ବଜେଟ୍‌ ଫୋକସ୍‌ରେ ପୌର ନିର୍ବାଚନ

ଚକାଚକ ସହର, ଉନ୍ନତ ଭିତ୍ତିଭୂମିର ସ୍ବପ୍ନ, ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରତିଶ୍ରୁତି, ସ୍ମାର୍ଟ ସିଟି ପାଇଁ ୪୦୦, ଉନ୍ନତି ପାଇଁ ୩୭୦ କୋଟି

ଭୁବନେଶ୍ବର : ଆଗକୁ ପୌର ନିର୍ବାଚନ। ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇନି କି ତାରିଖ ଧାର୍ଯ୍ୟ କରାଯାଇନି। ତଥାପି ସହରୀ ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ଲାଗି ନୀଳ ନକ୍ସା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ୨୦୧୯-୨୦ ରାଜ୍ୟ ବଜେଟ୍‌ରେ ଏହା ସ୍ପଷ୍ଟ ବାରି ହୋଇପଡ଼ୁଛି। ସ୍ମାର୍ଟ ସିଟିଠାରୁ ଆରମ୍ଭ କରି ବସ୍ତି ପର୍ଯ୍ୟନ୍ତ, ଜୀବିକାଠାରୁ ଆରମ୍ଭ କରି ଆବାସ ପର୍ଯ୍ୟନ୍ତ; ସବୁଥିରେ ଅନେକ ସ୍ବପ୍ନ ଦେଖାଇଛନ୍ତି ସରକାର। ବଜେଟ୍‌ରେ ସହରର ସବୁ ବର୍ଗର ଲୋକଙ୍କୁ ସନ୍ତୁଷ୍ଟ କଲା ପରି ବ୍ୟୟବରାଦ କରିଛନ୍ତି।

ତିନି ବର୍ଷ ପରେ ବି ସ୍ମାର୍ଟ ସିଟି ମିସନ୍‌ରେ ସାମିଲ ହୋଇଥିବା ଭୁବନେଶ୍ବର ଓ ରାଉରକେଲାର ରୂପରେଖ ସମ୍ପୂର୍ଣ୍ଣ ବଦଳିପାରି ନାହିଁ। ବହୁ କ୍ଷେତ୍ରରେ ଏହି ଦୁଇ ସହର ପଛରେ ରହିଛନ୍ତି। ଅନେକ ଯୋଜନା କରାଯାଇଥିଲେ ବି କାର୍ଯ୍ୟାନ୍ବୟନ ଖୁବ୍ ମନ୍ଥର ଗତିରେ ଚାଲିଛନ୍ତି। ଏପରିକି ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥାଭାବ ଆଳ ଦେଖାଉଛନ୍ତି ଅଧିକାରୀ। ତାହାକୁ ଦୃଷ୍ଟିରେ ରଖି ଉଭୟ ସହର ଲାଗି ୪୦୦ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରଖାଯାଇଛି। ସହରାଞ୍ଚଳ ପୁନର୍ଜୀବନ ଓ ନଗରାଞ୍ଚଳ ରୂପାନ୍ତରୀକରଣ(ଅମୃତ) ଯୋଜନା ଅନ୍ତର୍ଭୁକ୍ତ ରାଜ୍ୟର ୯ଟି ସହର ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ୨୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଜାତୀୟ ସହରାଞ୍ଚଳ ଜୀବିକା ମିସନ ପାଇଁ ବି ୫୧ କୋଟି ଟଙ୍କା ରଖାଯାଇଛି।

ଭୁବନେଶ୍ବର ସମେତ ପ୍ରମୁଖ ସହରରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରଦାନ ଓ ବସ୍ତିଗୁଡ଼ିକୁ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇବାକୁ ବି ପ୍ରତିଶ୍ରୁତି ଦେଇଛନ୍ତି ସରକାର। ବସ୍ତିବାସିନ୍ଦାଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେଇ ବାସୋପଯୋଗୀ କରିବା ପାଇଁ ‘ଜାଗା ମିସନ’ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହାବ୍ୟତୀତ ୫୦ ହଜାରରୁ ଅଧିକ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରି ସମସ୍ତ ୧୧୪ଟି ପୌରାଞ୍ଚଳକୁ ଅନ୍ତର୍ଭୁକ୍ତ କରି ୧୮ ଲକ୍ଷ ବସ୍ତିବାସିନ୍ଦାଙ୍କୁ ଉପକୃତ କରିବା ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ଶହେ କୋଟିର ବ୍ୟୟବରାଦ ହୋଇଛି।

