ଏମ୍‌ଓୟୁରେ ସଂଶୋଧନ ଅନୁରୋଧକୁ ରାଜ୍ୟ ସରକାର ଗ୍ରହଣ କଲେ
ଏବେ ରେଳ ଷ୍ଟେସନ ଜମିରେ ରେଲୱେ ଉନ୍ନତୀକରଣ କରିବ
ରେଳମନ୍ତ୍ରୀଙ୍କ ପଦକ୍ଷେପ ଉପରେ ସମସ୍ତଙ୍କ ନଜର

Advertisment

ଭୁବନେଶ୍ବର : ଭୁବନେଶ୍ବର ରେଳ ଷ୍ଟେସନକୁ ରେଳ ଷ୍ଟେସନ ମଲ୍ଟିମୋଡାଲ ହବ୍‌ରେ ପରିଣତ କରିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ଏଥିପାଇଁ ୨୦୧୯ ସେପ୍ଟେମ୍ବର ୧୯ରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଡିଏ ଏବଂ ରେଳ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବତଟ ରେଳପଥ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲା। କିନ୍ତୁ ପ୍ରକଳ୍ପ କାମ ଆରମ୍ଭରେ ବିଳମ୍ବ ହେଉଥିବା ଦର୍ଶାଇ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଏବେ ଏହି ଚୁକ୍ତିରୁ ଏକରକମ ଓହରିଯିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟ ସରକାର ମଧ୍ୟ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ କଥାରେ ରାଜି ହୋଇଯାଇଛନ୍ତି। ଆଜି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରଥମ ଓଡ଼ିଶା ଗସ୍ତରେ ଆସିବା ପୂର୍ବରୁ ଏହି ସବୁ ନିଷ୍ପତ୍ତି ହୋଇଯାଇଛି। ଯେଉଁ ରେଳ ମନ୍ତ୍ରୀଙ୍କୁ ନେଇ ଓଡ଼ିଶାରେ ଅନେକ ବଡ଼ ପ୍ରକଳ୍ପର ଭିତ୍ତିଭୂମି ପଡ଼ିବ ବୋଲି ଚର୍ଚ୍ଚା ହେଉଥିଲା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ସମୟରେ ହିଁ ରାଜ୍ୟର ସବୁଠୁ ବଡ଼ ରେଳ ଷ୍ଟେସନ ଉନ୍ନତୀକରଣ ପ୍ରକଳ୍ପକୁ ଝଟ୍‌କା ଲାଗିଛି। ତେଣୁ ଏବେ ଏ ନେଇ ରେଳମନ୍ତ୍ରୀ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି।

ଗତ ମାସରେ ରାଜ୍ୟ ସରକାରଙ୍କର ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଥିଲା ଯେ ରେଳ ଷ୍ଟେସନ ମଲ୍‌ଟିମୋଡାଲ ହବ୍ ପାଇଁ ଇପିସି ମୋଡ୍‌ରେ ଯେଉଁ ୪୫୫ କୋଟି ଖର୍ଚ୍ଚ କରିବାକୁ ଯୋଜନା ହୋଇଛି, ତାହା ଏବେ ଅର୍ଥାଭାବରୁ ହେବନି। ଏହି ପ୍ରକଳ୍ପ ମୁଖ୍ୟତଃ ରାଜ୍ୟ ସରକାରଙ୍କ ଜମିରେ ହେବାକୁ ଥିବାରୁ ସରକାର ସମସ୍ତ ଭିତ୍ତିଭୂମି ନିର୍ମାଣ କରି ରେଲୱେକୁ ଭେଟି ଦେଇପାରିବେନି। ତେଣୁ ରେଲୱେ ଏହି ପ୍ରକଳ୍ପ ପାଇଁ କିଛି ଅର୍ଥ ଦେଉ। ରାଜ୍ୟ ସରକାରଙ୍କ ଏହି ଗୁପ୍ତ ବୈଠକ ସମ୍ପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଗତ ୧୧ ତାରିଖରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ଏଥିରେ ସେ ଲେଖିଥିଲେ ଯେ ସେପ୍ଟେମ୍ବର,୧୯, ୨୦୧୯ରେ ହୋଇଥିବା ଏମ୍‌ଓୟୁ ଅନୁଯାୟୀ ବିଡିଏ ରେଳ ଷ୍ଟେସନ ମଲ୍ଟିମୋଡାଲ୍‌ ହବ୍‌ର ସମସ୍ତ କାର୍ଯ୍ୟ କରିବାର ଥିଲା। କିନ୍ତୁ ଏବେ ସୁଦ୍ଧା କାର୍ଯ୍ୟ ବହୁତ ଧିମା ହୋଇଛି। ତେଣୁ ଆମକୁ ରେଳଷ୍ଟେସନରେ ହେବାକୁ ଥିବା କାମ କରିବାକୁ ଛଡ଼ାଯାଉ। ଏଥିପାଇଁ ଏମ୍ଓୟୁରେ ଆବଶ୍ୟକୀୟ ସଂଶୋଧନ କରାଯାଉ।

