୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଭୁବନେଶ୍ବରକୁ ରାଜଧାନୀ ମାନ୍ୟତା ମିଳିଥିଲା। ଆଜି ୭୩ ବର୍ଷରେ ପଦାର୍ପଣ କରିଛି ଆମ ରାଜଧାନୀ। ବିଗତ ବର୍ଷମାନଙ୍କରେ ଅନେକ ପ୍ରାକୃତ୍ରିକ ବିପର୍ଯ୍ୟୟର ମୁକାବିଲା କରି ଏବଂ ବାଧାବିଘ୍ନକୁ ଅତିକ୍ରମ କରି କ୍ରମଶଃ ସମୃଦ୍ଧ ହେଉଛି ଭୁବନେଶ୍ବର। ଐତିହ୍ୟ, କୀର୍ତ୍ତିରାଜି, ମନ୍ଦିର, ସ୍ଥାପତ୍ୟରେ ଭରପୂର ଭୁବନେଶ୍ବର ବିଶ୍ବ ଦରବାରରେ ନୂଆ ରୂପରେ ପରିଚିତ ହୋଇଛି। ଏକଦା ବଣ, ପାହାଡ଼ ଘେରା, ଶଗଡ଼ ଗୁଳାର ରାସ୍ତା ଥିବା ରାଜଧାନୀ ଏବେ ସ୍ମାର୍ଟ ସିଟି ପାଲଟିଛି। ଚକାଚକ୍ ରାସ୍ତା, ବଡ଼ବଡ଼ ଫ୍ଲାଏଓଭର ହୋଇଛି। ବିଶ୍ବସ୍ତରୀୟ ରେଳ ଷ୍ଟେସନ, ବସଷ୍ଟାଣ୍ଡ ନିର୍ମାଣ ହେଉଛି। ଏକ ବିକଶିତ ସହରରେ ପରିଣତ ହେବାର ସ୍ବପ୍ନ ଦେଖୁଥିବା ରାଜଧାନୀରେ ଅନେକ ବିକାଶମୂଳକ କାମ ଚାଲିଛି। କେବଳ ଖଣ୍ଡଗିରି, ଉଦୟଗିରି, ଶ୍ରୀ ଲିଙ୍ଗରାଜ ମନ୍ଦିର, ଧଉଳି କି ଶିଶୁପାଳଗଡ଼ର ଇତିହାସକୁ ନେଇ ଭୁବନେଶ୍ବରର ପରିଚୟ ସୀମିତ ନାହିଁ। ବିଶ୍ବ ଦରବାରରେ ଭୁବନେଶ୍ବର ଶିକ୍ଷା ହବ୍, ଆଇଟି ହବ୍ର ପରିଚୟ ପାଇଛି। ଆଇଆଇଟି,ଏମ୍ସ, ନାଇଜର୍, ଓୟୁଏଟି, ଉତ୍କଳ ବିଶ୍ବବିଦ୍ୟାଳୟ, କିଟ୍ ଓ ସୋଆର ଛାତ୍ରଛାତ୍ରୀ ଭୁବନେଶ୍ବର ପାଇଁ ନୂଆ ପରିଚୟ ସୃଷ୍ଟି କଲେଣି। ପୁରୁଷ ହକି ବିଶ୍ବକପ୍, ଏସିଆନ୍ ଆଥ୍ଲେଟିକ ଗେମ୍ ଭଳି ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରି ଭୁବନେଶ୍ବର ଦେଶର କ୍ରୀଡ଼ା ରାଜଧାନୀ ପାଲଟି ଯାଇଛି। ବିଶ୍ବ ମାନଚିତ୍ରରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ରାଜଧାନୀ ଭୁବନେଶ୍ବର ଯେ ଆଗାମୀ ଦିନରେ ସମୃଦ୍ଧି ପଥରେ ଆହୁରି ଅନେକ ଆଗକୁ ବଢ଼ିବ ଏଥିରେ ସନ୍ଦେହ ନାହିଁ। ଆଜି ରାଜଧାନୀର ୭୩ତମ ପ୍ରତିଷ୍ଠା ଦିବସରେ ବିଶ୍ବଜିତ ଦାଶଙ୍କ ସ୍ବତନ୍ତ୍ର ପ୍ରତିବେଦନ।
୧୯୩୩ ମସିହାରେ ଓଡ଼ିଶା ପ୍ରଶାସନିକ କମିଟି ରାଜଧାନୀ ସ୍ଥାପନ ପାଇଁ କଟକସ୍ଥିତ ଚାଉଳିଆଗଞ୍ଜ ଅଞ୍ଚଳକୁ ବାଛି ପ୍ରସ୍ତାବିତ ରିପୋର୍ଟ ସରକାରଙ୍କୁ ଦେଇଥିଲା। କିନ୍ତୁ କଟକର ଉଭୟ ପାର୍ଶ୍ବରେ ମହାନଦୀ ଓ କାଠଯୋଡ଼ି ପ୍ରବାହିତ ହେଉଥିବାରୁ ଏଠାରେ ରାଜଧାନୀ ପ୍ରତିଷ୍ଠା କରିବା ସୁବିଧାଜନକ ହେବ ନାହିଁ ବୋଲି ବ୍ରିଟିସ ସରକାର ଅନୁଭବ କରିଥିଲେ। ଆଉ ଚାଉଳିଆଗଞ୍ଜ ପ୍ରସ୍ତାବ କାଟ୍ ଖାଇଥିଲା। ପରେ ୧୯୩୬ ମସିହାରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶରେ ପରିଣତ ହେବା ପରେ ନୂତନ ରାଜଧାନୀ ପ୍ରତିଷ୍ଠା ପାଇଁ ବ୍ରିଟିସ ସରକାର ଜୋନ୍ସ କମିଟି ଗଠନ କଲେ। ଜୋନ୍ସ କମିଟି ବ୍ରହ୍ମପୁର ଓ ଗୋପାଳପୁର ମଧୢବର୍ତ୍ତୀ ରଙ୍ଗେଇଲୁଣ୍ତା ସମ୍ପର୍କରେ ବିଭିନ୍ନ ଗୋଷ୍ଠୀ ସହ ଆଲୋଚନା କରିବା ପରେ ୧୯୩୭ମସିହାରେ ଅନ୍ୟ ଏକ କମିଟି ଓ ଉପଦେଷ୍ଟା ମଣ୍ତଳୀ ଗଠନ କରାଯାଇ ଅନୁଧୢାନ କରାଯାଇଥିଲା। ଏହି ନୂତନ କମିଟି କିନ୍ତୁ ରଙ୍ଗେଇଲୁଣ୍ତାରେ ରାଜଧାନୀ ପ୍ରତିଷ୍ଠାକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରିଦେଇଥିଲା। ଏହାପରେ ସରକାର ଡ୍ୟାନ୍ କମିଟି ଗଠନ କଲେ। ଏହି କମିଟିର ପ୍ରସ୍ତାବରେ ଅନେକ ବାଧା ଦେଖାଦେବାରୁ ଏହାକୁ ମଧୢ ବାତିଲ୍ କରିଦିଆଗଲା।
ବିଭିନ୍ନ ସମୟରେ କଟକ, ଚୌଦ୍ବାର ସମେତ ଅନୁଗୁଳ ଓ ଖୋର୍ଦ୍ଧାରେ ନୂତନ ରାଜଧାନୀ ପ୍ରତିଷ୍ଠା ନିମନ୍ତେ ପ୍ରସ୍ତାବ ଉଠିଥିଲା। ପରବର୍ତ୍ତୀ ସମୟରେ ଓଡ଼ିଶା ସରକାରଙ୍କ ଯୋଜନା ବିଭାଗ ଏବ˚ ଏହି ବିଭାଗର ଉପଦେଷ୍ଟା ମଣ୍ତଳୀର ମିଳିତ ଉଦ୍ୟମରେ ଭୁବନେଶ୍ବର ଓ ମଞ୍ଚେଶ୍ବର ମଧୢବର୍ତ୍ତୀ ସ୍ଥାନକୁ ରାଜଧାନୀ ସ୍ଥାପନା ପାଇଁ ଉପଯୁକ୍ତ ସ୍ଥାନ ଭାବେ ବଛାଗଲା। ଶେଷରେ ଓଡ଼ିଶାର ପ୍ରଧାନମନ୍ତ୍ରୀ (ସେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ କୁହାଯାଉଥିଲା) ଡକ୍ଟର ହରେକୃଷ୍ଣ ମହତାବ ଭୁବନେଶ୍ବରରେ ରାଜଧାନୀ ହେବ ବୋଲି ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବଟି ତାଙ୍କ ମନ୍ତ୍ରିମଣ୍ତଳରେ ଏବ˚ ପରେ ପରେ ରାଜ୍ୟ ବିଧାନସଭାରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା। ୧୯୪୬ରେ ଜର୍ମାନୀ ସ୍ଥପତି ଓଟୋ.ଏଚ୍. କୋନିଗ୍ସବର୍ଗର ଭୁବନେଶ୍ବର ଆସି ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ପରେ ରାଜଧାନୀର ନକ୍ସା ପ୍ରସ୍ତୁତ କଲେ। ୧୯୪୮ ଏପ୍ରିଲ ୧୩ତାରିଖରେ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ନକ୍ସା ଦେଖି ଖୁସି ହୋଇଯାଇଥିଲେ ନେହରୁ
ରାଜଧାନୀର ଶିଳାନ୍ୟାସ କରିବା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ନୂଆ ରାଜଧାନୀର ନକ୍ସାଟିକୁ ଚିଫ୍ ଇଞ୍ଜିନିୟର ମିଷ୍ଟର ହଣ୍ତାଙ୍କଠାରୁ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଦେଖିଥିଲେ। ଓଡ଼ିଶାର ପରମ୍ପରା, ସ˚ସ୍କୃତି ଓ ଐତିହ୍ୟ ପ୍ରତି ନେହରୁଙ୍କର ଯଥେଷ୍ଟ ଅନୁରାଗ ଥିଲା। ପ୍ରସ୍ତୁତ ହୋଇଥିବା ନକ୍ସାରେ ଛୋଟ ପିଲାଙ୍କ ପାଇଁ ଆମୋଦ ପ୍ରମୋଦ ଉଦ୍ୟାନ, ସ୍କୁଲ ଗୃହ, ମହିଳାମାନେ ହାଟବଜାର କରିବା ପାଇଁ ଦୋକାନ ଗୃହ, ସ୍ବଳ୍ପ ବେତନଭୋଗୀ କର୍ମଚାରୀଙ୍କ ଲାଗି ବାସଗୃହ ଆଦିର ବ୍ୟବସ୍ଥା ଥିବାରୁ ସେ ବେଶ୍ ଆନନ୍ଦିତ ବୋଲି କହିଥିଲେ। ଆଉ ଭୁବନେଶ୍ବରର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ।
ଏକଦା ମନ୍ଦିରମାଳିନୀ ସହର ଭାବେ ସାରା ବିଶ୍ବରେ ପରିଚିତ ଭୁବନେଶ୍ବର ଏବେ ବିଦ୍ୟାନଗରୀ ଭାବେ ନୂଆ ପରିଚୟ ସୃଷ୍ଟି କରିଛି। ସହରରେ ଜାତୀୟ, ଅନ୍ତର୍ଜାତୀୟସ୍ତରର ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହେବା ସହ ଛାତ୍ରଛାତ୍ରୀଙ୍କ ଲାଗି ସୃଷ୍ଟି ହୋଇଛି ଅସୀମିତ ସମ୍ଭାବନା। ଇଞ୍ଜିନିୟରି˚, ମେଡିକାଲ, ମ୍ୟାନେଜ୍ମେଣ୍ଟ ପାଠ୍ୟକ୍ରମରେ ଶିକ୍ଷାଗ୍ରହଣ କରିବାକୁ ଦେଶ ବିଦେଶରୁ ଛାତ୍ରଛାତ୍ରୀ ଭୁବନେଶ୍ବର ଆସୁଛନ୍ତି। ରାଜଧାନୀ ପ୍ରତିଷ୍ଠା ହେବା ପରେ ଗଢ଼ିଉଠିଥିବା ଉତ୍କଳ ବିଶ୍ବବିଦ୍ୟାଳୟ ନାକ୍ ‘ଏ+’ ଗ୍ରେଡ୍ ସହ ଦେଶର ଶ୍ରେଷ୍ଠ ଶହେ ବିଶ୍ବବିଦ୍ୟାଳୟ ମଧ୍ୟରେ ରହି ନିଜର ସ୍ଥିତି ଜାହିରି କରିଛି। ଓଡ଼ିଶାରେ କୃଷିର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ବିଭିନ୍ନ ଶସ୍ୟର ୧୫୦ରୁ ଅଧିକ କିସମ ବିହନ ଉଦ୍ଭାବନ କରି ଉତ୍କର୍ଷର ମାଇଲଖୁଣ୍ଟ ଛୁଇଁଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ଆଇଆଇଟି ଓ ନାଇଜର ଭଳି ଅନେକ ବିଶ୍ବସ୍ତରୀୟ ଶିକ୍ଷାନୁଷ୍ଠାନ ମଧ୍ୟ ଭୁବନେଶ୍ବରରେ ପ୍ରତିଷ୍ଠା ହୋଇଛି। ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ(ଆଇଏଲ୍ଏସ୍), ଆଇଏମ୍ଏମ୍ଟି, ଏକ୍ସଆଇଏମ୍ବି, ନ୍ୟାସନାଲ ଫ୍ୟାସନ ଟେକ୍ନୋଲୋଜି, ଆଇଆଇଟିଟିଏମ୍, ସିଟିଟିସି ପରି ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଗବେଷଣାରେ ସଫଳତା ହାସଲ କରି ଚାଲିଛନ୍ତି।
କରୋନା କାଳରେ ଆଇଏଲ୍ଏସ୍, ଆରଏମ୍ଆରସି କୋଭିଡ୍-୧୯ ନମୁନା ପରୀକ୍ଷା କରିବା ସହ ଗବେଷଣା କରି ବିଶ୍ବବାସୀଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି। ଗୋଟିଏ ପରେ ଗୋଟିଲ ଆଇଟି କମ୍ପାନି ଏଠାରେ ନିଜର କାର୍ଯ୍ୟାଳୟ ଖୋଲିବାକୁ ଆଗେଇ ଆସୁଛନ୍ତି। ଯେଉଁଥିପାଇଁ ଇନ୍ଫୋସିଟି ଅଞ୍ଚଳ ଏବେ ଆଇଟି ହବ୍ ପାଲଟିଛି। ଏହା ବ୍ୟତୀତ କିଟ୍ ଓ ସୋଆ ଡିମ୍ଡ ବିଶ୍ବବିଦ୍ୟାଳୟ ଏବେ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବାରେ ଆଗରେ ରହିଛନ୍ତି। ଦେଶର ଶ୍ରେଷ୍ଠ ଶହେ ଶିକ୍ଷାନୁଷ୍ଠାନ ତାଲିକାରେ କିଟ୍ ଓ ସୋଆ ସାମିଲ ହୋଇ ଭୁବନେଶ୍ବରର ଗୌରବ ବୃଦ୍ଧି କରିଛନ୍ତି। ଅନ୍ୟପକ୍ଷରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ, କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ, ଓଡିଏମ୍ ସ୍କୁଲ, ଡିଏଭି ସ୍କୁଲ, ମଦର ପବ୍ଲିକ ସ୍କୁଲ, ଭେଙ୍କଟେଶ୍ବର ଇ˚ରାଜୀ ମାଧ୍ୟମ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟସମୂହ, ଡୁନ୍ ଇଣ୍ଟରନ୍ୟାସନାଲ ସ୍କୁଲ ପରି ପ୍ରମୁଖ ବିଦ୍ୟାଳୟ ପ୍ରାଥମିକ ଶିକ୍ଷା ପ୍ରଦାନ ଦିଗରେ ଆଗରେ ରହିଛନ୍ତି।
