ଭୁବନେଶ୍ବର: କୋଭିଡ୍ ମହାମାରୀର ଭୟାବହତା ପରେ କେନ୍ଦ୍ର ସରକାର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ସହ ତତ୍କାଳ ରୋଗର ନିରାକରଣ ଓ ସଚେତନତା ଲକ୍ଷ୍ୟରେ ୨୦୨୨ ମସିହାରେ ଅର୍ବାନ୍ ମେଟ୍ରୋପଲିଟାନ୍ ସର୍ଭେଲାନ୍ସ ୟୁନିଟ୍(ୟୁଏମ୍‌ଏସ୍‌ୟୁ) ଆରମ୍ଭ କରିଥିଲେ। ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ଦେଶର ୨୦ଟି ସମ୍ବେଦନଶୀଳ ରାଜ୍ୟରେ ଏହି ୟୁନିଟ୍ ଆରମ୍ଭ ହୋଇଥିଲା। ଓଡ଼ିଶାରେ ଗତବର୍ଷ ରାଜଧାନୀ ଭୁବନେଶ୍ବରରେ ଅର୍ବାନ୍ ମେଟ୍ରୋପଲିଟାନ୍ ସର୍ଭେଲାନ୍ସ ୟୁନିଟ୍ ଆରମ୍ଭ ହୋଇଥିଲେ ବି ଚଳିତବର୍ଷଠାରୁ ଏହା କାର୍ଯ୍ୟକ୍ଷମ ହୋଇଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭୁବନେଶ୍ବର ଅର୍ବାନ୍ ମେଟ୍ରୋପଲିଟାନ୍ ସର୍ଭେଲାନ୍ସ ୟୁନିଟ୍ ଶ୍ରେଷ୍ଠତା ପ୍ରତିପାଦନ କରିଛି। ଦେଶର ୨୦ଟି ରାଜ୍ୟରେ ଥିବା ଅର୍ବାନ୍ ମେଟ୍ରୋପଲିଟାନ୍ ସର୍ଭେଲାନ୍ସ ୟୁନିଟ୍ ଭୁବନେଶ୍ବର ୟୁନିଟ୍ ଶ୍ରେଷ୍ଠ ହୋଇଥିବାରୁ ଆଜି ବିଶ୍ବ ବ୍ୟାଙ୍କ ଟିମ୍ ଏହାର ପ୍ରଶଂସା କରିଛି। ଆଜି ଅପରାହ୍ଣରେ ବିଶ୍ବ ବ୍ୟାଙ୍କର ଏକ ପ୍ରତିନିଧି ଦଳ ଭୁବନେଶ୍ବର ଅର୍ବାନ୍ ମେଟ୍ରୋପଲିଟାନ୍ ସର୍ଭେଲାନ୍ସ ୟୁନିଟ୍ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ୟୁନିଟ୍‌ର କାର୍ଯ୍ୟଶୈଳୀ ଅନୁଧ୍ୟାନ କରିଛନ୍ତି। ୨୦ଟି ରାଜ୍ୟର ଅର୍ବାନ୍ ମେଟ୍ରୋପଲିଟାନ୍ ସର୍ଭେଲାନ୍ସ ୟୁନିଟ୍ ଭିତରେ ଭୁବନେଶ୍ବର ଅର୍ବାନ୍ ମେଟ୍ରୋପଲିଟାନ୍ ସର୍ଭେଲାନ୍ସ ୟୁନିଟ୍‌କୁ ରୋଲ୍ ମଡେଲ୍ ଭାବେ ଗ୍ରହଣ କରିଛନ୍ତି। 

Advertisment

ଏଠାର କାର୍ଯ୍ୟଶୈଳୀ ଅନ୍ୟ ୟୁନିଟ୍‌ରେ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି। ଆଗକୁ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ କିପରି ଆହୁରି ସୁଦୃଢ଼ କରାଯାଇପାରିବ, ସେ ଉପରେ ବିସ୍ତୃ୍ତ ଆଲୋଚନା କରିଛନ୍ତି। ୟୁନିଟ୍ ପରିଦର୍ଶନ କରି ସବିଶେଷ ତଥ୍ୟ ବୁଝିଛନ୍ତି। ବିଶ୍ବ ବ୍ୟାଙ୍କ ପକ୍ଷରୁ ଶିଳ୍ପା ଜନ୍, ସ୍ମିଥା ଥୋମାସ୍, ଶୁଭେନ୍ଦୁ ମୁଦ୍‌ଗଲ୍, ଡା. ଓମ୍‌ପ୍ରକାଶ କାଂସଲ୍, ଅନିଲ ଗର୍ଗ ଭୁବନେଶ୍ବର ଅର୍ବାନ୍ ମେଟ୍ରୋପଲିଟାନ୍ ସର୍ଭେଲାନ୍ସ ୟୁନିଟ୍ ପରିଦର୍ଶନ କରି  ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। କେନ୍ଦ୍ର ସରକାରଙ୍କ ଏନ୍‌ସିଡିସି(ନ୍ୟାସନାଲ୍ ସେଣ୍ଟର୍ ଫର୍ ଡିଜିଜ୍ କଣ୍ଟ୍ରୋଲ୍) ଅଧୀନରେ ଅର୍ବାନ୍ ମେଟ୍ରୋପଲିଟାନ୍ ସର୍ଭେଲାନ୍ସ ୟୁନିଟ୍ କାମ କରୁଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସମନ୍ବୟ ଭିତ୍ତିରେ ତତ୍କାଳ ଜରୁରୀସେବା ଯୋଗାଇଦେବା ଓ ରୋଗ ନିରାକରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବା କ୍ଷେତ୍ରରେ ଭୁବନେଶ୍ବର ଅର୍ବାନ୍ ମେଟ୍ରୋପଲିଟାନ୍ ସର୍ଭେଲାନ୍ସ ୟୁନିଟ୍‌ର କାର୍ଯ୍ୟକୁ ବିଶ୍ବ ବ୍ୟାଙ୍କ ପ୍ରଶଂସା କରିଛି। ସୂଚନାଯୋଗ୍ୟ, ଅର୍ବାନ୍ ମେଟ୍ରୋପଲିଟାନ୍ ସର୍ଭେଲାନ୍ସ ୟୁନିଟ୍ ଜଳବାହିତ ଓ ସଂକ୍ରମିତ ରୋଗ(ଭେକ୍ଟର ଡିଜିଜ୍‌) ନିରାକରଣ ଦିଗରେ କାମ କରୁଛି। ବିଶେଷ କରି ଡେଙ୍ଗୁ, ମ୍ୟାଲେରିଆ, ଜାପାନୀ ଏନ୍‌ସେଫାଲାଇଟିସ୍, ଟାଇଫଏଡ୍, ଡାଇରିଆ, ଜଳାତଙ୍କ, ଜଣ୍ଡିସ୍, ମଧୁମେହ, ଉଚ୍ଚ ରକ୍ତଚାପ, କର୍କଟ ରୋଗ ଆଦି ଉପରେ କାମ କରୁଛି।