ଭୁବନେଶ୍ୱର : ଆନ୍ତଃରାଜ୍ୟ ଅପରାଧୀଙ୍କ ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ ହେଉଛି ଭୁବନେଶ୍ବର। ପୂର୍ବରୁ ପ୍ରମାଣିତ ହୋଇଥିଲା ଓ ଏବେ ନିକଟରେ ପଞ୍ଜାବ ନେସନାଲ୍ ବ୍ୟାଙ୍କ ଏଟିଏମ୍ ଲୁଟ୍ରୁ ମଧ୍ୟ ପ୍ରମାଣିତ ହୋଇଛି। ଲୁଟେରାମାନେ ବିମାନ ଯୋଗେ ବେଙ୍ଗାଲୁରୁରୁ କୋଲକାତା ଦେଇ ଭୁବନେଶ୍ବର ଆସିଲେ ଓ ଦୁଇଟି ହୋଟେଲରେ ୫ଦିନ ଧରି ଡେରା ପକାଇଲେ। ଶେଷରେ ଗ୍ୟାସ୍ କଟର୍ରେ ଏଟିଏମ୍ ଟଙ୍କା ଚାମ୍ବର କାଟି ୨୮ଲକ୍ଷ ଟଙ୍କା ନେଇ ଫେରାର୍ ହୋଇଗଲେ। ୫ଦିନ ଧରି ସେମାନଙ୍କ ଅପରେସନ୍ ଚାଲିଥିଲେ ମଧ୍ୟ କମିସନରେଟ୍ ପୁଲିସକୁ କାଣିଚାଏ ମଧ୍ୟ ସୁରାକ୍ ମିଳିଲା ନାହିଁ।
ଏହି ଘଟଣା ରାଜଧାନୀ ପାଇଁ ନୂଆ ନୁହେଁ। ବିଗତ ଦିନରେ ଅନେକ ଅପରାଧୀ ରାଜଧାନୀର ବିଭିନ୍ନ ହୋଟେଲରେ ରହି ସଂଗିନ୍ ଅପରାଧ ଘଟାଇଛନ୍ତି। ବହୁ ହତ୍ୟାକାଣ୍ଡରେ ରାଜ୍ୟ ବାହାରର ସୁପାରି କିଲର୍ ଓ ବଡ଼ ବଡ଼ ନିଶା ବ୍ୟବସାୟୀମାନେ ମଧ୍ୟ ହୋଟେଲରେ ରହି ସଫଳତାର ଅପରେସନ୍ କାର୍ଯ୍ୟକାରୀ କରିବା ପରେ ସୁରକ୍ଷିତ ଭାବେ ଫେରି ଯାଇଛନ୍ତି। ୨୦୧୪ ମସିହାରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଇଣ୍ଡିଆନ୍ ମୁଜାହିଦ୍ଦିନର ଦୁଇ ସଦସ୍ୟ ଭୁବନେଶ୍ବର ଆସି ରେଳ ଷ୍ଟେସନ ନିକଟସ୍ଥ ଏକ ଲଜ୍ରେ ରହିଥିଲେ। ସେଠାରୁ ଟ୍ରେନ୍ ଯୋଗେ କଟକ ଓ ପୁରୀ ଯାଇଥିଲେ। ତେବେ ଫେରିବା ବେଳେ ଦିଲ୍ଲୀ ଯିବା ବାଟରେ ହାତରେ ଧରା ପଡ଼ିଥିଲେ। ଓଡ଼ିଶା ଆସିଥିବା ସ୍ବୀକାର କରିବା ପରେ ଘଟଣା ଜଣାପଡ଼ିଥିଲା। ଏଥିପାଇଁ ରାଜଧାନୀର ହୋଟେଲ ଓ ଲଜ୍ଗୁଡ଼ିକ ଦାୟୀ ବୋଲି ଅଭିଯୋଗ ହେଉଛି। ପରିଚୟପତ୍ର ବିନା ସେମାନଙ୍କୁ ରହିବାକୁ ଦିଆଯାଉଛି ଓ ଏହା କେତେବେଳେ ରାଜଧାନୀ ପାଇଁ ଘାତକ ହୋଇପାରେ ବୋଲି କୁହାଯାଉଛି। ‘ସରାଇ’ ଆଇନ ଅନୁସାରେ ପ୍ରତିଦିନ ହୋଟେଲ ବା ଲଜ୍ ପକ୍ଷରୁ ସ୍ଥାନୀୟ ଥାନାରେ ଗ୍ରାହକଙ୍କ ତାଲିକା ଦାଖଲ ହେବା କଥା। ଏଥିଲାଗି ନିର୍ଦ୍ଦେଶନାମା ଜାରି ହୋଇଛି। କିନ୍ତୁ ଏହି ନିର୍ଦ୍ଦେଶନାମାକୁ ଫୁ’ କରି ଦେଇଛନ୍ତି କିଛି ହୋଟେଲ ଓ ଲଜ୍ କର୍ତ୍ତୃପକ୍ଷ। ହାତ ଗଣତି କେତେକ ହୋଟେଲକୁ ଛାଡ଼ିଦେଲେ ବାକି ସବୁ ଏହି ନିୟମକୁ ଖିଲାପ କରି ଚାଲିଛନ୍ତି। ପୁଲିସ ମଧ୍ୟ ହାତ ଟେକି ଦେଇଛି। ନିୟମିତ ଯାଞ୍ଚ କରିବାକୁ ସବୁ ଥାନାକୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଏହା ପାଳନ କରାଯାଉନାହିଁ।
ହୋଟେଲରେ ଘଟିଥିବା କେତେକ ଅପରାଧ
୨୦୧୪ ମାର୍ଚ୍ଚ: ଇଣ୍ଡିଆନ୍ ମୁଜାହିଦ୍ଦିନର ଦୁଇ ସଦସ୍ୟ ରେଳ ଷ୍ଟେସନ ନିକଟ ଏକ ହୋଟେଲରେ ରହି କଟକ ଓ ପୁରୀ ବୁଲିଥିଲେ।
୨୦୧୫ ଜାନୁଆରି ୫: ଭାଇଜାଗ୍ ଷ୍ଟିଲ୍ ଏଜିଏମ୍ ସୂର୍ଯ୍ୟପ୍ରସାଦ ରାଓଙ୍କୁ ଅପହରଣ ପରେ ପଟିଆର ଏକ ହୋଟେଲରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ହୋଟେଲ କର୍ତ୍ତୃପକ୍ଷଙ୍କ ସହ ହତ୍ୟାକାରୀଙ୍କୁ ପୁଲିସ ଗିରଫ କରିଥିଲା।
୨୦୧୮ ଅଗଷ୍ଟ ୨୪: ମଞ୍ଚେଶ୍ବର ଥାନା ନିକଟରେ ଥିବା ଏକ ହୋଟେଲରେ ଖୋର୍ଦ୍ଧାର ଲକ୍ଷ୍ମୀପ୍ରିୟା ବିଶ୍ବାଳ ନାମ୍ନୀ ମହିଳାଙ୍କୁ ବୀଭତ୍ସ ହତ୍ୟା।
୨୦୧୮ ନଭେମ୍ବର ୧୮: ଭୁବନେଶ୍ବର ରେଳ ଷ୍ଟେସନର ୬ ନମ୍ବର ପ୍ଲାଟଫର୍ମ ନିକଟ ଲଜ୍ରେ ଅଟୋମେଟିକ ଟିକେଟ ଭେଣ୍ଡିଂ ମେସିନ ଚଳାଉଥିବା ଭେଣ଼୍ଡର୍ ଟି.ବି ରାଓଙ୍କୁ ହତ୍ୟା।
