କରୋନା ମୁକାବିଲା ଏମିତି : ହେଲ୍‌ପ ଡେସ୍କରେ ସୀମିତ ଭୁବନେଶ୍ବର ରେଳ ଷ୍ଟେସନ୍‌

ରାଜ୍ୟ ବାହାରୁ ଆସୁଛନ୍ତି ହଜାର, ହଜାର ଯାତ୍ରୀ, ରାଜ୍ୟ ସରକାରଙ୍କୁ ସହାୟତା ମାଗିଲା ପୂର୍ବତଟ ରେଳପଥ

ଭୁବନେଶ୍ବର : କରୋନା ଭୂତାଣୁ ବିଶ୍ବ ପାଇଁ ବିପଦ ସୃଷ୍ଟି କରିଥିବା ବେଳେ ଓଡ଼ିଶାରେ ସତର୍କଘଣ୍ଟି ବାଜି ସାରିଛି। ଇଟାଲି ଫେରନ୍ତା ଭୁବନେଶ୍ବର ଯୁବକ କରୋନାରେ ଆକ୍ରାନ୍ତ ଜଣାପଡ଼ିବା ପରେ ଭୁବନେଶ୍ବର ରେଳ ଷ୍ଟେସନ୍‌ରେ କି’ ପଦକ୍ଷେପ ନିଆଯାଇଛି, ତାହା ଜାଣିବା ପାଇଁ ‘ସମ୍ବାଦ’ ପକ୍ଷରୁ ଅନୁସନ୍ଧାନ କରାଯାଇଥିଲା। କାରଣ କରୋନାରେ ଆକ୍ରାନ୍ତ ହୋଇଥିବା ଯୁବକ ଇଟାଲିରୁ ଦିଲ୍ଲୀରେ ପହଞ୍ଚିବା ପରେ ଟ୍ରେନ୍‌ ଯୋଗେ ଭୁବନେଶ୍ବରରେ ପହଞ୍ଚିଥିଲେ। ୪ଦିନ ପରେ ସେ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ଥିବା ଜଣା ପଡ଼ିଥିଲା। ଆକ୍ରାନ୍ତ ଯୁବକ ଯେଉଁ ଯାତ୍ରୀମାନଙ୍କ ସହ ଦିଲ୍ଲୀରୁ ଭୁବନେଶ୍ବର ପର୍ଯ୍ୟନ୍ତ ଯାତ୍ରା କରିଥିଲେ, ସେମାନଙ୍କର ସ୍ଥିତି କ’ଣ, କହିବା ମୁସ୍କିଲ। ରାଜ୍ୟ ବାହାରୁ ପ୍ରତିଦିନ ହଜାର ହଜାର ଯାତ୍ରୀ ଭୁବନେଶ୍ବର ରେଳ ଷ୍ଟେସନ୍‌କୁ ଆସୁଛନ୍ତି। କିନ୍ତୁ ଏଠାରେ ସ୍କ୍ରିନିଂର କୌଣସି ବ୍ୟବସ୍ଥା ନାହିଁ। କେବଳ ୧ ନମ୍ବର ପ୍ଲାଟଫର୍ମ ଫାଟକ ନିକଟରେ ହେଲପ୍ ଡେସ୍କରେ ସୀମିତ ହୋଇରହିଛି କରୋନା ମୁକାବିଲା।

ଯାତ୍ରୀମାନେ ଏକତ୍ରିତ ହୋଇ ଆସୁଥିବା ବେଳେ ଏକାଠି ବସୁଥିବା ଦେଖିବାକୁ ମିଳିଛି। ଟ୍ରେନ୍‌ ବଗିରେ ବି ଏକାଠି ବସି ଯାତ୍ରା କରୁଛନ୍ତି। ରେଳ ଷ୍ଟେସନରେ ଏକା ସାଙ୍ଗରେ ବୁଲୁଥିବା ଓ ଗୋଟିଏ ଜାଗାରେ ଖାଦ୍ୟ, ପାନୀୟ ସେବନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଷ୍ଟେସନ ଭିତରେ ସେଭଳି କିଛି ସତର୍କତାମୂଳକ ପାଟ୍ରୋଲିଂ ବ୍ୟବସ୍ଥା ନ ଥିବା ଦେଖିବାକୁ ମିଳିଛି। ସଚେତନତା ବାର୍ତ୍ତା ମଧ୍ୟ ଦିଆଯାଉ ନାହିଁ। ଦିଲ୍ଲୀ, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ଭଳି ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କୁ ପରୀକ୍ଷା କରିବା ଲାଗି କୌଣସି ବ୍ୟବସ୍ଥା ମଧ୍ୟ ନାହିଁ। ହେଲପ୍‌-ଡେସ୍କ ନିକଟକୁ ଆସି ଯେଉଁମାନେ ହ୍ୟାଣ୍ଡଵାସ୍ ମାଗୁଛନ୍ତି, କେବଳ ସେମାନଙ୍କୁ ମିଳୁଛି। ସେହିପରି ଯେଉଁମାନେ ସନ୍ଦିଗ୍ଧ କିମ୍ବା ଥଣ୍ଡା, କାଶ, ଜ୍ବରରେ ଆକ୍ରାନ୍ତ ଥିବେ, ସେମାନେ ହେଲ୍‌ପ-ଡେସ୍କ ନିକଟରେ ଅଭିଯୋଗ କଲେ, ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ବ୍ୟବସ୍ଥା କରାଯିବ। କିନ୍ତୁ ରେଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସେଭଳି କିଛି ବ୍ୟବସ୍ଥା କରାଯାଇନାହିଁ। କରୋନା ପାଇଁ ସାରା ଦେଶରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ରେଳପଥ କର୍ତ୍ତୃପକ୍ଷ କାହିଁକି ଏହାକୁ ଏତେ ହାଲୁକା ଭାବେ ଗ୍ରହଣ କରିଛନ୍ତି, ବଡ଼ ବଡ଼ ରେଳ ଷ୍ଟେସନରେ କାହିଁକି ସ୍ବତନ୍ତ୍ର ପଦକ୍ଷେପ ନିଆ ଯାଇନାହିଁ, ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ରାଜ୍ୟ ସରକାରଙ୍କୁ ସହାୟତା ମାଗିଲା ପୂର୍ବତଟ ରେଳପଥ
ଯାତ୍ରୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ ଲାଗି ରାଜ୍ୟ ସରକାରଙ୍କୁ ସହାୟତା ମାଗିଛି ପୂର୍ବତଟ ରେଳପଥ। ରାଜ୍ୟ ସରକାର ଯଦି ଡାକ୍ତର ଯୋଗାଇ ଦିଅନ୍ତି, ତା’ ହେଲେ ସବୁ ଭିତ୍ତିଭୂମି ଯୋଗାଇ ଦିଆଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି। ଏ ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖି ମଧ୍ୟ ଜଣାଇଛି। ସେହିପରି ଥର୍ମାଲ୍‌ ସ୍କ୍ରିନିଂ ପାଇଁ ନିଷ୍ପତ୍ତି ହୋଇସାରିଛି। ଇନଫ୍ରାରେଡ୍ ଥର୍ମୋମିଟର୍‌ ଆସିବା ପରେ ଖୁବ୍‌ଶୀଘ୍ର ଏହି ସେବା ଆରମ୍ଭ କରାଯିବ। ଟ୍ରେନ୍ କୋଚ୍ ଏବଂ ପାଇଖାନାକୁ ଯଥାସମ୍ଭବ ନିୟମିତ ବ୍ୟବଧାନରେ ପରିଷ୍କାର କରାଯାଉଛି। ଟିକେଟ୍‌ ବୁକିଂ ଓ ରିଜର୍ଭେସନ କାଉଣ୍ଟର୍‌ଗୁଡ଼ିକ ପରିଷ୍କାର ପରିଚ୍ଛନ୍ନ ରଖାଯାଉଛି। ପୂର୍ବତଟ ରେଳପଥ ଅଧୀନରେ ଆସୁଥିବା ସମସ୍ତ ୩ଟି ରେଳ ମଣ୍ଡଳରେ କ୍ବାରେଣ୍ଟିନ୍‌ ବ୍ୟବସ୍ଥା ମଧ୍ୟ କରାଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର