୧୧ କୋଟିର ଉଦ୍‌ଘାଟନ, ୩୩ କୋଟିର ଶିଳାନ୍ୟାସ

ବିଏମ୍‌ସିର ସ୍ବାୟତ୍ତ ଶାସନ ଦିବସ ପ୍ରସ୍ତୁତି, ଗତବର୍ଷ ନିରାଡ଼ମ୍ବର ‌ପାଳନ ହୋଇଥିଲା

ଭୁବନେଶ୍ବର: ଆସନ୍ତା ଅଗଷ୍ଟ ୩୧ତାରିଖରେ ବିଏମ୍‌ସି ସ୍ବାୟତ୍ତ ଶାସନ ଦିବସ ପାଳନ କରିବ। ବିଏମ୍‌ସିର ଏହା ସବୁଠୁ ବଡ଼ ପର୍ବ ହୋଇଥିବାରୁ ଏହି ଉପଲକ୍ଷେ ବିଏମ୍‌ସି ପ୍ରତିବର୍ଷ ମାଳମାଳ ପ୍ରକଳ୍ପ ଉଦ୍‌ଘାଟନ କରେ ଓ ଭବିଷ୍ୟତକୁ ନଜରରେ ରଖି ବହୁ ପ୍ରକଳ୍ପର ଶିଳାନ୍ୟାସ ବି କରେ। ଏଥର ବିଏମ୍‌ସିର ଜନପ୍ରତିନିଧି ନଥିବାରୁ ଯଦିଓ ମାଳମାଳ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ହେଉନି କିନ୍ତୁ କିଛି ଆଖିଦୃଶିଆ ପ୍ରକଳ୍ପ କରିବାକୁ ବିଏମ୍‌ସି କର୍ତ୍ତୃପକ୍ଷ ଅଣ୍ଟା ଭିଡ଼ିଛନ୍ତି। ଗତବର୍ଷ ଜୁଲା‌ଇରେ ରାଜଧାନୀରେ ବର୍ଷା ପ୍ରଳୟ ଯୋଗୁଁ ସ୍ବାୟତ୍ତ ଶାସନ ଦିବସ ନିରାଡମ୍ବର ଭାବେ ପାଳନ ହୋଇଥିଲା। ବିଏମ୍‌ସି ହାତରେ ପ୍ରକଳ୍ପ ନଥିବାରୁ ଉଦ୍‌ଘାଟନ ହୋଇନଥିଲା କି ଶିଳାନ୍ୟାସ ହୋଇନଥିଲା। କିନ୍ତୁ ଏଥର ସ୍ବାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, ସ୍ଥାନୀୟ ବିଧାୟକଙ୍କ ଦ୍ବାରା ପ୍ରାୟ ୧୧କୋଟିର ପ୍ରକଳ୍ପର ଉଦ୍‌ଘାଟନ ଓ ୩୩ କୋଟିର ପ୍ରକଳ୍ପର ଶିଳାନ୍ୟାସ କରିବାକୁ ଯୋଜନା ହୋଇଛି। ସ୍ବାୟତ୍ତ ଶାସନ ଦିବସକୁ ଆଉ କିଛି ଦିନ ବାକି ଥିବାରୁ ଏଥିରେ ଆଉ କିଛି ପ୍ରକଳ୍ପ ସାମିଲ୍ ହେବାର ସମ୍ଭାବନା ବି ଅଛି।

୨୭କୋଟିର କମ୍ପୋଷ୍ଟ ପ୍ଲାଣ୍ଟ
ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏଥରର ସ୍ବାୟତ୍ତ ଶାସନ ଦିବସରେ ୬୭ଟି ୱାର୍ଡ ପାଇଁ ୩୪ଟି ମାଇକ୍ରେ‌ା କମ୍ପୋଷ୍ଟିଂ ସେଣ୍ଟର (ଛୋଟ କମ୍ପୋଷ୍ଟ ପ୍ଲାଣ୍ଟ) ପାଇଁ ଶିଳାନ୍ୟାସ ହେବ। ଏଥିରେ ଗୋଟିଏ/ଦୁଇଟି/ତିନିଟି ୱାର୍ଡକୁ ନେଇ ଗୋଟିଏ ଲେଖାଏଁ ଏମ୍‌ସିସି ବା କମ୍ପୋଷ୍ଟ ପ୍ଳାଣ୍ଟ ହେବ। ଏଗୁଡ଼ିକ ୩ରୁ ୫ଟିପିଡି ବିଶିଷ୍ଟ ହେବ। ପ୍ରତ୍ୟେକ ଏମ୍‌ସିସି ପାଇଁ ୭୮ ଲକ୍ଷ ଲେଖାଏଁ ଖର୍ଚ୍ଚ ହେବ ବୋଲି ନିଷ୍ପତ୍ତି ହୋଇଛି। ଆଜି ୩୧ଟି ଏମ୍‌ସିସି ପାଇଁ ଟେଣ୍ଡର ଆହ୍ବାନ ହୋଇଥିବା ବେଳେ ଖୁବ୍ ଶୀଘ୍ର ବାକି ୩ଟି ପାଇଁ ଟେଣ୍ଡର ହେବ। ସମସ୍ତ ୩୪ଟି ପ୍ଲାଣ୍ଟ ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ଆସନ୍ତା ଜାନୁଆରିରୁ ଭୁଆସୁଣିରେ କଠିନ ବର୍ଜ୍ୟବସ୍ତୁ ନ ପକାଇବାକୁ ଆପାତତଃ ନିଷ୍ପତ୍ତି ହୋଇଥିବାରୁ ଏହି ଏମ୍‌ସିସି ରାଜଧାନୀ ପାଇଁ ବେଶ୍ ଉପକାରୀ ହେବ। ଏହି ପ୍ଲାଣ୍ଟରେ ଜୈବ ଆବର୍ଜନାରୁ ଖତ ବାହାରିବ। ଏହାକୁ ବିଏମ୍‌ସି ବିକିବ। ସେହିପରି ବିଭିନ୍ନ ହସ୍ପିଟାଲ, ହୋଟେଲ, ଆପାର୍ଟମେଣ୍ଟ ଓ ଶିକ୍ଷାନୁଷ୍ଠାନ ପାଇଁ କମ୍ପୋଷ୍ଟ ପ୍ଲାଣ୍ଟ କରିବା ବାଧ୍ୟତାମୂଳକ ହେବ। ନଚେତ୍‌ ସେମାନେ ବିଏମ୍‌ସିକୁ ଫି’ ଦେଲେ ସେମାନଙ୍କ ଆବର୍ଜନା ବିଏମ୍‌ସି ଉଠାଇବ। ବିଏମ୍‌ସିର ଏହା ସବୁଠୁ ବଡ଼ ପ୍ରକଳ୍ପ ହେବାକୁ ଯାଉଛି।

ମୁଖ୍ୟ ଡ୍ରେନ୍‌ ପୁନରୁଦ୍ଧାର ପ୍ରକଳ୍ପ
ରାଜଧାନୀକୁ ଜଳବନ୍ଦୀ ସମସ୍ୟାରୁ ମୁକୁଳାଇବା ପାଇଁ ମୁଖ୍ୟମନ୍ତ୍ରୀ ହଜାରେ କୋଟି ଘୋଷଣା କରିଥିବା ବେଳେ ବିଏମ୍‌ସି ଏନେଇ ଖର୍ଚ୍ଚ ଆକଳନ ପ୍ରସ୍ତୁତ କରିଛି। ଏଥିପାଇଁ ଏବେ ବିଏମ୍‌ସିକୁ ୧୦୦ କୋଟି ଟଙ୍କା ମିଳିଥିବା ବେଳେ ଏଥିରେ ବିଭିନ୍ନ ଡ୍ରେନ୍‌ର ପୁନରୁଦ୍ଧାର କାର୍ଯ୍ୟ ହେବ। ଏବେ ପ୍ରାୟ ୬କୋଟି ଟଙ୍କାର କାମ କରିବାକୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଏହି ପ୍ରକଳ୍ପର ଶିଳାନ୍ୟାସ ହେବ।
କେଉଁ ଡ୍ରେନ୍‌ ପାଇଁ କେଉଁଠି କେତେ କାମ ହେବ ତା’ର ତାଲିକା ବି ପ୍ରସ୍ତୁତ ହୋଇଛି। ଖୁବ୍ ଶୀଘ୍ର ନଗର ଉନ୍ନୟନ ବିଭାଗକୁ ଏହି ତାଲିକା ପଠାଯିବ। ଚଳିତ ବଜେଟ୍‌ରେ ବିଏମ୍‌ସିକୁ ଏ ବାବଦକୁ କିଛି ଟଙ୍କା ମିଳିବାର ଅଛି। ତେଣୁ ସ୍ବାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିବାର ଯୋଜନା ଅଛି।

ପ୍ଲାଷ୍ଟିକ ବର୍ଜ୍ୟ ପୃଥକୀକରଣ ପ୍ରକଳ୍ପ
ବିଏମ୍‌ସି-ୟୁଏନ୍‌ଡିପି ସହଯୋଗରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ପୃଥକୀକରଣ କରିବାକୁ ଗତ ଡିସେମ୍ବରରୁ ଏମ୍‌ଓୟୁ ସ୍ବାକ୍ଷର କରିଥିଲେ ହେଁ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନି। ବିଏମ୍‌ସି ୟୁଏନ୍‌ଡିପି ପକ୍ଷରୁ କାର୍ଯ୍ୟ କରିବାକୁ ଥିବା ଘରୋଇ ସଂସ୍ଥାକୁ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇ ପାରି ନଥିବାରୁ ଏହି ପ୍ରକଳ୍ପ ଆରମ୍ଭ ହୋଇପାରିନଥିଲା। ତେଣୁ ଏବେ ସୈନିକ ସ୍କୁଲସ୍ଥିତ ଅସ୍ଥାୟୀ ଡମ୍ପିଂୟାର୍ଡ ପରିସରରେ ଏଥିପାଇଁ ସେଡ୍‌ ନିର୍ମାଣ ହୋଇଛି। ଏବେ ଘରୋଇ ସଂସ୍ଥା ଆବଶ୍ୟକୀୟ ସମାଗ୍ରୀ ଏଠାରେ ଲଗାଉଛି। ସ୍ବାୟତ୍ତ ଶାସନ ଦିବସରେ ଏହାକୁ ଉଦ୍‌ଘାଟନ କରିବାକୁ ଯୋଜନା ଅଛି।

୧୦ କୋଟିର ପାର୍କ, କୋଟିଏର କମ୍ୟୁନିଟି ସେଣ୍ଟର
ବିଏମ୍‌ସି ଏଥର ଅମୃତ ଯୋଜନା ଓ ବିଭିନ୍ନ ଯୋଜନାରେ ନିର୍ମାଣ କରିଥିବା ପ୍ରାୟ ୧୯ଟି ପାର୍କର ଉଦ୍‌ଘାଟନ କରିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଏହାବାଦ୍ ତିନିଟି ସ୍ଥାନରେ ତିନିଟି କମ୍ୟୁନିଟି ସେଣ୍ଟରର ଉଦ୍‌ଘାଟନ ହେବ।