୨୦୧୯ ନଭେମ୍ବର ୨୯: ନୟାପଲ୍ଲୀ ଅଞ୍ଚଳର ଏକ ଲଜ୍ରେ ରହିଥିବା ଜଣେ ମହିଳାଙ୍କୁ ବ୍ଲାକମେଲିଂ କରିବା ଅଭିଯୋଗରେ ଦୁଇଜଣ ହୋଟେଲ କର୍ମଚାରୀଙ୍କୁ ଗିରଫ କରିଥିଲା ପୁଲିସ।
ସୂଚନା ମିଳିଥିଲେ ଧରାପଡ଼ିଥାଆନ୍ତେ
ପିଏନ୍ବି ଏଟିଏମ୍ ଲୁଟେରାଦ୍ବୟ ପଟିଆ ଅଞ୍ଚଳର ଦୁଇ ହୋଟେଲ୍ରେ ପର୍ଯ୍ୟାୟକ୍ରମେ ୫ ଦିନ ରହିଥିଲେ। ସେମାନେ ଗ୍ୟାସ୍ କଟର ଓ ଗ୍ୟାସ୍ ସିଲିଣ୍ଡର କିଣି ହୋଟେଲକୁ ଆସିବା ବେଳେ ଏକ ହୋଟେଲ କର୍ତ୍ତୃପକ୍ଷ ସନ୍ଦେହ କରି ତାଙ୍କୁ ପଚରାଉଚରା କରିଥିଲେ। ତେଣୁ ଲୁଟେରାଦ୍ବୟ ସେ ହୋଟେଲ ଛାଡ଼ି ଅନ୍ୟ ହୋଟେଲକୁ ପଳାଇଥିଲେ। ତଥାପି ପ୍ରଥମ ହୋଟେଲ କର୍ତ୍ତୃପକ୍ଷ ପୁଲିସକୁ ଜଣାଇଲେ ନାହିଁ। ସେହିଭଳି ଲୁଟେରାମାନେ ସ୍ଥାନୀୟ ଏକ ଦୋକାନରୁ ଗ୍ୟାସ୍ ସିଲିଣ୍ଡର ଓ କଟର୍ କିଣିଥିଲେ। ଲୁଟ୍ ପରେ କଟର ଓ ସିଲିଣ୍ଡର ଫୋପାଡ଼ି ପଳାଇଥିଲେ। ଉକ୍ତ ଦୋକାନୀ ମଧ୍ୟ ପୁଲିସକୁ ଜଣାଇ ନଥିଲେ। ହୁଏତ ସେମାନେ ପୁଲିସକୁ ଠିକଣା ସମୟରେ ଜଣାଇଥିଲେ ପୁଲିସ ସେମାନଙ୍କୁ ଲୁଟ୍ ପୂର୍ବରୁ ବା ପରେ ଧରିବାରେ ସକ୍ଷମ ହୋଇଥାଆନ୍ତା। ମାତ୍ର ଦାୟିତ୍ବହୀନତା ପାଇଁ ଅପରାଧୀଦ୍ବୟ ବେଶ୍ ସହଜରେ ଲୁଟ୍ କରି ଫେରାର୍ ହୋଇଗଲେ। ସେହିଭଳି ଗାଡ଼ି ଭଡ଼ା ଦେଉଥିବା ସଂସ୍ଥା ମଧ୍ୟ ପୁଲିସକୁ ସୂଚନା ଦେବା କଥା। ବିଶେଷକରି ବାହାର ରାଜ୍ୟର ଲୋକଙ୍କ କ୍ଷେତ୍ରରେ ଉକ୍ତ ସଂସ୍ଥା ପୁଲିସକୁ ଜଣାଇଥିଲେ, ସ୍ଥିତି ଅଲଗା କିଛି ହୋଇଥାଆନ୍ତା। ତେବେ ଆଜି ଗଣମାଧ୍ୟମ ଜରିଆରେ ପୁଲିସ କମିସନର ଶ୍ରୀ ଷଡ଼ଙ୍ଗୀ ରାଜଧାନୀର ହୋଟେଲ ଓ ଲଜ୍ କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦେଇଛନ୍ତି। ଏଣିକି ନିୟମିତ ଗ୍ରାହକଙ୍କ ତଥ୍ୟ ଦେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।