ଭୁବନେଶ୍ୱର ହୋଇପାରିବ ବାୟୋଟେକ୍ନୋଲୋଜି ହବ୍‌

ମେକ୍‌ ଇନ୍‌ ଓଡ଼ିଶା କନ୍‌‌କ୍ଲେଭ୍‌-୨୦୨୨

ଭୁବନେଶ୍ୱର: ବାୟୋଟେକ୍ନୋଲୋଜି କ୍ଷେତ୍ର ପାଇଁ ଓଡ଼ିଶାରେ ଅପାର ସମ୍ଭାବନା ରହିଛି। ରାଜ୍ୟରେ ଥିବା ପ୍ରାକୃତିକ ସମ୍ପଦର ସୁବିନିଯୋଗ କରିବା ସହ ଆଧୁନିକ ଜ୍ଞାନକୌଶଳ ବିକାଶ କରାଗଲେ ଓଡ଼ିଶା ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଦେଶର ଏକ ପ୍ରମୁଖ ହବ୍ ହୋଇପାରିବ। ମେକ୍‌ ଇନ୍ ଓଡ଼ିଶା କନକ୍ଲେଭରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ବୋଲି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା ଏହା କହିଛନ୍ତି। ଏହି ଅବସରରେ ବିଭାଗ ପକ୍ଷରୁ ବିଭିନ୍ନ ଶିଳ୍ପ ସଂସ୍ଥା ଓ ଶିଳ୍ପ ସଙ୍ଗଠନ ସହିତ ୫ଟି ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି। ସେହି ସଂସ୍ଥା ଗୁଡ଼ିକ ହେଲେ ସାପିଜେନ ବାୟୋଲୋଜିକ୍ସ, ହୁୱେଲ୍ ଲାଇଫ୍ ସାଇନ୍ସ, କ୍ରପଜିନି ଇନୋଭେସନ, ଆସୋସିଏସନ ଅଫ୍ ବାୟୋଲୋଜି ଲେଡ୍ ଏଣ୍ଟରପ୍ରାଇଜ୍ (ଏବିଏଲଇ) ଓ ଗ୍ଲୋବାଲ୍ ନେଟୱର୍କ ଅଫ୍ ପ୍ରଫେସନାଲ୍ସ ଫର ଓଡ଼ିଶା (ଜିଏନଇପିଓ)। ମନ୍ତ୍ରୀ ଶ୍ରୀ ପଣ୍ଡା ଏବଂ ସଚିବ ଭାସ୍କରଜ୍ୟୋତି ଶର୍ମାଙ୍କ ଉପସ୍ଥିତିରେ ବିଭାଗର ଯୁଗ୍ମ ସଚିବ ପୂଜା ମିଶ୍ର ଏହି ଏମଓୟୁ ଉପସ୍ଥାପନ କରିଥିଲେ।

ବାୟୋଫାର୍ମା ବିଷୟରେ ଅନୁଷ୍ଠିତ ଆଲୋଚନାରେ ହାଇଦ୍ରାବାଦସ୍ଥିତ ମ୍ୟାପ୍ ମାଇଁ ଜିନୋମର ପ୍ରତିଷ୍ଠାତା ଡକ୍ଟର ଅନୁ ଆଚାର୍ଯ୍ୟ, ହୁୱେଲ୍ ଲାଇଫ୍ ସାଇନ୍ସର ପ୍ରତିଷ୍ଠାତା ଡକ୍ଟର ଶିଶିର କୁମାର, ସାଇଜେନିକାର ପ୍ରତିଷ୍ଠାତା ଡକ୍ଟର ନୁସରତ ଜେ ସଙ୍ଘମିତ୍ରା ଏବଂ ପାନାସିଆ ବାୟୋଟେକର ସହ-ନିର୍ଦ୍ଦେଶକ ଡକ୍ଟର ଅମୂଲ୍ୟ ପଣ୍ଡା ଭାଗ ନେଇଥିଲେ। ଚେନ୍ନାଇ ଗୋଲ୍ଡେନ ଜୁବଲି ବାୟୋଟେକ ପାର୍କ ଫର ୱିମେନର ଅଧ୍ୟକ୍ଷ ଡକ୍ଟର ପି.ଏମ ମୁରଲୀ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ସେହିପରି କୃଷି ଓ ଶିଳ୍ପ ସମ୍ପର୍କିତ ଆଲୋଚନାଚକ୍ରରେ ଆସୋସିଏସନ ଅଫ୍ ବାୟୋଲୋଜି ଲେଡ ଏଣ୍ଟରପ୍ରାଇଜର ଅଧ୍ୟକ୍ଷ ଜି.ଏସ କ୍ରିଷ୍ଣନ୍, ବାୟୋଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଷ୍ଟାଣ୍ଟ କାଉନସିଲର (ବିଆଇଆରଏସି) ମୁଖ୍ୟ ଡକ୍ଟର ମନିଷ୍‌ ଧୱନ, କୋତ୍ତାରମ ଆଗ୍ରୋ ଫୁଡ୍ସର ପ୍ରତିଷ୍ଠାତା ଡକ୍ଟର କେ କେ ନାରାୟଣନ ଏବଂ ଶିଲ୍ପା ବାୟୋଲୋଜିକ୍ସର ଉପାଧ୍ୟକ୍ଷ କୃଷ୍ଣ ପ୍ରସାଦ ପ୍ରମୁଖ ଯୋଗ ଦେଇଥିଲେ। ବିସିକେଆଇସି ଭୁବନେଶ୍ୱରର ଅଧ୍ୟକ୍ଷ ତଥା କିଟ୍ ଟିବିଆଇର ସିଇଓ ଡକ୍ଟର ମୃତ୍ୟୁଞ୍ଜୟ ସୁଆର ଏହାକୁ ପରିଚାଳନା କରିଥିଲେ। ଶେଷରେ ବିଭାଗର ଉପନିର୍ଦ୍ଦେଶକ ଶକ୍ତିକାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର