ଭୁବନେଶ୍ବର: ବିଜେଡି ଦଖଲରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)। ଲଗାତାର ତୃତୀୟ ଥର ଲାଗି ଦଳ ଏକାକୀ ବିଏମ୍‌ସି ଦଖଲ କରିଛି। ଏଥିସହ ହାଟ୍ରିକ୍‌ ଅର୍ଜନ କରିବାର ଗୌରବ ମଧ୍ୟ ହାସଲ କରିଛି। ବିଜେଡି ମେୟର ପ୍ରାର୍ଥିନୀ ସୁଲୋଚନା ଦାସ ଏକପାଖିଆ ଭାବେ ବିଜୟ ହାସଲ କରିଛନ୍ତି। ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥିନୀ ସୁନୀତି ମୁଣ୍ଡ୍‌ଙ୍କୁ ୬୧ ହଜାର ୧୪୩ ଖଣ୍ଡ ଭୋଟରେ ପରାସ୍ତ କରି ପ୍ରଥମ ମହିଳା ଭାବେ ବିଏମ୍‌ସି ମେୟର ପଦରେ ବସିବାକୁ ଯାଉଛନ୍ତି। ବିଜେଡି କର୍ପୋରେଟର୍‌ ପ୍ରାର୍ଥୀ ୪୮ଟି ୱାର୍ଡରେ ବିଜୟୀ ହୋଇଛନ୍ତି। ୨୦୧୪ ତୁଳନାରେ ଦଳ ଗୋଟିଏ ସିଟ୍‌ କମ୍ ପାଇଛି।

Advertisment

ଦୁଇ ଅଙ୍କ ଛୁଇଁଲା ବିଜେପି
ଖାତା ଖୋଲିପାରିଲାନି କଂଗ୍ରେସ
ଭାରି ପଡ଼ିଲେ ବିଦ୍ରୋହୀ ବିଜେଡି ପ୍ରାର୍ଥୀ

କିଛି ୱାର୍ଡରେ ବିଜେଡି ପାଇଁ ବିଦ୍ରୋହୀ ଭାରି ପଡ଼ିଛନ୍ତି। ଯେଉଁଥି ପାଇଁ ବିଜେପି ଜିତିବା ସହ ବିଜେଡି ପ୍ରାର୍ଥୀଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଆଶ୍ଚର୍ଯ୍ୟର କଥା ହେଉଛି ଯେ ପ୍ରଥମ ଥର ଲାଗି ବିଏମ୍‌ସି ନିର୍ବାଚନରେ କଂଗ୍ରେସ ଦଳ ଖାତା ଖୋଲିପାରି ନାହିଁ। ରାଜ୍ୟର ଏହି ପୁରୁଖା ଦଳ ୪୮ଟି ୱାର୍ଡରେ ପ୍ରାର୍ଥୀ ଦେଇଥିଲେ ମଧ୍ୟ ଜଣେ ବି ହେଲେ ଜିତିପାରି ନାହାନ୍ତି। ରାଜ୍ୟ ରାଜଧାନୀରେ ଖାତା ଖୋଲି ନପାରି ଓଡ଼ିଶା ଇତିହାସରେ ବି‌ରଳ ରେକର୍ଡ ସୃଷ୍ଟି କରିଛି କଂଗ୍ରେସ। ପଞ୍ଚାୟତରେ ବିଜେଡିର ସଫଳତା ପୌର ନିର୍ବାଚନରେ ପୁନରାବୃତ୍ତି ହେବା ନେଇ ଆଶା କରାଯାଉଥିଲା। ଆଜି ତାହା ହିଁ ଘଟିଛି। ଭୁବନେଶ୍ବରରେ ମେୟର ପ୍ରାର୍ଥିନୀଙ୍କ ବିଜୟ ବ୍ୟବଧାନ ୬୧ ହଜାରରେ ରହିଯାଇଛି। କଂଗ୍ରେସ ପ୍ରାର୍ଥିନୀ ମଧୁସ୍ମିତା ଆଚାର୍ଯ୍ୟଙ୍କ ଝୁଲାକୁ ଏକଦମ୍‌ କମ୍‌ ଭୋଟ ଯାଇଥିବା ବେଳେ ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ଭୋଟ ସଂଖ୍ୟା ଲକ୍ଷେ ଉପରକୁ ଡେଇଁଛି।

ମୋଟ ୩ ଲକ୍ଷ ୧୨ ହଜାର ୯୭୯ ଭୋଟ ମଧ୍ୟରୁ ବିଜେଡି ମେୟର ପ୍ରାର୍ଥିନୀ ୧ ଲକ୍ଷ ୭୪ ହଜାର ୫୬୨ ଭୋଟ ପାଇଛନ୍ତି। ବିଜେପି ପ୍ରାର୍ଥିନୀ ୧ ଲକ୍ଷ ୧୩ ହଜାର ୪୧୯ ଓ କଂଗ୍ରେସ ପ୍ରାର୍ଥିନୀ ୧୧ ହଜାର ୬ ଖଣ୍ଡ ଭୋଟ୍‌ ପାଇଛନ୍ତି। ଏହା ବାଦ୍ ଓଡ଼ିଶା ଜନତା ପାର୍ଟି ପ୍ରାର୍ଥିନୀ ନିରୋଜା ନଳିନୀ ସାମଲ ୩ ହଜାର ୧୩୬ ଖଣ୍ଡ ଭୋଟ ହାତେଇବାରେ ସକ୍ଷମ ହୋଇଛନ୍ତି। ୫ମ ସ୍ଥାନରେ ‘ନୋଟା’ ରହିଛି। ସହରର ୨୩୫୧ ଭୋଟର କୌଣସି ମେୟର ପ୍ରାର୍ଥୀଙ୍କୁ ଉଚିତ ମଣିନାହାନ୍ତି। ଯେଉଁଥିପାଇଁ ନୋଟାରେ ଭୋଟ ଦେଇଛନ୍ତି।

ସର୍ବାଧିକ ୱାର୍ଡରେ ବିଜେଡି କର୍ପୋ‌ରେଟର୍‌ ପ୍ରାର୍ଥୀ ବିଜୟୀ ହୋଇ ବିଏମ୍‌ସିରେ ବିଜେଡି ତା’ର ଦବ୍‌ଦବା ଜାରି ରଖିଛି। ତେବେ ଏଥର ୱାର୍ଡ ସଂଖ୍ୟା ବଢ଼ି ନାହିଁ। ୨୦୧୪ରେ ଦଳ ୪୯ଟି ୱାର୍ଡ ପାଇଥିଲା ବେଳେ ଏଥର ଗୋଟିଏ କମି ୪୮ ହୋଇଛି। ୨୦୧୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର ସାଙ୍ଗକୁ ବରିଷ୍ଠ ନେତାମାନଙ୍କ ରଣନୀତି ଯୋଗୁଁ ଦଳ ୪୯ଟି ୱାର୍ଡରେ ବିଜୟ ହୋଇଥିଲା। ମାତ୍ର ଏଥର ମୁଖ୍ୟମନ୍ତ୍ରୀ ଆଦୌ ପ୍ରଚାର ମଇଦାନକୁ ଓହ୍ଲାଇ ନ ଥିଲେ। କୌଣସି ମନ୍ତ୍ରୀ ବି ସାମିଲ ହୋଇ ନ ଥିଲେ। ଭୁବନେଶ୍ବରର ତିନି ବିଧାୟକ ଯଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସୁଶାନ୍ତ କୁମାର ରାଉତ, ଅନନ୍ତ ନାରାୟଣ ଜେନାଙ୍କ ଉପରେ ସବୁ ଦାୟିତ୍ବ ଛାଡ଼ି ଦିଆଯାଇଥିଲା। ସେମାନଙ୍କ ନେତୃତ୍ବରେ ପ୍ରଚାର ମଇଦାନକୁ ଓହ୍ଲାଇଥିବା ବିଜେଡି ପାଖାପାଖି ସମାନ ସଂଖ୍ୟକ ୱାର୍ଡରେ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରିବାରେ ସକ୍ଷମ ହୋଇଛନ୍ତି।

ଅବଶ୍ୟ ପ୍ରାର୍ଥୀ ଚୟନରେ ତ୍ରୁଟି ଯୋଗୁଁ ଦଳକୁ ‌କିଛି ସ୍ଥାନରେ ନିରାଶ ହେବାକୁ ପଡ଼ିଛି। ପାଖାପାଖି ୧୪ଟି ୱାର୍ଡରେ ବିଦ୍ରୋହୀ ପ୍ରାର୍ଥୀ ବିଜେଡି ପ୍ରାର୍ଥୀଙ୍କ ଉପରେ ଭାରି ପଡ଼ିଛନ୍ତି। ୯ଟି ୱାର୍ଡରେ ବିଦ୍ରୋହୀ ପ୍ରାର୍ଥୀ ବିଜେଡି ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି। ୫ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ହାରିବା ଏବଂ ବିଜେପି ପ୍ରାର୍ଥୀ ଜିତିବା ପଛରେ ବିଦ୍ରୋହୀ ପ୍ରାର୍ଥୀଙ୍କ ପ୍ରମୁଖ ଭୂମିକା ରହିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ୮ ବର୍ଷ ପରେ ହୋଇଥିବା ଏହି ନିର୍ବାଚନରେ ବିଜେପିର ଉନ୍ନତି ଘଟିଛି। ୨୦୦୮ ଓ ୨୦୧୪ ନିର୍ବାଚନରେ ବିଜେପି ଏକ ଅଙ୍କରେ ସୀମିତ ରହିଥିଲା। ୨୦୦୮ରେ ୯ ଜଣ ଜିତିଥିବା ବେଳେ ୨୦୧୪ରେ ମାତ୍ର ୪ ଜଣ କର୍ପୋରେଟର ପ୍ରାର୍ଥୀ ବିଜୟ ହାସଲ କରିଥିଲେ। ମାତ୍ର ଏଥର ବିଜେପି ଦୁଇ ଅଙ୍କ ଛୁଇଁଛି। ଦଳର ୧୦ ଜଣ ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି। ୪ଟି ୱାର୍ଡରେ କଡ଼ା ଟକ୍କର ମଧ୍ୟରେ ବିଜେପି ପ୍ରାର୍ଥୀ ପରାସ୍ତ ହୋଇଛନ୍ତି। ଜାତୀୟ କିମ୍ବା ରାଜ୍ୟସ୍ତରର ବଡ଼ ନେତାଙ୍କୁ ଏଥର ପ୍ରଚାର ମଇଦାନରେ ଦେଖିବାକୁ ମିଳି ନ ଥିଲା। ଅପରାଜିତା ପ୍ରଚାର ଅଧାରୁ କିଛି ସମୟ ଦୂରେଇ ରହିଥିଲେ। ତା’ପରେ ବି ବିଜେପିର ଭୋଟ ହାର ଗତ ଦୁଇଟି ବିଏମ୍‌ସି ନିର୍ବାଚନ ତୁଳନାରେ ବୃଦ୍ଧି ପାଇଥିବା ସୂଚନା ମିଳିଛି।

publive-image

ଭୁବନେଶ୍ବରରେ କଂଗ୍ରେସ ସ୍ଥିତି ଦୟନୀୟ ହୋଇପଡ଼ିଛି। ୨୦୦୮ରେ ୪ଟି ଓ ୨୦୧୪ରେ ତିନୋଟି ୱାର୍ଡରେ ଜିତିଥିବା କଂଗ୍ରେସ ଏଥର ଖାତା‌ ହିଁ ଖୋଲିପାରିନି। ମେୟର ପ୍ରାର୍ଥୀଙ୍କ ଭୋଟ ସଂଖ୍ୟା ମାତ୍ର ୧୧ ହଜାର ହୋଇଥିବା ବେଳେ କର୍ପୋରେଟର ପ୍ରାର୍ଥୀଙ୍କ ସ୍ଥିତି ନ କହିବା ଭଲ। ପ୍ରଥମରୁ ସମସ୍ତ ୱାର୍ଡରେ ପ୍ରାର୍ଥୀ ଦେଇପାରି ନ ଥିବା କଂଗ୍ରେସ ନିର୍ବାଚନ ଫଳାଫଳରେ ବି ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ହାତଗଣତି ଗୋଟିଏ ଦୁଇଟି ୱାର୍ଡରେ ଦଳ ଦ୍ବିତୀୟ ସ୍ଥାନରେ ରହିଛି। କିଛି ସ୍ଥାନରେ କଂଗ୍ରେସ ପ୍ରାର୍ଥୀଙ୍କ ଭୋଟ ସଂଖ୍ୟା ମାତ୍ର ୨୦ରୁ ୩୦ ଭିତରେ ରହିଛି। ଦଳର ଭୋଟ ହାର ମଧ୍ୟ ବହୁ ପରିମାଣରେ କମିଛି।

କଂଗ୍ରେସ ତୁଳନାରେ ସ୍ବାଧୀନ ପ୍ରାର୍ଥୀମାନେ ବହୁ ଉନ୍ନତ ପ୍ରଦର୍ଶନ କରିଛନ୍ତି ସତ। ମାତ୍ର ଗତଥର ଅପେକ୍ଷା ଏଥର ସ୍ବାଧୀନ ପ୍ରାର୍ଥୀଙ୍କ ବିଜୟ ସଂଖ୍ୟା କମିଛି। ୨୦୧୪ରେ ୧୨ ଜଣ ସ୍ବାଧୀନ ପ୍ରାର୍ଥୀ ଜିତିଥିବା ବେଳେ ଏଥର ସ୍ବାଧୀନଙ୍କ ସଂଖ୍ୟା ଏକ ଅଙ୍କରେ ରହଛି। ମାତ୍ର ୯ ଜଣ ସ୍ବାଧୀନ ପ୍ରାର୍ଥୀ ବିଜୟ ହୋଇଛନ୍ତି। ୨୦୦୩ ଓ ୨୦୦୮ରେ ୬ ଜଣ ଲେଖାଏ ସ୍ବାଧୀନ ପ୍ରାର୍ଥୀ ଜିତିଥିଲେ।

କୋଟିପତି ଚିତ୍‌ପଟାଙ୍ଗ

ଏକାଧିକ କୋଟିପତି ପ୍ରାର୍ଥୀ ଚିତ୍‌ପଟାଙ୍ଗ୍‌ ମାରିଛନ୍ତି। ଭୋଟ କିଣାବିକା ନେଇ ଚାଲିଥିବା ଜୋରଦାର ଚର୍ଚ୍ଚାକୁ ଯେମିତି ଏମାନେ ମିଛ କରି ଦେଇଛନ୍ତି। ୩ ନମ୍ବର ୱାର୍ଡ ବିଜେଡି କର୍ପୋରେଟର ପ୍ରାର୍ଥୀ ଜୟନ୍ତୀ ଜେନା ହାରି ଯାଇଥିବା ବେ‌ଳେ ୨୪ ନମ୍ବର ୱାର୍ଡ ବିଜେଡି ଦଳୀୟ ପ୍ରାର୍ଥୀ ପ୍ରତାପ କିଶୋର ସାହୁଙ୍କୁ ଜଣେ ସ୍ବାଧୀନ ପ୍ରାର୍ଥୀ ହରାଇଛନ୍ତି। ଠିକ୍‌ ସେହିଭଳି ୯ ନମ୍ବର ୱାର୍ଡର ବିଜେଡି ଦଳୀୟ ପ୍ରାର୍ଥୀ ସୂର୍ଯ୍ୟକାନ୍ତୀ ଜେନା ମଧ୍ୟ ନିର୍ବାଚନ ବୈତରଣୀ ପାର୍‌ କରି ପାରିନାହାନ୍ତି। ତାଙ୍କୁ ମଧ୍ୟ ସ୍ବାଧୀନ ପ୍ରାର୍ଥୀ ହରାଇଛନ୍ତି। ଏ ସମସ୍ତଙ୍କ କ୍ଷେତ୍ରରେ ବିଜଡି ଦଳ ଓ ଅର୍ଥ ବଳ କିଛି କାମ କରିନି। ଏଣେ ୬୦ ନମ୍ବର ୱାର୍ଡରେ ସ୍ବାଧୀନ ଭାବେ ଲଢ଼ୁଥିବା କୋଟିପତି କର୍ପୋରେଟର ପ୍ରାର୍ଥୀ ବିଭୁ ପ୍ରସାଦ ଷଡ଼ଙ୍ଗୀ ମଧ୍ୟ ଅମାନତ ହରାଇଛନ୍ତି। ତାଙ୍କୁ ମାତ୍ର ୨୩ଟି ଭୋଟ୍‌ ମିଳିଛି।

ଅପରାଜିତା, ସମୀରଙ୍କ ୱାର୍ଡରେ ବିଜେପି ହାରିଲା

ଶାସକ ଦଳ ସହ ପଞ୍ଚାୟତ ନିର୍ବାଚନରୁ ଆରମ୍ଭ କରି ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଟକ୍କର ଦେବାକୁ ଅଣ୍ଟା ଭିଡ଼ିଥିବା ବିଜେପି ବିଏମ୍‌ସି ନିର୍ବାଚନରେ ଦମ୍‌ ଦେଖାଇ ପାରି ନାହିଁ। ବଡ଼ ବଡ଼ ନେତାଙ୍କର ଦେଖା ମିଳିନି। ଅଧିକାଂଶ ପ୍ରଚାରରେ ପ୍ରାର୍ଥୀମାନଙ୍କ ସହ ପରିଚିତ ମୁହଁ ଦେଖିବାକୁ ମିଳିନି। ବଡ଼କଥା ହେଉଛି ବିଏମ୍‌ସି ନିର୍ବାଚନର ବିଜେପିର ମଙ୍ଗ ଧରିଥିବା ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କ ନିଜ ଗଡ଼ ରଖି ପାରିନାହାନ୍ତି। ସେ ରହୁଥିବା ୨୫ ନମ୍ବର ୱାର୍ଡରେ ବିଜେପି ପ୍ରାର୍ଥୀ ବିଜେଡି ଠାରୁ ୬ଶହରୁ ବେଶି ଭୋଟ୍‌ ବ୍ୟବଧାନରେ ପରାସ୍ତ ହୋଇଛନ୍ତି। ସେହିଭଳି ବିଜେପି ସଭାପତି ସମୀର ମହାନ୍ତିଙ୍କ ୱାର୍ଡ ୬୦ ନମ୍ବରରେ ବିଜେପି ପ୍ରାର୍ଥୀଙ୍କ ଅବସ୍ଥା ଶୋଚନୀୟ ହୋଇଛି। ଏଠାରେ ବିଜେଡି ଓ ସ୍ବାଧୀନ ପ୍ରାର୍ଥୀ ଅଢ଼େଇ ହଜାରରୁ ଅଧିକ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ତୃପ୍ତିମୟୀ ମକଦ୍ଦମଙ୍କୁ ମାତ୍ର ୭୫୯ ଖଣ୍ଡ ଭୋଟ୍‌ ମିଳିଛି।

କଂଗ୍ରେସ ଶୂନ

୨୦୦୩ରେ ୧୦ଟି, ୨୦୦୮ରେ ୪ଟି ଓ ୨୦୧୪ ବିଏମ୍‌ସି ନିର୍ବାଚନରେ ୨ଟି ଆସନ ପାଇଥିବା କଂଗ୍ରେସ ଏଥର ମୂଳପୋଛ ହୋଇ ଯାଇଛି। ବିଏମ୍‌ସି ନିର୍ବାଚନ ଇତିହାସରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି। ଗୋଟିଏ ହେଲେ ଆସନ କଂଗ୍ରେସକୁ ମିଳିନାହିଁ। ଏକାଧିକ ୱାର୍ଡରେ ଅମାନତ ହରାଇବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ୩୭ ନମ୍ବର ୱାର୍ଡରେ ୩୩, ୬୦ରେ ୪୧ ଓ ୪୧ରେ କଂଗ୍ରେସ ପ୍ରାର୍ଥୀଙ୍କୁ ୪୪ଟି ଭୋଟ୍‌ ମିଳିଛି। ତେବେ ୬୬ ଓ ୩୧ ନମ୍ବରରେ ୨ ନମ୍ବର ସ୍ଥାନ ହାସଲ କରିଛି କଂଗ୍ରେସ।