଡ଼ିଥାଏ। ସମସ୍ତେ ପ୍ରାୟ ଅଖା ଉପରେ ବସି ଦେଖନ୍ତି। କେବଳ ବିଶିଷ୍ଟ ଲୋକମାନେ ଚୌକି କିମ୍ବା ବେଞ୍ଚ୍ରେ ବସି ଦେଖନ୍ତି। କାର୍ତ୍ତିକ ମାସରେ ଲିଙ୍ଗରାଜ ମନ୍ଦିର ନିକଟରେ ଭଜନ ଗାଇବା ବେଳେ ସେତେବେଳେ ବଙ୍ଗାଳୀମାନେ ମନ୍ଦିରକୁ ଆସୁଥିବାରୁ ବଙ୍ଗାଳୀ ଗୀତ ବୋଲି ଦିଏ। ବଙ୍ଗାଳୀମାନେ ଦେଖି କୁହନ୍ତି, ଦାଦା ଏମନ ଆସୋ..। ଖଣ୍ଡଗିରିରେ ମାଘ ମେଳା ଭୋଜି କରିବାକୁ ଯାଇ ସେଠାରେ ଭଜନ ଗାଇବା ବେଳେ ଲୋକ ରୁଣ୍ଡ ହୁଅନ୍ତି। ଘେରି ରୁହନ୍ତି କେହି କେହି କୁଣ୍ଢାଇ ପକାନ୍ତି, ସେଠାରେ ସମସ୍ତେ ଗୋଟେ ପରେ ଗୋଟେ ଗୀତ ବୋଲିବାକୁ ଅନୁରୋଧ କରନ୍ତି। ଭୋଜି ସରିଲେ ମୁହଁରେ ଗାମୁଛା ଘୋଡ଼ାଇ ଲୁଚିକି ଆସୁ।
ବହୁ ପୁରୁଣା କଥା, ନୂଆ ନୂଆ ଇସ୍କନ୍ ମନ୍ଦିର ତିଆରି ହୋଇଥିଲା। ସେଠାରେ ଭଜନ ଗାଇବାକୁ ଯାହାକୁ ବଇନା ଦିଆଯାଇଥିଲା, ଆୟୋଜକ ତାଙ୍କ ଉପରେ ବିଶ୍ବାସ କରିପାରି ନଥିଲେ ଯେ ଭଲ ହେବ। ଇସ୍କନ ତରଫରୁ ମୋତେ ପ୍ରଭୁଙ୍କ ରାଣନିୟମ ପକାଇ ଜବରଦସ୍ତ ଟେକି ନେଇଥିଲେ ସେଠାକୁ। ରବୀନ୍ଦ୍ରମଣ୍ଡପରେ ଦୁଇଚାରିଟା ଘରେ ସେତେବେଳେ ସଂଗୀତ ମହାବିଦ୍ୟାଳୟ ଚାଲୁଥିଲା। ସେଠାରେ ତବଲା, ଗୀତ, ବେହେଲା, ବୀଣା, ମର୍ଦ୍ଦଳ, ସିତାର, ଢୋଲ ଶିକ୍ଷା ଦିଆଯାଉଥିଲା। ହଷ୍ଟେଲରେ ବିଭିନ୍ନ ଜିଲ୍ଲାର ପିଲା ଆସି ଶିଖିବା ବେଳେ ଝିଅପିଲା ମଧ୍ୟ ସଂଗୀତ ଶିକ୍ଷା ନେବାକୁ ଆସୁଥଲେ। ଭାଇଭଉଣୀ ପରିଲାଗେ। ଥରେ ଷ୍ଟେଜ୍ ଉପରେ ବିଜୁ ପଟ୍ଟନାୟକ ମୋତେ ପୁରସ୍କାର ଦେବା ସମୟରେ ଗୀତ ଗାଇବାକୁ କହିଥିଲେ। ଗୀତ ଗାଇବା ପରେ ପୁରସ୍କାର ଦେଇ ଖୁସି ହୋଇଥିଲେ। ସେତେବେଳେ କପିଳେଶ୍ବର ମନ୍ଦିର ନିକଟରେ ବାଘ ଆଖଡ଼ା ଥିଲା। ସେଠାରେ କପିଳେଶ୍ବରର ବହୁ ଯୁବକ ବିଭିନ୍ନ କଳା ପ୍ରଦର୍ଶନ କରନ୍ତି। ଦାଶକାଠିଆ, ଡ୍ରାମା, ଚଢ଼େୟା-ଚଢ଼େୟାଣୀ, କେଳାକେଳୁଣୀ, ଦଣ୍ଡନାଚ, ଗୀତିନାଟ୍ୟ, ଧୁଡ଼ୁକି, ରାମଲୀଳା, ଅପେରା ପରିବେଷଣ କରୁଥିଲେ। ସାରା ରାଜ୍ୟରେ କପିଳେଶ୍ବର ଗ୍ରାମକୁ କଳାକାର ଗ୍ରାମ ଭାବେ ଜାଣୁଥିଲେ। ମୁଁ କଳା କ୍ଷେତ୍ରରେ ପାଦ ଦେବା ପରଠାରୁ ମୋତେ ସମସ୍ତେ ଆଦର କରନ୍ତି। ଯଦୁଭାଇ ବୋଲି ଡାକନ୍ତି। ପୁଅ, ବାପା, ଜେଜେ ସମସ୍ତେ ଆଜି ପର୍ଯ୍ୟନ୍ତ ଯଦୁଭାଇ ବୋଲି ଡାକୁଛନ୍ତି।