ଭୁବନେଶ୍ୱର : ବିଶ୍ୱର ସବୁଠୁ ଅଧିକ ତଥ୍ୟ ଭିତ୍ତିକ, ସୂଚନା ଭିତ୍ତିକ, ଲୋକ ଉପଯୋଗୀ ୱେବସାଇଟ୍‌/ଆପ୍‌ ହୋଇଥାନ୍ତା ଭୁବନେଶ୍ୱର ୱାନ୍‌। ଜଣେ ଘରେ ଥାନ୍ତୁ କି ବାହାରେ। ପାଖରେ ଯଦି ଲାପଟପ୍‌ କି ସ୍ମାର୍ଟ ଫୋନ୍‌ ଅଛି ଏବଂ ଏଥିରେ ନେଟ୍‌ ସଂଯୋଗ ଅଛି ତେବେ ରାଜଧାନୀର କେଉଠଁ କ’ଣ ଅଛି, ପହଞ୍ଚିବାକୁ କେତେ ସମୟ ଲାଗିବ, ଯେଉଁ ରାସ୍ତାରେ ଯାଉଛନ୍ତି ସେହି ରାସ୍ତା ଜାମ୍‌ ଅଛି କି ଫାଙ୍କା, କେଉଁ ଛକରେ କେତେ ଲୋକ ଅଛନ୍ତି, କେଉଁ ସରକାରୀ ବିଭାଗ ଲୋକଙ୍କ ପାଇଁ କ’ଣ ସୁବିଧା ସୁଯୋଗ ଯୋଗାଉଛନ୍ତି ତାହାର ଟିକନିଖ୍‌ ତଥ୍ୟ କ୍ଷଣକରେ ପାଇଥାନ୍ତେ।

Advertisment

ସଡ଼କ ପରିବହନ ବ୍ୟବସ୍ଥା ଠାରୁ ଆରମ୍ଭ କରି କେଉଁ ବସଷ୍ଟାଣ୍ତରୁ କେତେବେଳେ କେଉଁ ବସ୍‌ ବାହାରିବ, କେଉଁ ଛକରେ ବସ୍‌ ଅଛି, କେତେ ସମୟରେ ବସ୍‌ କେଉଁ ବସଷ୍ଟପରେ ପହଞ୍ଚିବ, ରେଳ ଷ୍ଟେସନରୁ କେଉଁ ଟ୍ରେନ୍‌ କେତେବେଳେ ଛାଡ଼ିବ, ଷ୍ଟେସନରେ ଭିଡ଼ କେମିତି ଅଛି, ବିମାନ ବନ୍ଦରରେ ବିମାନ ଅବତରଣ ଠିକ୍‌ ସମୟରେ କରିବାର ଅଛି କି କୌଣସି କାରଣରୁ ବିଳମ୍ବ ଅଛି, ସବୁର ଟିକନିଖ୍‌ ଖବର ମିଳିଥାନ୍ତା। ଏପରିକି ସମସ୍ତ ସରକାରୀ ବିଭାଗ ଓ ବେସରକାରୀ ଅନୁଷ୍ଠାନ, ସ୍କୁଲ, କଲେଜ, ହସ୍ପିଟାଲ, ଥାନା, ଦମକଳ କେନ୍ଦ୍ର, ପେଟ୍ରୋଲ ପମ୍ପ, ସପି˚ ମଲ୍‌, ବିଭିନ୍ନ ଜୁଏଲାରି ଦୋକାନ ଠାରୁ ଆରମ୍ଭ କରି ଉଠା ଦୋକାନୀଙ୍କ ପର୍ଯ୍ୟନ୍ତ ତଥ୍ୟ ୱେବସାଇଟ୍‌ରେ ମିଳିଥାନ୍ତା। ଏହାସହିତ କେଉଁ ସିନେମା ହଲ୍‌ରେ କେଉଁ ସୋ’ରେ କେଉଁ ଫିଲ୍ମ ପଡ଼ିଛି, କେତେ ଟିକେଟ୍‌ ଅଛି, କେଉଁ ପାର୍କରେ କ’ଣ କ’ଣ ସୁବିଧା ଉପଲବ୍ଧ ହେଉଛି, କେତେ ସମୟ ଖୋଲା ରହୁଛି ତାହାର ତଥ୍ୟ ବି ଘରେ ବସି ଜଣାପଡ଼ିଥାନ୍ତା। ଆଉ ସମସ୍ତେ ଯେପରି ପ୍ରତି ମୁହୂର୍ତ୍ତରେ ଅପ୍‌-ଟୁ-ଡେଟ୍‌ ତଥ୍ୟ ପାଇଥାନ୍ତେ ସେଥିପାଇଁ ପ୍ରତି ବିଭାଗ ଓ ସଂସ୍ଥାର ଜଣେ ଲେଖାଏଁ ଅଧିକାରୀଙ୍କୁ ଏହାର ନୋଡାଲ ଅଫିସର କରାଯାଇଥାନ୍ତା। ହେଲେ କୌଣସି ବିଭାଗ କି ସଂସ୍ଥା ସହଯୋଗ କଲେନି। ବିଏସ୍‌ସିଏଲ୍‌ ବି ଏନେଇ ପ୍ରୟାସ କଲାନି। ଫଳରେ ଏହି ଯୋଜନା ମାରିଗଲା।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟନ ନକରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରିଥିଲେ
ଏହା ଏମିତି ଏକ ପ୍ରକଳ୍ପ ଯାହାକୁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟନ ନକରି ଆମ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟନ କରିଥିଲେ। ଜୁଲାଇ ୩୦, ୨୦୧୬ରେ ଉଦ୍‌ଘାଟନ କରିଥିଲେ। ଏହି ପ୍ରକଳ୍ପଟି ଏହାର ଦୁଇ ମାସ ପୂର୍ବରୁ ପୂରା ପ୍ରସ୍ତୁତ ହୋଇଯାଇଥିଲା। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍‌୨୫, ୨୦୧୬ରେ ବିଭିନ୍ନ ସ୍ମାର୍ଟ ସିଟିର ୮୩ଟି ପ୍ରକଳ୍ପ ଉଦ୍‌ଘାଟନ କରିଥିଲେ। ସେହି କାର୍ଯ୍ୟକ୍ରମରେ ଏହି ପ୍ରକଳ୍ପ ଉଦ୍‌ଘାଟନ ହେବ ବୋଲି ତାଲିକାଭୁକ୍ତ ହୋଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ଏହାକୁ ବାଦ୍‌ ଦିଆଯାଇଥିଲା। ସ୍ମାର୍ଟ ସିଟି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ଭୁବନେଶ୍ବର ପ୍ରଧାନମନ୍ତ୍ରୀଙ୍କ ଉଦ୍‌ଘାଟନ ପାଇଁ ଗୋଟିଏ ବି ପ୍ରକଳ୍ପ ପ୍ରସ୍ତୁତ ନକରିପାରିବାର ଅପବାଦ ବି ମୁଣ୍ଡାଇଥିଲା। ଏହାର ମାସକ ପରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରକଳ୍ପ ଉଦ୍‌ଘାଟନ ହେଲା। ତଥାପି ବି ଏହି ପ୍ରକଳ୍ପ ଆଜିକା ଦିନରେ ଆଣ୍ଠେଇଛି।

ତଥ୍ୟ ଅଛି, ଲୋକ ଜାଣିପାରୁନାହାନ୍ତି
ଭୁବନେଶ୍ବର ଵାନ୍‌ ୱେବସାଇଟ୍‌ ଖୋଲିଲେ ପ୍ରଥମେ ଭିୟୁ ମ୍ୟାପ୍‌ ଖୋଲିବ। ଏହାପରେ ଷ୍ଟ୍ରିଟ ମ୍ୟାପ୍‌, ଟପୋଗ୍ରାଫିକ, ଭୁବନେଶ୍ବର ସିଡିପି-୨୦୩୦, ରାଜସ୍ବ ମ୍ୟାପ୍‌, କେଉଁ ଥାନା ଅଧୀନରେ କେଉଁ ଅଞ୍ଚଳ ଅଛି, ସିଟି ମ୍ୟାପ୍‌ ଆଦି ଖୋଲିବ। ଏହାକୁ ବ୍ୟବହାର କରି ଜଣେ ତାଙ୍କ ଚାରିକଡେ଼ କ’ଣ ଅଛି ତାହା ଜାଣିପାରିବେ। ରାଜସ୍ବ ଗ୍ରାମ ସୀମା, ଜମିର ସୀମା ସମେତ ବିଡିଏର ସିଡିପି କେହି ଦେଖିବାକୁ ଚାହିଁଲେ ଏହାକୁ ଭଲ ଭାବେ ଦେଖଇପାରିବ। ହେରିଟେଜ୍‌ରେ କ୍ଲିକ୍‌ କଲେ କେଉଁଠି କ’ଣ ଐତିହ୍ୟସ୍ଥଳୀ ଅଛି ଜାଣିପାରିବ। କିନ୍ତୁ ଖୋଜିବାକୁ ଅପ୍ସନ ନାହିଁ। କୌଣସି ଐତିହ୍ୟସ୍ଥଳୀ ଫଟୋ ଉପରେ କ୍ଲିକ୍‌ କଲେ ସବିଶେଷ ତଥ୍ୟ ମିଳିବ। ହେଲେ ଯିଏ ଫଟୋ ଚିହ୍ନି ନ ଥିବ କିଛି ଜାଣିପାରିବନି। ନୋ ଇଓର‌୍‌ ପ୍ଲଟ୍‌ ଅଛି। ଏଥିରେ ଜଣେ ତାଙ୍କ ଜମି କେଉଁ ମୌଜାରେ ଅଛି, କେଉଁଠି ଅଛି, କେତେ ବର୍ଗଫୁଟର ଅଛି ତାହା ଜଣାପଡ଼ିବ। ହେଲେ ଏହା ଅପ୍‌-ଟୁ-ଡେଟ୍‌ ହେଉନି କି ଜମି ମାଲିକଙ୍କ ନାଁ ଆସୁନି। ତେଣୁ ଏହାକୁ ଦେଖି ଜଣେ ଜମି କିଣା ବିକା କରିପାରିବେନି।

୪ବର୍ଷରେ ମୋବାଇଲ୍‌ ଆପ୍‌ ଆସିପାରିଲାନି
ଭୁବନେଶ୍ବରୱାନ୍‌.ଇନ୍‌ ୱେବସାଇଟ୍‌ରେ ଏବେ ଯାହା କିଛି ତଥ୍ୟ ମିଳୁଛି। ମୋବାଇଲରେ ୱେବସାଇଟ୍‌ ଖୋଲି ତଥ୍ୟ ଖୋଜିବା ସମ୍ଭବ ନଥିବାରୁ ଏନେଇ ଏକ ମୋବାଇଲ୍‌ ଆପ୍‌ ହୋଇଥାନ୍ତି। ଏଥିପାଇଁ ତିନିଟି ପର୍ଯ୍ୟାୟରେ ଭୁବନେଶ୍ବର ୱାନ୍‌ ପ୍ରକଳ୍ପକୁ ଉନ୍ନତୀକରଣ କରାଯାଇଥାନ୍ତା। କିନ୍ତୁ ୪ବର୍ଷ ତଳେ ଯାହା ଥିଲା ଆଜି ବି ସେହି ସ୍ଥିତିରେ ଅଛି। ସେହି ପ୍ରଥମ ପର୍ଯ୍ୟାୟରେ। ବିଏସ୍‌ସିଏଲ୍‌ର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଭୁବନେଶ୍ବର ୱାନ୍‌କୁ ଦୁଇଟି ପର୍ଯ୍ୟା‌ୟରେ ଉନ୍ନତୀକରଣ କରାଯିବ। ଫେଜ୍‌-୨ରେ ସମସ୍ତ ବିଭାଗର ତଥ୍ୟ, ଟ୍ରାଫିକ ବ୍ୟବସ୍ଥା, ଏବେ ଯେତିକି ସମସ୍ୟା ୱେବସାଇଟ୍‌ରେ ରହିଛି ତା’ର ସମାଧାନ କରାଯିବ। ଫେଜ୍‌-୩ରେ ମୋବାଇଲ୍‌ ଆପ୍‌ ଆସିବ। ଏହାପରେ ଲୋକଙ୍କୁ ସବୁ ତଥ୍ୟ ସହଜରେ ଉପଲବ୍ଧ ହେବ।

ଦିନକୁ ୨୯୫୮୮ ଜଣ ଦେଖୁଥିଲେ, ଆଜି ଜଣେ ଦେଖୁନାହାନ୍ତି
ମିଳିଥିବା ସୂଚନା ଅନୁଯାୟୀ, ଜୁଲାଇ, ୨୦୧୬ ରୁ ଅକ୍ଟୋବର ମଧୢରେ ୨୮,୩୫,୪୭୬ଜଣ ୱେବସାଇଟ୍‌ ଦେଖିଥିଲେ। ଜୁଲାଇ ୨୩ରୁ ଅଗଷ୍ଟ ୭ ପର୍ଯ୍ୟନ୍ତ କିଛି ଦିନ ଦୈନିକ ହାରାହାରି ୨୯,୫୮୮ଜଣ ୱେବସାଇଟ୍‌ ଦେଖୁଥିଲେ। ହେଲେ ସେପ୍ଟେମ୍ବର ମାସରେ ଦୈନିକ ପରିଦର୍ଶକଙ୍କ ସ˚ଖ୍ୟା ୧୨୮କୁ ଖସିଯାଇଥିଲା। ଏହାପରେ ଡିସେମ୍ବର ମାସରେ ଦୈନିକ ୱେବସାଇଟ୍‌ ଦେଖୁଥିବା ଲୋକଙ୍କ ସ˚ଖ୍ୟା ୧୦୦ରୁ ବି କମି ୭୦ରେ ପହଞ୍ଚିଲା। ଏପରିକି ଅଧିକା˚ଶ ଦିନରେ ଜଣେ ବି ଲୋକ ଭୁବନେଶ୍ବର ଵାନ୍‌ ୱେବସାଇଟ୍‌ ଦେଖିଲେନି। ଏହାପରେ କିଛି କିଛି ଲୋକ ୱେବସାଇଟ୍‌ ଦେଖୁଥିଲେ। କିନ୍ତୁ କିଛି ନୂଆ ତଥ୍ୟ ଦିଆନଯିବା, ଅଧପନ୍ତରା ତଥ୍ୟ ରହିଥିବାରୁ ଲୋକ ଏହାକୁ ଦେଖିଲେନି। ସ୍ଥିତି ଏପରି ହୋଇଛି ଯେ, କେହି ଏହାକୁ ଦେଖୁନାହାନ୍ତି।

ଆମେରିକାରେ ଅଧିକ ଲୋକ ଦେଖୁଥିଲେ
୪ବର୍ଷ ତଳେ ରାଜ୍ୟ ଏବଂ ରାଜ୍ୟ ବାହାରେ ରହୁଥିବା ବହୁ ଲୋକ ଏହି ୱେବସାଇଟ୍‌ ଖୋଲୁଥିଲେ। ଏହି ୱେବସାଇଟ୍‌ ଭିଜିଟର୍‌ ତାଲିକାରେ ଭାରତର ବହୁ ଲୋକ ‌ଥିଲେ। ଏହା ତଳକୁ ଆମେରିକାରେ ଏହାର ପ୍ରାୟ ୨୦ପ୍ରତିଶତ ଦର୍ଶକ ଥିଲେ। ଏହାତଳକୁ ଜାପାନ, ଚୀନ୍‌ ଏବ˚ ଅନ୍ୟ କେତୋଟି ଦେଶର ନାଗରିକ ଥିଲେ। ଏବେ ଭାରତୀୟ ବି ଦେଖୁନାହାନ୍ତି। ସେହିପରି କମ୍ପ୍ୟୁଟର ଓ ଲାପଟପ୍‌ରେ ପ୍ରାୟ ୫୫ପ୍ରତିଶତ ଏହାକୁ ଦେଖୁଥିବାବେଳେ ୪୦ପ୍ରତିଶତ ମୋବାଇଲରେ ଏହି ୱେବସାଇଟ୍‌ ଖୋଲୁଥିଲେ। ଏପରିକି କେତେକ ଏହି ୱେବସାଇଟ୍‌ ଖୋଲିବାକୁ ଚାହିଁଥିଲେ ହେଁ ଏହା ଅଧା ଖୋଲିବା ପରେ ବନ୍ଦ ହୋଇ ଯାଇଥିଲା। ଏହିଭଳି ଲୋକଙ୍କ ସ˚ଖ୍ୟା ସେତେବେଳେ ପ୍ରାୟ ୬୦ହଜାର ଥିଲା। ତେଣୁ ଯଥାସମ୍ଭବ ଶୀଘ୍ର ଏହାର ମୋବାଇଲ୍‌ ଆପ୍‌ ଆଣିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଆଜି ଯାଏ ହୋଇପାରିଲାନି।