ଶାନ୍ତିସ୍ତୁପରେ ଫାଟ: ବିଭିନ୍ନ ଅଂଶରୁ ଖସିଗଲାଣି ପଲସ୍ତରା, ସ୍ଥିତି ଅନୁଧ୍ୟାନ କଲେ ସାଂସଦ

ଧଉଳି: ବିପଦରେ ଶାନ୍ତିସ୍ତୁପ । ଫନି ବାତ୍ୟାରେ ଏହାର ଅବସ୍ଥା ଅଧିକ ବିପଦସଙ୍କୁଳ ହୋଇପଡ଼ିଛି । ଦେଢ଼ ଶହ ଫୁଟ ବିଶିଷ୍ଟ ସମଗ୍ର ଶାନ୍ତିସ୍ତୁପର ବିଭିନ୍ନ ଅଂଶ କ୍ଷତି ଘଟିଥିଲା । ଶାନ୍ତିସ୍ତୁପର ବିଭିନ୍ନ ସ୍ଥାନରୁ ରଙ୍ଗ ଛାଡ଼ିଗଲାଣି । ଅଗ୍ରଭାଗର ଅଧିକାଂଶ ଅଂଶରୁ ପଲସ୍ତରା ଖସିଯିବା ସହ ଛାତରୁ କଂକ୍ରିଟ ଭାଙ୍ଗିଗଲାଣି । ପାହାଚ ଠାରୁ ଅଗ୍ରଭାଗ ଛତ୍ରି ପର୍ଯ୍ୟନ୍ତ ବିଭିନ୍ନ ଅଂଶରେ ଫାଟ ଦେଖାଦେଇଛି ।  ଏହାର ରକ୍ଷଣାବେକ୍ଷଣ ଅତ୍ୟନ୍ତ ଜରୁରୀ ହୋଇପଡ଼ିଥିବା ବେଳେ ସରକାରୀସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ଏନେଇ ସବୁ ମହଲରେ ଅସନ୍ତୋଷ ଦେଖାଦେଇଛି । ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ସକଳେ ପରିଦର୍ଶନରେ ଆସି ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଫନି ଯିବାର ଦେଢ଼ବର୍ଷ ମଧ୍ୟରେ ସେ ଏକାଧିକ ଥର ଶାନ୍ତିସ୍ତୁପ ଆସିଥିଲେ ହେଁ ଶାନ୍ତିସ୍ତୁପର ବିକାଶ କାର୍ଯ୍ୟ ନେଇ କେବେ ମୁହଁ ଖୋଲିନଥିଲେ । କଳିଙ୍ଗ ନିପନ ବୁଦ୍ଧ ସଂଘର ପାଟ୍ରୋନ ଭାବେ ଅପରାଜିନ ନିଯୁକ୍ତ ହୋଇଛନ୍ତି ।  ନିପନ ବୁଦ୍ଧ ସଂଘର ପାଟ୍ରୋନ ମନୋନୀତ ହେବା ପରେ  ଅପରାଜିତାଙ୍କର ଶାନ୍ତିସ୍ତୁପ ପରିଦର୍ଶନ ଏହା ପ୍ରଥମ ଗ୍ରସ୍ତ ବୋଲି କୁହାଯାଉଛି ।