publive-image ଯୋଜନା କାର୍ଯ୍ୟକାରୀ ହେଲେ ଏମିତି ରୂପ ନେବ ଭୁବନେଶ୍ବର ରେଳଷ୍ଟେସନ୍‌

ରାଜ୍ୟ ସରକାର ଏବେ ଅର୍ଥ ଖର୍ଚ୍ଚ କରିବା ଯୋଜନାରେ ନଥିବାରୁ ଏଥିରେ ରାଜି ହୋଇଯାଇଛନ୍ତି। ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଯେଉଁ ପ୍ରସ୍ତାବ ଦେଇଥି‌ଲେ ଆମେ ସେଥିରେ ରାଜି ହୋଇଛୁ। ଖୁବ୍‌ ଶୀଘ୍ର ଏନେଇ ପରିବହନ ବିଭାଗ ପକ୍ଷରୁ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯିବ।

ଅପରପକ୍ଷେ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ବର ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ ଷ୍ଟେସନ କରିବା ପାଇଁ ୨୦୦୮-୦୯ରେ ନିଷ୍ପତ୍ତି ହୋଇଥିଲା। ଏଥିରେ ବିଭିନ୍ନ ପ୍ରକଳ୍ପ ପର୍ଯ୍ୟାୟକ୍ରମେ ହୋଇଥାନ୍ତା। କାମ ବି ଆରମ୍ଭ ହୋଇଥିଲା। ହେଲେ ଓଡ଼ିଶା ସରକାର ରେଳ ଷ୍ଟେସନ୍ ମଲ୍‌ଟିମୋଡାଲ୍‌ ହବ୍ କରିବେ ବୋଲି କହିବାରୁ ବହୁ କାମ ଅଟକି ରହିଛି। ‌ପ୍ଲାଟଫର୍ମ ସମ୍ପ୍ରସାରଣ, ଅଧିକ ରେଳ ଲାଇନ୍ ବିଛାଇବା ପାଇଁ ଦୁଇ ବର୍ଷ ତଳେ ପ୍ରାୟ ୭୦କୋଟି ଟଙ୍କାର ବଜେଟ୍ ମିଳିଥିଲା। ଦୁଇ ବର୍ଷରେ ପ୍ରକଳ୍ପ ଖର୍ଚ୍ଚ ବଢ଼ିଗଲାଣି। ଏବେ କାମ ନହେଲେ ଆସନ୍ତା ଆର୍ଥିକ ବର୍ଷ ପୂର୍ବରୁ ଅର୍ଥ ଫେରିଯିବ। ସେହିପରି ତିନି ବର୍ଷ ତଳୁ ଆମେ ଟିକେଟ୍ ବୁକିଂ କାଉଣ୍ଟର ସ୍ଥାନାନ୍ତର କରିସାରିଛୁ। ରେଳ ଷ୍ଟେସନରେ ଭିତ୍ତିଭୂମିର ବହୁତ ଅଭାବ ଅଛି। ରାଜ୍ୟ ସରକାରଙ୍କ ଯୋଜନା ପାଇଁ ଆମେ କିଛି କରିପାରୁନୁ। ତେଣୁ ଆମେ ଯଥା ସମ୍ଭବ ଶୀଘ୍ର ଆମ ଜମିରେ କାମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛୁ। ମଲ୍‌ଟିମୋଡାଲ ହବ୍ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ବିଡିଏ ଯେଉଁ ଡିଜାଇନ୍ ପ୍ରସ୍ତୁତ କରିଥିଲା ତାକୁ ଆମେ ଅନୁମୋଦନ କରି ଦୀର୍ଘ ଦିନ ହେଲା ପଠାଇଛୁ। ଆମେ ସବୁ କାମ ମିଶିକି କରିବାକୁ ଯୋଜନା କରିଥିଲୁ। ହେଲେ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ କରୁଥିବାରୁ ଆମେ ଆମ ଅଞ୍ଚଳରେ କାମ ଆରମ୍ଭ କରିଦେବୁ। ସେମାନେ ତାଙ୍କ ସୁବିଧା ଅନୁଯାୟୀ ଯେତେବେଳେ କାମ ଆରମ୍ଭ କରିବା କଥା କରନ୍ତୁ।