ରାଜଧାନୀ ପ୍ରତିଷ୍ଠା ହେବା ସମୟରେ କେବଳ କ୍ୟାପିଟାଲ ହସ୍ପିଟାଲକୁ ନେଇ ପରିକଳ୍ପନା ହୋଇଥିବା ଭୁବନେଶ୍ବରରେ ଧୀରେ ଧୀରେ ଦେଶରେ ଅଗ୍ରଣୀ ସ୍ବାସ୍ଥ୍ୟ ହବ୍ ପାଲଟିବାକୁ ଯାଉଛି। ଭୁବନେଶ୍ବରେର ଏମ୍ସର ଶାଖା ପ୍ରତିଷ୍ଠା ହେବା ପରେ କେବଳ ଓଡ଼ିଶା ନୁହେଁ, ପଶ୍ଚିମବଂଗ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ଝାରଖଣ୍ଡ ପ୍ରଭୃତି ରାଜ୍ୟରୁ ମଧ୍ୟ ହଜାର ହଜାର ରୋଗୀ ଏଠାକୁ ଆସି ଉନ୍ନତ ମାନର ଚିକିତ୍ସା ସେବା ପାଇ ପାରୁଛନ୍ତି। ଏହା ବ୍ୟତୀତ ଆପୋଲୋ, ଆମ୍ରି, ଏଲ୍ଭିପ୍ରସାଦ ଆଦି ଜାତୀୟସ୍ତରର ଅଗ୍ରଣୀ ସ୍ବାସ୍ଥ୍ୟାନୁଷ୍ଠାନ ନିଜର ରାଜଧାନୀରେ ଶାଖା ଖୋଲି ସାରିଥିବାବେଳେ କିମ୍ସ, ସମ୍, ହାଇଟେକ୍, କଳିଙ୍ଗ, କେଅାର ଆଦି ଅନେକ ବୃହତ୍ ହସ୍ପିଟାଲ େଲାକଙ୍କୁ ସେବା ଯୋଗାଇ ଦେଉଛନ୍ତି। କେବଳ ଏଲୋପ୍ୟାଥିକ ଚିକିତ୍ସା କ୍ଷେତ୍ରରେ ଅଟକି ଯାଇନାହିଁ ଭୁବନେଶ୍ବର, ଜାତୀୟସ୍ତରର ଆୟୁଷ ହସ୍ପିଟାଲ ମଧ୍ୟ ଖୋଲିବାକୁ ଯାଉଛି।
ରାଜଧାନୀରେ ଯେତେ ଘରୋଇ ହସ୍ପିଟାଲ ଖୋଲିଲେ ମଧ୍ୟ ସାଧାରଣ ଲୋକଙ୍କୁ ସମର୍ପିତ ସେବା ଯୋଗାଉଛି କ୍ୟାପିଟାଲ ହସ୍ପିଟାଲ। ଦୀର୍ଘଦିନ ଧରି ଏହାକୁ ଏକ ପିଜି ଇନଷ୍ଟିଚ୍ୟୁଟ୍ରେ ପରିଣତ କରିବା ଲାଗି ନିଷ୍ପତ୍ତି ହୋଇଥିଲେ ହେଁ, ବିଭିନ୍ନ କାରଣ ପାଇଁ ଏହା ସମ୍ଭବ ହୋଇପାରି ନ ଥିଲା। ମାତ୍ର କିଛିମାସ ପୂର୍ବରୁ ରାଜ୍ୟ ସରକାର ଏଥିରେ ମୋହର ମାରିଛନ୍ତି। ପିଜି ଇନଷ୍ଟିଚ୍ୟୁଟ୍ ପ୍ରତିଷ୍ଠା ହେଲେ କେବଳ ଭୁବନେଶ୍ବର ନୁହେଁ, ରାଜ୍ୟର କୋଣ ଅନୁକୋଣରୁ ଗରିବ ରୋଗୀମାନେ ଉନ୍ନତ ମାନର ଚିକିତ୍ସା ପାଇପାରିବେ। ସେହିପରି ନିକଟରେ ସରକାରୀ ସହଯୋଗରେ ରାଜଧାନୀରେ ଏକ ବିଶ୍ବସ୍ତରୀୟ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ପାଇଁ ସରକାର ଅନୁମତି ଦେଇଛନ୍ତି।
ଆୟୁଷ ଚିକିତ୍ସା ଉପରେ ଭରସା ରଖୁଥିବା ଲୋକମାନଙ୍କ ପାଇଁ ଭୁବନେଶ୍ବରରେ ମଧ୍ୟ ୧୦୦ ଶଯ୍ୟା ବିଶିଷ୍ଟ ଯୋଗ ଓ ନେଚରପ୍ୟାଥି ହସ୍ପିଟାଲ ଖୋଲିବାକୁ ଯାଉଛି। ଏହା ପୂର୍ବ ଭାରତର ଏକ ଅଗ୍ରଣୀ ସ୍ବାସ୍ଥ୍ୟାନୁଷ୍ଠାନ ପାଲଟିବ। କେବଳ ଚିକିତ୍ସାରେ ଭୁବନେଶ୍ବର ଅଟକି ଯାଇନାହିଁ। ଆଗାମୀ ଦିନରେ ହୋମିଓପ୍ୟାଥିକ ଗବେଷଣା ପାଇଁ ଓଡ଼ିଶାରେ ଏକ ଶାଖା ଖୋଲିବା ସହିତ ଜାତୀୟ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ବା ଏନ୍ସିଡିସିର ମଧ୍ୟ ଶାଖା ଖୋଲିବାକୁ ଯାଉଛି।