ବିଏମ୍‌ସି ଆୟ କମିଲା ୩୪କୋଟି, ଯାହା ଆଶଙ୍କା ଥିଲା ସେୟା ହେଲା

ଭୁବନେଶ୍ବର : ଯାହା ଆଶଙ୍କା କରାଯାଉଥିଲା ସେୟା ହେଲା। ବିଏମ୍‌ସି ଏଥର ଟାର୍ଗେଟ୍ ରାଜସ୍ବ ତ ଆଦାୟ କରିପାରିଲାନି। ବରଂ ଗତ ଆର୍ଥିକ ବର୍ଷରେ ଯେତିକି ଆଦାୟ କରିଥିଲା ତାହା ଠାରୁ ୩୪କୋଟି କମ୍‌ ରାଜସ୍ବ ଆଦାୟ କଲା। ବିଭିନ୍ନ ବାହନା ଦେଖାଇ ବିଏମ୍‌ସି ଅଧିକାରୀମାନେ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଉଥିଲେ ହେଁ ଅଧିକାରୀମାନଙ୍କ ଅପାରଗତା ଏବେ ଜଳଜଳ ଦିଶୁଛି। ଗତ କିଛି ବର୍ଷ ମଧ୍ୟରେ ବିଏମ୍‌ସି କେବେ ଟାର୍ଗେଟ୍‌ରୁ ଏତେ କମ୍‌ ପରିମାଣର ରାଜସ୍ବ ଆଦାୟ କରିନଥିଲା। ଚଳିତବର୍ଷ ବିଏମ୍‌ସିର ରାଜସ୍ବ ଆଦାୟ ଏକ ବିରଳ ରେକର୍ଡ କରିଛି।

୨୦୧୭-୧୮ ଆର୍ଥିକ ବର୍ଷରେ ବିଏମ୍‌ସି ୧୩୫କୋଟି ୩ଲକ୍ଷ ୮ହଜାର ୨ଶହ ଟଙ୍କା ରାଜସ୍ବ ଆଦାୟ କଲା। ଯାହା ବିଏମ୍‌ସିର ରେକର୍ଡ ରାଜସ୍ବ ଆଦାୟ ଥିଲା। ଏପରିକି ୨୦୧୬-୧୭ ତୁଳନାରେ ୨୫କୋଟି ଅଧିକ ରାଜସ୍ବ ଆଦାୟ କରିଥିବାରୁ ବିଏମ୍‌ସି ସବୁଆଡ଼ୁ ସାବାସି ଗୋଟାଇଲା। ଏହାପରେ କର୍ତ୍ତୃପକ୍ଷ ୨୦୧୮-୧୯ରେ ୧୫୦କୋଟି ରାଜସ୍ବ ଆଦାୟ କରିବେ ବୋଲି ଟାର୍ଗେଟ୍‌ ରଖିଲେ। ବର୍ଷ ଆରମ୍ଭରୁ ବି ଏନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇ ଜୋ‌ନାଲ ଡେପୁଟି କମିସନର, ଟ୍ୟାକ୍ସ କଲେକ୍ଟରମାନଙ୍କୁ ଟାର୍ଗେଟ୍‌ ଧରାଇ ଦିଆଗଲା। କିନ୍ତୁ ମାସ କେଇଟା ପରେ ସେ ଜୋସ୍ କମିଗଲା। ଟାଣିଓଟାରି ଏଥର ରାଜସ୍ବ ଆଦାୟକୁ ୧୦୦ କୋଟି ଛୁଆଁଇ ଦେଇଥିଲେ ବି ମାତ୍ର ୧୦୧.୨୫କୋଟିରେ ସୀମିତି ରହିଯାଇଛି। ୧୫୦କୋଟିର ରାଜସ୍ବ ଆଦାୟ କରିବାର ସ୍ବପ୍ନ ଦେଖିଥିବା ବିଏମ୍‌ସି ଅଧିକାରୀଙ୍କ ସ୍ବପ୍ନ ଦିବାସ୍ବପ୍ନ ଭଳି ଚୂରମାର୍‌ ହୋଇଯାଇଛି।

ନଗର ଉନ୍ନୟନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଏମ୍‌ସି ଏଥର ଯେଉଁ ୮ଟି କ୍ଷେତ୍ରରୁ ରାଜସ୍ବ ପାଇଛି ତାହା ଗତବର୍ଷଠାରୁ ସବୁ କ୍ଷେତ୍ରରେ କମ୍‌। ହୋଲ୍‌ଡିଂ ଟିକସ, ହୋର୍ଡିଂ ବାବଦକୁ ଟିକସ, ଅନ୍ୟାନ୍ୟ ଆୟ ଏବଂ ନିଜସ୍ବ ଅର୍ଥ ଉପ‌େର ପାଉଥିବା ସୁଧ କ୍ଷେତ୍ରରେ ରାଜସ୍ବ ଆଦାୟ କମିଯିବାରୁ ବିଏମ୍‌ସି ଏଥର ଟାର୍ଗେଟ୍ ଛୁଇଁପାରିନି।

ମିଳିଥିବା ସୂଚନା ଅନୁଯାୟୀ, ହୋଲଡିଂ ଟିକସ ବାବଦକୁ ବିଏମ୍‌ସି ଏଥର ୩୯କୋଟି ୬୨ଲକ୍ଷ ୭ହଜାର ଟଙ୍କା ଆଦାୟ କରିଛି। ଯେତେବେଳେକି ୨୦୧୭-୧୮ ଆର୍ଥିକ ବର୍ଷରେ ଏହା ୪୧କୋଟି ୭ଲକ୍ଷ ଥିଲା। ପ୍ରାୟ ଦେଢ଼କୋଟି ଏହି କ୍ଷେତ୍ରରେ ରାଜସ୍ବ ଆଦାୟ କମିଥିବାବେଳେ ବିଏମ୍‌ସି ଅଧିକାରୀ ଚଳିତବର୍ଷ ୫୦କୋଟି ହୋଲ୍‌ଡିଂ ଟିକସ ଆଦାୟ କରିବେ ବୋଲି ଲକ୍ଷ୍ୟ ରଖିଥିଲେ।

