ଭୁବନେଶ୍ବର: ବେଙ୍ଗାଲୁରୁ, ପୁନେ, ହାଇଦ୍ରାବାଦ, ଚେନ୍ନାଇ ଭଳି ଭୁବନେଶ୍ବରକୁ ଦେଶର ଅନ୍ୟତମ ଆଇଟି ହବ୍ରେ ପରିଣତ କରିବାକୁ ଯୋଜନା ପ୍ରସ୍ତୁତ ହେଉଛି। ଗୋଟିଏ ପରେ ଗୋଟିଏ ଜାତୀୟ ଓ ଅନ୍ତର୍ଜାତୀୟ କମ୍ପାନି ଏବେ ସହରରେ ନିଜର ଶାଖା ଖୋଲିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ୭ ବର୍ଷ ମଧ୍ୟରେ ୭୦ରୁ ଅଧିକ ଆଇଟି କମ୍ପାନି ସେମାନଙ୍କ ଶାଖା ଖୋଲିସାରିଛନ୍ତି। ଆଉ କିଛି ନୂଆ କମ୍ପାନି ୨ରୁ ୩ ବର୍ଷ ମଧ୍ୟରେ ସେମାନଙ୍କ କାର୍ଯ୍ୟାଳୟ ଖୋଲିବାକୁ ରାଜ୍ୟ ସରକାରଙ୍କ ସହ ଆଲୋଚନା ଚଳାଇଛନ୍ତି। ଦେଶର ଚର୍ଚ୍ଚିତ ଆଇଟି କମ୍ପାନି ‘ଜୋହୋ’ ଖୋର୍ଦ୍ଧାଠାରେ ନିଜର ଡାଟା ସେଣ୍ଟର ପ୍ରତିଷ୍ଠା କରିବାକୁ ଘୋଷଣା କରିଛି। ରାଜ୍ୟ ସରକାର ମଧ୍ୟ ଏହାକୁ ଅନୁମୋଦନ କରିସାରିଛନ୍ତି। କେବଳ ସେତିକି ନୁହେଁ, କଟକ-ଭୁବନେଶ୍ବର ମଧ୍ୟରେ ଗ୍ଲୋବାଲ୍ କାପାବିଲିଟି ସେଣ୍ଟର (ଜିସିସି) ଓ ଡାଟା ସେଣ୍ଟର ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ରୂପରେଖ ପ୍ରସ୍ତୁତ କରିଛନ୍ତି। ଏହି ଦୁଇ ପ୍ରକାର ସେଣ୍ଟର ପ୍ରତିଷ୍ଠା କରିବାକୁ ଜୋରଦାର ଉଦ୍ୟମ ହେଉଛି। ସରକାର ସ୍ବତନ୍ତ୍ର ନୀତି ଜରିଆରେ ନିବେଶକଙ୍କୁ ଟାଣିବାକୁ ଉଦ୍ୟମ କରୁଛନ୍ତି। ଦ୍ବୈତ ସହର ମଧ୍ୟ ଭାଗକୁ ଜିସିସି ହବ୍ରେ ପରିଣତ କରିବାକୁ ପ୍ରୟାସ ଚାଲିଛି।
ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ତଥ୍ୟ କହୁଛି ଭୁବନେଶ୍ବର ମହାନଗର ନିଗମ, ଜଟଣୀ, ଖୋର୍ଦ୍ଧା ପୌରସଂସ୍ଥା ସମେତ ଜଟଣୀ, ଭୁବନେଶ୍ବର ଓ ଖୋର୍ଦ୍ଧା ବ୍ଲକରେ ୩୦୦ରୁ ଅଧିକ ଆଇଟି କମ୍ପାନି କାର୍ଯ୍ୟ କରୁଛନ୍ତି। ସେଥିମଧ୍ୟରୁ ଅଧିକାଂଶ ଆଇଟି କମ୍ପାନି ଇନ୍ଫୋସିଟି, ଚନ୍ଦକା ଶିଳ୍ପାଞ୍ଚଳ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଆଇଟି ଟାୱାରରେ ନିଜସ୍ବ କାର୍ଯ୍ୟାଳୟ ପ୍ରତିଷ୍ଠା କରିଛନ୍ତି। ଏହି ଆଇଟି କମ୍ପାନିଗୁଡ଼ିକରେ ପ୍ରାୟ ୩୫ ହଜାର ଯୁବକଯୁବତୀ କର୍ମନିଯୁକ୍ତି ପାଇଛନ୍ତି। ୨୦୧୮ରୁ ୨୦୨୪ ମଧ୍ୟରେ ରାଜ୍ୟରେ ୭୦ରୁ ଅଧିକ ଆଇଟି କମ୍ପାନି ସେମାନଙ୍କ ଶାଖା ଖୋଲିଛନ୍ତି। ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ଜମି, ସୁବିଧାସୁଯୋଗ ସହ ଅନ୍ୟାନ୍ୟ ସୁବିଧା ଯୋଗାଇଛନ୍ତି। ଆଇଟି ଓ ଆଇଟିଇଏସ୍ କମ୍ପାନିଙ୍କ ଦ୍ବାରା ସଫ୍ଟୱେର ରପ୍ତାନି ରାଜ୍ୟର ରାଜସ୍ବ ବୃଦ୍ଧିରେ ସହାୟକ ହେଉଛି। ୭ ବର୍ଷ ମଧ୍ୟରେ ଆଇଟି କମ୍ପାନିଗୁଡ଼ିକରେ ୨୭ ହଜାରରୁ ଅଧିକ ଯୁବକଯୁବତୀ ନିଯୁକ୍ତି ପାଇଛନ୍ତି, ସେମାନଙ୍କ ମଧ୍ୟରେ ୮୦% ଓଡ଼ିଶାର ବୋଲି ସୂଚନା ମିଳିଛି।
ଇତିମଧ୍ୟରେ ଭୁବନେଶ୍ବରଠାରେ ଇନ୍ଫୋସିଟି-ଏସ୍ଇଜେଡ୍, ଇନ୍ଫୋସିଟି-୨ ଆଇଟି ଏସ୍ଇଜେଡ୍(ଇନଫୋଭ୍ୟାଲି) ସ୍ଥାପନ ହୋଇଛି। ପ୍ରମୁଖ ଆଇଟି ସଂସ୍ଥା ସେମାନଙ୍କର ପୁଞ୍ଜିନିବେଶ ତଥା ୟୁନିଟ୍ ସ୍ଥାପନ ପାଇଁ ଆକୃଷ୍ଟ କରିବାକୁ ସ୍ବଳ୍ପ ମୂଲ୍ୟରେ ସହାବସ୍ଥାନ ଯୋଗାଇ ଦେବାକୁ ଏକାଧିକ ବହୁତଳ ପ୍ରାସାଦକୁ ଆଇଟି ଟାୱାର ଭାବେ ଚିହ୍ନଟ କରାଯାଇଛି। ଏଥିରେ ଓକାକ୍ ଟାୱାର, ଫର୍ଚୁନ ଟାୱାର, ଇଡକୋ ଟାୱାର, ଟାୱାର-୨୦୦୦, ଓ-ହବ୍ ଟାୱାର, ଶକ୍ତି ଭବନ ରହିଛନ୍ତି। ଏହାବାଦ୍ ଆଇଟି କମ୍ପାନିଗୁଡ଼ିକୁ ବିଭିନ୍ନ ପ୍ରୋତ୍ସାହନ ଯୋଗାଇ ଦେବାକୁ ଓଡ଼ିଶା ଆଇଟି ନୀତି-୨୦୨୨, ଓଡ଼ିଶା ଡାଟା ସେଣ୍ଟର ନୀତି-୨୦୨୨, ଓଡ଼ିଶା ଇଲେକଟ୍ରୋନିକ୍ସ ନୀତି-୨୦୨୧ ଓ ଓଡ଼ିଶା ବିପିଓ ନୀତି-୨୦୨୧ ପ୍ରଣୟନ ହୋଇଛି। ୧୯୮୫ରେ ନିର୍ମାଣ କରାଯାଇଥିବା ଓକାକ୍ ୨୦୦୩ରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ଅଧୀନରେ ପରିଚାଳିତ ହେଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ସରକାରୀ ବିଭାଗଗୁଡ଼ିକର କମ୍ପ୍ୟୁଟରୀକରଣ ଲାଗି ଗଠନ କରାଯାଇଥିବା ଓକାକ୍ର କାର୍ଯ୍ୟ ପରିସର ୨୦୦୦ ମସିହା ପରେ ବ୍ୟାପକ ହୋଇଥିଲା। ଆଇଟିରେ ହୋଇଥିବା ଅଗ୍ରଗତି ଅନୁସାରେ ଏହାର କାର୍ଯ୍ୟ ପରିସୀମା ବଢ଼ିଛି। ଧୀରେ ଧୀରେ ଆଚାର୍ଯ୍ୟ ବିହାର ଅଞ୍ଚଳ ସହରର ଏକ ପ୍ରମୁଖ ଆଇଟି ହବ୍ ଭାବେ ଉଭା ହେବାରେ ଲାଗିଛି। ଓକାକ୍ ପରିସରରେ ଏକ ସାତ ମହଲା ଅତ୍ୟାଧୁନିକ କୋଠାରେ ଆଇଟି, ଆଇଟି ସମ୍ପର୍କିତ କମ୍ପାନି ଓ ଇଏସ୍ଡିଏମ୍ କମ୍ପାନିଗୁଡ଼ିକ କାର୍ଯ୍ୟ କରୁଛନ୍ତି। ତିନି ବର୍ଷ ଭିତରେ ‘ଓଡ଼ିଶା ଟେକ୍ନୋଲୋଜି ସେଣ୍ଟର’ରେ ଆକ୍ସେଞ୍ଚର, କଗ୍ନିଜାଣ୍ଟ ଭଳି ବିଶ୍ବସ୍ତରୀୟ କମ୍ପାନି କାର୍ଯ୍ୟାରମ୍ଭ କରିଛନ୍ତି। ୫୧ ହଜାର ବର୍ଗଫୁଟରେ ନିର୍ମାଣ ହୋଇଥିବା ଓଡ଼ିଶା ଟେକ୍ନୋଲୋଜି ସେଣ୍ଟର୍ରେ ଆଉ ୨୯ହଜାର ବର୍ଗଫୁଟ ଯୋଡ଼ିବା ଯୋଜନା ରହିଛି।
ସୂଚନାଯୋଗ୍ୟ ଯେ ଜାନୁଆରି ମାସରେ ଭୁବନେଶ୍ବରରେ ଅନୁଷ୍ଠିତ ପ୍ରବାସୀ ଭାରତୀୟ ଦିବସ ସମାରୋହରେ ଯୋଗଦେଇ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଆସନ୍ତା ୨ରୁ ୩ ବର୍ଷ ଭିତରେ ଓଡ଼ିଶାକୁ ଆଇଟିର ପ୍ରମୁଖ ପେଣ୍ଠସ୍ଥଳୀରେ ପରିଣତ କରାଯିବ। ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, ଏଆଇ, ମେସିନ୍ ଲର୍ଣ୍ଣିଂ, ଆଇଓଟି, ଇଣ୍ଡଷ୍ଟ୍ରି ୨.୦ରେ ରାଜ୍ୟର ଯୁବବର୍ଗଙ୍କୁ କୁଶଳୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ସେ ସୂଚନା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/09/untitled-18-2025-10-09-07-22-32.jpg)