ଭୁବନେଶ୍ୱର ରେଳ ଷ୍ଟେସନକୁ ମଲ୍ଟିମୋଡାଲ୍‌ ହବ୍‌ କରିବା ଯୋଜନା : ସ୍ୱାକ୍ଷର ହୋଇପାରିଲାନି ଏମ୍‌ଓୟୁ

ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନକୁ ଦିଆଯିବ ଅତ୍ୟାଧୁନିକତାର ଛାପ। ରେଳ ଷ୍ଟେସନ ସହିତ ବହୁମୁଖୀ ଟ୍ରାନ୍‌ଜିଟ୍‌ ହବ୍‌, ବସ୍‌ ଟର୍ମିନାଲ୍‌ ଏବଂ ବହୁତଳ ପାର୍କିଂ ବ୍ୟବସ୍ଥା ସହିତ ଆହୁରି ଅନେକ ସୁବିଧା ସୁଯୋଗ ରହିବ। ଏନେଇ ଆଜି ସଚିବାଳୟର ତୃତୀୟ ମହଲାରେ ଥିବା ସମ୍ମିଳନୀ କକ୍ଷରେ ରାଜ୍ୟ ସରକାର ଓ ପୂର୍ବତଟ ରେଳପଥ ମଧ୍ୟରେ ଏକ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ୱାକ୍ଷର ହେବାର ଥିଲା। ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଥାଆନ୍ତା। ମାତ୍ର ହଠାତ୍‌ କାର୍ଯ୍ୟକ୍ରମକୁ ବାତିଲ୍‌ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସ୍ୱାସ୍ଥ୍ୟ ଅଚାନକ୍‌ ଖରାପ ହୋଇଯିବାରୁ କାର୍ଯ୍ୟକ୍ରମ ବାତିଲ୍‌ କରାଗଲା ବୋଲି ରେଳବାଇ କର୍ତୃପକ୍ଷ କହିଛନ୍ତି। ମାତ୍ର ରେଳ ବିଭାଗ ସହିତ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଏମ୍‌ଓୟୁ ସଂପର୍କରେ କେନ୍ଦ୍ର ସରକାରଙ୍କୁ ଅନ୍ଧାରରେ ରଖିଥିବା ଦର୍ଶାଇ ବିଜେପିର ରାଜ୍ୟ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରୁ ଶେଷ ମୁହୂର୍ତରେ ରେଳବାଇ ଅଧିକାରୀଙ୍କୁ ଓହରି ଯିବାକୁ ବାଧ୍ୟ କରିଥିବା ଚର୍ଚା ହେଉଛି। ତେବେ ଏହାକୁ ପୂର୍ବତଟ ରେଳ କର୍ତୃପକ୍ଷ ଖଣ୍ଡନ କରିଛନ୍ତି ଏବଂ ଖୁବଶୀଘ୍ର ଏମ୍‌ଓୟୁ ସ୍ୱାକ୍ଷର ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର