ଭୁବନେଶ୍ବର ଅନ୍ଧାର; କାଳବୈଶାଖୀରେ ଏତେ, ବାତ୍ୟା ହେଲେ କେତେ?

ପ୍ରଶ୍ନ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର : ସାମନ୍ତରାପୁରରୁ ପଟିଆ, ପାତ୍ରପଡ଼ାରୁ ପାହାଳ; ସବୁଠି ଅନ୍ଧାରର ରାଜୁତି। ସହର ମଝିରେ ଥିବା ପ୍ରମୁଖ ଅଞ୍ଚଳ ୟୁନିଟ୍‌-୧, ୟୁନିଟ୍‌-୨, ୟୁନିଟ୍‌-୩ ବି ବର୍ତ୍ତିପାରିନାହିଁ। ମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ଏପରି ବିଷମ ସ୍ଥିତି ସୃଷ୍ଟି ହୋଇଛି। କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ ରହିଛି। ଦୀର୍ଘ ୪ ଘଣ୍ଟା ଧରି ପୁରୁଣା ଭୁବନେଶ୍ବରରେ ବିଜୁଳି ସଂଯୋଗ ବିଚ୍ଛିନ୍ନ ରହିବାରୁ ଶ୍ରୀଲିଙ୍ଗରାଜ ମନ୍ଦିର ପାଖରେ ଥିବା ଟିପିସିଓଡିଏଲ୍‌ କାର୍ଯ୍ୟାଳୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଶତାଧିକ ଉପଭୋକ୍ତା ଅଫିସ୍‌ ଭିତରେ ଭଙ୍ଗାରୁଜା କରିଛନ୍ତି। ବିଭିନ୍ନ ଅଞ୍ଚଳରେ ଏଭଳି ପରିସ୍ଥିତି ଉପୁଜିଛି। ଖୋଦ୍‌ ମୁଖ୍ୟ ଶାସନ ସଚିବ ରାତି ୧୧ଟା ବେଳେ ଏହି ଘଟଣାରେ ହସ୍ତକ୍ଷେପ କରିଛନ୍ତି। ଟ୍ବିଟ୍‌ ଜରିଆରେ କହିଛନ୍ତି, ଭୁବନେଶ୍ବରରେ ବିଦ୍ୟୁତ ପୁନଃସଂଯୋଗ କାର୍ଯ୍ୟ ଧିମା ଗତିରେ ହେଉଛି। ଏହାକୁ ସାଧାରଣ ଲୋକ ଗ୍ରହଣ କରିବେ ନାହିଁ। କାଳବୈଶାଖୀରେ ବିଦ୍ୟୁତ୍‌ ପୁନଃସଂଯୋଗ ଯଦି ଏତେ ଧିମା, ତେବେ ବାତ୍ୟାରେ ପରିସ୍ଥିତି କ’ଣ ହେବ ବୋଲି ପ୍ରଶ୍ନ କରିଛନ୍ତି।

ସଂଧ୍ୟା ପୂର୍ବରୁ କାଳବୈଶାଖୀ ଥମି ସାରିଥିଲା। ହେଲେ ଲାଇନ୍‌ ଆସି ନଥିଲା। ନବୀନ ନିବାସ ଓ ଲୋକସେବା ଭବନ ଅଞ୍ଚଳକୁ ଛାଡ଼ିଦେଲେ ସହରର କୌଣସି ଅଞ୍ଚଳରେ ବିଦ୍ୟୁତ୍‌ ନଥିଲା। ପୋଖରୀପୁଟ୍‌ରେ ପାଖାପାଖି ୩ ଘଣ୍ଟାରୁ ଅଧିକ ସମୟ ବିଦ୍ୟୁତ ନଥିଲା। ସାମନ୍ତରାପୁର ଅଞ୍ଚଳରେ ରାତି ୧୦ଟା ଯାଏଁ ଲାଇନ୍‌ ନଥିବା ଅଭିଯୋଗ ହୋଇଛି। ଅନୁରୂପ ଅବସ୍ଥା ସୃଷ୍ଟି ହୋଇଥିଲା, ଖଣ୍ଡଗିରି, ବରମୁଣ୍ଡା, କଳିଙ୍ଗ ବିହାର, ଭରତପୁର ଓ ନୂଆପଲ୍ଲୀ ଅଞ୍ଚଳରେ। ୩ ଘଣ୍ଟ‌ାରୁ ଅଧିକ ସମୟ ଧରି ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ଥିଲା। ନୂଆପଲ୍ଲୀ ଏନ୍‌-୧ ଓ ବରମୁଣ୍ଡା ଜଗନ୍ନାଥ ବିହାରରେ ଅପରାହ୍ଣ ସାଢ଼େ ୩ଟାରେ ବିଦ୍ୟୁତ୍‌ କଟିଥିଲା, ରାତି ୮ଟା ପର୍ଯ୍ୟନ୍ତ ଲାଇନ୍‌ ନଥିଲା। ଭରତପୁର ଜିଏ କଲୋନି, ଶ୍ୟାମପୁର, ଗିରୀଶ ବିହାର, କୋଳଥିଆ, ଆମ୍ରି ହସ୍ପିଟାଲ ପଛ ଅଞ୍ଚଳରେ ମଧ୍ୟ ସମାନ ପରିସ୍ଥିତି ଥିଲା। ଚନ୍ଦ୍ରଶେଖରପୁର, ଶୈଳଶ୍ରୀ ବିହାର, ବିଡିଏ କଲୋନି, ପଟିଆ, କଳାରାହାଙ୍ଗ, ଶିଖରଚଣ୍ଡୀ ନଗର, ପ୍ରେସ୍‌ କଲୋନି, ରେଲ୍‌ୱେ କଲୋନି, ଓମ୍‌ଫେଡ୍‌ ଛକ, କାଞ୍ଚନଜଙ୍ଗା ଆପାର୍ଟମେଣ୍ଟ, ଦୂରଦର୍ଶନ ମାର୍ଗ ପ୍ରଭୃତି ଅଞ୍ଚଳରେ ବିଦ୍ୟୁତ ବିଚ୍ଛିନ୍ନ ହୋଇଥିଲା। ଏ ନେଇ ବିଦ୍ୟୁତ ବିଭାଗ ଟ୍ବିଟ୍‌ ଜରିଆରେ କହିଛି, କାଳବୈଶାଖୀ ପାଇଁ ଭୁବନେଶ୍ବର ସହର ଲୋଡ୍‌ ୪ ଶହ ମେଗାୱାଟ୍‌ରୁ ୮ ମେଗାୱାଟ୍‌କୁ ଖସି ଆସିଥିଲା। ରାତି ୧୦ଟା ସୁଦ୍ଧା ଲୋଡ୍‌ ୧୫୫ ମେଗାୱାଟ୍‌ ରହିଥିଲା। ବିଦ୍ୟୁତ ସଂଯୋଗ ଯୋଗାଇଦେବା ପାଇଁ ସ୍ବତନ୍ତ୍ର ଟିମ୍‌ କାମରେ ଲାଗିଛନ୍ତି। ଯୁଦ୍ଧକାଳୀନ ଭିତ୍ତରେ ଏହି କାମ କରିବା ପାଇଁ ଟାଟା ପାୱାର ସେଣ୍ଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ସିଇଓଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର