ବିଏମ୍‌ସି ଲୋକଙ୍କୁ କ’ଣ ମୁଆଁ ଖୁଆଇବ?

ଆସୁଛି ସ୍ବାୟତ୍ତଶାସନ ଦିବସ, ଗତବର୍ଷ ନିରାଡ଼ମ୍ବର ହୋଇଥିଲା, ଆଗକୁ ବିଏମ୍‌ସି ନିର୍ବାଚନ ଥିବାରୁ ସେହି ଅନୁଯାୟୀ ଯୋଜନା ହେଉଛି

ଭୁବନେଶ୍ବର : ଅଗଷ୍ଟ ୩୧ରେ ସ୍ବାୟତ୍ତ ଶାସନ ଦିବସ। ବିଏମ୍‌ସିର ସବୁଠୁ ବଡ଼ ପର୍ବ ବୋଲି କୁହାଯାଏ। ଏଥିରେ ବିଏମ୍‌ସି ବର୍ଷ ବର୍ଷ ଧରି ଯେଉଁ ପ୍ରକଳ୍ପ କରିଥାଏ, ତାକୁ ଉଦ୍‌ଘାଟନ କରେ। ଆଉ ଯେଉଁ ପ୍ରକଳ୍ପ କରିବ ବୋଲି ଯୋଜନା କରିଥାଏ ତା’ର ଶିଳାନ୍ୟାସ ହୁଏ। ଗତବର୍ଷ ଜୁଲା‌ଇରେ ରାଜଧାନୀରେ ବର୍ଷା ପ୍ରଳୟ ଯୋଗୁଁ ସ୍ବାୟତ୍ତ ଶାସନ ଦିବସ ନିରାଡ଼ମ୍ବର ହୋଇଥିଲା। ବିଏମ୍‌ସି ହାତରେ ପ୍ରକଳ୍ପ ନଥିବାରୁ ଉଦ୍‌ଘାଟନ ହୋଇନଥିଲା କି ଶିଳାନ୍ୟାସ ହୋଇନଥିଲା। କିନ୍ତୁ ଏଥର ସ୍ବାୟତ୍ତ ଶାସନ ଦିବସ ନିଆରା ହେବ। ପୂରା ରାଜଧାନୀକୁ ନଜରରେ ରଖି କିଛି ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କରିବାକୁ ଯୋଜନା ହୋଇଛି।

ଚଳିତବର୍ଷ ବିଏମ୍‌ସି ନିର୍ବାଚନ ହେବାର ସମ୍ଭାବନା ଥିବାରୁ ରାଜଧାନୀବାସୀଙ୍କୁ କ’ଣ ମୁଆଁ ଖୁଆଇବ, ସେନେଇ ବିଏମ୍‌ସି ଯୋଜନା ତାଲିକା ପ୍ରସ୍ତୁତ କଲାଣି। ରାଜଧାନୀବାସୀ ଯେପରି ଅସନ୍ତୁଷ୍ଟ ନହୋଇ ଶାସକ ଦଳ ବିରୋଧ‌ରେ ଯିବେନି, ସେନେଇ ଯୋଜନା ପ୍ରସ୍ତୁତ କରିବାକୁ ଇଞ୍ଜିନିୟରିଂ ବିଭାଗ ଏବଂ ବିଭିନ୍ନ ବିଭାଗ ଦାୟିତ୍ବରେ ଥିବା ଡେପୁଟି କମିସନରଙ୍କୁ କୁହାଯାଇଛି।

ପ୍ରତିବର୍ଷ ସ୍ବାୟତ୍ତ ଶାସନ ଦିବସ ପୂର୍ବରୁ କର୍ପୋରେଟରମାନଙ୍କୁ ସେମାନଙ୍କ ୱାର୍ଡରେ କ’ଣ ହୋଇଛି, କ’ଣ ହେବାକୁ ଅଛି ତା’ର ତାଲିକା ମଗାଯାଏ। ହେଲେ ଏଥର କର୍ପୋରେଟରଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଥିବାରୁ ବିଏମ୍‌ସି ପୂର୍ବତନ କର୍ପୋରେଟରମାନଙ୍କ ମତାମତ ବି ଲୋଡ଼ିନି। ବିଏମ୍‌ସି ପାଖରେ ଟଙ୍କା ନଥିବାରୁ କିଛି ଆଖିଦୃଶିଆ ପ୍ରକଳ୍ପ ବି ନାହିଁ ଉଦ୍‌ଘାଟନ ହେବାକୁ। ତେଣୁ କିଛି ବର୍ଷ ହେଲା ଯୋଜନାରେ ରହି ଯାଇଥିବା ବହୁ ପ୍ରକଳ୍ପର ଶିଳାନ୍ୟାସ କରିବାକୁ ବର୍ତ୍ତମାନର କମିସନର ପ୍ରେମଚନ୍ଦ୍ର ଚୌଧୁରୀ ନିଷ୍ପତ୍ତି ନେଇଛନ୍ତି। ଏନେଇ ଜମି ଚିହ୍ନଟ, ଖର୍ଚ୍ଚ ଆକଳନ କରିବାକୁ ଇଞ୍ଜିନିୟରିଂ ବିଭାଗକୁ କୁହାଯାଇଛି। ଏହାସହ କମ୍‌ ଖର୍ଚ୍ଚରେ, ଘରୋଇ ସଂସ୍ଥା ଦ୍ବାରା ନିର୍ମାଣ ହୋଇଥିବା ଯେଉଁ ପ୍ରକଳ୍ପ ଉଦ୍‌ଘାଟନ ହୋଇପାରିବ ତା’ର ତାଲିକା ବି ପ୍ରସ୍ତୁତ କରିବାକୁ କୁହାଯାଇଛି।

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରାଜଧାନୀବାସୀଙ୍କ ଦୀର୍ଘ ଦିନର ସମସ୍ୟାକୁ ଦୂର କରିବା ଭଳି ପ୍ରକଳ୍ପ ପ୍ରସ୍ତୁତ ହୋଇଛି। ଏଥିରେ ଡ୍ରେନେଜ୍ ସମସ୍ୟାରୁ ଆରମ୍ଭ କରି ପରିମଳ ବ୍ୟବସ୍ଥା ସଜାଡ଼ିବା, ଲୋକ କିପରି ସହଜରେ ନାଗରିକ ସେବା ପାଇପାରିବେ ତାହାକୁ ନଜରରେ ରଖି ଯୋଜନା ପ୍ରସ୍ତୁତ ହେଉଛି। ତାଲିକା ପ୍ରସ୍ତୁତ କରିବାକୁ ସିଟି ଇଞ୍ଜିନିୟରଙ୍କୁ କୁହାଯାଇଛି।

ପ୍ରତି ୱାର୍ଡରେ ଖୋଲିବ ୱାର୍ଡ ଅଫିସ

ବିଏମ୍‌ସିର ୬୭ଟି ଯାକ ୱାର୍ଡରେ ଗୋଟିଏ ଲେଖାଏଁ ୱାର୍ଡ ଅଫିସ ଖୋଲିବ। ବିଏମ୍‌ସିର ନାଗରିକ ସେବା ଯୋଗାଇବା କାର୍ଯ୍ୟକ୍ରମରେ ଏହି ଯୋଜନା ହୋଇଛି। ଏଥିପାଇଁ ଯେଉଁ ୱାର୍ଡରେ କଲ୍ୟାଣ ମଣ୍ଡପ ବା କମ୍ୟୁନିଟି ସେଣ୍ଟର ଅଛି ସେଠାରେ ଏହି କାର୍ଯ୍ୟାଳୟ ଖୋଲିବ। ଯେଉଁଠି ଏହି ଦୁଇଟି ନାହିଁ ସେଠାରେ ଘର ଭଡ଼ା ନେଇ ୱାର୍ଡ ଅଫିସ ଖୋଲାଯିବ। ଘର ଭଡ଼ା ବାବଦକୁ ସର୍ବାଧିକ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ମଧ୍ୟ ଦେବାକୁ ନିଷ୍ପତ୍ତି ହୋଇଛି। ଏହି ୱାର୍ଡ ଅଫିସରେ ୱାର୍ଡ ଅଫିସର ଏବଂ କମ୍ୟୁନିଟି ଅର୍ଗାନାଇଜର୍‌ମାନେ ବସିବାକୁ ନିଷ୍ପତ୍ତି ହୋଇଛି। ସକାଳ ୧୦ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ଏହା ଖୋଲା ରହିବ। ଏଠାକୁ ୱାର୍ଡ ବାସିନ୍ଦାମାନେ ଆସି ସେମାନଙ୍କ ଅଭିଯୋଗ ଜଣାଇବେ। ଯଦି ଅଫିସରେ ୱାର୍ଡ ଅଫିସର କି କମ୍ୟୁନିଟି ଅର୍ଗାନାଇଜର୍ ନଥିବେ ତେବେ ଲୋକମାନେ ସେମାନଙ୍କ ଅଭିଯୋଗ ସେଠାରେ ଥିବା ଡ୍ରପ୍ ବକ୍ସରେ ପକାଇପାରିବେ। ଲୋକଙ୍କୁ ହାତପାହାନ୍ତାରେ ସେବା ଯୋଗାଇବା ପାଇଁ ଏହି ଯୋଜନା ଆରମ୍ଭ ହେବାକୁ ଯାଉଛି। ଯଦି ଲୋକଙ୍କ ସମସ୍ୟା ୱାର୍ଡ ଅଫିସସ୍ତରରେ ସମାଧାନ ନ ହେବ, ତେବେ ସେମାନେ ଜୋନ୍‌ ଅଫିସରେ ଅଭିଯୋଗ କରିବେ। ସେଠାରେ ନହେଲେ ବିଏମ୍‌ସି ମୁଖ୍ୟାଳୟକୁ ଆସିପାରିବେ।

ନିର୍ମାଣ ହେବ ୨୦ଟି କମ୍ପୋଷ୍ଟ ପ୍ଲାଣ୍ଟ

କଠିନ ବର୍ଜ୍ୟବସ୍ତୁ ପରିଚାଳନା ଏବେ ବି ବିଏମ୍‌ସି ପାଇଁ ଚିନ୍ତାର ବିଷୟ ପାଲଟିଛି। ଭୁଆସୁଣିରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ନିର୍ମାଣ ହୋଇପାରିନଥିବାରୁ ଜୈବ ଆବର୍ଜନାକୁ କମ୍ପୋଷ୍ଟରେ ପରିଣତ କରିବା ପାଇଁ ୨୦ଟି କମ୍ପୋଷ୍ଟ ପ୍ଲାଣ୍ଟ କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ୨୦ଟି ୱା‌ର୍ଡରେ ଜମି ଚିହ୍ନଟ ହୋଇଛି। ପ୍ରତ୍ୟେକ କମ୍ପୋଷ୍ଟ ପ୍ଲାଣ୍ଟ ୫ଟିପିଡିର ହେବ। ପ୍ରତ୍ୟେକ ପ୍ଲାଣ୍ଟ ପାଇଁ ୮୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏଥିରେ ନିକଟସ୍ଥ ଦୁଇ/ତିନିଟି ୱାର୍ଡର ଜୈବ ଆବର୍ଜନାରୁ ଖତ ବାହାରିବ। ଏହାକୁ ବିଏମ୍‌ସି ବିକିବ। ଏହାପରେ ବିଭିନ୍ନ ହସ୍ପିଟାଲ, ହୋଟେଲ, ଆପାର୍ଟମେଣ୍ଟ ଓ ଶିକ୍ଷାନୁଷ୍ଠାନ ପାଇଁ କମ୍ପୋଷ୍ଟ ପ୍ଲାଣ୍ଟ କରିବା ବାଧ୍ୟତାମୂଳକ ହେବ। ଏହି ଯୋଜନା ପାଇଁ ବିଏମ୍‌ସିକୁ ପ୍ରାୟ ୧୬କୋଟି ଟଙ୍କା ଆବଶ୍ୟକ ଥିବା ବେଳେ କେବେ ବିଏମ୍‌ସି ଏହି ପ୍ରକଳ୍ପ ଶେଷ କରିବ, ତାହାକୁ ଅପେକ୍ଷା।

