ଦୁଇଥରର ମେୟର ଏବେ ବିଧାୟକ

ଅମାନତ ହରାଇଲେ କଂଗ୍ରେସ ପ୍ରାର୍ଥୀ

୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ। ଦୀର୍ଘ ୧୦ ବର୍ଷ ଧରି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ମେୟର ହୋଇଥିବା ଅନନ୍ତ ନାରାୟଣ ଜେନାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ମଧ୍ୟ ଭୁବନେଶ୍ବରର ଭୋଟର। ଦୁଇଥର ମେୟର ହେବା ସହ ଭୁବନେଶ୍ବରକୁ ସ୍ମାର୍ଟ ସିଟିରେ ପରିଣତ କରିବା କ୍ଷେତ୍ରରେ ତାଙ୍କ ପ୍ରମୁଖ ଅବଦାନ ରହିଥିଲା। ଯେଉଁଥି ପାଇଁ ଲୋକେ ତାଙ୍କୁ ବିଧାୟକ ଭାବେ ଚୟନ କରିଛନ୍ତି। ପ୍ରାର୍ଥୀ ଚୟନ ବେଳେ ବିଜେଡି ରିସ୍କ ନେବା ସହ ଦୁଇ ଥରର ବିଧାୟକ ବିଜୟ କୁମାର ମହାନ୍ତିଙ୍କ ଟିକେଟ୍‌ କାଟି ଅନନ୍ତଙ୍କୁ ପ୍ରାର୍ଥୀ କରିଥିଲା। ନିର୍ବାଚନ ପୂର୍ବରୁ କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଥିଲା। ତେବେ ସେ ୧୨ ହଜାରରୁ ଅଧିକ ଭୋଟରେ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ଜଗନ୍ନାଥ ପ୍ରଧାନଙ୍କୁ ପରାସ୍ତ କରି ବିଜୟ ମୁକୁଟ ପିନ୍ଧିଛନ୍ତି। ଏଥିସହ ବିଏମ୍‌ସିର ଜଣେ ମେୟର ବିଧାୟକ ହେବା କ୍ଷେତ୍ର‌ରେ ଅନନ୍ତ ପ୍ରଥମ ହୋଇଛନ୍ତି।

ଅମାନତ ହରାଇଲେ କଂଗ୍ରେସ ପ୍ରାର୍ଥୀ

ଏଥର ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦେଇ ନ ଥିଲା କଂଗ୍ରେସ। କିନ୍ତୁ କଂଗ୍ରେସ ସମର୍ଥନରେ ସିପିଆଇ(ଏମ୍‌) ପ୍ରାର୍ଥୀ ଜନାର୍ଦ୍ଦନ ପତି ମାତ୍ର ୨୩ ହଜାର ଭୋଟ ପାଇବାରେ ସକ୍ଷମ ହୋଇଛନ୍ତି। ଯେତେବେଳେ କି ନିକଟତମ ପ୍ରାର୍ଥୀମାନେ ସାଢ଼େ ୪ ଲକ୍ଷରୁ ଅଧିକ ଭୋଟ ହାତେଇଛନ୍ତି। ରୋଚକ କଥା ହେଉଛି, ଭୁବନେଶ୍ବର ‌ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନ ଜଟଣୀ ବିଧାନସଭା କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ ସୁରେଶ ରାଉତରାୟ ବିଜୟୀ ହୋଇଥିଲେ ମଧ୍ୟ ସେହି ଭୋଟ୍‌ ଜନାର୍ଦ୍ଦନଙ୍କ ପକେଟ୍‌କୁ ଆସି ନାହିଁ। ବରଂ ଜଟଣୀ‌ରେ କଂଗ୍ରେସ ଭୋଟ ବିଜେଡି ଓ ବିଜେପି ଝୁଲାକୁ ଚାଲିଯାଇଛି। ସେପଟେ ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରଥମରୁ ହିଁ ଝୁଣ୍ଟିଥିଲା। କଂଗ୍ରେସ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ନାକଚ ହୋଇଥିବାରୁ ଦଳ ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଥିଲା। ଆହୁରି ରୋଚକ ପ୍ରସଙ୍ଗ ହେଉଛି ଭୁବନେଶ୍ବରର ତିନିଟି ବିଧାନସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀମାନେ ଅମାନତ ହରାଇଛନ୍ତି। ସମସ୍ତ ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଛନ୍ତି। ମୋଟ ଭୋଟ ପରିମାଣର ୬ ପ୍ରତିଶତ ପାଇବାରେ ବି ସକ୍ଷମ ହୋଇପାରି ନାହାନ୍ତି। ଏକାମ୍ର ଭୁବନେଶ୍ବରର କଂଗ୍ରେସ ପ୍ରାର୍ଥୀ ରଶ୍ମି ମହାପାତ୍ର ୬,୭୮୦ ଖଣ୍ଡ ଭୋଟ ପାଇବାରେ ସକ୍ଷମ ହୋଇଛନ୍ତି। ମଧ୍ୟ ଭୁବନେଶ୍ବରରେ କଂ‌ଗ୍ରେସ ପ୍ରାର୍ଥୀ ରାଜୀବ ପଟ୍ଟନାୟକ ମାତ୍ର ୨,୭୫୬ ଖଣ୍ଡ ଭୋଟ ପାଇଥିବା ବେଳେ ଉତ୍ତର ଭୁବନେଶ୍ବର ପ୍ରାର୍ଥୀ ଇତିଶ୍‌ ପ୍ରଧାନ ୫,୧୮୯ ଭୋଟ ପାଇଛନ୍ତି। ତିନୋଟି ନିର୍ବାଚନମଣ୍ଡଳୀ ଭୋଟ ପରିମାଣକୁ ମିଶାଇଲେ ୧୫ ହଜାର ବି ହେଉନି। ଭୁବନେଶ୍ବରରେ କଂଗ୍ରେସର ଏଭଳି ଦୟନୀୟ ସ୍ଥିତି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।

ସମ୍ବନ୍ଧିତ ଖବର