ରାଜଧାନୀରେ ମେଟ୍ରୋ ଗଡ଼ିବ ତ !ଘୋଷଣାର ୫ମାସ ପରେ ବି କିଛି ହୋଇନି

ଭୁବନେଶ୍ବର : ଐତିହ୍ୟ ସହର ଭୁବନେଶ୍ବରରୁ ରୌପ୍ୟ ନଗରୀ କଟକକୁ ମେଟ୍ରୋ ଟ୍ରେନ୍ ସେବା ଆରମ୍ଭ କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ୫ମ ଥର ପାଇଁ ଶାସନ ଭାର ସମ୍ଭାଳିବା ପରେ ୧୬ତମ ବିଧାନସଭାର ପ୍ରଥମ ଅଧିବେଶନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ବିଧାନସଭାରେ ଏହା କହିଥିଲେ।

ଏନେଇ ଶାସକ ବିଜେଡି ଦଳ ବି ତା’ର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା। ତେଣୁ ରାଜଧାନୀବାସୀ ଆଶା ରଖିଛନ୍ତି ରାଜଧାନୀରେ ଏଥର ନିଶ୍ଚିତ ମେଟ୍ରୋ ଟ୍ରେନ୍ ଗଡ଼ିବ। ହେଲେ ମେଟ୍ରୋ ଭଳି ଦ୍ରୁତ ଗତିରେ ଯାଉଥିବା ଟ୍ରେନ୍ ସେବା ‘ମନୋରେଲ୍‌’ ନେଇ ରାଜ୍ୟ ସରକାର ବହୁ ବର୍ଷ ତଳୁ ‘ମାସ୍‌ ରାପିଡ୍‌ ଟ୍ରାନଜିଟ୍‌ ସିଷ୍ଟମ’ (ଏମ୍‌ଆରଟିଏସ୍‌) ଯୋଜନା କରିଥିଲେ ହେଁ ଏହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନି। ତେଣୁ ରାଜଧାନୀ ଭୁବନେଶ୍ବରରେ ମନୋରେଲ୍‌ ପ୍ରକଳ୍ପ ହେବ ବୋଲି କହି କରିପାରି ନ ଥିବା ବେଳେ ମେଟ୍ରୋ ଟ୍ରେନ୍ ଗଡ଼ିବ ତ! ବୋଲି ପ୍ରଶ୍ନ ଉଠିଲାଣି।

ତିନି ବର୍ଷ ତଳେ କହିଥିଲେ ୨୦୪୦ ବେଳକୁ ମେଟ୍ରୋ ଯୋଜନା
କେଉଁ ବିଭାଗ ଅଧୀନରେ ହେବ, ତାହା ନିଷ୍ପତ୍ତି ହୋଇନି
ଘୋଷଣାର ୫ମାସ ପରେ ବି କିଛି ହୋଇନି
ଏମ୍‌ଆର୍‌ଟିଏସ୍‌ ହୋଇପାରିନି, ମେଟ୍ରୋ ହେବ ତ!‌
ଘଣ୍ଟାକୁ ୫ରୁ ୮ହଜାର ଲୋକ ଯାତାୟାତ କରୁଥିବା ଦରକାର

ଜୁନ୍ ମାସରେ ରାଜ୍ୟପାଳ ତାଙ୍କ ଅଭିଭାଷଣରେ ମେଟ୍ରୋ ଟ୍ରେନ୍ ଗଡ଼ିବ ବୋଲି କହିଥିଲେ ହେଁ ଏପର୍ଯ୍ୟନ୍ତ ନଗର ଉନ୍ନୟନ ବିଭାଗ କି ପରିବହନ ବିଭାଗ; କିଏ ଏନେଇ ସର୍ଭେ କରିବ ତାହା ସ୍ଥିର ହୋଇନି। କେବଳ ଏତିକି ନୁହେଁ, ରାଜଧାନୀ ଏବଂ ଏହା ନିକଟବର୍ତ୍ତୀ ଅଞ୍ଚଳରେ ପରିବହନ ସେବା ଯୋଗାଇବା ପାଇଁ ଗଠନ ହୋଇଥିବା କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‌) କର୍ତ୍ତୃପକ୍ଷଙ୍କ ନିକଟରେ ଏନେଇ ବି ଖବର ନାହିଁ। ମେଟ୍ରୋ ଟ୍ରେନ୍ କେତେ କିମି ଅଞ୍ଚଳରେ ହେବ, କେତେ କିଲୋମିଟର ରାସ୍ତା‌‌ରେ ସ୍ବତନ୍ତ୍ର ରେଳ ଲାଇନ୍‌ ବିଛାଯିବ, କେଉଁ ରୁଟ୍‌ରେ ହେବ, କେତେ ଟଙ୍କା ଖର୍ଚ୍ଚ ହେବ, କେତେ ଜମି ଅଧିଗ୍ରହଣ ହେବ, କେଉଁଠି ଷ୍ଟପେଜ୍‌ ରହିବ, ସେ ନେଇ କିଛି ଆଲୋଚନା ବି ହୋଇନି।

