ଚନ୍ଦ୍ରଶେଖରପୁର: ଭୁବନେଶ୍ୱର ନୂଆ ଷ୍ଟେସନକୁ ଅଧିକ କ୍ରିୟାଶୀଳ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ଷ୍ଟେସନରୁ ୩ଟି ଦୂରଗାମୀ ଏକ୍ସପ୍ରେସ୍‌ ଟ୍ରେନ୍‌ ଯାତ୍ରା ଆରମ୍ଭ କରିବା ସହ ସେଠାରେ ହିଁ ଯାତ୍ରା ଶେଷ କରିବ। ଏହି ଟ୍ରେନ୍‌ଗୁଡ଼ିକ ହେଲା ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍, ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ୍‌ ଓ ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍। ଏହି ପରିବର୍ତ୍ତନଗୁଡ଼ିକ ପାଇଁ କାର୍ଯ୍ୟାନ୍ୱୟନ ତାରିଖ ଖୁବ୍‌ଶୀଘ୍ର ଘୋଷଣା କରାଯିବ। ‘୨୮ କୋଟିର ଷ୍ଟେସନ ଏବେ ଭୂତକୋଠି’ ଶୀର୍ଷକ ଖବର ମାର୍ଚ୍ଚ ୪ରେ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ପୂର୍ବତଟ ରେଳପଥ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

୩ଟି ଟ୍ରେନ୍‌ ଏଠାରୁ ଛାଡ଼ିବ
କୋଣାର୍କ ସମେତ ବିଶାଖା, ଇଣ୍ଟରସିଟି ଏକ୍ସପ୍ରେସ୍‌ ସାମିଲ
ବିଦ୍ୟାର୍ଥୀ, ପର୍ଯ୍ୟଟକ ଓ ରୋଗୀଙ୍କ ପାଇଁ ସହାୟକ ହେବ
ତିନିଟି ଯାକ ଟ୍ରେନ୍ ମଞ୍ଚେଶ୍ୱର ଷ୍ଟେସନରେ ରହଣି କରିବ

ଏହି ଷ୍ଟେସନର ଉନ୍ନତୀକରଣ ସହ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ। ସର୍କୁଲେଟିଂ ବା ଚଳପ୍ରଚଳ କ୍ଷେତ୍ରର ସମ୍ପ୍ରସାରଣ ଓ ଉନ୍ନତୀକରଣ, ଅତିରିକ୍ତ ଫୁଟ ଓଭର ବ୍ରିଜ୍ ନିର୍ମାଣ, ଉନ୍ନତ ଯାତ୍ରୀ ସେବା, ଆଧୁନିକ ପ୍ରତୀକ୍ଷାକକ୍ଷ ଏବଂ ଶୌଚାଳୟ ବ୍ୟବସ୍ଥା କରାଯିବ। ବର୍ତ୍ତମାନ ଥିବା ପ୍ଲାଟଫର୍ମ ଓ ଆଲୋକୀକରଣର ଉନ୍ନତୀକରଣ ହେବ। ବଗିଗୁଡ଼ିକରେ ପାଣି ଭର୍ତ୍ତି କରିବାର ସୁବିଧା ସ୍ଥାପନ, ସମସ୍ତ ପ୍ଲାଟଫର୍ମରେ ଲିଫ୍ଟ ବ୍ୟବସ୍ଥା, ବର୍ତ୍ତମାନ ଷ୍ଟେସନ କୋଠାର ଉନ୍ନତୀକରଣ କରିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ଭୁବନେଶ୍ୱର ନୂତନ ଷ୍ଟେସନ ଛାତ୍ର, ଯାତ୍ରୀ, ଉତ୍ତର ଭୁବନେଶ୍ୱର ଓ ସଂଲଗ୍ନ ଅଞ୍ଚଳର ବାସିନ୍ଦାଙ୍କ ଯାତ୍ରା ଆବଶ୍ୟକତା ପୂରଣ କରିବାକୁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହେବାକୁ ଯାଉଛି। ଏହି ପଦକ୍ଷେପ ରେଳ ସଂଯୋଗକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ ଏବଂ ଅନେକ ଯାତ୍ରୀଙ୍କ ଯାତ୍ରା ଅଭିଜ୍ଞତାକୁ ସହଜ କରିବ। ପୂର୍ବତଟ ରେଳପଥ ଏହାର ଯାତ୍ରୀମାନଙ୍କ ପାଇଁ ଉନ୍ନତ ଟ୍ରେନ୍ ସେବା ଏବଂ ସୁଗମ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବାକୁ ପ୍ରତିବଦ୍ଧ ବୋଲି ‌ରେଳପଥ ପକ୍ଷରୁ କୁହାଯାଇଛି।

ଭୁବନେଶ୍ୱର ନୂଆ ଷ୍ଟେସନରୁ ଯାତ୍ରା ପ୍ରାରମ୍ଭ କରିବାକୁ ଥିବା ଏହି ଟ୍ରେନ୍‌ଗୁଡ଼ିକ ଭୁବନେଶ୍ୱର ଉତ୍ତର ଓ ସଂଲଗ୍ନ ଅଞ୍ଚଳର ଯାତ୍ରୀମାନଙ୍କୁ ଲାଭ ପ୍ରଦାନ କରିବ। ଏହି ଟ୍ରେନଗୁଡ଼ିକ ମଞ୍ଚେଶ୍ୱର ରେଳ ଷ୍ଟେସନରେ ଦୁଇ ମିନିଟ୍ ରହଣି କରିବେ। ଉତ୍ତର ଭୁବନେଶ୍ୱର ଅଞ୍ଚଳରେ ଅବସ୍ଥିତ ଅନେକ ଇଞ୍ଜିନିୟରିଂ, ମେଡିକାଲ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଭୁବନେଶ୍ୱର ନୂଆ ଷ୍ଟେସନ ଏକ ସୁବିଧାଜନକ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ହସ୍ପିଟାଲ ଯାତ୍ରା ଆବଶ୍ୟକ କରୁଥିବା ଯାତ୍ରୀମାନେ ବହୁତ ଉପକୃତ ହେବେ। କାରଣ ଭୁବନେଶ୍ୱର ସହରର ଏହି ଅଂଶରେ ଅନେକ ହସ୍ପିଟାଲ ରହିଛି। ଏହି ଷ୍ଟେସନରୁ ଟ୍ରେନଗୁଡ଼ିକ ଯାତ୍ରା ପ୍ରାରମ୍ଭ କରିବା ଦ୍ବାରା ସ୍ଥାନୀୟ ବାସିନ୍ଦାମାନେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନ ଯିବା ଆସିବା ସମସ୍ୟା ଏଡ଼ାଇବା ସହ ଏଠାରେ କମ୍ ଭିଡ଼ ଅନୁଭବ କରିବେ। ଅମୃତ ଷ୍ଟେସନ ଯୋଜନା ଅଧୀନରେ ଭୁବନେଶ୍ୱର ନୂତନ ଷ୍ଟେସନର ପୁନର୍ବିକାଶ କରିବାକୁ ପ୍ରସ୍ତାବ ରହିଛି। ଯାହାର ପ୍ରାଥମିକ ଧ୍ୟାନ ଯାତ୍ରୀଙ୍କ ସୁବିଧା ବୃଦ୍ଧି ଉପରେ ରହିଛି।