ସେହିପରି ଗତବର୍ଷ ଭଳି ୟୁଜର ଫି’ ବାବଦକୁ ଏଥର ବି ଟଙ୍କାଟେ ଆଦାୟ ହୋଇନି। ପାର୍କିଂ ଫି’ ବାବଦକୁ ବିଏମ୍‌ସି ଗତବର୍ଷ ୨.୫୧କୋଟି ଆଦାୟ କରିଥିବାବେଳେ ଏଥର ୨କୋଟି ୧୨ଲକ୍ଷ ୪୫ହଜାର ଟଙ୍କା ଆଦାୟ କରିଛି। ନିଜ ସମ୍ପତ୍ତିର ଭଡ଼ା ବାବଦକୁ ଗତବର୍ଷ ୪କୋଟି ୪୪ଲକ୍ଷ ଆଦାୟ କରିଥିବାବେଳେ ଏଥର ଏହା ବାବଦକୁ ୬କୋଟି ଆଦାୟ କରିବାକୁ ଟାର୍ଗେଟ୍‌ ରଖିଥିଲା। କିନ୍ତୁ ଆଦାୟ କଲା ମାତ୍ର ୪କୋଟି ୧୬ଲକ୍ଷ ୧୬ହଜାର ଟଙ୍କା । ଟ୍ରେଡ୍‌ ଲାଇସେନ୍ସ ଫି’ ବାବଦକୁ ୪କୋଟି ୯୭ଲକ୍ଷ ଟଙ୍କା ଗତବର୍ଷ ଆଦାୟ କରିଥିବାବେଳେ ଏଥର ୭କୋଟି ଛୁଇଁବ ବୋଲି ଟା‌ର୍ଗେଟ୍‌ ରଖିଥିଲେ। ଅଥଚ ଆଦାୟ କଲେ ୪କୋଟି ୪୦ଲକ୍ଷ ୨୫ହଜାର ଟଙ୍କା। ବିଜ୍ଞାପନ ଫି’ ବାବଦକୁ ୧୭କୋଟି ୩୦ଲକ୍ଷ ଟଙ୍କା ଆଦାୟ କରିଥିବାବେଳେ ଏଥର ଏହାକୁ ୨୦କୋଟି ଛୁଆଁଇବେ ବୋଲି ଭାବିଥିଲେ। ହେଲେ ଆଦାୟ କଲେ ୧୧କୋଟି ୩ଲକ୍ଷ। ଅନ୍ୟାନ୍ୟ ରାଜସ୍ବ ବାବଦକୁ ଗତବର୍ଷ ୩୮କୋଟି ଆଦାୟ କରିବା ପରେ ଏହାକୁ ଏଥର ୫୦କୋଟି ପାର୍‌ କରିବେ ବୋଲି ଭାବିଥିଲେ। ହେଲେ ଆଦାୟ କଲେ ୧୮କୋଟି ୨୦ଲକ୍ଷ। ବିଏମ୍‌ସିର ବିଭିନ୍ନ ବ୍ୟାଙ୍କରେ ଥିବା ଟଙ୍କା ବାବଦକୁ ଗତବର୍ଷ ୨୬କୋଟି ୫୬ଲକ୍ଷ ଯଙ୍କା ପାଇଥିବାବେଳେ ଏହା ଏଥର ପହଞ୍ଚିଛି ୨୧କୋଟି ୭୧ଲକ୍ଷ ୫୩ହଜାର ଟଙ୍କାରେ। ଏହିପରି ବିଏମ୍‌ସି ଆୟ ୧୦୧ କୋଟି ୨୫ଲକ୍ଷ ଛୁଇଁଲା।

ମିଳିଥିବା ସୂଚନା ଅନୁଯାୟୀ, ବିଏମ୍‌ସିର ଆୟ ଗତବର୍ଷ ତୁଳନାରେ ଢେର୍ କମିଥିବାବେଳେ ସବୁଠୁ ଅଧିକ କମିଛି ଅକ୍ଟୋବରରେ। ୨୦୧୭ ଅକ୍ଟୋବରରେ ଯେତିକି ରାଜସ୍ବ ଆଦାୟ ହୋଇଥିଲା ତାହାଠାରୁ ୪୩% ଏଥର କମିଛି। ନଭେମ୍ବରରେ ୨୭% କମିଥିବାବେଳେ ସେପ୍ଟେମ୍ବରରେ ୧୧% ଏବଂ ଜୁନ୍‌ ଓ ଡିସେମ୍ବରରେ ୯% ରାଜସ୍ବ ଆଦାୟ କମିଛି। ଯାହା ଟାର୍ଗେଟ୍‌ ଫେଲ୍‌ର ମୁଖ୍ୟ କାରଣ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ ଯେ, ବିଏମ୍‌ସି ଗତ ତିନି ଆର୍ଥିକ ବର୍ଷରେ ରାଜସ୍ବ ଆଦାୟରେ ନୂଆ ରେକର୍ଡ କରିସାରିଛି। ୨୦୧୫-୧୬ରେ ବିଏମ୍‌ସି ୭୬କୋଟି ରାଜସ୍ବ ଆଦାୟ କରିଥିବାବେଳେ ୨୦୧୬-୧୭ରେ ୧୦୦କୋଟି ଛୁଇଁଥିଲା। ଆଉ ୨୦୧୭-୧୮ରେ ବହୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ୧୩୫କୋଟି ଛୁଇଁଥିଲା। ତେଣୁ ୨୦୧୮-୧୯ରେ ରାଜସ୍ବ ଆଦାୟ ଏହାଠୁ ବଢ଼ିବ ନା କମିବ ‌ତାହା ଉପରେ ସମସ୍ତଙ୍କ ନଜର ଥିଲା।

ସମ୍ବନ୍ଧିତ ଖବର