ଭୁବନେଶ୍ୱର ରେଳ ଷ୍ଟେସନ୍‌ ଉନ୍ନତୀକରଣ ଅଡ଼ୁଆ ତୁଟିଲା, ୮୦ମିଟର ଉଚ୍ଚ ଆଇକନିକ୍‌ ଟାୱାର ପାଇଁ ଅନୁମତି ଦେଲା ଏଏଆଇ

ଖୁବ୍‌ ଶୀଘ୍ର ଟେଣ୍ଡର୍‌ ଆହ୍ବାନ

ଭୁବନେଶ୍ୱର : ‌ଭୁବନେଶ୍ୱର ରେଳ ଷ୍ଟେସନ ଉନ୍ନତୀକରଣ ନେଇ ଥିବା ସବୁ ଅଡ଼ୁଆ ତୁଟିଛି। କରୋନା ପାଇଁ ବିଭିନ୍ନ ପ୍ରକଳ୍ପ କାମ ଆରମ୍ଭ ହୋଇପାରୁନଥିବାବେଳେ ଏବେ ରାଜ୍ୟ ସରକାରଙ୍କ ପାଇଁ ଖୁସି ଖବର ଆସିଛି। ଷ୍ଟେସନରେ ବିଡିଏ ପକ୍ଷରୁ ହେବାକୁ ଥିବା ୮୦ମିଟର ଉଚ୍ଚାର ଆଇକନିକ୍ ବିଲ୍‌ଡିଂ ପାଇଁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଅନୁମତି ଦେଇଛନ୍ତି। ଏବେ ଜମି ଅଧିଗ୍ରହଣ ସହ ସମସ୍ତ ଆନୁଷଙ୍ଗିକ ଉଚ୍ଛେଦ ଶେଷ ହୋଇଥିବାବେଳେ ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ଓ ରେଳ ମନ୍ତ୍ରଣାଳୟ ମଧ୍ୟରେ ବି ଏମ୍‌ଓୟୁ ହୋଇଛି। ତେଣୁ ଖୁବ୍‌ ଶୀଘ୍ର ବିଡିଏ ଏହି ପ୍ରକଳ୍ପ ନେଇ ଟେଣ୍ଡର ଆହ୍ବାନ କରିବ ବୋଲି ଜଣାପଡ଼ିଛି।

ରେଳ ଷ୍ଟେସନ ଉନ୍ନତୀକରଣ ନେଇ ପ୍ରାୟ ଦେଢ଼ ବର୍ଷ କାଳ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଟଣାଓଟରା ଚାଲିବା ପରେ ସେପ୍ଟେମ୍ବର ୧୯, ୨୦୧୯ରେ ଏନେଇ ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲା। ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଓ ବିଡିଏ ମଧ୍ୟରେ ନୂଆଦିଲ୍ଲୀରେ ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲା। ସବୁ ବିବାଦର ଅନ୍ତ ହୋଇଯାଇଥିବାରୁ ରେଳ ଷ୍ଟେସନ ଉନ୍ନତୀକରଣରେ ଆଉ କିଛି ସମସ୍ୟା ରହିବନି ବୋଲି କୁହାଯାଇଥିଲା। ହେଲେ ରେଳ ଷ୍ଟେସନରେ ନିର୍ମାଣ ହେବାକୁ ଥିବା ଭୁବନେଶ୍ବର ଟାଉନ୍ ସେଣ୍ଟର ବିଲ୍‌ଡିଂ ବା ଆଇକନିକ୍ ବିଲ୍‌ଡିଂ ନିର୍ମାଣ ନେଇ ଡିଜାଇନ୍ ଚୂଡ଼ାନ୍ତ ହୋଇନପାରିବାରୁ ଟେଣ୍ଡର ଆହ୍ବାନ ହୋଇପାରିନଥିଲା। ଏହି ଆଇକନିକ୍‌ ଟାୱାରର ଉଚ୍ଚତା ୮୦ମିଟର କରିବାକୁ ବିଡିଏ ଡିଜାଇନ୍ ପ୍ରସ୍ତୁତ କରିଥିବାବେଳେ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ କିନ୍ତୁ ୪୦ମିଟର ଉଚ୍ଚତା ପାଇଁ ଏନ୍‌ଓସି ଦେଇଥିଲେ। ହେଲେ ରାଜ୍ୟ ସରକାର ୮୦ମିଟର ଉଚ୍ଚାର ଟାୱାର ନିର୍ମାଣ କରିବା ଜିଦ୍‌ରେ ଥିବାରୁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଚିଠି ଲେଖିଥିଲା। ଏହାପରେ ମାର୍ଚ୍ଚ ୨ରେ ଏଏଆଇର ତିନି ଜଣିଆ ଟିମ୍‌ ଆସି ରେଳ ଷ୍ଟେସନରେ ହେବାକୁ ଥିବା ଟାୱାର ଅଞ୍ଚଳ ସର୍ଭେ କରିଥିଲେ। ଏହି ରୁଟ୍‌ରେ ବିମାନ ଚଳାଚଳ କରୁଥିବାରୁ ବିମାନବନ୍ଦରରୁ ଏହି ଅଞ୍ଚଳର ଆକାଶମାର୍ଗରେ ଦୂରତା କେତେ, ବିମାନ କେତେ ଉଚ୍ଚରେ ଉଡ଼ୁଛି, ବିମାନ ଉଡ଼ୁଥିବା ଉଚ୍ଚତା ଏବଂ ଏହି କୋଠାର ଉଚ୍ଚତା ମଧ୍ୟରେ କେତେ ଦୂରତା ରହିବ, ବିମାନ ରୁଟ୍‌ ବଦଳିପାରିବ କି ନାହିଁ, ଯଦି ବଦଳିବ କେଉଁ ରୁଟ୍‌ରେ ବିମାନ ଉଡ଼ାଣ କରିବ ସେନେଇ ସ୍ଥିତି ସମୀକ୍ଷା କରିବା ପରେ ଏଏଆଇକୁ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେଇଥିଲେ। ଏହାପରେ ଏଏଆଇ ୮୦ମିଟର ଉଚ୍ଚତା ବିଶିଷ୍ଟ ଆଇକନିକ୍ ଟାୱାର ନିର୍ମାଣ ପାଇଁ ସବୁଜ ସଂକେତ ଦେଇଛି। ଏହାସହ କିପରି ନିର୍ମାଣ କାର୍ଯ୍ୟ ହେବ, କିପରି ଏହି ଟାୱାର ପାଇଁ ବିମାନ ଚଳାଚଳ ପ୍ରଭାବିତ ହେ‌ବ ନାହିଁ ସେନେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ କହିଛି।

ମିଳିଥିବା ସୂଚନା ଅନୁଯାୟୀ, ମେ ୨୬, ୨୦୨୦‌ରେ ଏଏଆଇର ଆପିଲିଏଟ୍‌ କମିଟିର ବୈଠକ ବସିଥିଲା। ଏଥିରେ ତିନି ଜଣିଆ ଟିମ୍ କରିଥିବା ସର୍ଭେ ରିପୋର୍ଟ ଉପରେ ଆଲୋଚନା ହେବା ପରେ ଏହାକୁ ମଞ୍ଜୁରି ମିଳିଛି। ଏନେଇ ଜୁଲାଇ ୧ରେ ବିଡିଏ କର୍ତ୍ତୃପକ୍ଷଙ୍କୁ ସ୍ପିଡ୍‌ ପୋଷ୍ଟ ଯୋଗେ ଜଣାଯାଇଛି। ଏଏଆଇ ପକ୍ଷରୁ କୁହାଯାଇଛି ଯେ, ଅଶୋକ ନଗର ମୌଜାର ପ୍ଲଟ୍‌ ନଂ ୯୧, ୯୭, ୧୪୧, ୧୪୮ ଏବଂ ୧୪୯ରେ ହେବାକୁ ଥିବା ରେଳ ଷ୍ଟେସନ ଉନ୍ନତୀକରଣ କାମ ଏବଂ ଆଇକନିକ୍‌ ଟାୱାର ପାଇଁ ସମୁଦ୍ର ପତନ ଠାରୁ ୧୨୦ମିଟର ଉଚ୍ଚତା ପର୍ଯ୍ୟନ୍ତ ନିର୍ମାଣ ପାଇଁ ଅନୁମତି ଦିଆଯାଇଛି।

ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳଟି ସମୁଦ୍ର ପତନରୁ ୪୦ମିଟର ଉଚ୍ଚରେ ଥିବାରୁ ଏହାକୁ ମିଶାଇ ୧୨୦ମିଟର ଉଚ୍ଚତା ପର୍ଯ୍ୟନ୍ତ ଟାୱାର ନିର୍ମାଣ ହେବ। ଅର୍ଥାତ୍ ୮୦ମିଟର ଉଚ୍ଚତାର ଆଇକନିକ୍ ଟାୱାର ନିର୍ମାଣ ହୋଇପାରିବ। ଏହାବାଦ୍‌ ଉନ୍ନତୀକରଣରେ ହେବାକୁ ଥିବା କୋଠାର ଉଚ୍ଚତା ସମୁଦ୍ର ପତନ ଠାରୁ ୮୭.୩୭ମିଟର ରହିବ। ଅର୍ଥାତ୍ ୪୭.୩୭ମିଟର ଉଚ୍ଚତା ବିଶିଷ୍ଟ ହେବ।