ମେଟ୍ରୋ ଟ୍ରେନ୍ ଚଳାଚଳ ଆରମ୍ଭ କରିବାକୁ ହେଲେ କେନ୍ଦ୍ର ସରକାରଙ୍କ ଅନୁମୋଦନ ଦରକାର। କାରଣ କେନ୍ଦ୍ର ସରକାର ଏଥିପାଇଁ ଅନୁଦାନ ଦେବେ କିମ୍ବା କୌଣସି ବିଦେଶୀ ସଂସ୍ଥାରୁ ପୁଞ୍ଜି ଆଣି ଏଥିରେ ନିବେଶ କରିବାକୁ ଅନୁମତି ଦେବେ। ଯଦି କୋଲକାତା ମେଟ୍ରୋ ଭଳି ରାଜ୍ୟ ସରକାର ସବୁ ଖର୍ଚ୍ଚ କରିବେ, ତେବେ କେନ୍ଦ୍ର ସରକାରଙ୍କ ଅନୁମତି ଦରକାର ପଡ଼ି ନପାରେ। ହେଲେ ରାଜ୍ୟର ଅର୍ଥନୀତି ଯାହା, ସେଥିରେ କେନ୍ଦ୍ର ସରକାରଙ୍କ ବିନା ସହଭାଗିତାରେ ମେଟ୍ରୋ ଟ୍ରେନ୍ ଭୁବନେଶ୍ବରରେ ଗଡ଼ିବା ଏକରକମ ଅସମ୍ଭବ।

ଅପରପକ୍ଷେ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ରାଜ୍ୟ ସରକାର ଯଦି ଯୋଜନା କରିବେ, ତେବେ ଏକ ଅନ୍ତର୍ଜାତୀୟସ୍ତରର ସଂସ୍ଥା ଦ୍ବାରା ଏନେଇ ଡିପିଆର୍ ପ୍ରସ୍ତୁତ କରିବାକୁ ପଡ଼ିବ। ମେଟ୍ରୋ ଟ୍ରେନ୍ ୧କିମି ପିଛା ପ୍ରାୟ ୧୫୦କୋଟି ଖର୍ଚ୍ଚ ହେବାକୁ ଥିବାରୁ ରାଜ୍ୟ ସରକାର ଭୁବନେଶ୍ବର-କଟକର କେଉଁ ଅଞ୍ଚଳରୁ କେଉଁ ଅଞ୍ଚଳକୁ ମେଟ୍ରୋ ସଂଯୋଗ କରୁଛନ୍ତି, ତାହା ଉପରେ ଏହି ପ୍ରକଳ୍ପର ବଜେଟ୍‌ ନିର୍ଭର କରିବ। କେବଳ ଏତିକି ନୁହେଁ, ଯଦି ଜମି ଅଧିଗ୍ରହଣ ଜନିତ ସମସ୍ୟା ଜଟିଳ ହୁଏ ବା ନ୍ୟାୟିକ ବ୍ୟବସ୍ଥାରେ ଫସିଯାଏ, ତେବେ ପ୍ରକଳ୍ପ କେବେ ଆରମ୍ଭ ହେବ, କେବେ ଶେଷ ହେବ, ତାହା କହି ହେବନି। ଏ ସବୁକୁ ନଜରରେ ରଖି ରାଜ୍ୟ ସରକାର କେଉଁ ରୁଟ୍‌ରେ ଭୁବନେଶ୍ବର ଓ କଟକ ମଧ୍ୟରେ ମେଟ୍ରୋ ସେବା ଆରମ୍ଭ କରିବେ, ତାହା ଦେଖିବାକୁ ବାକି ରହିଲା।

