ଭୁବନେଶ୍ବର: ଭୁବନେଶ୍ବର ମେଟ୍ରୋ ନିର୍ମାଣ କରୁଥିବା ରଞ୍ଜିତ ବିଲ୍‌ଡକନ୍‌ ଏକ କଳାତାଲିକାଭୁକ୍ତ କମ୍ପାନି। ମେଟ୍ରୋ ନିର୍ମାଣ ପାଇଁ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ଏହି ଅର୍ଥ ଖର୍ଚ୍ଚ କରିବାକୁ ଯାଉଛନ୍ତି। ହେଲେ ମେଟ୍ରୋର ଟେଣ୍ଡର ପାଇଥିବା ରଞ୍ଜିତ ବିଲ୍‌ଡକନ୍‌ର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ରହିଆସିଛି। ଏହି କମ୍ପାନି ଯେଉଁ ରାଜ୍ୟରେ ବ୍ରିଜ୍‌, ରେଳପଥ ଆଦି ନିର୍ମାଣ କରିଛି ସେସବୁ ସୁଦୃଢ଼ କିମ୍ବା ଦୀର୍ଘସ୍ଥାୟୀ ନୁହେଁ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। 

Advertisment

ଟେଣ୍ଡର ପାଇଥିବା ରଞ୍ଜିତ ବିଲ୍‌ଡକନ୍‌ ଏକ କଳା ତାଲିକାଭୁକ୍ତ କମ୍ପାନି
ସରକାର ଟେଣ୍ଡର ବାତିଲ କରନ୍ତୁ ନ ହେଲେ ଆନ୍ଦୋଳନ

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ୟାସିର ନୱାଜ କହିଲେ, ରଞ୍ଜିତ ବିଲ୍‌ଡକନ୍‌ ପକ୍ଷରୁ ଗୁଜୁରାଟରେ ମୁମାତପୁର ବ୍ରିଜ୍ ନିର୍ମାଣ ହୋଇଥିବା ବେଳେ ୨୦୨୧ରେ ଏହା ଭୁଶୁଡ଼ି ପଡ଼ିଥିଲା। ଏଥିପାଇଁ ଅହମ୍ମଦାବାଦ ଅର୍ବାନ ଡେଭଲପମେଣ୍ଟ ଅଥରିଟି ବା ‘ଅଉଡ଼ା’ ଏହି କମ୍ପାନିକୁ ୩ବର୍ଷ ପାଇଁ ଅସିଦ୍ଧ ଘୋଷଣା ପାଇଁ ପ୍ରସ୍ତାବ ଦେଇଥିଲା। ସେହିପରି କମ୍ପାନି ଗୁଜୁରାଟରେ ୱେଷ୍ଟର୍ଣ୍ଣ ରେଳବାଇର ଅହମ୍ମଦାବାଦ ଡିଭିଜନ ଅଧୀନ ସମାଖିଆଲି-କିଦ୍ୟାନଗର ରେଳବାଇ ଟ୍ରାକ୍‌ ନିର୍ମାଣ କରିଥିଲା। ଏହି ଟ୍ରାକ୍‌ରେ ହଜାର ହଜାର ଟନ୍ ବାଲି ଓ ଗ୍ରିନ୍ ଷ୍ଟୋନ୍ ବ୍ୟବହାର ହୋଇଥିଲା। ୭ଲକ୍ଷ ଟନ୍‌ ଖଣିଜ ଦ୍ରବ୍ୟ ବ୍ୟବହାର ପାଇଁ ଏହି କମ୍ପାନି ଖଣି ବିଭାଗକୁ ତା’ର ପ୍ରାପ୍ୟ ଦେଇଥିବାର ଏକ ଜାଲ ସାର୍ଟିଫିକେଟ୍‌ ରେଳବାଇରେ ଦାଖଲ କରି କୋଟି କୋଟି ଟଙ୍କାର ଦୁର୍ନୀତିରେ ଛନ୍ଦି ହୋଇଥିଲା। ଗୁଜୁରାଟ ଜଳ ଯୋଗାଣ ବୋର୍ଡ ପକ୍ଷରୁ ମଧ୍ୟ ଏହି କମ୍ପାନି ନାଁରେ ମାମଲା ରହିଛି। କେବଳ ସେତିକି ନୁହେଁ, ମଧ୍ୟପ୍ରଦେଶ ସରକାର ମଧ୍ୟ ଏହି କମ୍ପାନି ବିରୋଧରେ କେସ୍ କରିଛନ୍ତି। ତେଣୁ ଓଡ଼ିଶା ସରକାର ଏହି ଅସାଧୁ ଓ କଳାତାଲିକାଭୁକ୍ତ କମ୍ପାନିକୁ ଭୁବନେଶ୍ବର ମେଟ୍ରୋ ରେଳବାଇ ନିର୍ମାଣ ଦାୟିତ୍ବ ଦିଅନ୍ତୁ ନାହିଁ। ଯେଉଁ ଟେଣ୍ଡର ହୋଇଛି ତାହାକୁ ବାତିଲ କରାଯାଉ। ଏହି କମ୍ପାନି ମେଟ୍ରୋ ପ୍ରକଳ୍ପ ନିର୍ମାଣ କଲେ ନିଶ୍ଚିତ ବିପଦର ଆଶଙ୍କା ରହିଛି। ରାଜ୍ୟ ସରକାର ଯଦି ଟେଣ୍ଡରକୁ ବାତିଲ ନ କରି ଏକ ନିର୍ଭରଯୋଗ୍ୟ କମ୍ପାନି ଦ୍ବାରା ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ନ କରନ୍ତି ତାହାଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ୟାସିର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମନୋଜ ବିଶ୍ବାଳ, ରଣଜିତ ପାତ୍ର, ଉଦିତ ପ୍ରଧାନ, ପ୍ରକାଶ ଜେନା ଓ ଅଶୋକ ଦାସ ପ୍ରମୁଖ ଉପସ୍ଥିତ ଥିଲେ।