ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମକୁ ଲାଗି ଆଉ ଏକ ନୂଆ ସହର ଗଢ଼ାହେବ। ଗୁଜରାଟର ଅତ୍ୟାଧୁନିକ ଢୋଲେରା ସହର ଭଳି ଏହାକୁ ଅତ୍ୟାଧୁନିକ ରୂପ ଦିଆଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ପ୍ରାୟ ୧ଲକ୍ଷ ଜନବସତି ବିଶିଷ୍ଟ ଏହି ନୂଆ ସହରରେ ଅତ୍ୟାଧୁନିକ ସୁବିଧା ରହିବ। ରାସ୍ତାଘାଟ, ପାଣି, ବିଜୁଳି ଭଳି ମୌଳିକ ସୁବିଧା ସହ ଏହା ବ୍ୟବସାୟର ପେଣ୍ଠସ୍ଥଳୀ ପାଲଟିବ। ଆଇଟି ହବ୍ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏଥିପାଇଁ ରାଜ୍ୟ ସରକାର ‘ନ୍ୟୁ ସିଟି’ ପ୍ରକଳ୍ପ ଘୋଷଣା କରିଛନ୍ତି। ଗତକାଲି କ୍ୟାବିନେଟ୍ ବି ଏହାକୁ ମୋହର ମାରିଛନ୍ତି।
ନିଷ୍ପତ୍ତି ଅନୁଯାୟୀ, ପିପିପି ମୋଡ୍ରେ ଏହି କାମ ହେବ। ବିଡିଏ ଏହି ପ୍ରକଳ୍ପର ନୋଡାଲ ଏଜେନ୍ସି ଭାବେ କାମ କରିବ। ଏହି ପ୍ରତୀକ୍ଷିତ ପ୍ରକଳ୍ପର ପ୍ରାଥମିକ ଡିପିଆର୍କୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିବା ପରେ ଏବେ ରାଜ୍ୟ ସରକାର ଚୂଡ଼ାନ୍ତ ଡିପିଆର୍ ପ୍ରସ୍ତୁତିରେ ଲାଗିଛନ୍ତି। ଏଥିପାଇଁ ସିଙ୍ଗାପୁର କମ୍ପାନି ସୁରବନ୍ ଜ୍ୟୁରଙ୍ଗ(ଏସ୍ଜେ) ପ୍ରାଇଭେଟ୍ ଲିମିଟେଡ୍ ମାଷ୍ଟର୍ ପ୍ଲାନ୍ ପ୍ରସ୍ତୁତି ପାଇଁ ରାଜ୍ୟ ସରକାରଙ୍କ ସହ ଚୁକ୍ତିପତ୍ର ସ୍ବାକ୍ଷର କରିଛି। ଏ ବଜାର ସ୍ଥିତିର ଅନୁଧ୍ୟାନ କରୁଛି ଅନ୍ତର୍ଜାତୀୟ ବାଣିଜ୍ୟିକ ରିୟଲ୍ ଇଷ୍ଟେଟ୍ କମ୍ପାନି ଜେଏଲ୍ଏଲ୍। ପ୍ରାଥମିକ ପର୍ଯ୍ୟାୟରେ ପ୍ରକଳ୍ପ ଅଞ୍ଚଳରେ ପାଚେରି ଓ ରାସ୍ତା ଆଦି ପାଇଁ ୨୦୦ କୋଟି ଟଙ୍କା ମଞ୍ଜୁର ହୋଇଛି ଏବଂ ଏହି କାମ ବି ଆରମ୍ଭ ହୋଇସାରିଛି।
ବିଭାଗୀୟ ସୂଚନା ମୁତାବକ, କେନ୍ଦ୍ର ସରକାର ଦେଶର ୮ ସହରରେ ନ୍ୟୁ ସିଟି କରିବାକୁ ଘୋଷଣା କରିଥିଲେ ଓ ଏଥିପାଇଁ ବିଭିନ୍ନ ରାଜ୍ୟର ସରକାରଙ୍କଠାରୁ ଆବେଦନ ଆହ୍ବାନ କରିଥିଲେ। ଓଡ଼ିଶାର ଏକମାତ୍ର ସହର ଭୁବନେଶ୍ବର ଏହି ଆବେଦନ ପ୍ରକ୍ରିୟାରେ ସାମିଲ ହୋଇଥିଲା। ଓଡ଼ିଶା ସରକାର ଭୁବନେଶ୍ବରରେ ଏହି ପ୍ରକଳ୍ପ କରିବାକୁ ପ୍ରସ୍ତାବ ଦେଇଥିଲେ। ସେ ସମୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏକ ପ୍ରାଥମିକ ଡିପିଆର୍ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଥିଲା। କେନ୍ଦ୍ର ସରକାର ଚୟନଭିତ୍ତିରେ ଦେଶର ୮ ପ୍ରମୁଖ ସହର ଭିତରେ ଭୁବନେଶ୍ବରକୁ ସ୍ଥାନ ଦେଇଥିଲେ। କେନ୍ଦ୍ର ସରକାରଙ୍କ ଏହି ଘୋଷଣା ପରେ ଜୋର୍ସୋରରେ ଏହି ପ୍ରକଳ୍ପକୁ ପୂର୍ଣ୍ଣରୂପ ଦେବାକୁ ସରକାର ଲାଗି ପଡ଼ିଛନ୍ତି। ତମାଣ୍ଡୋକୁ ଲାଗି ଭୁବନେଶ୍ବର ବାହାରେ ତିନି ରାଜସ୍ବ ଗ୍ରାମ ଗୋଠପାଟଣା, ମଳିପଡ଼ା ଓ ଦାଶପୁରକୁ ନେଇ ଏହି ନୂଆ ସହର ଗଢ଼ା ହେବ। ପୂର୍ବରୁ ୮ଶହରୁ ଅଧିକ ଏକର ଜାଗାରେ ଏହି ନ୍ୟୁ ସିଟି ପ୍ରକଳ୍ପ କରିବାକୁ ଯୋଜନା ହୋଇଥିଲା। କିନ୍ତୁ ଜଙ୍ଗଲ ଜମି ସମସ୍ୟା କାରଣରୁ ନିକଟରେ ଏହାକୁ ୭୮୯ ଏକରକୁ କମାଇ ଦିଆଯାଇଛି। ପ୍ରକଳ୍ପ ପାଇଁ ଜମି ଚିହ୍ନଟ ପରେ ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ପ୍ରକଳ୍ପ କାମ ପାଇଁ କେନ୍ଦ୍ର ସରକାର ୨୫ ପ୍ରତିଶତ, ରାଜ୍ୟ ସରକାର ୨୫ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବେ। ବାକି ୫୦ ପ୍ରତିଶତ ଟଙ୍କା ଋଣ ଆକାରରେ ଅଣାଯିବ।