ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ: ବିଦ୍ରୋହୀ ସାଜିଲେ କଣ୍ଟା

ଭୁବନେଶ୍ବର: ଆଶଙ୍କା ସତ ହେଲା। ବିଜେଡି ପ୍ରାର୍ଥୀଙ୍କ ବିଜୟରେ ବାଧକ ସାଜିଲେ ବିଦ୍ରୋହୀ। କେଉଁ ୱାର୍ଡରେ ସିଧାସଳଖ ବିଜେଡି ପ୍ରାର୍ଥୀଙ୍କୁ ପରାସ୍ତ କଲେ ତ ଆଉ କେଉଁଠି ବିଜେପି ପ୍ରାର୍ଥୀଙ୍କୁ ଜିତା‌ଇବାରେ ସହାୟକ ହେଲେ। ବିଦ୍ରୋହୀ ପ୍ରାର୍ଥୀଙ୍କ ଲାଗି ବିଜେଡି ହାତରୁ ୧୪ଟି ଆସନ ଖସି ଯାଇଛି। ନିଶ୍ଚିତ ବିଜୟ ଥିବା କିଛି ୱାର୍ଡରେ ମଧ୍ୟ ବିଜେଡି ହାରିଛି। ଯେଉଁ ୯ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ସେମାନେ ସମସ୍ତେ ବିଦ୍ରୋହୀ ବିଜେଡି। ଦଳରୁ ଟିକେଟ୍‌ ନ ମିଳିବାରୁ ସ୍ବାଧୀନ ଭାବେ ମଇଦାନକୁ ଓହ୍ଲାଇଥିଲେ। ଦମଦାର ପ୍ରଚାର ସାଙ୍ଗକୁ ୱାର୍ଡରେ ବ୍ୟକ୍ତିଗତ ଲୋକପ୍ରିୟତା ପାଇଁ ସେମାନେ ବିଜୟ ହୋଇଛନ୍ତି। ଅବଶ୍ୟ ବିଜୟୀ ହେବା ପରେ ସ୍ବାଧୀନ ପ୍ରାର୍ଥୀମାନେ ବିଜେଡିରେ ଯୋଗ ଦେବା ଲାଗି ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି। ଦଳର ବରିଷ୍ଠ ନେତା‌ଙ୍କ ସହ ସେମାନେ ଯୋଗାଯୋଗ କରିଛନ୍ତି। ସମସ୍ତ ସ୍ବାଧୀନ କର୍ପୋରେଟର ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ରାତି ପର୍ଯ୍ୟନ୍ତ ସଂଖ୍ୟା ସ୍ପଷ୍ଟ ହୋଇପାରି ନାହିଁ।

ୱାର୍ଡ ନମ୍ବର ୯ ସମେତ ୧୩, ୧୫, ୨୪, ୩୭, ୪୬, ୫୮, ୬୦ ଓ ୬୫ ନମ୍ବର ୱାର୍ଡରେ ସ୍ବାଧୀନ ପ୍ରାର୍ଥୀ ଜିତିଛନ୍ତି। ୯ ନମ୍ବର ୱାର୍ଡରେ ସ୍ବାଧୀନ ପ୍ରାର୍ଥୀ ସୁଷମା ସାହୁ ସିଧାସଳଖ ବିଜେଡି ପ୍ରାର୍ଥୀ ସୂର୍ଯ୍ୟକାନ୍ତି ‌ଜେନାଙ୍କୁ ପରାସ୍ତ କରିଛନ୍ତି। ୧୩ ନମ୍ବର ୱାର୍ଡରେ ଇତିଶ୍ରୀ ଦାଶ, ୧୫ ନମ୍ବରରେ ପିଙ୍କି ସ୍ବାଇଁ, ୨୪ ନମ୍ବର ୱାର୍ଡରେ ଦୀପକ କୁମାର ମିଶ୍ର, ୩୭ରେ ବନ୍ଦିତା ପାଲ୍‌, ୪୬ରେ ପୁଷ୍ପା ରାଉତ, ୫୮ରେ ନମିତା ମହାପାତ୍ର, ୬୦ରେ ଚନ୍ଦ୍ରଶେଖର ମଲିଆ ବିଜେଡି ପ୍ରାର୍ଥୀଙ୍କୁ ବହୁ ଭୋଟରେ ପରାସ୍ତ କରିଛନ୍ତି। କୌଣସି ଦଳର ପ୍ରାର୍ଥୀ ଏମାନଙ୍କ ପାଖାପାଖି ରହିନାହାନ୍ତି। ମାତ୍ର ୬୫ ୱାର୍ଡରେ ସ୍ବାଧୀନ ପ୍ରାର୍ଥୀ ରଶ୍ମିରଞ୍ଜନ ପାଟ୍ଟଶାଣୀ ୧୫୦୦ରୁ ଅଧିକ ୱାର୍ଡ‌ରେ ବିଜେଡି ପ୍ରାର୍ଥୀଙ୍କୁ ହରାଇଛନ୍ତି। ଏଠାରେ ଦ୍ବିତୀୟ ସ୍ଥାନରେ ରହିବା ପାଇଁ ଅନ୍ୟମାନଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଛି।

ବିଜେଡି ହାତରୁ ଖସିଗଲା ୧୪ ୱାର୍ଡ

୫ଟିରେ ବିଜେପିକୁ ଜିତାଇଲେ ବିଦ୍ରୋହୀ

ବିଜେଡିରେ ମିଶିବେ ସ୍ବାଧୀନ କର୍ପୋ‌ରେଟର!

ଏ ତ ଗଲା ସ୍ବାଧୀନ ପ୍ରାର୍ଥୀଙ୍କ ବିଜୟ ସ୍ଥିତି। ବିଜେପି ପ୍ରାର୍ଥୀମାନେ ୧୦ଟି ୱାର୍ଡରେ ବିଜୟ ହୋଇଛନ୍ତି। ସେଥିମଧ୍ୟରୁ ୫ଟି ୱାର୍ଡରେ ବିଜେଡି ବିଦ୍ରୋହୀ ତଥା ସ୍ବାଧୀନ ପ୍ରାର୍ଥୀ ସେମାନଙ୍କୁ ସହଯୋଗ କରିଛନ୍ତି। ୩ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ଜୟନ୍ତୀ ଜେନାଙ୍କ ବିଜୟରେ ସ୍ବାଧୀନ ପ୍ରାର୍ଥୀ ସସ୍ମିତା କାଷ୍ଟା ବାଧକ ସାଜିଛନ୍ତି। ବିଜୟୀ ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ପରିଡ଼ା ୧୯୦୫ ଭୋଟ ପାଇଥିବା ବେଳେ ଉପରୋକ୍ତ ଦୁଇ ପ୍ରାର୍ଥୀ ଯଥାକ୍ରମେ ୧୭୯୩ ଓ ୧୫୧୦ ଭୋଟ ହାସଲ କରିଛନ୍ତି। ସେହିପରି ୪ ନମ୍ବର ୱାର୍ଡରେ ବିଜେପି ପ୍ରାର୍ଥୀ ସୁକୁମାର ସାହୁ ୩୨୯୩ ଖଣ୍ଡ ଭୋଟ ପାଇ ବିଜୟ ହୋଇଛନ୍ତି। ଏଠାରେ ସ୍ବାଧୀନ ପ୍ରାର୍ଥୀ ସାକ୍ଷର ରଞ୍ଜନ ମହାନ୍ତି ୨୪୬୪ ଭୋଟ ପାଇ ଦ୍ବିତୀୟ ଓ ବିଜେଡି ପ୍ରାର୍ଥୀ ଅକ୍ଷୟ କୁମାର ଲେଙ୍କା ୨୪୦୭ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି।

ସାକ୍ଷର ରଞ୍ଜନ ବିଦ୍ରୋହୀ ପ୍ରାର୍ଥୀ ହୋଇଥିବାରୁ ବିଜେଡି ପ୍ରାର୍ଥୀଙ୍କୁ ଏଠାରେ ପରାଜୟ ଦେଖିବାକୁ ପଡ଼ିଛି। ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କ ବିଜେପି ପ୍ରାର୍ଥୀଙ୍କ ସହ ଭିତିରିଆ ବୁଝାମଣା ଯୋଗୁଁ ୭, ୨୯ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ପରାଜିତ ହୋଇଛନ୍ତି। ସ୍ବାଧୀନ ପ୍ରାର୍ଥୀ ରିତିକା ବଳବନ୍ତରାୟଙ୍କ ଯୋଗୁଁ ୩୯ ନମ୍ବର ୱାର୍ଡରେ ବିଜେପି ପ୍ରାର୍ଥୀ ଗ୍ରୀତାଞ୍ଜଳି ସାହୁ ମାତ୍ର ୩୫ ଭୋଟରେ ବିଜୟ ହୋଇଛନ୍ତି। ୬୭ ନମ୍ବର ୱାର୍ଡରେ ସ୍ବାଧୀନ ପ୍ରାର୍ଥୀ ସଲ୍‌ମା ପରବିନ୍‌ଙ୍କ ପାଇଁ ବିଜେଡି ପ୍ରାର୍ଥୀ ମିଲନ୍‌ ଦେବୀ ହାରିଛନ୍ତି। ବିଜେପି ପ୍ରାର୍ଥୀ ମଧୁସ୍ମିତା ପ୍ରଧାନ ପ୍ରାୟ ୮୦୦ ଭୋଟରେ ବିଜୟୀ ହୋଇଛନ୍ତି।

ସମ୍ବନ୍ଧିତ ଖବର