କେବଳ ଏତିକି ନୁହେଁ, ମେଟ୍ରୋ ଚଳାଚଳ ପାଇଁ ପ୍ରାୟ ୩୦ଲକ୍ଷ ଲୋକ ରହୁଥିବା ଆବଶ୍ୟକ। ଏଥିରେ ମେଟ୍ରୋ ଯେଉଁ ରୁଟ୍‌ରେ ଯିବ, ସେଥିରେ ଗୋଟିଏ ଘଣ୍ଟାରେ ୫ରୁ ୮ହଜାର ଲୋକ ଯାତାୟାତ କରୁଥିବା ଦରକାର। ତେବେ ଯାଇ ଏହି ରୁଟ୍‌ରେ ଟ୍ରେନ୍ ଚଳାଚଳ କଲେ ମେଟ୍ରୋ ଟ୍ରେନ୍ ଚଲାଇବା ସ୍ବାଭାବିକ ହେବ। ହେଲେ କଟକ-ଭୁବନେଶ୍ବର ସହରରେ ୩୦ଲକ୍ଷ ଜନବସତି ନଥିବାରୁ ଏହି ରୁଟ୍‌ରେ ମେଟ୍ରୋ ଚଳାଇବା ଲାଭଜନକ ହେବନି। ଯାହାକୁ ଅଧାର କରି ମନୋରେଲ୍‌ ପ୍ରକଳ୍ପ ତିନି ବର୍ଷ ତଳେ କାଟ୍‌ ଖାଇଥିଲା। ପରବର୍ଦ୍ଧିତ ଅଞ୍ଚଳକୁ ନେଇ ନୂ୍ଆ ଡିପିଆର୍ ପ୍ରସ୍ତୁତ କରିବାକୁ ଯୋଜନା ହୋଇଥିଲା। କିନ୍ତୁ ଆଜି ଯାଏଁ ତାହା ହୋଇପାରିନି। ନଗର ଉନ୍ନୟନ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟ ସରକାର ପ୍ରାୟ ୭ବର୍ଷ ତଳେ ଯୋଜନା କରିଥିଲେ ଯେ ଭୁବନେଶ୍ବର-କଟକ ମଧ୍ୟରେ ୨୦୨୦ ସୁଦ୍ଧା ମନୋରେଲ୍‌ ‌େସବା ବା ଏମ୍‌ଆରଟିଏସ୍‌ ଆରମ୍ଭ ହେବ। କିନ୍ତୁ ଏନେଇ ଡିପିଆର୍ ପ୍ରସ୍ତୁତ ହେଲା ବେଳକୁ ଯାତ୍ରୀ ହାର ନୈରାଶ୍ୟଜନକ ରହିବାରୁ ଏବଂ କେଉଁ ରୁଟ୍‌ରେ ଯାତାୟାତ କରିବ, ତାହା ନିଷ୍ପତ୍ତି ହୋଇ ନପାରିବାରୁ ଏହି ଡିପିଆର୍‌ କାଟ୍‌ ଖାଇଗଲା। ହାଇଦ୍ରାବାଦର ବାଲାଜୀ ରେଲ୍‌ ରୋଡ୍‌ ସିଷ୍ଟମ୍‌ ଲିମିଟେଡ୍‌ ସ˚ସ୍ଥା ଯେଉଁ ଡିପିଆର‌୍‌ ପ୍ରସ୍ତୁତ କରିଥିଲା, ତାହାକୁ ପରିବହନ ବିଭାଗ କମିସନରଙ୍କ ଅଧୢକ୍ଷତାରେ ଗଠିତ କମିଟି ବାତିଲ୍‌ କରି ଦେଇଥିଲା।