ପ୍ରତି ୱାର୍ଡରେ ଖୋଲିବ ୱାର୍ଡ ଅଫିସ
ବିଏମ୍‌ସିର ୬୭ଟି ଯାକ ୱାର୍ଡରେ ଗୋଟିଏ ଲେଖାଏଁ ୱାର୍ଡ ଅଫିସ ଖୋଲିବ। ବିଏମ୍‌ସିର ନାଗରିକ ସେବା ଯୋଗାଇବା କାର୍ଯ୍ୟକ୍ରମରେ ଏହି ଯୋଜନା ହୋଇଛି। ଏଥିପାଇଁ ୱାର୍ଡରେ ଥିବା କଲ୍ୟାଣ ମଣ୍ଡପ ବା କମ୍ୟୁନିଟି ସେଣ୍ଟରରେ ସେଠାରେ ଏହି କାର୍ଯ୍ୟାଳୟ ଖୋଲିବ। ଏହି ୱାର୍ଡ ଅଫିସରେ ୱାର୍ଡ ଅଫିସର ଏବଂ କମ୍ୟୁନିଟି ଅର୍ଗାନାଇଜର୍‌ମାନେ ବସିବାକୁ ନିଷ୍ପତ୍ତି ହୋଇଛି। ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହା ଖୋଲା ରହିବ। ଏଠାକୁ ୱାର୍ଡ ବାସିନ୍ଦାମାନେ ଆସି ସେମାନଙ୍କ ଅଭିଯୋଗ ଜଣାଇବେ। ଯଦି ଅଫିସରେ ୱାର୍ଡ ଅଫିସର କି କମ୍ୟୁନିଟି ଅର୍ଗାନାଇଜର୍‌ ନଥିବେ, ତେବେ ଲୋକମାନେ ସେମାନଙ୍କ ଅଭିଯୋଗ ସେଠାରେ ଥିବା ଡ୍ରପ୍ ବକ୍ସରେ ପକାଇ ପାରିବେ। ଲୋକଙ୍କୁ ହାତପାହନ୍ତାରେ ସେବା ଯୋଗାଇବା ପାଇଁ ଏହି ଯୋଜନା ଆରମ୍ଭ ହେବାକୁ ଯାଉଛି। ଯଦି ଲୋକଙ୍କ ସମସ୍ୟା ୱାର୍ଡ ଅଫିସ ସ୍ତରରେ ସମାଧାନ ନହେବ, ତେବେ ସେମାନେ ଜୋନ୍‌ ଅଫିସ୍‌‌‌‌ରେ ଅଭିଯୋଗ କରିବେ। ସେଠାରେ ନହେଲେ ବିଏମ୍‌ସି ମୁଖ୍ୟାଳୟକୁ ଆସିପାରିବେ। ଏହି ୱାର୍ଡ ଅଫିସକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବାର ଯୋଜନା ଅଛି।

ସହିଦନଗର ସମନ୍ବିତ ଜନସେବା କେନ୍ଦ୍ର ଖୋଲିବ
ସହିଦନଗରରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ନିର୍ମାଣ ହୋଇଥିବା ସମନ୍ବିତ ଜନସେବା କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବାର ଯୋଜନା ଅଛି। ଏଠାରେ ସହରାଞ୍ଚଳର ବିଭିନ୍ନ ସେବା ଓ ସୁବିଧା ଉପଲବ୍ଧ ହେବ। ପ୍ରାୟ ୩କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି କେନ୍ଦ୍ରରେ ବିଭିନ୍ନ ପ୍ରକାର ବିଲ୍‌ ଯଥା ପାଣି, ବିଦ୍ୟୁତ୍, ସ୍ବେରେଜ୍ ବିଲ୍‌ ଦେବାର ବ୍ୟବସ୍ଥା ରହିବ। ଡିସପେନସାରି କ୍ରେଚ୍, ୱାର୍ଡ ଅଫିସ୍, ବହୁମୁଖୀ ଘର, ଲାଇବ୍ରେରି ଓ ପଢ଼ା ଘର, ଦକ୍ଷତା କେନ୍ଦ୍ର ରହିବ। ମୁଖ୍ୟମନ୍ତ୍ରୀ ଏଠାରେ ଥିବା ୱାର୍ଡ ଅଫିସକୁ ଉଦ୍‌ଘାଟନ କରିବେ।

ସମ୍ବନ୍ଧିତ ଖବର