ଏହି କୋଠା ଆଗାମୀ ଦିନରେ ବିମାନ ଚଳାଚଳ ଉପରେ ପ୍ରଭାବ ପକାଇବାର ଥିବାରୁ ଏନେଇ ତୁରନ୍ତ ଭୁବନେଶ୍ବର ବିମାନବନ୍ଦରକୁ ଜଣାଇବାକୁ କୁହାଯାଇଛି। କିପରି ପାଇଲଟ୍‌ମାନେ ବିମାନ ଉଡ଼ାଣ ସମୟରେ କୌଣସି ସମସ୍ୟାରେ ପଡ଼ିବେନି ସେ ବ୍ୟବସ୍ଥା କରାଯିବ। ଆଇକନିକ୍ ଟାୱାର ନିର୍ମାଣ ସମୟରେ ସର୍ବାଧିକ କେତେ ମିଟର ଉଚ୍ଚତା ବିଶିଷ୍ଟ କ୍ରେନ୍‌ ବ୍ୟବହାର ହୋଇପାରିବ ତାହା ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଜଣାଇବେ। ଏନେଇ ବିମାନ ବନ୍ଦର ନିର୍ଦ୍ଦେଶକଙ୍କ ଠାରୁ ଅନୁମତି ଆଣିବେ। ଏହାସହ କାମ ଚାଲିଥିବା ସମୟରେ ଏବଂ ଟାୱାର ନିର୍ମାଣ ଶେଷ ହେବା ପରେ ଦିନବେଳା କିପରି ଏଠାରେ ଉଚ୍ଚ ଟାୱାର ଅଛି ବୋଲି ପାଇଲଟ୍‌ ଜାଣିପାରିବେ ଏବଂ ରାତିରେ ଲାଇଟ୍‌ ଲଗାଇବା ବ୍ୟବସ୍ଥା ବିଡିଏ ନିଶ୍ଚିତ କରିବ।

ଡେଡ୍‌ଲାଇନ୍‌ଠାରୁ ୯ ମାସ ବିଳମ୍ବ ହେଲାଣି
ବିଡିଏ ଓ ପୂର୍ବତଟ ରେଳପଥ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ, ନଭେମ୍ବର, ୨୦୧୯ ସୁଦ୍ଧା ବିଡିଏ ଡିଜାଇନ୍ ଚୂଡ଼ାନ୍ତ କରିବ। ଜାନୁଆରି, ୨୦୨୦ ସୁଦ୍ଧା ଡିପିଆର୍‌ ପ୍ରସ୍ତୁତ ହେବାର ଥିଲେ ହେଁ ଏହା ଏପର୍ଯ୍ୟନ୍ତ ହୋଇପାରିନି। ମାର୍ଚ୍ଚ, ୨୦୨୦ରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବାକୁ ଚୁକ୍ତି ସମୟରେ ନିଷ୍ପତ୍ତି ହୋଇଥିଲେ ହେଁ ଡିଜାଇନ୍ ପ୍ରସ୍ତୁତ ହୋଇନଥିବାରୁ ଏବଂ ଡିପିଆର୍ ‌େହାଇନଥିବାରୁ ଟେଣ୍ଡର ପ୍ରକ୍ରିୟା ବି ଆରମ୍ଭ ହୋଇପାରିନି। ରେଳ ଷ୍ଟେସନ୍ ଉନ୍ନତୀକରଣ ନେଇ ଟେଣ୍ଡର ପ୍ରକ୍ରିୟା ଶେଷ କରି ଜୁନ୍, ୨୦୨୦ ସୁଦ୍ଧା ନିର୍ମାଣକାରୀ ସଂସ୍ଥା ସହ ଚୁକ୍ତି ସ୍ବାକ୍ଷର କରିବାକୁ ବିଡିଏ ଯୋଜନା କରିଥିଲା। ଏହାସହ ଅଗଷ୍ଟ, ୨୦୨୦ରେ ଲୋକଙ୍କ ପାଇଁ ଭିତ୍ତିଭୂମି କାର୍ଯ୍ୟ ଆରମ୍ଭ ହେବ ଏବଂ ଏହା ୩୦ ମାସରେ ସରିବ। ପିପିପି ମୋଡରେ ମଲ୍ଟିମୋଡାଲ ରେଳ ଷ୍ଟେସନ ଉନ୍ନତୀକରଣ ଏବଂ ଆଇକନିକ୍ ବିଲ୍‌ଡିଂ ନିର୍ମାଣ କାର୍ଯ୍ୟ ଫେବ୍ରୁଆରି ୨୦୨୧ରେ ଆରମ୍ଭ କରିବାକୁ ଯୋଜନା ହୋଇଥିଲା। ସମସ୍ତ କାର୍ଯ୍ୟ ୪ବର୍ଷରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପିପିପି ପ୍ରକଳ୍ପ ପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ ୮୪୦କୋଟି ପୁଞ୍ଜିନିବେଶ କରିବାକୁ ଲକ୍ଷ୍ୟ ରଖିଛି।

