ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ବିଷୟରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ଟାଙ୍ଗୀ ଅଞ୍ଚଳକୁ ଏନ୍‌ଏସି ମାନ୍ୟତା, ଭୁବନେଶ୍ୱରଠାରେ ନ୍ୟାସନାଲ ଗ୍ୟାଲେରି ଅଫ୍‌ ମଡର୍ଣ୍ଣ ଆର୍ଟ ନିର୍ମାଣ ଓ ସହର ଉପକଣ୍ଠରେ ଅତ୍ୟାଧୁନିକ ମାଛ ମାର୍କେଟ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। 

Advertisment

ଏହି ସାକ୍ଷାତ ସମୟରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ନୂଆପଲୀ ଅଞ୍ଚଳରେ ଏକ କମ୍ୟୁନିଟି ପାର୍କ ନିର୍ମାଣ, ବେଗୁନିଆ-ବୋଲଗଡ ଅଞ୍ଚଳକୁ ଏନ୍‌ଏସି ଘୋଷଣା, କଳିଙ୍ଗ ଷ୍ଟାଡିୟମ୍‌ ନିକଟରେ ଥିବା ବିଶ୍ୱକର୍ମା ସମିତି ନାମରେ ଜମି ପଟ୍ଟା‌ ପ୍ରଦାନ, ଖୋର୍ଦ୍ଧା ବସ୍‌ଷ୍ଟାଣ୍ଡର ବିକାଶ, ଖୋର୍ଦ୍ଧାସ୍ଥିତ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ପାଇଁ ୧୨ କୋଟି ଟଙ୍କା ପ୍ରଦାନ, ପ୍ରାଚୀ ନଦୀର ପୁନଃଉଦ୍ଧାର କରିବାକୁ ଦାବି କରିଛନ୍ତି। ଏଥିସହ ଖୋର୍ଦ୍ଦା, ବେଗୁନିଆ, ପିପିଲି, ଡେଲାଙ୍ଗ ତହସିଲର ୩୬ଟି ଗାଁ ଲୋକଙ୍କୁ ଏଖରଜାତ ମହଲ ଅଧୀନରେ ଥିବା ଜମିର ସତ୍ତ୍ବାଧିକାର ପ୍ରଦାନ, କିମ୍‌ସ ସୁପରସ୍ପେସିଆଲିଟି ହସ୍ପିଟାଲର ଜମି ହସ୍ତାନ୍ତରକୁ ଇଡକୋରୁ ଅନୁମତି ପ୍ରଦାନ କରିବାକୁ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ଏହି ସମସ୍ତ ପ୍ରସ୍ତାବ ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଭୁବନେଶ୍ୱର ଓ ଏହାର ସୀମାନ୍ତରେ ଥିବା ଅଞ୍ଚଳଗୁଡ଼ିକୁ ଏକ ଆଧୁନିକ, ସମୃଦ୍ଧ ମଡେଲ୍ କ୍ଷେତ୍ରରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୈଠକରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।