ଚନ୍ଦ୍ରଶେଖରପୁର: କ୍ଲବ୍ ଟାଉନ୍ ପଡ଼ିଆରେ ଚାଲିଥିବା ଭୁବନେଶ୍ୱର ଉତ୍ତର ମହୋତ୍ସବର ଆଜିର ସନ୍ଧ୍ୟା ଥିଲା ଟିକିଏ ନିଆରା। କଣ୍ଠଶିଳ୍ପୀ କୁମାର ବାପି ଓ ପ୍ରଜ୍ଞାଙ୍କ କଣ୍ଠର ଯାଦୁରେ ବାନ୍ଧି ହୋଇଯାଇଥିଲେ ହଜାର ହଜାର ଶ୍ରୋତା। ଥଣ୍ଡା ଅନୁଭୂତ ହେଉଥିଲେ ମଧ୍ୟ ତାହାକୁ ଖାତିର ନକରି ଶ୍ରୋତା ମଞ୍ଚ ତଳେ ଛିଡ଼ା ହୋଇରହିଥିଲେ। ଉଭୟଙ୍କ ଦ୍ବାରା ପରିବେଷିତ ଗୋଟିଏ ପରେ ଗୋଟିଏ ସଙ୍ଗୀତ ଶୀତୁଆ ସନ୍ଧ୍ୟାରେ ଉଷ୍ମତା ଭରିଥିଲେ। ଆଧୁନିକ ଆଲବମ୍ ସାଙ୍ଗକୁ ପୁରୁଣା ଓଡ଼ିଆ ସିନେମାର ଗୀତ ମଧ୍ୟ ଶୁଣିବାକୁ ମିଳିଥିଲା।
ସାଂସ୍କୃତିକ କାର୍ଯ୍ୟକ୍ରମ ପୂର୍ବରୁ ଭୁବନେଶ୍ବର ଉତ୍ତର ମହୋତ୍ସବ କମିଟିର ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରଶାସକ ପାର୍ଥସାରଥି ମିଶ୍ର, ଓଡିଏମ୍ ଗ୍ରୁପର ଅଧ୍ୟକ୍ଷ ସତ୍ୟବ୍ରତ ମୀନକେତନ, ମଧୁକୁଞ୍ଜ ଗ୍ରୁପର ଅଧ୍ୟକ୍ଷ ରାମବିଳାସ ଅଗ୍ରୱାଲ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ମହେଶ ପ୍ରସାଦ ମହାନ୍ତି, ନିରଞ୍ଜନ ମିଶ୍ର, ପରିଚୟ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ସଭାନେତ୍ରୀ ରୋଜାଲିନ ପାଟ୍ଟଶାଣୀ ମିଶ୍ର, କର୍ପୋରେଟର୍ ଯଶୋଧାରା ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ମହୋତ୍ସବ ଭାଇଚାରା ସୃଷ୍ଟି କରିବାରେ ଏହା ସହାୟକ ହେବ ବୋଲି କହିଥିଲେ। କମିଟି ସଭାପତି କୁନାଲ ରାଉତ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସ୍ବାକ୍ଷର ରଞ୍ଜନ ମହାନ୍ତି ମଞ୍ଚ ପରିଚାଳନା କରିଥିଲା ବେଳେ ସରୋଜକାନ୍ତ ମଲ୍ଲିକ ସଂଯୋଜନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/11/untitled-7-2025-11-11-07-14-16.jpg)