ଭୁବନେଶ୍ବର: ଭୁବନେଶ୍ବର ରେଳ ଷ୍ଟେସନର ପୁନଃବିକାଶ ପାଇଁ ଭିତ୍ତିପ୍ରସ୍ତର ପଡ଼ିଛି। ତିନି କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଓଡ଼ିଶାର ବହୁ ପ୍ରତୀକ୍ଷିତ ଏହି ପ୍ରକଳ୍ପର ବିକାଶର ନକ୍ସା ପ୍ରସ୍ତୁତ ହୋଇଛି। ୩୮୦ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ଏହି ଷ୍ଟେସନ ଆସନ୍ତା ୨୪ ମାସ ଅର୍ଥାତ୍‌ ୨୦୨୫ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ରେଳ ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛି। ବିଶ୍ବସ୍ତରୀୟ ହେବାକୁ ଥିବା ଏହି ଷ୍ଟେସନରେ ବିମାନବନ୍ଦର ପରି ସୁବିଧା ଉପଲବ୍ଧ ହେବ। ରେଳ ଷ୍ଟେସନ୍‌ର ଦୁଇପାର୍ଶ୍ବ ଯଥା ମାଷ୍ଟରକ୍ୟାଣ୍ଟିନ ଓ କଟକ ରୋଡ ପାର୍ଶ୍ବରେ ଥିବା ପ୍ରବେଶ ପଥର ବିକାଶ କରାଯିବ। ଉଭୟ ପାର୍ଶ୍ବରେ ଷ୍ଟେସନ ଭିତରକୁ ପ୍ରବେଶ ଲାଗି ଦୁଇଟି ବାଟ ରହିବ ଏବଂ ବାହାରକୁ ଆସିବା ଲାଗି ଯାତ୍ରୀଙ୍କ ଲାଗି ଗୋଟିଏ ବାଟ ରହିବ। ଷ୍ଟେସନ୍‌ରେ ଦୈନିକ ଯେପରି ୧ ଲକ୍ଷ ୪୩ ହଜାର ୪୫ଜଣ ରେଳଯାତ୍ରୀ ଚଳପ୍ରଚଳ ହୋଇପାରିବେ, ସେନେଇ ସୁବିଧା ଉପଲବ୍ଧ ରହିବ। ଏଥିସହ ପ୍ରତିଦିନ ଷ୍ଟେସନ୍‌ରୁ ୭୭ହଜାର ୫୮୧ଜଣଙ୍କ ଯିବା ଲାଗି ବ୍ୟବସ୍ଥା ହେବ।

Advertisment

ମୁଖ୍ୟ ପ୍ରବେଶ ପଥ ବିଲଡିଂ ୧୧ ମହଲା ବିଶିଷ୍ଟ କରାଯିବ। ପ୍ରଥମ ପର୍ଯ୍ୟାୟରେ ଗ୍ରାଉଣ୍ଡ ଫ୍ଲୋର୍‌ ସହ ୪ ମହଲା ହେବ। ପରବର୍ତ୍ତୀ ସମୟ ତଥା ଦ୍ବିତୀୟ ପର୍ଯ୍ୟାୟରେ ୭ ମହଲା ନିର୍ମାଣ କରାଯିବ। ଷ୍ଟେସନ୍‌ର ପୂର୍ବ ପାର୍ଶ୍ବରେ ଗ୍ରାଉଣ୍ଡ ଫ୍ଲୋର୍‌ ସହ ୪ ମହଲା ଓ ଗ୍ରାଉଣ୍ଡ ଫ୍ଲୋର୍‌ ସହ ୬ ମହଲା ବିଶିଷ୍ଟ ଦୁଇଟି ବିଲଡିଂ କରିବାକୁ ‌ରୂପ‌ରେଖ ପ୍ରସ୍ତୁତ ହୋଇଛି। ପ୍ରବେଶ ଓ ପ୍ରସ୍ଥାନ ପଥରେ ଉଚ୍ଚା ସଡ଼କ ରହିବ। ଏକାଧିକ ଫୁଟ୍‌ ଓଭରବ୍ରିଜ୍‌ ଉପଲବ୍ଧ କରାଯିବ। ବିମାନବନ୍ଦର ପରି ଅପେକ୍ଷା ସ୍ଥଳରେ ସିଟ୍‌ଗୁଡ଼ିକ ମଧ୍ୟରେ ଫାଙ୍କା ସ୍ଥାନ ଛଡ଼ାଯିବ। ଲାଉଞ୍ଜ ରହିବ। ବିଭିନ୍ନ ପ୍ରକାର ସାମଗ୍ରୀ ବିକ୍ରି ଲାଗି ଷ୍ଟଲ ମଧ୍ୟ ଖୋଲାଯିବ। ଯିବା ଆସିବା ଲାଗି ୪ଟି ଏକ୍ସାଲେଟର ରହିବ ଏବଂ ସେଠାକୁ ପ୍ରାକୃତିକ ଆଲୋକ ପଡ଼ିବାର ସୁବିଧା ଉପଲବ୍ଧ ହେବ। ପ୍ରବେଶ ପଥରୁ ପ୍ଲାଟଫର୍ମକୁ ଯିବା ଲାଗି ଯୋଗଯୋଗର ରାସ୍ତା ସୁଗମ ହେବ। ଭିଡ଼ ସମୟରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ମଧ୍ୟ ପ୍ରାଥମିକତା ଦିଆଯିବ। ଯାତ୍ରୀଙ୍କୁ ସୂଚନା ଦେବା ଲାଗି ବିମାନବନ୍ଦର ପରି ଡିସ୍‌ପ୍ଲେ ବୋର୍ଡ ଲାଗିବ। ଦିବ୍ୟାଙ୍ଗଙ୍କ ପାଇଁ ଯିବା ଆସିବା ଲାଗି ସୁବିଧା କରାଯିବ। ଷ୍ଟେସନ ଭିତରେ ରେଲୱେ ଅଫିସ୍‌, ପ୍ଲାଟଫର୍ମ, ଫୁଟ୍‌ ଓଭରବ୍ରିଜ୍‌, ରେଲୱେ ୟାର୍ଡ, ଆରପିଏଫ୍‌ ବାରାକ୍‌ସ, ରେଲୱେ କ୍ବାଟର୍ସ, ଗେଷ୍ଟ ହାଉସ୍‌, ପ୍ରଶାସନିକ କାର୍ଯ୍ୟାଳୟ, ପାର୍ସଲ ଅଫିସ୍‌ ଆଦି ରହିବ। ଆଜି ଏହି ପ୍ରତିକ୍ଷୀତ ପ୍ରକଳ୍ପର ଭିତ୍ତିପ୍ରସ୍ତର ପଡ଼ିବା ପରେ ଓଡ଼ିଶାବାସୀ ଏକ ବିଶ୍ବସ୍ତରୀୟ ରେଳଷ୍ଟେସନର ଫାଇଦା ପାଇବେ।

କାମ ୫ବର୍ଷ ବିଳମ୍ବ ହୋଇଗଲା: ଅନନ୍ତ
ମଞ୍ଚରେ ଭାଷଣ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ବାରମ୍ବାର ବିଧାୟକ ଅନନ୍ତ ନାରାୟଣ ଜେନା (ବୁନୁ ବାବୁ)ଙ୍କ ନାଁ ନେଇଥିଲେ। ମାତ୍ର ଅନନ୍ତଙ୍କୁ ମଞ୍ଚ ଉପରେ କହିବାକୁ ସୁଯୋଗ ନ ମିଳିବାରୁ କୌଣସି ଉତ୍ତର ଦେଇପାରି ନ ଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପରେ ବିଧାୟକ ଶ୍ରୀ ଜେନା ଗଣମାଧ୍ୟମକୁ କହିଥିଲେ ଯେ କାମ ୫ବର୍ଷ ବିଳମ୍ବ ହୋଇଗଲା। ଆହୁରି ଆଗରୁ ହେବାର ଥିଲା। କେନ୍ଦ୍ର ସରକାରଙ୍କ ଅବହେଳା ଲାଗି ଏଭଳି ସମସ୍ୟା ହୋଇଛି। ତଥାପି ଶୀଘ୍ର ହେବ ବୋଲି ଆଶା। କେନ୍ଦ୍ରୀୟ ଅବହେଳା ହେଉଛି କି ନାହିଁ ତର୍ଜମା କଲେ ଜଣାପଡ଼ିବ।

ସୁର ଅାସିଲେ, ଅଧାରୁ ଚାଲିଗଲେ
ନିମନ୍ତ୍ରଣପତ୍ରରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନାମ ନ ଥିଲେ ମଧ୍ୟ ତାଙ୍କୁ ମଞ୍ଚରେ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମ ଆରମ୍ଭ ହେବାର ବହୁ ପୂର୍ବରୁ ଆସି ଉପସ୍ଥିତ ଥିଲେ ଏବଂ ତିନି କେନ୍ଦ୍ରମନ୍ତ୍ରୀଙ୍କ ସହ ମଞ୍ଚକୁ ଚଢ଼ିଥିଲେ। ମାତ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଭାଷଣ ଦେବା ସମୟରେ ହଠାତ୍‌ ଉଠି ପଡ଼ି କୁଣ୍ଢାଇ ପକାଇ ଶ୍ରୀଲିଙ୍ଗରାଜଙ୍କ ନାମରେ ଟ୍ରେନ୍‌ ଚଲାଇବାକୁ ଦାବି ଜଣାଇଥିଲେ। ଏହାପରେ ମଞ୍ଚ ଛାଡ଼ି ଚାଲିଯାଇଥିଲେ।

ଆସିଲେନି ଅଶୋକ ଓ ଟୁକୁନି, ଅନନ୍ତଙ୍କୁ କହିବାକୁ ଦେଲେନି

ଭିତ୍ତିପ୍ରସ୍ତର ସ୍ଥାପନ ଲାଗି ପ୍ରସ୍ତୁତ ନିମନ୍ତ୍ରଣପତ୍ରରେ ବିଶିଷ୍ଟ ଅତିଥି ଭାବେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ଟୁକୁନି ସାହୁ, ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ ଅ‌ନନ୍ତ ନାରାୟଣ ଜେନାଙ୍କ ନାମ ଉଲ୍ଲେଖ ହୋଇଥିଲା। ପୂର୍ବାହ୍ନ ୯ଟା ୩୦ରେ ଭିତ୍ତିପ୍ରସ୍ତର ସ୍ଥାପନ ହେବ ବୋଲି ମଧ୍ୟ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀ ଶ୍ରୀ ପଣ୍ଡା ଓ ଶ୍ରୀମତୀ ସାହୁ ଅନୁପସ୍ଥିତ ରହିଥିଲେ। ପାଖାପାଖି ୭ ମିନିଟ୍‌ ବିଳମ୍ବରେ ବିଧାୟକ ଶ୍ରୀ ଜେନା ପହଞ୍ଚିଥିଲେ ମଧ୍ୟ ତାଙ୍କୁ କହିବାକୁ ସୁଯୋଗ ମିଳି ନ ଥିଲେ। ମଞ୍ଚରେ କେବଳ ଉପସ୍ଥିତ ରହିଥିଲେ।