ରେଳ ଷ୍ଟେସନ ମଲ୍ଟିମୋଡାଲ ହବ୍ କିପରି ହେବ
ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ଏହି ରେଳ ଷ୍ଟେସନ୍ ମଲ୍ଟି ମୋଡାଲ୍ ହବ୍ ଯୋଜନା ହୋଇଥିବା ବେଳେ ଏହି ପ୍ରକଳ୍ପକୁ ବିଡିଏ ନିର୍ମାଣ କରିବ। ଏହି ପ୍ରକଳ୍ପ ପାଇଁ ରେଳ ମନ୍ତ୍ରଣାଳୟ ୭୦କୋଟି ଖର୍ଚ୍ଚ କରିବାକୁ ଥିବା ବେଳେ ଓଡ଼ିଶା ସରକାର ୬୦କୋଟି ଖର୍ଚ୍ଚ କରିବେ। ସାଧାରଣ ପ୍ରଶାସନ ବିଭାଗ ଓ ବିଡିଏ ଜମିରେ ଏହି ମଲ୍ଟିମୋଡାଲ ହବ୍‌ ନିର୍ମାଣ ହେବ। ଏଠାରେ ରେଳ ଷ୍ଟେସନ ପାଇଁ ନୂତନ ଟର୍ମିନାଲ ବିଲ୍‌ଡିଂ, ସିଟି ବସ୍‌ ଟର୍ମିନାଲ, ପବ୍ଲିକ କାର୍‌ ପାର୍କିଂ ଏବଂ ମାଷ୍ଟରକ୍ୟାଣ୍ଟିନ ପାର୍ଶ୍ବରୁ ପୁରୁଣା ଷ୍ଟେସନ ବଜାରକୁ ସଂଯୋଗ କରି ରେଳ ପ୍ଲାଟଫର୍ମ ଉପରେ ଏକ କନକୋର୍ସ ନିର୍ମାଣ କରାଯିବ। ରେଳବାଇ ଓ ରାଜ୍ୟ ସରକାରଙ୍କ ଜମିରେ ନୂତନ ଷ୍ଟେସନ ବିଲ୍‌ଡିଂ, ଆଉ ଦୁଇଟି ନୂଆ ପ୍ଲାଟଫର୍ମ ହେବ। ଏହି ୫ମହଲା ବିଶିଷ୍ଟ ବିଲ୍‌ଡିଂର ତଳ ମହଲା ସହିତ ପ୍ରଥମ ଦୁଇ ମହଲାକୁ ରେଳବାଇ ବ୍ୟବହାର କରିବ। ରେଳବାଇକୁ ମୋଟ୍‌ ୧.୭୪ଲକ୍ଷ ବର୍ଗଫୁଟ ଅଞ୍ଚଳ ମିଳିବ। ଏହାସହ ଭୁବନେଶ୍ବର ରେଳ ଷ୍ଟେସନର ସମ୍ପ୍ରସାରଣ ହେବ। ଦୁଇଟି ଅତିରିକ୍ତ ରେଳଲାଇନ୍ ସହ ପ୍ଲାଟଫର୍ମ, ପୂର୍ଣ୍ଣ କଭରସେଡ୍‌ ଥାଇ ଗୋଟିଏ ପ୍ଲାଟଫର୍ମ, ଫୁଟ୍‌ ଓଭରବ୍ରିଜ୍‌ର ସମ୍ପ୍ରସାରଣ ଏବଂ ଯାତ୍ରୀ ବିଶ୍ରାମାଗାର ନିର୍ମାଣ କରାଯିବ। ୧୩୦କୋଟିର ପ୍ରକଳ୍ପ ୩ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର