ରାଜଧାନୀର ରେଳଧାରଣା ପାଲଟିଛି ସୁଇସାଇଡ୍‌ ପଏଣ୍ଟ, ୮ ମାସରେ ଗଡ଼ିଲାଣି ୬୨ ମୁଣ୍ଡ

ଭୁବନେଶ୍ବର : ରାଜଧାନୀର ରେଳ ଧାରଣା ଏବେ ସୁଇସାଇଡ୍‌ ପଏଣ୍ଟ ପାଲଟିଛି। କିଏ ପ୍ରେମ ଜନିତ ସମସ୍ୟାକୁ ଟ୍ରେନ ଲାଇନରେ ଆତ୍ମହତ୍ୟା କରୁଛି ତ ଆଉ କେହି କିଏ ପାରିବାରିକ ସମସ୍ୟାକୁ ନେଇ। ଭୁବନେଶ୍ବର ରେଳଷ୍ଟେସନ୍‌ରୁ ମଞ୍ଚେଶ୍ବର ଏବଂ ଲିଙ୍ଗରାଜ ଷ୍ଟେସନ୍‌ ମଧ୍ୟରେ ଅଧିକାଂଶ ଅଘଟଣ ଘଟୁଛି। ରାଜଧାନୀରେ ସଡ଼କ ଦୁର୍ଘଟଣା ମୃତ୍ୟୁକୁ ବି ବଳିଗଲାଣି ରେଳଧାରଣାରେ ଆତ୍ମହତ୍ୟା ସଂଖ୍ୟା। ଯାହାକି ଏକ୍‌ ଉଦ୍‌ବେଗ ଜନକ ସ୍ଥିତି ସୃଷ୍ଟି କଲାଣି। ବର୍ଷେ ନୁହେଁ, ଗତ ୮ ମାସ ମଧ୍ୟରେ ରେଳଧାରଣାରେ ୬୨ଜଣ(୫୪ ପୁରୁଷ ଓ ୮ ମହିଳା)ଙ୍କ ମୃତ୍ୟୁ ଘଟିଲାଣି। ମାତ୍ର ୩ଜଣ ଚଳନ୍ତା ଟ୍ରେନ୍‌ରୁ ଖସି ପ୍ରାଣ ଘଟିଥିବା ବେଳେ ୨ଜଣଙ୍କ ଦୁର୍ଘଟଣା ଓ ୫୭ଜଣ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରୁଥିବା ଅଧିକାଂଶଙ୍କ ବୟସ ୪୦ ମଧ୍ୟରେ ଥିବା ଜଣାପଡ଼ିଛି। ପ୍ରେମ ଜନିତ ସମସ୍ୟାକୁ ନେଇ ଅଧିକାଂଶ ଆତ୍ମହତ୍ୟା କରୁଛନ୍ତି। ସେହିପରି ଅନେକ ସମୟରେ ଦେଖାଦେଇଛି ଯେ, ରେଳ ଚଳାଚଳ ସମୟରେ ଲୋକେ ନିୟମ ମାନୁ ନାହାଁନ୍ତି। ଫାଟକ ବନ୍ଦ ଥିଲେ ମଧ୍ୟ ଜବୀନକୁ ବାଜି ଲଗାଇ ଗେଟ୍‌ ତଳେ ଗଳି ରାସ୍ତା ପାର୍‌ ହେଉଛନ୍ତି। ଅସାବଧାନତା ଓ ସଚେତନାତା ଅଭାବରୁ ଯୋଗୁଁ ଅକାଳରେ ଜୀବନ ଯାଉଛି। ତେବେ ୬୨ ଜଣଙ୍କ ମଧ୍ୟରୁ ଏବେ ବି ୭ଜଣଙ୍କ ପରିଚୟ ମିଳିପାରି ନାହିଁ। ସେମାନେ କିଏ ? କେଉଁ ପରିସ୍ଥିତିରେ ଏଠାରେ ପହଞ୍ଚିଲେ? ସେମାନେ ଆତ୍ମହତ୍ୟା କରିଛନ୍ତି? ନା ସେମାନଙ୍କୁ ହତ୍ୟା କରାଯାଇଛି? ଆଦି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତାହା ଏବେ ରହସ୍ୟ ହୋଇ ରହିଛି। ରେଳବାଇ ଥାନା ଭାରପ୍ରାପ୍ତ ଅଧିକାରୀ ଭରତ ସାହୁ କହିଛନ୍ତି ଯେ ଆତ୍ମହତ୍ୟାକୁ ରୋକିବା ପାଇଁ ଆମ ପାଖରେ ସେଭଳି କିଛି ସୁଯୋଗ ନାହିଁ। ଖୋଲା ଲମ୍ବା ଧାରଣା ପଡ଼ିଛି ଏହାକୁ ତଦାରଖ କରିବା କଷ୍ଟକର, ତଥାପି ପାଟ୍ରୋଲିଂ କରାଯାଉଛି।

ସମ୍ବନ୍ଧିତ ଖବର