ଭୁବନେଶ୍ବର ରେଳ ଷ୍ଟେସନ୍‌କୁ ‘ଇଟ୍‌ ରାଇଟ୍‌’ ମାନ୍ୟତା

ଏଫ୍‌ଏସ୍‌ଏସ୍‌ଏଆଇ ଦେଲା ପ୍ରମାଣପତ୍ର

ଭୁବନେଶ୍ବର : ରେଳଯାତ୍ରୀଙ୍କୁ ଉଚ୍ଚମାନର ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ଖୋର୍ଦ୍ଧାରୋଡ୍‌ ଅଧୀନ ଭୁବନେଶ୍ୱର ରେଳଷ୍ଟେସନ୍‌କୁ ‘ଇଟ୍‌ ରାଇଟ୍‌’ ଷ୍ଟେସନ୍‌ ମାନ୍ୟତା ମିଳିଛି। ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ) ଦ୍ୱାରା ନିୟୋଜିତ ଥାର୍ଡ ପାର୍ଟି ଅଡିଟ୍ ଏଜେନ୍ସିର ସର୍ଭେ ପରେ ଭୁବନେଶ୍ୱର ରେଲୱେ ଷ୍ଟେସନ୍‌ ଏହି ମାନ୍ୟତା ହାସଲ କରିଛି। ଭୁବନେଶ୍ୱର ଷ୍ଟେସନ୍‌ ୪ ତାରକା ମୂଲ୍ୟାୟନ ହାସଲ କରିଛି। ଭୁବନେଶ୍ବର ରେଳଷ୍ଟେସନ୍‌ରେ ଥିବା ସମସ୍ତ କ୍ୟାଟରିଂ ଷ୍ଟଲ୍‌ରେ ଖାଦ୍ୟ ଲାଇସେନ୍ସ ପ୍ରମାଣପତ୍ର ଓ ବିକ୍ରେତାଙ୍କ ପାଖରେ ମେଡିକାଲ ଫିଟନେସ୍ ସାର୍ଟିଫିକେଟ୍ ରହିଥିବା ଜଣାପଡ଼ିଛି।

ଭୁବନେଶ୍ୱର ରେଳଷ୍ଟେସନ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଖାଦ୍ୟ ସୁରକ୍ଷା କମିସନର ଯାମିନୀ ଷଡ଼ଙ୍ଗୀ ଆଜି ଖୋର୍ଦ୍ଧାରୋଡ୍‌ ରେଳ ମଣ୍ଡଳର ଡିଭିଜିନାଲ ରେଳ ମ୍ୟାନେଜର୍‌ ରିଙ୍କେଶ ରାୟଙ୍କୁ ଏହି ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ଶ୍ରୀ ରାୟ କହିଛନ୍ତି ଯେ ଖୋର୍ଦ୍ଧାରୋଡ୍‌ ଡିଭିଜନ୍‌ ପାଇଁ ଏହା ଗୌରବର ବିଷୟ। ଭବିଷ୍ୟତରେ ଭୁବନେଶ୍ୱର ଷ୍ଟେସନ୍‌ରେ ଆମର ମୂଲ୍ୟବାନ ଯାତ୍ରୀଙ୍କ ପାଇଁ ସ୍ୱଚ୍ଛତା ଓ ଖାଦ୍ୟ ଗୁଣର ମାନ ବଜାୟ ରଖିବା ପାଇଁ ଅଧିକ ଦାୟିତ୍ବବାନ ହେବାକୁ ପଡ଼ିବ। ପୁରୀ, କଟକ ଓ ଡିଭିଜନ୍‌ର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ୍‌କୁ ‘ଇଟ୍‌ ରାଇଟ୍‌’ ବର୍ଗରେ ଅନ୍ତର୍ଭୁକ୍ତ କରିବା ପାଇଁ ମଧ୍ୟ ପ୍ରୟାସ କରାଯିବ। ରାଜ୍ୟ ସରକାର ଓ ଭାରତୀୟ ରେଳପଥର ମିଳିତ ପ୍ରୟାସରେ ଏହା ସମ୍ଭବ ହୋଇପାରିଛି ବୋଲି ଖାଦ୍ୟ ନିରାପତ୍ତା କମିସନର ଯାମିନୀ ଷଡ଼ଙ୍ଗୀ କହିଛନ୍ତି। ଖାଦ୍ୟ ନିରାପତ୍ତା ନିର୍ଦେଶକ ପି.କେ ମହାପାତ୍ର, ମୁଖ୍ୟ ଚିକିତ୍ସା ଅଧୀକ୍ଷକ (ସିଏମଏସ୍) ବିଜିଏସ୍ ରାଓ, ଖୋର୍ଧାରୋଡ୍‌ ଡିଭିଜନାଲ କମର୍ସିଆଲ୍ ମ୍ୟାନେଜର୍‌ ଅମିତେଶ ଆନନ୍ଦ ପ୍ରମୁଖ ଏହି ଉତ୍ସବରେ ଉପସ୍ଥିତ ଥିଲେ।

ସୂଚନା‌ଯୋଗ୍ୟ ଯେ ‘ଇଟ୍ ରାଇଟ୍ ଷ୍ଟେସନ୍ ପ୍ରମାଣପତ୍ର’ ଇଟ୍ ରାଇଟ୍ ଇଣ୍ଡିଆ ଆନ୍ଦୋଳନର ଏକ ଅଂଶବିଶେଷ। ସମସ୍ତ ଭାରତୀୟଙ୍କ ପାଇଁ ନିରାପଦ, ସୁସ୍ଥ ଓ ନିରନ୍ତର ଖାଦ୍ୟ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏଫ୍‌ଏସ୍‌ଏସ୍‌ଏଆଇ ଦ୍ୱାରା ଭାରତରେ ଖାଦ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଏହା ଏକ ବୃହତ ପ୍ରୟାସ। ଇଟ୍ ରାଇଟ୍ ଇଣ୍ଡିଆ ଭାରତୀୟ ଲୋକଙ୍କୁ ନିୟାମକ, ଦକ୍ଷତା ବିକାଶ, ସହଯୋଗୀ ଓ ସଶକ୍ତୀକରଣ ପଦ୍ଧତି ଗ୍ରହଣ କରି ଉପଯୁକ୍ତ ଖାଦ୍ୟ ସୁନିଶ୍ଚିତ କରାଇଥାଏ। ଦେଶର ଚଣ୍ଡୀଗଡ଼, ଆନନ୍ଦ ବିହାର ଟର୍ମିନାଲ, ଛତ୍ରପତି ଶିବାଜୀ ଟର୍ମିନସ୍‌, ମୁମ୍ବାଇ ସେଣ୍ଟ୍ରାଲ ଓ ଭଦୋଦରା ରେଳ ଷ୍ଟେସନ୍‌ ପରେ ପ୍ରମାଣପତ୍ର ପାଇବାରେ ଭୁବନେଶ୍ୱର ରେଳଷ୍ଟେସନ୍‌ ଭାରତୀୟ ରେଳବାଇର ଷଷ୍ଠ ରେଳଷ୍ଟେସନ୍‌।

ସମ୍ବନ୍ଧିତ ଖବର