ପ୍ରଥମେ ଭୁବନେଶ୍ବରରୁ କଟକ ମଧ୍ୟରେ ମନୋରେଲ୍‌ ବିଛାଇବା ପାଇଁ ଭୁବନେଶ୍ବର-କଟକ ଜାତୀୟ ରାଜପଥ କଡ଼ କିମ୍ବା ଭୁବନେଶ୍ବର-କଟକ ଦେଇ ଯାଇଥିବା ରେଳ ଲାଇନ୍ କଡ଼ରେ ଏମ୍‌ଆରଟିଏସ୍ କରିବାକୁ ଯୋଜନା ହୋଇଥିଲା। ହେଲେ ଏହି ରୁଟ୍‌ରେ ଏମ୍‌ଆରଟିଏସ୍‌ ହେଲେ ଯାତ୍ରୀ ହେବାର ସମ୍ଭାବନା କମ୍‌ ଥିବାରୁ ଏବଂ ସହର ମଧ୍ୟ ଦେଇ ନେବାର ଯୋଜନା ହେବାରୁ ଏହାର ରୁଟ୍‌ ବଦଳିଥିଲା।

ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରଥମେ ଡିପିଆର୍ ରଦ୍ଦ ହେବା ପରେ ଜଟଣୀରୁ ଚୌଦ୍ବାର ପର୍ଯ୍ୟନ୍ତ ମନୋରେଲ୍‌ ଗଡ଼ାଇବାକୁ ଯୋଜନା ହୋଇଥିଲା। ଏଥିରେ ମନୋରେଲ୍‌ ପାଇଁ ସ୍ବତନ୍ତ୍ର ଟ୍ରାକ୍‌ ଜଟଣୀରୁ ବାହାରି ସୁନ୍ଦରପଦା, ରାଜମହଲ ହୋଇ ଏଜି ଛକକୁ ଆସିଥାନ୍ତା। ଏଜି ଛକରୁ ସଚିବାଳୟ, ପାଵାର ହାଉସ୍‌ ଛକ ଦେଇ ବରମୁଣ୍ତା ପର୍ଯ୍ୟନ୍ତ ଏହି ରୁଟ୍‌ ଯାଇଥାନ୍ତା। ବରମୁଣ୍ତାରୁ ଜୟଦେବବିହାର ଛକ ଦେଇ ନନ୍ଦନକାନନ ପର୍ଯ୍ୟନ୍ତ ରୁଟ୍‌ କରାଯାଇଥାନ୍ତା। ଏହି ରୁଟ୍‌ କଟକରେ ସହର ମଧୢ ଦେଇ ଚୌଦ୍ବାରରେ ପହଞ୍ଚିଥାନ୍ତା। କିନ୍ତୁ ଏହାର ବାସ୍ତବ ଚିତ୍ର ଦେଖିଲା ବେଳକୁ ଅସମ୍ଭବ ଲାଗିବାରୁ ଏହା ହୋଇପାରିନଥିଲା। କ୍ରୁଟ୍‌ ଅଧୀନରେ ଚୌଦ୍ବାରରୁ ଭୁବନେଶ୍ବର, ଖୋର୍ଦ୍ଧା, ଜଟଣୀ ହୋଇ ପୁରୀ ପର୍ଯ୍ୟନ୍ତ ରହୁଥିବାରୁ ଏହି ରୁଟ୍‌ରେ ମେଟ୍ରୋ ଚଳାଇବାକୁ ଯୋଜନା କଲେ ହୁଏତ ୩୦ଲକ୍ଷ ଲୋକଙ୍କୁ ନଜରରେ ରଖି ଏହା କାର୍ଯ୍ୟକାରୀ ହୋଇପାରିବ। ଏହି ରୁଟ୍‌ରେ ମେଟ୍ରୋ ଚାଲିଲେ ଘଣ୍ଟାକରେ ଲୋକ ପୁରୀରୁ ବାହାରି ଚୌଦ୍ବାରରେ ପହଞ୍ଚିଯିବେ। କିନ୍ତୁ ପ୍ରାୟ ୮୦କିମିର ଏହି ରୁଟ୍‌ ପାଇଁ ରାଜ୍ୟ ସରକାରଙ୍କୁ କେତେ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ଏବଂ କିପରି ହେବ ତାହାର ଡିପିଆର୍ ପ୍ରଥମେ ପ୍ରସ୍ତୁତ କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର