ଭୁବନେଶ୍ବର: ନିଶାକାରବାରର ଗଳାବାଟ ପାଲଟିଛି ବିମାନବନ୍ଦର। ବିଦେଶୀ ନିଶା ମାଫିଆଙ୍କ ଟାର୍ଗେଟ୍ ଏବେ ଭୁବନେଶ୍ବର। କେତେବେଳେ ବ୍ୟାଙ୍କକ୍ ତ କେତେବେଳେ ମାଲେସିଆରୁ ମାରିଜୁଆନା ଆସୁଛି। ବିଦେଶରେ ଥିବା ମାଫିଆ ଓଡ଼ିଶା ଏଜେଣ୍ଟଙ୍କ ମାଧ୍ୟମରେ ମାରିଜୁଆନା ପଠାଇ କୋଟିକୋଟି ଟଙ୍କା ରୋଜଗାର କରୁଛନ୍ତି। ଗତ ୮ମାସ ମଧ୍ୟରେ କଷ୍ଟମ ଓ ଡିଆର୍ଆଇ ବିଭାଗ ୧୧ରୁ ଅଧିକ ଏଜେଣ୍ଟଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୬୩ କୋଟିରୁ ଅଧିକ ଟଙ୍କାର ମାରିଜୁଆନା ଜବତ କରିଛି।
ତେବେ ସେମାନେ କାହାପାଖକୁ ଏହି ଦାମୀ ନିଶା ପଠାଉଛନ୍ତି? କେଉଁ ବର୍ଗର ଗ୍ରାହକଙ୍କୁ ଟାର୍ଗେଟ୍ କରୁଛନ୍ତି? କେଉଁମାନେ ଏତେ ଟଙ୍କା ବ୍ୟୟକରି ମାରିଜୁଆନା କିଣୁଛନ୍ତି? ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସବୁଠୁ ବଡ଼କଥା ହେଲା ଯେ ଉଭୟ ବିଭାଗ ଜଣେ ଏଜେଣ୍ଟ୍ ଗିରଫ ହେଲେ ନୂଆ ଏଜେଣ୍ଟ ସୃଷ୍ଟି କରି ବିଦେଶୀ ନିଶାମାଫିଆ ପୁଣି ବିମାନ ମାଧ୍ୟମରେ ଏହି କାରବାର କରୁଛନ୍ତି। ତଦନ୍ତ ବେଳେ ଆଉ ଏକ ଦିଗ ପଦାକୁ ଆସିଛି ଯେ ଏପର୍ଯ୍ୟନ୍ତ ଧରାପଡ଼ିଥିବା ଅଧିକାଂଶ ଏଜେଣ୍ଟ ବେଙ୍ଗଲୀ, ଗୁଜରାଟୀ ଓ ଓଡ଼ିଆ ରହିଛନ୍ତି। ଏମିତିକି ଏମାନଙ୍କ ମଧ୍ୟରେ କିଛି ମହିଳା ସଦସ୍ୟ ମଧ୍ୟ ରହିଛନ୍ତି। ତେବେ ଏୟାରପୋର୍ଟରେ ଯାଞ୍ଚ ସମୟରେ ନିଶାଦ୍ରବ୍ୟକୁ ଖସାଇବା ପାଇଁ ମହିଳାଙ୍କୁ ବ୍ୟବହାର କରାଯାଉଥିବା ଜଣାପଡ଼ିଛି। ଗତ ୮ ମାସ ମଧ୍ୟରେ ୨ ବିଭାଗ ୬ଥର ଚଢ଼ଉକରି ଧରିଥିବା ବେଳେ ଏଭଳି ତଥ୍ୟ ହାତରେ ଲାଗିଛି।
ଗତକାଲି ଅର୍ଥାତ ୨୩ ତାରିଖରେ ବ୍ୟାଙ୍କକ୍କୁ ମାରିଜୁଆନା ଧରି ଭୁବନେଶ୍ବର ଆସୁଥିବା ବେଳେ କଷ୍ଟମ ବିଭାଗ ପ୍ରେମୀଯୁଗଳଙ୍କୁ କାବୁ କରିବା ସହ ୪ କେଜି ଅର୍ଥାତ ୪କୋଟିର ମାରିଜୁଆନା ଜବତ କରିଥିଲା। ସେହିପରି ଗତ ଅଗଷ୍ଟ ୨ତାରିଖରେ ଥାଇଲାଣ୍ଡରୁ ଇଣ୍ଡିଗୋ ବିମାନରେ ମାରିଜୁଆନା ଆସୁଥିବା ବେଳେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆର୍ଆଇ) ଚଢ଼ଉ କରି ଗୁଜରାଟ ଅହମଦାବାଦର ଜଣେ ଯୁବକଙ୍କୁ ଗିରଫ କରି ୮କୋଟିର ମାରିଜୁଆନା ଜବତ କରିଥିଲା। ଜୁଲାଇ ୨୮ ତାରିଖରେ କଷ୍ଟମ ବିଭାଗ ଚଢ଼ଉ କରି ବ୍ୟାଙ୍କକ୍ରୁ ଆସୁଥିବା ୩୦ କେଜି ମାରିଜୁଆନା ଜବତ କରିବା ସହ ୟୁପିର ୩ ଯୁବକଙ୍କୁ ଗିରଫ କରିଥିଲା। ଜାନୁଆରି ୧୭ ତାରିଖରେ କଷ୍ଟମ ବିଭାଗ ଜଣେ ଯୁବକଙ୍କୁ ଗିରଫ କରିବା ସହ ୭ କୋଟିର ମାରିଜୁଆନା ଜବତ କରିଥିଲା। ଜାନୁଆରି ୧୪ ତାରିଖରେ ୨ଜଣ ମହିଳାଙ୍କୁ କାବୁ କରି ସେମାନଙ୍କ ଠାରୁ ୧୦କୋଟିର ମାରିଜୁଆନା ଓ ଜାନୁଆରି ୬ ତାରିଖରେ ୨ଜଣ ଯୁବକଙ୍କଠାରୁ ୪ କୋଟିର ମାରିଜୁଆନା ଜବତ କରାଯାଇଥିଲା।