publive-image

ଅପରପକ୍ଷେ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ତାଙ୍କ ଜମିରେ ଏବେ କାମ କରିବାକୁ ଅନୁମତି ପାଇଛନ୍ତି। ହେଲେ ନୂଆ ମଲ୍ଟିମୋଡାଲ ହବ୍‌ ନିର୍ମାଣ ନହେଲେ ଷ୍ଟେସନ୍ କାର୍ଯ୍ୟାଳୟ ସ୍ଥାନାନ୍ତର ହୋଇପାରିବନି। ଷ୍ଟେସନ୍ କାର୍ଯ୍ୟାଳୟ ସ୍ଥାନାନ୍ତର ନହେଲେ ପ୍ଲାଟ୍‌ଫର୍ମ ସମ୍ପ୍ରସାରଣ ହୋଇ ପାରିବନି। ପ୍ଲାଟ୍‌ଫର୍ମ ସମ୍ପ୍ରସାରଣ ନ ହେଲେ ନୂଆ ଦୁଇଟି ରେଳ ଧାରଣା ବିଛା ଯାଇ ପାରିବନି। ସବୁ କାମ ଏବେ ବିଡିଏ ଉପରେ ନିର୍ଭର କରୁଛି। ତେଣୁ ଯେତେଦିନ ପର୍ଯ୍ୟନ୍ତ ବିଡିଏ କାମ ଶେଷ କରିବନି ସେତେଦିନ ପର୍ଯ୍ୟନ୍ତ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ କାମ ଆରମ୍ଭ କରିବା କଷ୍ଟକର ହୋଇଯିବ। ରେଳଷ୍ଟସନର ପ୍ଲାଟଫର୍ମ ୧ ପାର୍ଶ୍ବରେ ଆଉ ଦୁଇଟି ପ୍ଲାଟଫର୍ମ ନିର୍ମାଣ ହେବାକୁ ଥିବାବେଳେ ଏହି ପାର୍ଶ୍ବରେ ଥିବା ଷ୍ଟେସନ ବିଲଡିଂ ଭାଙ୍ଗିବାକୁ ପଡ଼ିବ। ଷ୍ଟେସନ ବିଲଡିଂ ଭାଙ୍ଗିଲେ ନୂଆ ଷ୍ଟେସନ ବିଲଡିଂ ଯେଉଁଠି ହେବାକୁ ଯୋଜନା ହୋଇଛି ତାହା ରାଜ୍ୟ ସରକାରଙ୍କ ଜମି। ତେଣୁ କିପରି ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ ଯୋଜନା ସଫଳ ହେଉଛି ତାହାକୁ ଅପେକ୍ଷା।

ସୂଚନାଯୋଗ୍ୟ ଯେ, ଦୁଇ ବର୍ଷ ତଳେ ହୋଇଥିବା ଚୁକ୍ତି ଅନୁଯାୟୀ, ଭୁବନେଶ୍ବର ରେଳ ଷ୍ଟେସନ ମଲ୍‌ଟିମୋଡାଲ ହବ୍‌ର ସମସ୍ତ କାର୍ଯ୍ୟ ବିଡିଏ କରିବାକୁ ନିଷ୍ପତ୍ତି ହୋଇଥିଲା। ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ୨ଟି ନୂଆ ପ୍ଲାଟଫର୍ମ ନିର୍ମାଣ କରିଥାନ୍ତେ ଓ ଦୁଇଟି ଅଧିକ ରେଳ ଲାଇନ୍ ବିଛାଇଥାନ୍ତେ। ଏହାସହ ରେଳ ଷ୍ଟେସନ ଭିତରେ କିଛି ଉନ୍ନତିମୂଳକ କାମ କରିଥାନ୍ତେ। ଆଉ ରାଜ୍ୟ ସରକାର ମଲ୍‌ଟିମୋଡାଲ୍‌ ହବ୍ ଯୋଜନାରେ ରେଳ ଷ୍ଟେସନ ପାଇଁ ନୂତନ ଟର୍ମିନାଲ ବିଲଡିଂ, ସିଟି ବସ୍‌ ଟର୍ମିନାଲ, ପବ୍ଲିକ କାର୍‌ ପାର୍କିଂ ଏବଂ ମାଷ୍ଟରକ୍ୟାଣ୍ଟିନ ପାର୍ଶ୍ବରୁ ପୁରୁଣା ଷ୍ଟେସନ ବଜାରକୁ ସଂଯୋଗ କରି ରେଳ ପ୍ଲାଟଫର୍ମ ଉପରେ ୨୧ମିଟର ଓସାରର ଏକ କନକୋର୍ସ ନିର୍ମାଣ କରିଥାନ୍ତେ। ଏବେ ଏହି ସବୁ ପ୍ରକଳ୍ପ କେବେ ହେବ ତାହା ବି ଅନିଶ୍ଚିତତାରେ।