ଭୁବନେଶ୍ବର ଓ କଟକ ସହରର ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ଏପର୍ଯ୍ୟନ୍ତ ହୋଇନାହିଁ। କେବେ ହେବ ସେନେଇ କାହା ପାଖରେ ଉତ୍ତର ନାହିଁ। ଦୀର୍ଘ ଦିନ ଧରି କାମ ଚା‌ଲୁଥିଲେ ବି ଶେଷ ହେବାର ସମୟସୀମା ଧାର୍ଯ୍ୟ ହେଉନି। ତଥାପି ସହରବାସୀଙ୍କୁ ଉନ୍ନତ ସେବା ଯୋଗାଇବାକୁ ଏଥର ବଜେଟ୍‌ରେ ପ୍ରସ୍ତାବ ରହିଛି। ଜାଇକା ସହାୟତାରେ କଟକ ଓ ଭୁବନେଶ୍ବରରେ କାର୍ଯ୍ୟକାରୀ ହେଉଥିବା ‌େସ୍ବରେଜ ପ୍ରକଳ୍ପର ଉନ୍ନତୀକରଣ ଲାଗି ୨୦୧୯-୨୦ ଆର୍ଥିକ ବର୍ଷରେ ୩ଶହ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସହରାଞ୍ଚଳ ଭିତ୍ତିଭୂମିର ବିକାଶ ପାଇଁ ଜର୍ମାନୀର କେଏଫ୍‌ଡବ୍ଲୁ ସଂସ୍ଥା‌ରୁ ସହାୟତା ଆଣି ଓଡ଼ିଶା ନଗରାଞ୍ଚଳ ଭିତ୍ତିଭୂମି ଉନ୍ନୟନ ପାଣ୍ଠି(ଓୟୁଆଇଡିଏଫ୍‌) ଜରିଆରେ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ୧୨୦ କୋଟି ବ୍ୟୟବରାଦର ପ୍ରସ୍ତାବ ରହିଛି।
ବଜେଟ୍‌ରେ ‘ଉନ୍ନତି’ ଯୋଜନା ପାଇଁ ୩୭୦ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି। ୧୧୪ଟି ପୌରସଂସ୍ଥାରେ ସ୍ମାର୍ଟ ପାର୍କ ନିର୍ମାଣ, ଉନ୍ନତ ଶବଦାହ ଗୃହ ଓ ରାସ୍ତା ଆଲୋକୀକରଣ ପାଇଁ ଏହି ଯୋଜନାରେ ଅଗ୍ରାଧିକାର ଦିଆଯିବ।

ସହରାଞ୍ଚଳ ଲୋକଙ୍କୁ ମୌଳିକ ସେବା ଯୋଗାଇବା ପାଇଁ ଚତୁର୍ଦ୍ଦଶ ଅର୍ଥ କମିସନ ଓ ୪ର୍ଥ ରାଜ୍ୟ ଅର୍ଥ କମିସନଙ୍କ ସୁପାରିଶ ଭିତ୍ତିରେ ରାଜ୍ୟର ସହରାଞ୍ଚଳ ସଂସ୍ଥାକୁ ଯଥାକ୍ରମେ ୫୪୨ କୋଟି ଓ ୧ ହଜାର ୨ ଶହ ୮୮ ‌କୋଟି ଟଙ୍କା ହସ୍ତାନ୍ତର କରାଯିବାର ପ୍ରସ୍ତାବ ରହିଛି।

ବାତ୍ୟା ‘ଫନି’ରେ ଏବର୍ଷ ବ୍ୟାପକ କ୍ଷତି ହୋଇଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବହୁ ଘର ଭାଙ୍ଗିଛି। ତାହାକୁ ଦୃଷ୍ଟିରେ ରଖି ବାତ୍ୟା ପ୍ରଭାବିତ ଅଞ୍ଚଳରେ ଅତିରିକ୍ତ ୫ଲକ୍ଷ ପକ୍କାଘର ନିର୍ମାଣ କରିବାକୁ ଯୋଜନା କରାଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନାରେ ୪ ହଜାର ୮ ଶହ ୨୦ କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ପ୍ରସ୍ତାବ ରହିଛି। ନଗରାଞ୍ଚଳରେ ଗୃହ ନିର୍ମାଣ ପାଇଁ ଆଉ ୪ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଏହାବ୍ୟତୀତ ଓଏମ୍‌ବିଏଡିସି, ଡିଏମ୍‌ଏଫ୍‌ ଓ ନିର୍ମାଣ ଶ୍ରମିକ ପାଣ୍ଠିର ସଂଯୋଜନାରେ ଅଧିକ ଗୃହ ନିର୍ମାଣ କରାଯିବ ବୋଲି ବଜେଟ୍‌ରେ ପ୍ରସ୍ତାବ ରଖାଯାଇଛି। ମୋଟ୍‌ ଉପରେ ଗୃହ ଓ ନଗର ଉନ୍ନୟନ ବିଭାଗ ପାଇଁ ୫ ହଜାର ୫ ଶହ ୭୯ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।

ସମ୍ବନ୍ଧିତ ଖବର