ବର୍ଜ୍ୟମୁକ୍ତ ସହର ନହେବା ମହଙ୍ଗା ପଡ଼ିଲା : ପୂର୍ବ ଭୁଲ୍‌ରୁ କିଛି ଶିଖିଲେନି

ଭୁବନେଶ୍ୱର : ସ୍ୱଚ୍ଛ ସର୍ବେକ୍ଷଣ ୨୦୧୭ରେ ୯୪ତମ ର‍୍ୟାଙ୍କ, ୨୦୧୮ରେ ୨୪୩ତମ ର‍୍ୟାଙ୍କ, ୨୦୧୯ରେ ୨୮୮ତମ ର‍୍ୟାଙ୍କ ପାଇଥିଲା ଭୁବନେଶ୍ବର। ୨୦୨୦ରେ ପାଇଲା ୨୩୩ତମ ର‍୍ୟାଙ୍କ। ବର୍ଷ ବଢ଼ିବା ସହ ଭୁବନେଶ୍ବରର ପରିମଳ ବ୍ୟବସ୍ଥା ବିଗିଡ଼ି ଚାଲିଛି। ଯେତେବେଳେ ସ୍ବଚ୍ଛ ସର୍ବେକ୍ଷଣରେ ଦେଶର ଏବଂ ଆମ ରାଜ୍ୟର ଅନ୍ୟ ସହରଗୁଡ଼ିକର ର‍୍ୟାଙ୍କ ବଢ଼ି ବଢ଼ି ଚାଲିଛି, ସେତେବେଳେ ଭୁବନେଶ୍ବରର ର‍୍ୟାଙ୍କ କମୁଛି। ସ୍ଥିତି ଏପରି ହୋଇଛି ଯେ ସ୍ମାର୍ଟସିଟି ପ୍ରତିଯୋଗିତାରେ ସାରା ଦେଶରେ ପ୍ରଥମ ହୋଇଥିବା ଭୁବନେଶ୍ବର ସ୍ବଚ୍ଛତା ପ୍ରତିଯୋଗିତାରେ ଚିତ୍‌ପଟାଙ୍ଗ ମାରି ପଡ଼ିଛି। କେବଳ ଏତିକି ନୁହେଁ, ରାଜ୍ୟର ବିଭିନ୍ନ ସହର ବି ଭୁବନେଶ୍ବରକୁ ପଛରେ ପକାଇ ଦେଲେଣି। ଯେଉଁ ସହରଗୁଡ଼ିକ ଅପରିଷ୍କାର ବୋଲି ସେହି ସହରବାସୀ ନାକ ଟେକୁଥିଲେ, ଆଜି ର‍୍ୟାଙ୍କ ପ୍ରକାଶ ପାଇବା ପରେ ସେମାନେ ଛାତି ଫୁଲାଇ ଚାଲୁଛନ୍ତି।

ଭୁବନେଶ୍ବର ଗତ ୩ ବର୍ଷ ହେଲା ଯେଉଁ ସବୁ କାରଣ ପାଇଁ ପଛରେ ପଡ଼ୁଛି, ଏଥର ବି ସମାନ କାରଣ ପାଇଁ ପଛରେ ପଡ଼ିଛି। କିନ୍ତୁ କର୍ତ୍ତୃପକ୍ଷ ସଦାବେଳେ ଆଳ ଦେଖାଇ ଆସିଛନ୍ତି। ଏଇ କାରଣ ପାଇଁ ଭଲ ର‍୍ୟାଙ୍କ ମିଳିଲାନି, ସେ କାରଣ ପାଇଁ ମିଳିଲାନି କୁହନ୍ତି। ଆଉ କୁହନ୍ତି ଯେ ଆସନ୍ତାବର୍ଷ ନିଶ୍ଚିତ ଭଲ ରୢାଙ୍କ ମିଳିବ। କିନ୍ତୁ ତାହା ହୁଏନି। ଆଜି ଯାଏ କଠିନ ବର୍ଜ୍ୟବସ୍ତୁ, ତରଳ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ନହେବା ଭୁବନେଶ୍ବର ପଛରେ ପଡ଼ିବାର ମୁଖ୍ୟ କାରଣ। ଯେଉଁଥିପାଇଁ ଭୁବନେଶ୍ବର ବର୍ଜ୍ୟମୁକ୍ତ ସହର ହୋଇପାରିଲାନି। ଏହି ବାବଦକୁ ହଜାରେ ମାର୍କ କଟିଗଲା। ରାସ୍ତା ସଫା ହେଉଛି। କିନ୍ତୁ ପୃଥକୀକରଣ କରି ଆବର୍ଜନା ସଂଗ୍ରହ କରାଯାଉନି। ଆବର୍ଜନା ସଂଗ୍ରହ ହେବା ପରେ ଏହାକୁ ବିଶୋଧନ କରିବାକୁ କିଛି ବ୍ୟବସ୍ଥା ନାହିଁ, ପୁନଃ ବ୍ୟବହାର ପାଇଁ କିଛି ଯୋଜନା ନାହିଁ। ତେଣୁ ଆଖିକୁ ସଫାସୁତରା ‌ଦିଶୁଥିବା ଭୁବନେଶ୍ବରକୁ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ବର୍ଜ୍ୟମୁକ୍ତ ସହର ମାନ୍ୟତା ଦେଲାନି। କେବଳ ଏତିକି ନୁହେଁ, ବିଏମ୍‌ସି ଗତ ୪ବର୍ଷ ଭିତରେ ଏମିତି କିଛି ଅଭିନବ ଉପାୟ ଆପଣାଇ ନାହାନ୍ତି ଯେ ଯେଉଁଥିପାଇଁ ଅଧିକ ମାର୍କ ପାଇଯିବେ। ବ୍ରହ୍ମପୁର ମହାନଗର ନିଗମ ଅଭିନବ ଉପାୟ ଅବଲମ୍ବନ କରି ଲମ୍ବା ଡିଆଁ ମାରି ଭଲ ର‍୍ୟାଙ୍କ ପାଇଥିଲେ ହେଁ ଭୁବନେଶ୍ବର ପାଇଁ ବିଏମ୍‌ସି କିଛି କରିପାରିଲାନି।

ରାଜଧାନୀରେ ପରିମଳ ବ୍ୟବସ୍ଥା ଏମିତି ନଥିଲା ଯେ ଲୋକ ଭଲ କହି ପ୍ରଶଂସା କରିବେ, ଯାହା ମାର୍କ କଟିବାର ଅନ୍ୟତମ କାରଣ। ଭୁବନେଶ୍ବର ସ୍ବଚ୍ଛ ସର୍ବେକ୍ଷଣରେ ଏଥର ପଛରେ ପଡ଼ିବ ବୋଲି ସ୍ବଚ୍ଛ ସର୍ବେକ୍ଷଣ ୨୦୨୦ ଲିଗ୍ ରୢାଙ୍କିଙ୍ଗ ପ୍ରକାଶ ପାଇବା ବେଳେ ଜଣା ପଡ଼ି ଯାଇଥିଲା। ଭୁବନେଶ୍ବର ଲିଗ୍‌ ପର୍ଯ୍ୟାୟରେ ଆଣ୍ଠେଇ ଥିବାରୁ ଫାଇନାଲରେ ପଛରେ ପଡ଼ିବା ଥୟ ଥିଲା। ତାହା ବି ହେଲା। ସ୍ବଚ୍ଛ ସର୍ଭେକ୍ଷଣ-୨୦୨୦ରେ ମୋଟ୍‌ ୬୦୦୦ ମାର୍କକୁ ନେଇ ପ୍ରତିଯୋଗିତା ହେଉଥିବା ବେଳେ ଏଥିରୁ ୪୫୦୦ ମାର୍କ ଜାନୁଆରି ୪ରୁ ୩୧ ତାରିଖ ପର୍ଯ୍ୟନ୍ତ ହୋଇଥିବା ପ୍ରତିଯୋଗିତା ପାଇଁ ଥିଲା। ବାକି ୧୫୦୦ ମାର୍କ ୨୦୧୯ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ହୋଇଥିବା ତିନିଟି କ୍ବାର୍ଟରରେ ମିଳିଥିବା ମାର୍କକୁ ହିସାବକୁ ନେଇ ଦିଆଯାଇଥିଲା। ମୋଟ୍‌ ଉପରେ ୬ହଜାର ମାର୍କକୁ ଏଥର ୪ ଭାଗରେ ବିଭକ୍ତ କରାଯାଇଥିଲା। ଏଥିରେ ୨୫% ବା ୧୫୦୦ ମାର୍କ ଲୋକଙ୍କ ମତାମତକୁ ନେଇ ଦିଆଯାଇଥିବା ବେଳେ ଆଉ ୨୫% କେନ୍ଦ୍ରୀୟ ଟିମ୍‌ର ପ୍ରତ୍ୟକ୍ଷ ପରିଦର୍ଶନର ରିପୋର୍ଟ ଉପରେ, ୨୫%ମାର୍କ ସ୍ବଚ୍ଛ ସର୍ବେକ୍ଷଣ ସାର୍ଟିଫିକେସନ୍‌ରୁ ଦିଆଯାଇଛି। ଏଥିରେ ଓଡିଏଫ୍ ପାଇଁ ୫୦୦ ମାର୍କ ଏବଂ ଜିଏଫ୍‌ସି (ବର୍ଜ୍ୟମୁକ୍ତ ସହର) ପାଇଁ ୧୦୦୦ ମାର୍କ ଥିଲା। ଶେଷ ୨୫% ଅର୍ଥାତ୍ ୧୫୦୦ ମାର୍କ ପୂର୍ବରୁ ଦିଆଯାଉଥିବା ସେବାରେ ହୋଇଥିବା ଉନ୍ନତିକୁ ଆଧାର କରି ଦିଆଯାଇଛି। ଅର୍ଥାତ୍ ୨୦୦ ମାର୍କ ଲିଗ୍ ର‍୍ୟାଙ୍କିଙ୍ଗରୁ ଏବଂ ୧୩୦୦ ମାର୍କ ସେବାରେ ପ୍ରଗତି ବାବଦରେ ରଖାଯାଇଥିଲା।

ସମ୍ବନ୍ଧିତ ଖବର

Comments are closed.