ଜୁଲାଇ ୭, ୨୦୧୮। ‌ରେଳବାଇ କ୍ଷେତ୍ରରେ ଭୁବନେଶ୍ବରବାସୀଙ୍କ ପାଇଁ ଐତିହାସିକ ଦିନ ଥିଲା। ସହରରେ ବଢ଼ୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ମଞ୍ଚେଶ୍ବର ଓ ବାରଙ୍ଗ ଷ୍ଟେସନ୍‌ ମଝିରେ ଭୁବନେଶ୍ବର ନୂଆ ରେଳଷ୍ଟେସନ୍‌ ପ୍ରତିଷ୍ଠା ହୋଇଥିଲା। ମାଷ୍ଟରକ୍ୟାଣ୍ଟିନ୍‌ଠାରେ ଥିବା ଭୁବନେଶ୍ବର ରେଳ ଷ୍ଟେସନଠାରୁ ୧୪ କିମି ଦୂରରେ ନିର୍ମାଣ ହୋଇଥିବା ଏହି ଷ୍ଟେସନ୍‌ ଉତ୍ତର ଭୁବନେଶ୍ବର ଓ ବାଙ୍କୀ ନିର୍ବାଚନମଣ୍ଡଳୀ ଲୋକଙ୍କ ଲାଇଫ୍‌ ଲାଇନ୍‌ ପାଲଟିବ ବୋଲି କୁହାଯାଉଥିଲା। ଇତିମଧ୍ୟରେ ସାଢ଼େ ୫ ବର୍ଷ ବିତିଗଲାଣି। ଭୁବନେଶ୍ବର ରେଳଷ୍ଟେସନର ନବୀକରଣ ହେଉଛି। ମଞ୍ଚେଶ୍ବର, ଲିଙ୍ଗରାଜ, ସହିଦନଗର ଷ୍ଟେସନର ରୂପ ବଦଳୁଛି। ହେଲେ ଭୁବନେଶ୍ବର ନୂଆ ରେଳ ଷ୍ଟେସନ୍‌ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଯାତ୍ରୀ ପ୍ରତୀକ୍ଷାଳୟର ଉନ୍ନତୀକରଣ ହୋଇନାହିଁ। ପ୍ଲାଟଫର୍ମରେ ପାନୀୟ ଜଳ ସୁବିଧା ନାହିଁ କି ବସିବାକୁ ଭଲ ଚେୟାର ନାହିଁ। ଏବେ କେବଳ ନାହିଁ ନାହିଁରେ ଚାଲିଛି ଏହି ରେଳ ଷ୍ଟେସନ। ଏହି ଷ୍ଟେସନ୍‌ କେବେ ଯାତ୍ରୀଙ୍କ ଆଶା ଆକାଂକ୍ଷା ପୂରଣ କରିବ, ତାହାକୁ ଚାହିଁ ରହିଛନ୍ତି ରାଜଧାନୀବାସୀ।

Advertisment
ସାଢ଼େ ୫ ବର୍ଷ ବିତିଲା, ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲାନି
ଯାତ୍ରୀ ହେଉ ନାହାନ୍ତି, ବଢ଼ୁନି ଟ୍ରେନ୍‌ ସଂଖ୍ୟା
ନଷ୍ଟ ହୋଇଗଲାଣି ପ୍ଲାଟଫର୍ମ ଚଟାଣ

ଚନ୍ଦ୍ରଶେଖରପୁର: ୨୮କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଭୁବନେଶ୍ବର ନୂଆ ରେଳ ଷ୍ଟେସନରେ ୭ଟି ପ୍ଲାଟଫର୍ମ ସହ ୯ଟି ଟ୍ରାକ୍‌ ରହିଛି। ଏଥିସହ ଦୁଇଟି ରେଲୱେ ଫୁଟଓଭର ବ୍ରିଜ୍‌ ମଧ୍ୟ ନିର୍ମାଣ ହୋଇଛି। କିନ୍ତୁ ଏହି ଭିତ୍ତିଭୂମି ଏବେ କୌଣସି କାମରେ ଆସୁନି। ଷ୍ଟେସନ୍‌ ଉଦ୍‌ଘାଟନ ହେବା ପରେ ପ୍ରଥମ ପର୍ଯ୍ୟାୟରେ ପୁରୀ-ହାଓଡ଼ା-ପୁରୀ ପାସେଞ୍ଜର, ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର୍‌ ଓ କଟକ-ବ୍ରହ୍ମପୁର-କଟକ ମେମୁ ‌ଟ୍ରେନ୍‌ ରହଣି କରିଥିଲା। ପରବର୍ତ୍ତୀ ସମୟରେ ଆଉ କିଛି ପାସେଞ୍ଜର ଟ୍ରେନ୍‌ ମଧ୍ୟ ଏହି ତାଲିକାରେ ଯୋଡ଼ି ହୋଇଥିଲା। ଯାତ୍ରୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଲେ, ଆଗାମୀ ଦିନରେ ଅଧିକ ଟ୍ରେନ୍‌ ଅଟକିବା ନେଇ ଯୋଜନା ମଧ୍ୟ ହୋଇଥିଲା। ‌ତେବେ ଏହି ଷ୍ଟେସନ୍‌ରେ ଯାତ୍ରୀ ବଢ଼ିବେ କ’ଣ, ଏବେ ସେବା ଠପ୍‌ ହେବାକୁ ବସିଲାଣି। ହାତଗଣତି ୭ଟି ପାସେଞ୍ଜର ଟ୍ରେନ୍‌ ଏଠ‌ାରେ ଅଟକୁଛି, ହେଲେ ଯାତ୍ରୀ ଚଢ଼ୁନାହାନ୍ତି। ଷ୍ଟେସନର ନବୀକରଣ କରିବାକୁ ୨୦୨୨ରେ ପୂର୍ବତଟ ରେଳପଥର ତତ୍‌କାଳୀନ ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀ ଗସ୍ତ କରି ସଡ଼କ ଯୋଗାଯୋଗ ସହ ଅନ୍ୟାନ୍ୟ ନିରାପତ୍ତା ଓ ସୁରକ୍ଷା କାର୍ଯ୍ୟ ତ୍ୱରାନ୍ୱିତ ଉପରେ ଗୁରୁତ୍ୱାରୋପ କରିଥିଲେ। ରେଳ ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ ପରେ କୁହାଯାଇଥିଲା ଯେ ଷ୍ଟେସନ୍‌ର ନୂତନ କୋଠାରେ ଉଚ୍ଚସ୍ତରୀୟ ପ୍ଲାଟଫର୍ମ, ଏଫ୍‌ଓବି, ପ୍ଲାଟଫର୍ମ ସେଲ୍ଟର, ୱାଟର ହାଇଡ୍ରାଣ୍ଟ ଆଦି କାର୍ଯ୍ୟ ସରିଛି। ଏବେ ପ୍ରାୟ ୨୦କୋଟି ଟଙ୍କାରେ ଅପର୍‌ କ୍ଲାସ ୱେଟିଂ ରୁମ୍‌, ସେକେଣ୍ଡ କ୍ଲାସ ୱେଟିଂ ରୁମ୍‌, ଆରଆର, ଡିଆର୍‌, ଭିଆପି ଲାଉଞ୍ଜ୍‌, ସିଆଇବି, ଟିଆଇବି, ଅଟୋ ପିଏ ସିଷ୍ଟମ୍‌, ସାଇନ୍‌ଏଜ୍‌ ଆଦି କାର୍ଯ୍ୟ ଚାଲିଛି। ଷ୍ଟେସନକୁ ସଂଯୋଗକାରୀ ରାସ୍ତା ନିର୍ମାଣ ନେଇ ମଧ୍ୟ ଆଲୋଚନା ହୋଇଥିଲା। ଏଥିସହ ପ୍ରାୟ ୨୩ ଲକ୍ଷ ଟଙ୍କା ବ୍ୟୟରେ ଷ୍ଟେସନରେ ଷ୍ଟିଲ୍‌ ବେଞ୍ଚ୍‌ର ବ୍ୟବସ୍ଥା କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ନେଇ ସୂଚନା ମିଳିଥିଲା। ଇତିମଧ୍ୟରେ ‌ଦେଢ଼ ବର୍ଷ ବିତିଗଲାଣି। ଷ୍ଟିଲ୍‌ ବେଞ୍ଚ୍‌ ସାତସପନ ପାଲଟିଛି। ପ୍ଲାଟଫର୍ମରେ ଯେଉଁ କିଛି ସିମେଣ୍ଟ ଚେୟାର ପଡ଼ିଛି ସେଥିରୁ ପ୍ଲାଷ୍ଟର ଛାଡ଼ିଗଲାଣି। ଚେୟାର ଯେଉଁଠି ରହିବା କଥା ସେଠାରେ ନାହିଁ। ପ୍ଲାଟଫର୍ମ ଚଟାଣରୁ ଗୋଡ଼ି, ବାଲି, ସିମେଣ୍ଟ ଉଠିବା ସହ ଏଣେତେଣେ ଖେଳାଇ ହୋଇପଡ଼ିଛି। ଉଭୟ ପ୍ଲାଟଫର୍ମକୁ ସଂଯୋଗ କରୁଥିବା ରେଲୱେ ଫୁଟଓଭର ବ୍ରିଜ୍‌ ଚଢ଼ିବା ବେଳେ ଯାତ୍ରୀଙ୍କୁ ଅଳିଆ ଗଦା ସ୍ବାଗତ କରିବାର ଦୃଶ୍ୟ ସାମ୍ନାକୁ ଆସିଛି।

ପୂର୍ବତଟ ରେଳପଥର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନିୟମ ମୁତାବକ ଯାତ୍ରୀ ହେଉ ନ ଥିବା ଷ୍ଟେସନ ଓ ପାସେଞ୍ଜର ହଲ୍ଟଗୁଡ଼ିକରେ ଟ୍ରେନ ରହଣିର ବ୍ୟବସ୍ଥା ନାହିଁ। ଭୁବନେଶ୍ବର ଆଡ଼ୁ ଯାଉଥିବା ଯାତ୍ରୀବାହୀ ଟ୍ରେନ୍‌ଗୁଡ଼ିକରେ ଯିବାକୁ ହେଲେ ଯାତ୍ରୀଙ୍କ ପାଇଁ ଭୁବନେଶ୍ବର ନୂଆ ରେଳ ଷ୍ଟେସନ ପୂର୍ବରୁ ପଟିଆ ଓ ପରେ ବାରଙ୍ଗ ରେଳ ଷ୍ଟେସନ ରହିଛି। ଏହି ଷ୍ଟେସନକୁ ଯୋଗାଯୋଗ ସୁବିଧା ଉପଲବ୍ଧ ହୋଇପାରି ନାହିଁ କି ନିୟମିତ ଭାବେ ଯାତ୍ରୀବାହୀ ଗାଡ଼ି ଚଳାଚଳ କରୁନି। ପାଣି ବୋତଲଟିଏ କିଣିବାକୁ ଦୋକାନ ଟିଏ ଖୋଜିଲେ ବି ଦେଢ଼ କିଲୋମିଟର ଯିବାକୁ ପଡ଼ୁଛି। ତେଣୁ ଯାତ୍ରୀମାନେ ଏଠାକୁ ଆସିବା ପରିବର୍ତ୍ତେ ପଟିଆ ଓ ବାରଙ୍ଗ ଷ୍ଟେସନରେ ଟ୍ରେନ୍‌ ଚଢ଼ିବାକୁ ଉଚିତ୍‌ ମଣୁଛନ୍ତି। ପାସେଞ୍ଜର ଟ୍ରେନ୍‌ ପାଇଁ ଲୋକ ହେଉନଥିବା ବେଳେ ଏକ୍ସପ୍ରେସ୍‌ କିଭଳି ଚାଲିବ ବୋଲି ସେ କହିଛନ୍ତି।

ମାଲବାହୀ ଟ୍ରେନ୍‌ର ରହଣିସ୍ଥଳ
୨୦୧୨-୧୩ରେ ଭୁବନେଶ୍ବର ନୂଆ ରେଳ ଷ୍ଟେସନ୍‌ର ପରିକଳ୍ପନା କରାଯାଇଥିଲା। ପ୍ରଥମେ ମଞ୍ଚେଶ୍ବର ରେଳ ଷ୍ଟେସନ୍‌ର ବିକାଶ କରିବାକୁ ଯୋଜନା ଥିଲା। ମାତ୍ର ଆବଶ୍ୟକ ଭିତ୍ତିଭୂମି ନ ମିଳିବାରୁ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ନନ୍ଦନକାନନ ପ୍ରଣୀଉଦ୍ୟାନ ନିକଟରେ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହେଲା ଓ ୨୦୧୮-୧୯ ଆର୍ଥିକ ବର୍ଷରେ ପୂର୍ଣ୍ଣାଙ୍ଗ ରୂପ ନେଲା। ସେବେଠାରୁ ଏହି ଷ୍ଟେସନ ମାଲବାହୀ ଟ୍ରେନ୍‌ର ରହଣି ସ୍ଥଳ ପାଲଟିଛି। ଆଗରେ ଟ୍ରାଫିକ୍‌ ଭିଡ଼ ରହିଲେ ଉଭୟ ଦିଗରୁ ଚଳାଚଳ କରୁଥିବା ମାଲବାହୀ ଟ୍ରେନ୍‌ଗୁଡ଼ିକ ଏଠାରେ ରହଣି କରୁଛି। କେତେକ ଟ୍ରେନ୍‌ ଦିନେ ଦୁଇ ଦିନ ଅଟକି ରହୁଛି। ଗୋଟିଏ ସମୟରେ ଭାରତ ଗୌରବ ପର୍ଯ୍ୟଟକ ଟ୍ରେନ୍‌ର ୮ ବଗି ୨୦ ଦିନ ଧରି ଏଠାରେ ଅଟକି ରହିଥିବା ସ୍ଥାନୀୟ ଲୋକେ କହିଛନ୍ତି।

ଫ୍ୟାନ୍‌ ବୁଲୁନି, ଶୌଚାଳୟରେ ତାଲା
ଷ୍ଟେସନରେ ଯାତ୍ରୀଙ୍କ ପାଇଁ ସର୍ବନିମ୍ନ ମୌଳିକ ସୁବିଧା ଉପଲବ୍ଧ ହୋଇନାହିଁ। ଯାତ୍ରୀ ପ୍ରତୀକ୍ଷାଳୟ ହୋଇଥିଲେ ମଧ୍ୟ ସେଠାରେ ଲାଗିଥିବା ଫ୍ୟାନ୍‌ ଚାଲୁନି। ପ୍ଲାଟଫର୍ମର ଏକାଧିକ ସ୍ଥାନରେ ଲେଖାଯାଇଛି ଯେ ଏହି ଷ୍ଟେସନ ଲାଇନ୍‌ଗୁଡ଼ିକ ବିଦ୍ୟୁତ୍‌କରଣ ହୋଇଥିବାରୁ ବିଦ୍ୟୁତ୍‌ ତାର ଓ ଏହାର ସରଞ୍ଜାମଗୁଡ଼ିକଠାରୁ ଦୂରେଇ ରୁହନ୍ତୁ। ଯାତ୍ରୀଙ୍କ ସଚେତନ ପାଇଁ ଏତେ କଥା ଲେଖା ଯାଇଥିଲେ ମଧ୍ୟ ବିଦ୍ୟୁତ୍‌ ସଂଯୋଗ ନାହିଁ କି ଫ୍ୟାନ୍‌ ବୁଲୁ ନାହିଁ। ପ୍ରବେଶ ପଥରେ ଥିବା ଦୁଇଟି ଯାକ ଶୌଚାଳୟରେ ତାଲା ଝୁଲୁଛି।