ବୁଣା ଚାଲିଛି ବିଶ୍ୱସ୍ତରୀୟ ରେଳଷ୍ଟେସନର ସ୍ୱପ୍ନ : ଭୁବନେଶ୍ୱର ରେଳ ଷ୍ଟେସନରେ ଯାତ୍ରୀ ଭୋଗୁଛନ୍ତି ଯନ୍ତ୍ରଣା

ଭୁବନେଶ୍ୱର : ବିଶ୍ବସ୍ତରୀୟ ରେଳ ଷ୍ଟେସନ ହେବ ଭୁବନେଶ୍ବର। ଏକାଧିକଥର ଏମିତି ସ୍ବପ୍ନ ଦେଖାଇଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର। ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଯାତ୍ରୀଙ୍କୁ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗା‌ଇ ଦେବାକୁ ପ୍ରତିଶ୍ରୁତି ବି ଦିଆଯାଇଛି। ତେବେ ସୁଫଳ ମିଳିନି। ବର୍ଷ ପରେ ବର୍ଷ ବିତୁଛି, ବଦଳିପାରୁନି ‌ରାଜ୍ୟର ଏହି ପ୍ରମୁଖ ରେଳଷ୍ଟେସନର ନକ୍ସା। ଏବେ ପୁଣିଥରେ ଏହି ରେଳଷ୍ଟେସନର ରୂପ ବଦଳାଇବା ପାଇଁ ନୀଳ ନକ୍ସା ପ୍ରସ୍ତୁତ କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ରାଜିନାମା ସ୍ବାକ୍ଷରିତ ହୋଇଛି। ଡିଜାଇନ୍‌ ବି ପ୍ରସ୍ତୁତ ହୋଇଛି। କିନ୍ତୁ ପୂର୍ବରୁ ଥିବା ଭିତ୍ତିଭୂମି ସଜାଡ଼ିବାକୁ କେହି ବି ଆନ୍ତରିକତା ଦେଖାଉ ନାହାନ୍ତି। ନୂଆ ହେବ ବୋଲି କହି ରେଳ ବିଭାଗ ଅଧିକାରୀମାନେ ହାତ ଟେକି ଦେଇଛନ୍ତି। ପରିଣାମସ୍ବରୂପ ଯାତ୍ରୀମାନେ ଯନ୍ତ୍ରଣା ଭୋଗୁଛନ୍ତି।

ବାତ୍ୟା ‘ଫନି’ରେ ଭାଙ୍ଗି ଯାଇଥିବା ରେଳ ଷ୍ଟେସନର ଭିତ୍ତିଭୂମି ଆଜି ପର୍ଯ୍ୟନ୍ତ ଅସଜଡ଼ା ହୋଇପଡ଼ି ରହିଛି। ପ୍ଲାଟ୍‌ଫର୍ମଗୁଡ଼ିକର ଆଜବେଷ୍ଟସ୍‌ ଉଡ଼ି ଯାଇଥିଲେ ମଧ୍ୟ ଆଜିଯାଏ ମରାମତି ହୋଇନି। ପ୍ଲାଟ୍‌ଫର୍ମରେ ଟ୍ରେନ୍‌କୁ ଅପେକ୍ଷା କରି ରହୁଥିବା ଯାତ୍ରୀ ଦିନରେ ଖରା‌ ଓ ରାତିରେ ତାରା ଦେଖୁଛନ୍ତି। ଅସରାଏ ବର୍ଷା ହେଲେ କଥା ସରିଲା। ଯାତ୍ରୀମାନେ ବର୍ଷା ପାଣିରେ ଭିଜୁଛନ୍ତି। କେବେଳ ସେତିକି ନୁହେଁ, ଟ୍ରେନ୍‌ର ସମୟ ସାରଣୀ ଜାଣିବା ଲାଗି ଷ୍ଟେସନର ସମ୍ମୁଖ ଭାଗରେ ଲାଗିଥିବା ଏଲ୍‌ଇଡି ସ୍କ୍ରିନ୍‌ ବି ଅଚଳ। ଯେଉଁଥିପାଇଁ ଯାତ୍ରୀଙ୍କୁ ହଟହଟା ହେବାକୁ ପଡ଼ୁଛି। ଏମିତିକି ବାତ୍ୟାକୁ ୬ ମାସ ବିତିବାକୁ ବସିଥିଲେ ମଧ୍ୟ ଷ୍ଟେସନର ପ୍ରବେଶ ପଥରେ ଖସି ପଡ଼ିଥିବା ସିଲିଂ ଆଜି ପର୍ଯ୍ୟନ୍ତ ଲଗା ଯାଇପାରି ନାହିଁ। କେବେ ଲାଗିବ, ସେନେଇ କାହା ପାଖରେ ଉତ୍ତର ନାହିଁ।

ଯାହାକୁ ବି ପଚାରିଲେ ଗୋଟିଏ ଉତ୍ତର; ରେଳଷ୍ଟେସନ ରୂପ ବଦଳିବ। କିନ୍ତୁ କେବେ ବଦଳିବ ଷ୍ଟେସନର ରୂପ? ‌ଯାତ୍ରୀମାନେ କେବେ ପାଇବେ ଅତ୍ୟାଧୁନିକ ସୁବିଧା ‌ସୁଯୋଗ? ଏପର୍ଯ୍ୟନ୍ତ ଟେଣ୍ଡର ପ୍ରକ୍ରିୟା ତ ହୋଇନି। କେବେ ହେବ ବି ଜଣାନାହିଁ। ସେହି ଆଳରେ ଯାତ୍ରୀଙ୍କୁ ମୌଳିକ ସୁବିଧା ଯୋଗାଇବା କ୍ଷେତ୍ରରେ ରେଳ ବିଭାଗର ଏଭଳି ଦାୟିତ୍ବହୀନତା ନେଇ ଯାତ୍ରୀମାନେ ପ୍ରଶ୍ନ ଉଠାଇଛନ୍ତି।

ସୌନ୍ଦର୍ଯୀକରଣ ଏବେ ଜଙ୍ଗଲ
ରେଳ ‌ଷ୍ଟେସନକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏହାର ସମ୍ମୁଖ ଭାଗର ସୌନ୍ଦର୍ଯୀକରଣ କରାଯାଇଥିଲା। ଲୁହା ବ୍ୟାରିକେଡ୍‌ ଦିଆଯିବା ସହ ବିଭିନ୍ନ ଗଛ ଓ ଜଳଫୁଆରାରେ ସଜା ଯାଇଥିଲା। ଏବେ ଏହା ଜଙ୍ଗଲରେ ପରିଣତ ହୋଇଛି। ଅନାବନା ଗଛରେ ପରିପୂର୍ଣ୍ଣ ହୋଇଛି। ଏହା ଭିତରେ ଅଇଁଠା ଖଲି ପତ୍ର ଓ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇ ରହିଛି। ସାପ ସମେତ ବିଭିନ୍ନ ପ୍ରଜାତିର ସରୀସୃପ ରହୁଥିବାରୁ ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହି ସ୍ଥାନ ଯେ କେବେ ରଙ୍ଗବେରଙ୍ଗ ଫୁଲ ଗଛର ସମ୍ଭାର ସହ ପଥର ପ୍ରତିମୂର୍ତ୍ତିର ଶୋଭା ପାଉଥିଲା, ତାହା ଏବେ ବିଶ୍ବାସ କରିବା କଷ୍ଟକର ହୋଇପଡ଼ିଛି। ଷ୍ଟେସନ୍‌ରୁ ବାହାରୁ ବାହାରୁ ଏଭଳି ଏକ ଦୃଶ୍ୟ ଯେକୌଣସି ଯାତ୍ରୀ ମନରେ ନକାରାତ୍ମକ ଭାବ ସୃଷ୍ଟି କରୁଛି, ଏଥିରେ ସନ୍ଦେହ ନାହିଁ।