ଶିଳାନ୍ୟାସ ହେବ ମୁଖ୍ୟ ଡ୍ରେନ୍ ପୁନରୁଦ୍ଧାର ପ୍ରକଳ୍ପ

ରାଜଧାନୀକୁ ଜଳବନ୍ଦୀ ସମସ୍ୟାରୁ ମୁକୁଳାଇବା ପାଇଁ ମୁଖ୍ୟମନ୍ତ୍ରୀ ହଜାରେ କୋଟି ଘୋଷଣା କରିଥିବା ବେଳେ ବିଏମ୍‌ସି ଏନେଇ ଖର୍ଚ୍ଚ ଆକଳନ ପ୍ରସ୍ତୁତ କରିଛି। କେଉଁ ଡ୍ରେନ୍‌ ପାଇଁ କେଉଁଠି କେତେ କାମ ହେବ, ତା’ର ତାଲିକା ବି ପ୍ରସ୍ତୁତ ହୋଇଛି। ଖୁବ୍ ଶୀଘ୍ର ନଗର ଉନ୍ନୟନ ବିଭାଗକୁ ଏହି ତାଲିକା ପଠାଯିବ। ଚଳିତ ବଜେଟ୍‌ରେ ବିଏମ୍‌ସିକୁ ଏ ବାବଦକୁ କିଛି ଟଙ୍କା ମିଳିବାର ଅଛି। ତେଣୁ ସ୍ବାୟତ୍ତଶାସନ ଦିବସରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିବାର ଯୋଜନା ଅଛି।

ନିର୍ମାଣ ହେବ ସିଆଣ୍ଡ୍‌ଡି ୱେଷ୍ଟ ପ୍ଲାଣ୍ଟ

ବିଭିନ୍ନ ସ୍ଥାନରେ ଗଦା ହେଉଥିବା କଙ୍କ୍ରିଟ ଆବର୍ଜନାକୁ ପରିଚାଳନା କରି ସେଥିରୁ ପୁଣି ଘର ନିର୍ମାଣ ସାମଗ୍ରୀ ପ୍ରସ୍ତୁତ କରିବାକୁ ବିଏମ୍‌ସି ସିଆଣ୍ଡ୍‌ଡି ୱେଷ୍ଟ ରିସାଇକେଲ୍‌ ପ୍ଲାଣ୍ଟ କରିବ। ଏଥିପାଇଁ ଜମି ଖୋଜା ଚାଲିଥିବା ବେଳେ ସ୍ବାୟତ୍ତ ଶାସନ ଦିବସ ପୂର୍ବରୁ ଜମି ମିଳିଲେ ଏହାର ଶିଳାନ୍ୟାସ ହେବ।

ଉଦ୍‌ଘାଟନ ହେବ ପ୍ଲାଷ୍ଟିକ ବର୍ଜ୍ୟ ପୃଥକୀକରଣ ପ୍ରକଳ୍ପ

ବିଏମ୍‌ସି-ୟୁଏନ୍‌ଡିପି ସହଯୋଗରେ ପ୍ଲାଷ୍ଟିକ ବର୍ଜ୍ୟ ପୃଥକୀକରଣ କରିବାକୁ ଗତ ଡିସେମ୍ବରରୁ ଏମ୍‌ଓୟୁ ସ୍ବାକ୍ଷର କରିଥିଲେ ହେଁ ଏହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନି। ବିଏମ୍‌ସି ୟୁଏନ୍‌ଡିପି ପକ୍ଷରୁ କାର୍ଯ୍ୟ କରିବାକୁ ଥିବା ଘରୋଇ ସଂସ୍ଥାକୁ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇ ପାରିନଥିବାରୁ ଏହି ପ୍ରକଳ୍ପ ଆରମ୍ଭ ହୋଇପାରିନଥିଲା। ତେଣୁ ଏବେ ସୈନିକ ସ୍କୁଲସ୍ଥିତ ଅସ୍ଥାୟୀ ଡମ୍ପିଂୟାର୍ଡ ପରିସରରେ ଏଥିପାଇଁ ସେଡ୍‌ ନିର୍ମାଣ ଚାଲିଛି। ଏହି ସେଡ୍ ନିର୍ମାଣ ସରିଲେ ଘରୋଇ ସଂସ୍ଥା ଆବଶ୍ୟକୀୟ ସମାଗ୍ରୀ ଏଠାରେ ଲଗାଇବ। ତେଣୁ ସ୍ବାୟତ୍ତ ଶାସନ ଦିବସ ପୂର୍ବରୁ ସମସ୍ତ କାମ ସାରି ଏହାକୁ ଉଦ୍‌ଘାଟନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର