ଭୁବନେଶ୍ୱର ନ୍ୟୁ ରେଳ ଷ୍ଟେସନ: ଯାତ୍ରୀଙ୍କ ପାଦ ପଡ଼ୁନି

ଦେଢ଼ ବର୍ଷ ହେଲା ଅଟକିନି ପାସେଞ୍ଜର ଟ୍ରେନ୍‌, ୩ ବର୍ଷ ହେଲା ଷ୍ଟେସନରେ ରହିନି ଏକ୍ସପ୍ରେସ୍‌

୨୮ କୋଟିର ପ୍ରକଳ୍ପ କାର୍ଯ୍ୟରେ ଲାଗୁନି
ନାହିଁ ସୁବିଧା ରାସ୍ତା, ମୁହଁ ମୋଡ଼ୁଛନ୍ତି ଯାତ୍ରୀ

ଚନ୍ଦ୍ରଶେଖରପୁର : ୨୦୧୮ ଜୁଲାଇ ୭। ‌ରେଳବାଇ କ୍ଷେତ୍ରରେ ଭୁବନେଶ୍ବର ପାଇଁ ଥିଲା ଐତିହାସିକ ଦିନ। ଭୁବନେଶ୍ବର ସହରର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ମଞ୍ଚେଶ୍ବର ଓ ବାରଙ୍ଗ ଷ୍ଟେସନ୍‌ ମଧ୍ୟରେ ପ୍ରତିଷ୍ଠା କରାଯାଇଥିବା ଭୁବନେଶ୍ବର ନ୍ୟୁ ରେଳଷ୍ଟେସନ୍‌ ଉଦ୍‌ଘାଟିତ ହୋଇଥିଲା। ପୁରୁଣା ତଥା ମାଷ୍ଟରକ୍ୟାଣ୍ଟିନ୍‌ଠାରେ ଥିବା ମୁଖ୍ୟ ରେଳ ଷ୍ଟେସନଠାରୁ ୧୪ କିମି ଦୂରରେ ନିର୍ମାଣ ହୋଇଥିବା ଏହି ଷ୍ଟେସନ୍‌ ଉତ୍ତର ଭୁବନେଶ୍ବର ଓ ବାଙ୍କୀ ନିର୍ବାଚନମଣ୍ଡଳୀର ଲୋକଙ୍କ ଲାଇଫ୍‌ ଲାଇନ୍‌ ପାଲଟିବ ବୋଲି କୁହାଯାଉଥିଲା। ମାତ୍ର ୩ ବର୍ଷ ପରେ ବି ରେଳଷ୍ଟେସନ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଉଦ୍‌ଘାଟନ ପରେ ଏହାର ବିକାଶ ସତେ ଯେମିତି ଅଟକି ଯାଇଛି। କରୋନା ସଂକ୍ରମଣ ଆରମ୍ଭ ହେବା ଦିନରୁ ଅର୍ଥାତ୍‌ ୨୦୨୦ ମାର୍ଚ୍ଚଠାରୁ ଏଠାରେ ଗୋଟିଏ ବି ପାସେଞ୍ଜର ଟ୍ରେନ୍‌ ଅଟକି ନ ଥିବା ବେଳେ ଏକ୍ସପ୍ରେସ୍‌ ଟ୍ରେନ୍‌ ସାତ ସପନ ପାଲଟିଛି। କେବେ ଏହି ‌ରେଳଷ୍ଟେସନ୍‌ ଯାତ୍ରୀଙ୍କ ଆଶା ଆକାଂକ୍ଷା ପୂରଣ କରିବ, ତାହାକୁ ଚାହିଁ ରହିଛନ୍ତି ରାଜଧାନୀବାସୀ।

ଭୁବନେଶ୍ବର ସହରର କଳେବର ବୃଦ୍ଧି ଓ ମାଷ୍ଟରକ୍ୟାଣ୍ଟିନ୍‌ସ୍ଥିତ ଭୁବନେଶ୍ବର ମୁଖ୍ୟ ରେଳ ଷ୍ଟେସନରେ ଟ୍ରେନ୍‌ ଭିଡ଼କୁ ଏଡ଼ାଇବା ଲକ୍ଷ୍ୟରେ ୨୦୧୨-୧୩ରେ ଭୁବନେଶ୍ବର ନ୍ୟୁ ରେଳ ଷ୍ଟେସନର ପରିକଳ୍ପନା କରାଯାଇଥିଲା। ପ୍ରଥମେ ମଞ୍ଚେଶ୍ବର ରେଳ ଷ୍ଟେସନର ବିକାଶ କରିବାକୁ ଯୋଜନା ଥିଲା। ମାତ୍ର ଆବଶ୍ୟକ ଭିତ୍ତିଭୂମି ନ ମିଳିବାରୁ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ନନ୍ଦନକାନନ ପ୍ରଣୀ ଉଦ୍ୟାନ ନିକଟରେ ଭୁବନେଶ୍ବର ନ୍ୟୁ ରେଳଷ୍ଟେସନ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହେଲା। ଏଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବା ସହ ଭିତ୍ତିଭୂମି ବିକାଶ କରିବାକୁ ବଦ୍ଧପରିକର ହେବା ପରେ ୨୦୧୮-୧୯ ଆର୍ଥିକ ବର୍ଷରେ ଏହି ରେଳ ଷ୍ଟେସନ ପୂର୍ଣ୍ଣାଙ୍ଗ ରୂପ ନେଇଥିଲା। ୨୮କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଏହି ରେଳ ଷ୍ଟେସନରେ ୭ଟି ପ୍ଲାଟଫର୍ମ ସହ ୯ଟି ଟ୍ରାକ ନିର୍ମାଣ ହୋଇଛି।

ଏଥିସହ ଦୁଇଟି ରେଲୱେ ଫୁଟଓଭର ବ୍ରିଜ୍‌ ମଧ୍ୟ ନିର୍ମାଣ କରାଯାଇଛି। କିନ୍ତୁ ଏହି ଭିତ୍ତିଭୂମି ଏବେ କୌଣସି କାମରେ ଲାଗୁନି। ଷ୍ଟେସନ୍‌ ଉଦ୍‌ଘାଟନ ହେବା ପରେ ପ୍ରଥମ ପର୍ଯ୍ୟାୟରେ ଯାତ୍ରୀବାହୀ ଟ୍ରେନ୍‌ ଏଠାରେ ରହଣି କରିଥିଲା। ୨୦୧୮ ଜୁଲାଇ ମାସଠାରୁ ପ୍ରଥମ ପର୍ଯ୍ୟାୟରେ ପୁରୀ-ହାଓଡା-ପୁରୀ ପାସେଞ୍ଜର, ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର୍‌ ଓ କଟକ-ବ୍ରହ୍ମପୁର-କଟକ ମେମୁ ‌ଟ୍ରେନ୍‌ ରହଣି କରୁଥିଲା। ପରବର୍ତୀ ସମୟରେ ଆଉ କିଛି ପାସେଞ୍ଜର ଟ୍ରେନ୍‌ ମଧ୍ୟ ଏହି ତାଲିକାରେ ସାମିଲ ହେଲା। ଯାତ୍ରୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଲେ, ଆଗାମୀ ଦିନରେ ଅଧିକ ଟ୍ରେନ୍‌ ଅଟକିବା ନେଇ ଯୋଜନା ମଧ୍ୟ କରାଯାଇଥିଲା। ହେଲେ ଏହି ଷ୍ଟେସନ୍‌ରେ ଯାତ୍ରୀ ବଢ଼ିବେ କ’ଣ, ଏବେ ଯାତ୍ରୀ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଦେଢ଼ ବର୍ଷ ହେଲା ଗୋଟିଏ ବି ପାସେଞ୍ଜର ଟ୍ରେନ୍‌ ଏଠ‌ାରେ ଅଟକି ନାହିଁ କି ଯାତ୍ରୀ ଚଢ଼ିନାହାନ୍ତି। କେବଳ ଯାହା ମାଲବାହୀ ଟ୍ରେନ୍‌ କେତେବେଳେ କେମିତି ଏଠାରେ ଅଟକି ରହୁଥିବା ଦେଖିବାକୁ ମିଳୁଛି।

Odisha Bytes

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଆଜି ପର୍ଯ୍ୟନ୍ତ କୌଣସି ଏକ୍ସପ୍ରେସ୍‌ ଟ୍ରେନ୍‌ ଏହି ଷ୍ଟେସନରେ ରହଣି କରିନାହିଁ। ଯେତେବେଳେ କି ପର୍ଯ୍ୟାୟକ୍ରମେ ଏକ୍ସପ୍ରେସ୍‌ ଟ୍ରେନ୍‌ ରହଣି ଦିଗରେ ପଦକ୍ଷେପ ‌ନିଆଯିବ ବୋଲି ଉଦ୍‌ଘାଟନ ସମୟରେ ପୂର୍ବତଟ ରେଳପଥର ଅଧିକାରୀମାନେ କହିଥିଲେ। ରେଳ ଷ୍ଟେସନ କାର୍ଯ୍ୟକ୍ଷମ ଡେରି ହେଉଥିବାରୁ ଏବେ ଧୀରେଧୀରେ ଷ୍ଟେସନର ସୌନ୍ଦର୍ଯ୍ୟ ବିଗିଡ଼ିବାରେ ଲାଗିଛି। କାଁ ଭାଁ ରେଳ କର୍ମଚାରୀ ଏଠାରେ ରହୁଥିବା ବେଳେ ଷ୍ଟେସନକୁ ସଠିକ୍‌ ଭାବେ ରକ୍ଷଣାବେକ୍ଷଣ କରାଯାଉ ନାହିଁ। ଯେଉଁଥିପାଇଁ ୨୮କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହୋଇଥିବା ଏହି ଷ୍ଟେସନ ଏବେ ଭୂତକୋଠି ପାଲଟିବାକୁ ଯାଉଛି।

ପୂର୍ବତଟ ରେଳପଥ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପାସେଞ୍ଜର ଟ୍ରେନ୍‌ରେ ଆବଶ୍ୟକ ସଂଖ୍ୟକ ଯାତ୍ରୀ ହେଉ ନଥିବାରୁ ରାଜ୍ୟର ଅଧିକାଂଶ ଟ୍ରେନ୍‌ ବନ୍ଦ ରହିଛି। ତେବେ ନିୟମ ମୁତାବକ ସର୍ବନିମ୍ନ ୫୦ ଯାତ୍ରୀ ହେଉ ନ ଥିବା ଷ୍ଟେସନ ଓ ପାସେଞ୍ଜର ହଲ୍ଟଗୁଡ଼ିକରେ ଟ୍ରେନ ରହଣୀ ବନ୍ଦ କରାଯାଇଛି। ସ୍ଥିତି ସ୍ବାଭାବିକ ହେଲା ପରେ ଏଠାରେ ପୁଣିଥରେ ପାସେଞ୍ଜର ଟ୍ରେନ୍‌ ରହିବ। ‌ତେବେ ଭୁବନେଶ୍ବର ନ୍ୟୁ ରେଳ ଷ୍ଟେସନ ପୂର୍ବରୁ ପଟିଆ ଓ ପରେ ବାରଙ୍ଗ ଷ୍ଟେସନ ରହିଛି। ତେଣୁ କରୋନା ପୂର୍ବରୁ ଚାଲୁଥିବା ପାସେଞ୍ଜର ଟ୍ରେନ୍‌ରେ ଆସୁଥିବା ଯାତ୍ରୀ ଉକ୍ତ ଦୁଇ ଷ୍ଟେସନରେ ଓହ୍ଲାଇବା‌ ସହ ଚଢ଼ୁଥିଲେ। ଯେଉଁଥିପାଇଁ ନ୍ୟୁ ରେଳ ଷ୍ଟେସନରେ ଯାତ୍ରୀ ହେଉ ନ ଥିଲେ। ଏହି ଷ୍ଟେସନକୁ ଯୋଗାଯୋଗ ମଧ୍ୟ ଭଲ ନାହିଁ। ଯଦି ନନ୍ଦନକାନନ ରୋଡ୍‌ରୁ ସିଧାସଳଖ ରେଳ ଷ୍ଟେସନକୁ ରାସ୍ତା ନିର୍ମାଣ କରାଯାଆନ୍ତା ‌ତାହା ହେଲେ ଯାତ୍ରୀ ସଂଖ୍ୟା ବୃଦ୍ଧି ସହ ଅଧିକାରୁ ଅଧିକ ଟ୍ରେନ୍‌ ଏଠାରେ ରହଣି କରନ୍ତା।

ସମ୍ବନ୍ଧିତ ଖବର