ଏହି ଅବସରରେ ଆଜି ସକାଳେ ଶ୍ରୀମତୀ ଷଡ଼ଙ୍ଗୀ ଶାନ୍ତିସ୍ତୁପ ପ୍ରଚ୍ଛଦ ପାର୍ଶ୍ବରେ ଥିବା ପ୍ରାର୍ଥନା ଗୃହ (କଳିଙ୍ଗ ଦୋଜ) ରେ ଭଗବାନ ବୁଦ୍ଧଙ୍କୁ ମୁଣ୍ଡିଆ ମାରିଥିଲେ । ତାଙ୍କ ସହିତ କଳିଙ୍ଗ ନିପନ ବୁଦ୍ଧ ସଂଘର ଉନ୍ନୟନ ସଂଯୋଜକ ରବି ମହାରଣା, ମିର୍ଜାଫରପୁର, ରାଜଗିରି ଓ ଦାର୍ଜିଲିଂର ବୌଦ୍ଧଭିକ୍ଷୁଗଣ ଉପସ୍ଥିତ ଥିଲେ । ଗତ ୧୩ ତାରିଖରୁ ୩ ଦିନ ଧରି ଶାନ୍ତିସ୍ତୁପରେ ଅବସ୍ଥାନ କରୁଥିବା ବୌଦ୍ଧ ଭିକ୍ଷୁଙ୍କ ସହ ଆଲୋଚନା କରିଥିଲେ । ଶାନ୍ତିସ୍ତୁପର ସାମଗ୍ରିକ ବିକାଶ କାର୍ଯ୍ୟ ପ୍ରିକ୍ରିୟା ନେଇ ପ୍ରାର୍ଥନା ଗୃହ ପରିସରରେ ୨୦ ମିନିଟ ଧରି ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଶାନ୍ତିସ୍ତୁପର ବର୍ତ୍ତମାନ ସ୍ଥିତି ସଂପର୍କରେ ଆଲୋଚନା କରାଯିବା ସହ ନିକଟରେ କଳିଙ୍ଗ ନିପନ ସଂଘ ଦାୟିତ୍ବରେ ଥିବା ୧୨ ଏକର ପରିମିତ ଜମିରେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଲାଗି ପ୍ରସ୍ତାବିତ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସଂପକୟରେ ବିସ୍ଥୃତ ଆଲୋଚନା ହୋଇଥିଲା । ଏହାପରେ ଶ୍ରୀମତୀ ଷଡ଼ଙ୍ଗୀ ବୌଦ୍ଧଭିକ୍ଷୁଙ୍କ ସହ ଶାନ୍ତିସ୍ତୁପ ଉପରେ ପହଞ୍ଚି ଚାରିପାଖ ବୁଲି ଏହାର ସ୍ଥିତି ପରକ୍ଷିଥିଲେ । ଶାନ୍ତିସ୍ତୁପର ଚଟାଣ ଠାରୁ ମଧ୍ୟଭାଗ ଗମ୍ବୁଜ ଓ ସର୍ବାଗ୍ରେ ଥିବା ୫ଟିଛତ୍ରିର ସ୍ଥିତି ନିରୀକ୍ଷଣ କରିଥିଲେ ।

କଳିଙ୍ଗ ନିପନ  ବୁଦ୍ଧ ସଂଘର ଉନ୍ନୟନ ସଂଯୋଜକ ଶ୍ରୀ ମହାରଣାଙ୍କ ସୂଚନାନୁଯାୟୀ ଫନିରେ ଶାନ୍ତିସ୍ତୁପ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ‌୧୫୦ ଫୁଟ ବିଶିଷ୍ଟ ସମଗ୍ର ଶାନ୍ତିସ୍ତୁପର ବିଭିନ୍ନ ସ୍ଥାନରୁ ପଲସ୍ତରା ଛାଡ଼ିଗଲାଣି । ଠାଏ ଠାଏ କଂକ୍ରିଟ ଖଣ୍ଡ ଖସିପଡ଼ିଲାଣି ।  ଅଗ୍ରଭାଗରେ ଥିବା ୫ଟି ଛତ୍ରି ସ୍ଥାନ ସମେତ ମଧ୍ୟଭାଗ ଗମ୍ବୁଜର ବିଭିନ୍ନ ସ୍ଥାନରୁ ପଲସ୍ତରା ଖସିଯାଇଛି । ଅନେକ ସ୍ଥାନରେ ଗାର ଗାର ହୋଇ ଚନକିଲା ଭଳି ଫାଟ ଦେଖାଯାଇଛି । କଂକ୍ରିଟ ଛାନିଯାଇଥିବାରୁ ସେଥିରେ ଛୋଟବଡ଼ ଗର୍ତ୍ତ ଦେଖିବାକୁ ମିଳୁଛି । ଏବେଠାରୁ ଏହାକୁ ମରାମତି କରି ରକ୍ଷଣାବେକ୍ଷଣ ନକରାଗଲେ ଭବିଷ୍ୟତରେ ଶାନ୍ତିସ୍ତୁପ ବିପଦସଙ୍କୁଳ ହୋଇପଡ଼ିବ ।  ତେଣୁ ଶ୍ରୀମତୀ ଷଡ଼ଙ୍ଗୀ ଶାନ୍ତିସ୍ତୁପର ଅବସ୍ଥା ଅନୁଧ୍ୟାନ କରି କେନ୍ଦ୍ରେିୟ ପର୍ଯ୍ୟଟନ ନିଗମ କର୍ତୃପବକ୍ଷଙ୍କୁ ଏନେଇ ଅବଗତ କରି ଆବଶ୍ୟକ ଅର୍ଥମଂଜର କରିବା ଦିଗରେ ଗ୍ରସ୍ତ କରିଥିଲେ ବୋଲି ସେ କହିଛନ୍ତି ।

ଶ୍ରୀ ମହାରଣାଙ୍କ ସୂଚନାନୁସାରେ ଏଥିପୂର୍ବରୁ ଗତ ୧୩ ତାରିଖରେ ଭୁବନେଶ୍ବର ୪ ନମ୍ବର ସ୍ଥିତ ଉତ୍କଳ କରୋଟେ ହଲ ସଭାକକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କଳିଙ୍ଗ ନିପନ ବୁଦ୍ଧ ସଂଘର ୩ ଜଣ ବୈଦ୍ଧଭିକ୍ଷୁ ସଭାପତି ରେଭେରେନ ଟାକାହିରୋ ଓକୋନୋଜି , ତୋହିର ତାମାକାଙ୍କ ସମେତ ଦାର୍ଜିଲିଂର ମୁଖ୍ୟ ସନ୍ୟାସୀ ପ୍ରମୁଖ  ସଭାପତିତ୍ବ କରିଥିଲେ । ସଂଘର ଉପ ସଭାପତି  ହରିପ୍ରସାଦ ପଟ୍ଟନାୟକ ଓ ସଂପାଦକ ଲିକ୍ୟୁ ୟଙ୍ଗ ମାଇକେଲ ଓ ଆଇନ ପରାମର୍ଶ ଦାତା ରାମଚନ୍ଦ୍ର ରଥ ଓ ଦୀନବନ୍ଧୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ସାଂସଦଙ୍କ ଶାନ୍ତିସ୍ତୁପ ପରିଦର୍ଶନ ବେଳେ ସଂପୃକ୍ତ ବୌଦ୍ଧଭିକ୍ଷୁମାନେ ମଧ୍ୟ ପରିଦର୍ଶନରେ ଆସିଥିଲେ । ବୈଠକରେ ଧଉଳି ବିକାଶ ସମିତିର ବିଭିନ୍ନ ଅନିୟମିତତା ସଂପର୍କରେ ବିସ୍ତୃତ ଆଲାଚନା ହୋଇଥିଲା । ଶାନ୍ତିସ୍ତୁପକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ସରକାର ଅଣଦେଖା କରୁଥିବା ନେଇ ପ୍ରଶ୍ନ ଉଠିଥିଲା । ଶାନ୍ତିସ୍ତୁପର ବିଭିନ୍ନ ସମସ୍ୟାର ଉଚ୍ଚସ୍ତରୀୟ ସମୀକ୍ଷା କରାଯିବା ସହ ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ ହେବ ବୋଲି ସୂଚନା ମିଳିଛି ।  ସଂଯୋଜକ ଶ୍ରୀ ମହାରଣା ଧନ୍ୟବାଦ ‌ପ୍ରଦାନ କରିଥିଲେ ।

ସମ୍ବନ୍ଧିତ ଖବର