ଆକର୍ଷଣ ହରାଉଛି ପ୍ରି-ପେଡ୍‌ ଅଟୋ ସେବା
୪ ବର୍ଷ ତଳେ ରେଳ ଷ୍ଟେସନରେ ଆରମ୍ଭ ହୋଇଥିଲା ପ୍ରି-ପେଡ୍‌ ଅଟୋ ସେବା। କମିସନରେଟ୍‌ ପୁଲିସ, ଆର୍‌ଟିଓ ଓ ଅଟୋ-ରିକ୍ସା ଆସୋସିଏସନ୍‌ର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଏହି ସେବା ବେଶ୍‌ ପ୍ରଶଂସା ସାଉଁଟିଥିଲା। ନିର୍ଦ୍ଧାରିତ ଭଡ଼ା ଦେଇ ଯାତ୍ରୀମାନେ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାତ୍ରା କରି ପାରୁଥିଲେ। ଏଥିପାଇଁ ୧୫ଟି ସ୍ବତନ୍ତ୍ର ଅଟୋ ନିୟୋଜିତ ହୋଇଥିଲା। ପ୍ରଥମେ ପ୍ରଥମେ ଦିନକୁ ଶହେରୁ ଅଧିକ ଗ୍ରାହକ ହେଉଥିଲେ। କିନ୍ତୁ ଏବେ ଅଟୋ ଚାଳକମାନେ ଦିନ ସାରା ଷ୍ଟେସନ୍‌ ପାଖରେ ବସି ରହିଲେ ବି ବହୁ କଷ୍ଟରେ ଦିନକୁ ୫୦ଜଣ ଗ୍ରାହକ ଆସୁଛନ୍ତି। ଏନେଇ କାଉଣ୍ଟର ଦାୟିତ୍ବରେ ଥିବା ଟ୍ରାଫିକ୍‌ ‌ପୁଲିସ ରାଜୀବ ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏବେ ଓଲା ଓ ଉବେର ଭଳି ଅନ୍‌ଲାଇନ୍‌ କ୍ୟାବ୍‌ ସେବା ଆସି ଯାଇଛି। ସେମାନଙ୍କ ଭଡ଼ା ମଧ୍ୟ କମ୍‌। ଯାତ୍ରୀ ପଦ୍ମ‌ଲୋଚନ ମହାନ୍ତିଙ୍କ କହିବାନୁଯାୟୀ ପ୍ରିପେଡ୍‌ ଅଟୋ ସେବାରେ ଆମେ ପ୍ରଥମେ ଟଙ୍କା ଜମା କରିବୁ। ଏହ‌ାପରେ ଯିବୁ। ଯଦି ଆମେ ବାଣୀବିହାର କହିଛୁ ସେମାନେ ବାଣୀବିହାର ବସ୍‌ ଷ୍ଟପ୍‌ରେ ହିଁ ଛାଡ଼ିବେ। ୟୁନିଭର୍ସିଟି ନିକଟକୁ ଯିବେ ନାହିଁ। ହେଲେ ଓଲା କିମ୍ବା ଉବେର କରି ଗଲେ ସେ ସମସ୍ୟା ରହୁନି।

ଏସ୍କାଲେଟର୍ ବନ୍ଦ, ଫୁଟ୍‌ ଓଭରବ୍ରିଜ କାମ ସରୁନି
ଓଜନିଆ ବ୍ୟାଗ୍ ସାଙ୍ଗକୁ ସାଙ୍ଗରେ ବୟସ୍କ କି ଛୋଟ ପିଲା ଥିଲେ କଥା ସରିଲା। କାରଣ ମାସାଧିକ କାଳ ହେଲା ବନ୍ଦ ହୋଇ ପଡ଼ି ରହିଛି ଷ୍ଟେସନ୍‌ରେ ଥିବା ଏସ୍କାଲେଟର। ଷ୍ଟେସନ୍‌କୁ ଅନେକ ବୟସ୍କ ଓ ଛୋଟ ପିଲା ଆସୁଥିବାରୁ ସେମାନଙ୍କ ପକ୍ଷେ ଶିଡ଼ି ଚଢ଼ିବା ସମ୍ଭବପର ହେଉ ନଥିବାରୁ ଏସ୍କାଲେଟର ନିର୍ମାଣ ହୋଇଥିଲା। ଏବେ ଏହା ଅଚଳ ହୋଇପଡ଼ିଥିବାରୁ ଯାତ୍ରୀଙ୍କ ଏକମାତ୍ର ଭରସା ପାଲଟିଛି ଲିଫ୍ଟ। ‌ତେବେ ଲିଫ୍ଟରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଲୋକ ଯିବାର ବ୍ୟବସ୍ଥା ରହିଛି। ତେଣୁ ବହୁ ଯାତ୍ରୀ କୌଣସି ଉପାୟ ନ ପାଇ ଶିଡ଼ିରେ ଚଢ଼ି ଯିବାକୁ ଶ୍ରେୟ ମଣୁଛନ୍ତି। ସେହିପରି ଏକ ନମ୍ବର ପ୍ଲାଟ୍‌ଫର୍ମ ପାଖ ଫୁଟ୍‌ ଓଭର୍ ବ୍ରିଜ୍‌ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ତାହାକୁ ବନ୍ଦ କରି ଦିଆଯାଇଛି। ଯେଉଁଥିପାଇଁ ବାକି ଫୁଟ୍‌ଓଭର ବ୍ରିଜ୍‌ରେ ଯାତ୍ରୀଙ୍କ ଭିଡ଼ ପରିଲକ୍ଷିତ ହେଉଛି। ମାସ ମାସ ଧରି ଏମିତି ଚାଲିଥିଲେ ମଧ୍ୟ ରେଳ ବିଭାଗ ଏକଦମ୍‌ ବେଫିକର।

ସମ୍ବନ୍ଧିତ ଖବର