ଭୁବନେଶ୍ବର ଓକିଲ ସଂଘର ବାର୍ଷିକ ଉତ୍ସବ, ‘ଓକିଲଟିଏ ରୋଲ୍‌ ମଡେଲ ହେବା ଆବଶ୍ୟକ’

ଭୁବନେଶ୍ୱର: ବିଭିନ୍ନ କୋର୍ଟରେ ମାମଲା ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏହା ନ୍ୟାୟପାଳିକାରେ ଏକ ଡିଷ୍ଟର୍ବିଂ ଏଲିମେଣ୍ଟ ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ କଳ୍ପେଶ ସତ୍ୟେନ୍ଦ୍ର ଜାଭେରି। ଆଜି ଭୁବନେଶ୍ବର ଓକିଲ ସଂଘର ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ଏହା ପ୍ରକାଶ କରିଛନ୍ତି। ଏଥିପାଇଁ ସେ ଉଦ୍‌ବେଗ ପ୍ରକାଶ କରିବା ସହ ଓକିଲମାନଙ୍କର ଭୂମିକାକୁ ଗୁରୁତ୍ବାରୋପ କରିଛନ୍ତି। ସେ କହିଛନ୍ତି, ଓକିଲଟିଏ ସମସ୍ତଙ୍କର ରୋଲ୍‌ ମଡେଲ ହେବା ଆବଶ୍ୟକ। ଯେଭଳି ତ୍ବରିତ ନ୍ୟାୟ ପ୍ରଦାନ କରାଯାଇ ପାରିବ ସେ ନେଇ ସମସ୍ତେ ତତ୍ପର ହେବା ଜରୁରୀ। ମୁଖ୍ୟବକ୍ତା ଭାବେ ପୂର୍ବତନ ହାଇକୋର୍ଟ ବିଚାରପତି ତଥା କ୍ଲେମ୍‌ସ୍‌ କମିସନ ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ବନାଥ ମହାପାତ୍ର ଯୋଗଦେଇ ଓକିଲମାନଙ୍କୁ ନ୍ୟାୟପାଳିକାର ପ୍ରମୁଖ ସ୍ତମ୍ଭ ବୋଲି ଅଭିହିତ କରିଥିଲେ। ଏଥିରେ ଜିଲ୍ଲା ଜଜ୍‌ଙ୍କ ସମେତ ଅନ୍ୟାନ୍ୟ ସମସ୍ତ ଜଜ୍‌ ଉପସ୍ଥିତ ଥିଲେ। ସଭାପତି ଦୁର୍ଗାମାଧବ ମିଶ୍ର ସଭା ପରିଚାଳନା କରି ଭୁବନେଶ୍ବର ଓକିଲ ସଂଘର ବିଭିନ୍ନ ସମସ୍ୟା ସଂପର୍କରେ କହିଥିଲେ। କୋର୍ଟ କମ୍ପ୍ଲେକ୍ସ ନିର୍ମାଣ ହୋଇପାରୁ ନଥିବା ବେଳେ ଜଜ୍‌ଙ୍କ ବଦଳି ପରେ ପଡ଼ି ରହିଥିବା ମାମଲା ସଂଖ୍ୟା ବଢ଼ି ଚାଲୁଥିବାରୁ ସାଧାରଣ ଲୋକ ନ୍ୟାୟ ପାଇବା ବିଳମ୍ବିତ ହେଉଛି ବୋଲି ସେ କହିଥିଲେ। ଏଥିପ୍ରତି ମୁଖ୍ୟ ବିଚାରପତି ଦୃଷ୍ଟି ଦେବା ପାଇଁ ସେ ଅନୁରୋଧ କରିଥିଲେ। ସମ୍ପାଦକ ଅଞ୍ଜନ କୁମାର ସାମନ୍ତରାୟ ବାର୍ଷିକ ବିବରଣୀ ପାଠ ଓ ଉପସଭାପତି ଅଶୋକ ବେହେରା ଧନ୍ୟବାଦ ଦେଇଥିଲେ। ମୁଖ୍ୟ ବିଚାରପତି ୧୧ଜଣ ବରିଷ୍ଠ ଆଇନଜୀବୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ମୁଖପତ୍ର ‘ଦ କାଉନ୍‌ସେଲ୍‌’ ଉନ୍ମୋଚନ କରିଥିଲେ। ମୁଖ୍ୟଅତିଥି ଓ ମୁଖ୍ୟବକ୍ତାଙ୍କୁ ବାର୍‌ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର