ଭୁବନେଶ୍ବର ରେଳ ‌ଷ୍ଟେସନ ପୁନଃଉନ୍ନତୀକରଣ ଯୋଜନା: ବିଡିଏ ଜାଣିନି, ଟେଣ୍ଡର ଡାକିଲା ପୂର୍ବତଟ ରେଳପଥ

 

ଭୁବନେଶ୍ବର : ଭୁବନେଶ୍ବର ରେଳ ଷ୍ଟେସନ ପାଇଁ ରାଜ୍ୟ ସରକାର ଯେଉଁ ଲମ୍ବା ଚଉଡ଼ା ଯୋଜନା କରିଥିଲେ ଅର୍ଥାଭାବରୁ ସେଥିରୁ ଏକପ୍ରକାର ଓହରିଯିବା ପରେ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଏନେଇ ଅଣ୍ଟା ଭିଡ଼ିଛନ୍ତି। ବେଙ୍ଗାଲୁରୁ, ଅହମ୍ମଦାବାଦ ଭଳି ରେଳଷ୍ଟେସନକୁ ଆଧୁନିକୀକରଣ କରିବା ପରେ ତିରୁପତି ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ ଷ୍ଟେସନରେ ପରିଣତ କରିବାକୁ ରେଳ ମନ୍ତ୍ରଣାଳୟ ଯୋଜନା କରିଛି। ଏପଟେ ଭୁବନେଶ୍ବର ରେଳ ‌ଷ୍ଟେସନକୁ ବିଶ୍ବସ୍ତରୀୟ ରେଳ ଷ୍ଟେସନରେ ପରିଣତ କରିବା ପାଇଁ ଦୀର୍ଘ ବର୍ଷ ହେଲା ଯୋଜନା ହେଉଥିଲେ ବି ହୋଇପାରୁନଥିବାରୁ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ୁଥିଲା। ‌ରେଳ ମନ୍ତ୍ରଣାଳୟ ବାରମ୍ବାର ଗଣମାଧ୍ୟମରେ ସମାଲୋଚିତ ହେବା ପରେ ମେ’ ୩୧ରେ ଭୁବନେଶ୍ବର ରେଳଷ୍ଟେସନର ପୁନଃଉନ୍ନତୀକରଣ ନେଇ ଟେଣ୍ଡର ଆହ୍ବାନ ହୋଇଛି। ହେଲେ ରାଜ୍ୟ ସରକାର ଓ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଏହି ପ୍ରକଳ୍ପ କରିବାକୁ ଏମ୍‌ଓୟୁ କରିଥିବାବେଳେ ରାଜ୍ୟ ସରକାରଙ୍କ ପାଖରେ ଏନେଇ କିଛି ସୂଚନା ନାହିଁ।

ଅପର ପକ୍ଷେ ଏହି ପ୍ରକଳ୍ପ ଇପିସି ମୋଡରେ କରିବାକୁ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍ ଏହି ପ୍ରକଳ୍ପର ଡିଜାଇନ୍ ପ୍ରସ୍ତୁତ କରିବା ଠାରୁ ଆରମ୍ଭ କରି ସାମଗ୍ରୀ କିଣିବା , ନିର୍ମାଣ କରିବା କାମ ଘରୋଇ ସଂସ୍ଥା କରିବ। ଏଠାରେ ପ୍ରଶ୍ନ ଉଠୁଛି ଯଦି ଏହି ପ୍ରକଳ୍ପ ଇପିସି ମୋଡରେ ହେବ ତେବେ ପୂର୍ବରୁ ରେଳ ମନ୍ତ୍ରୀ ଯେଉଁ ଡିଜାଇନ୍ ପ୍ରସ୍ତୁତ ହୋଇଥିବା ନେଇ କହୁଥିଲେ ତାହା କୁଆଡ଼େ ଗଲା? କେବଳ ଏତିକି ନୁହେଁ ରେଳଷ୍ଟେସନ ନିକଟରେ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କର ଆଉ ଜମି ନଥିବା ନେଇ ବିଡିଏ କର୍ତ୍ତୃପକ୍ଷ କହୁଥିବାବେଳେ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ କେଉଁ ଜମିରେ କୋଠା ନିର୍ମାଣ କରିବାକୁ ଯୋଜନା କରିଛନ୍ତି ବୋଲି ପ୍ରଶ୍ନ ଉଠୁଛି।

ଡକାଯାଇଥିବା ଟେଣ୍ଡର ଅନୁଯାୟୀ, ‌ଯେଉଁମାନେ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେବେ ସେମାନଙ୍କର ଏକ ପ୍ରି-ବିଡ୍‌ ବୈଠକ ଜୁନ୍ ୧୩ରେ ବସିବ। ଏଥିରେ ବିଡର୍‌ମାନେ ସେମାନଙ୍କର ଦ୍ବନ୍ଦ୍ବ ଦୂର କରିବା ସହ ଆବଶ୍ୟକୀୟ ପ୍ରସ୍ତାବ ଦେବେ। ଜୁଲାଇ ୮ରେ ଟେଣ୍ଡର ପ୍ରକ୍ରିୟା ଶେଷ ହେବ। ଯଦି କୌଣସି ସଂସ୍ଥା ପ୍ରକଳ୍ପ କରନ୍ତି ତେବେ ତାଙ୍କୁ ଦୁଇ ବର୍ଷରେ ପ୍ରଥମ ପର୍ଯ୍ୟାୟ କାମ ସାରିବାକୁ ହେବ।

୪ମହଲା ବିଶିଷ୍ଟ ଷ୍ଟେସନ୍ ବିଲ୍‌ଡିଂ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ଇପିସି ମୋଡରେ ହେବ
ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୩୦୮କୋଟି
ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କର ଜମି ନାହିଁ, କାମ କେମିତି କରିବେ: ବିଡିଏ
ଆମର ନେହରୁ ପାର୍କ ଯାଏ ଜମି ଅଛି, ଖୁବ୍‌ ଶୀଘ୍ର କାମ ଆରମ୍ଭ ହେବ: ପୂର୍ବତଟ ରେଳପଥ

ବିଡିଏ ରେଳ ଷ୍ଟେସନ ଉନ୍ନତୀକରଣ ଯୋଜନାରୁ ଏବେ ଓହରି ଯାଇଥିବାରୁ ଟେଣ୍ଡରରେ ସେହି ଅନୁଯାୟୀ ସର୍ତ୍ତ ସବୁ ରଖାଯାଇଛି। ପୂର୍ବରୁ ବିଡିଏ ପ୍ରଥମ ଚାରିମହଲା ପୂର୍ବତଟ ରେଳପଥକୁ ଦେବା ସହ ବେସ୍‌ମେଣ୍ଟକୁ ମୋ’ ବସ୍‌ ଯାତାୟାତ ଅଞ୍ଚଳ ଭାବେ ବ୍ୟବହାର କରିବାକୁ ଯୋଜନା କରିଥିଲା। ବାକି ସବୁ ବିଡିଏ ବ୍ୟବହାର କରିଥାନ୍ତା। ହେଲେ ବିଡିଏ ପ୍ରକଳ୍ପରୁ ଏବେ ଓହରିଯାଇଥିବାରୁ ଯିଏ ଯେଝା ଅଞ୍ଚଳ ନିର୍ମାଣ କରିବାକୁ ରେଲୱେ ପ୍ରସ୍ତାବ ଦେଇଥିଲା। ତେଣୁ ଫାଉଣ୍ଡେସନ, ବେସ୍‌ମେଣ୍ଟ କିପରି ହେବ, ପ୍ରଥମ, ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ମହଲା କିପରି ନିର୍ମାଣ ହେବ, ସର୍ଭେ ରିପୋର୍ଟ ଦେବା, ରେଳ ଷ୍ଟେସନର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବା ଭଳି ସର୍ତ୍ତ ଇପିସିରେ ରଖାଯାଇଛି। ଯେପରି ପରବର୍ତ୍ତୀ ସମୟରେ ବିଡିଏ ନିର୍ମାଣ କାମ କଲେ ବି କିଛି ଅସୁବିଧା ହେବନି ସେନେଇ ସର୍ଭେ ରିପୋର୍ଟ ପ୍ରସ୍ତୁତ କରିବାକୁ ଯୋଜନା ହୋଇଛି।

ଅପରପକ୍ଷେ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏବେ ଯେଉଁ ଟେଣ୍ଡର ଡକାଯାଇଛି ସେହି ଅନୁଯାୟୀ ସବୁ କାମ ହେଲା ବେଳକୁ ଦୀର୍ଘ ଦିନ ଲାଗିବ। ନୂଆ କୋଠା ନିର୍ମାଣ ଓ ଅତ୍ୟାଧୁନିକ ସେବା କିପରି ମିଳିବ ତାହା ଟେଣ୍ଡର ପାଇବାକୁ ଥିବା ସଂସ୍ଥାର ଡିଜାଇନ୍ ଉପରେ ନିର୍ଭର କରିବ। ହେଲେ ଏବେ ଆଉ ଦୁଇଟି ରେଳ ଲାଇନ୍ ବିଛାଯିବା ସହ ପ୍ଲାଟଫର୍ମ ନିର୍ମାଣ କରାଯିବ। ଏକ ଏୟାର କନକୋର୍ସ ନିର୍ମାଣ ହେବ, ଯାହା ସିଧା ଷ୍ଟେସନର ନୂଆ ପ୍ଲାଟଫର୍ମରୁ ଷ୍ଟେସନ ବଜାର ପାର୍ଶ୍ବକୁ ସଂଯୋଗ କରିବ। ଯାତ୍ରୀମାନେ ଟ୍ୟାକ୍ସି ଷ୍ଟାଣ୍ଡ ଓ ବସ୍‌ ଷ୍ଟାଣ୍ଡକୁ ସୁବିଧାରେ ଯାତାୟତ କରିବା ଭଳି ବ୍ୟବସ୍ଥା ରହିବ। ଏଥିରେ ଲିଫ୍ଟ, ଏସ୍କାଲେଟର ଆଦି ରହିବ। ଷ୍ଟେସନ ବିଲଡିଂ ପରବର୍ତ୍ତୀ ସମୟରେ ନିର୍ମାଣ ହେବ। ଆମର ନେହରୁ ପାର୍କ ଯାଏ ଜମି ଅଛି। ହେଲେ ଏବେ ପୁରୁଣା ଟିକେଟ୍ ବୁକିଂ କାଉଣ୍ଟର ଯାଏଁ ନିର୍ମାଣ ହେବ। ପ୍ରଥମ ପର୍ଯ୍ୟାୟରେ ୩୦୮କୋଟି ଖର୍ଚ୍ଚ କରିବାକୁ ନିଷ୍ପତ୍ତି ହୋଇଛି। ପରବର୍ତ୍ତୀ ସମୟରେ ଷ୍ଟେସନ ସମ୍ପ୍ରସାରଣ ଓ ଆଧୁନିକୀକରଣ କାମ ପାଇଁ ଅଧିକ ଅର୍ଥ ବ୍ୟବସ୍ଥା ହେବ। ସେପ୍ଟେମ୍ବର ୧୫ରୁ ରେଳଷ୍ଟେସନ ସମ୍ପ୍ରସାରଣ କାମ ଆରମ୍ଭ ହେବ।

ଅପରପକ୍ଷେ ବିଡିଏର ଜଣେ ଅଧିକାରୀ କହିଛନ୍ତି ଯେ, ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କର ଏଟିଏମ୍‌ ପର୍ଯ୍ୟନ୍ତ ଜମି ଅଛି। ଆମ ଜମିରେ ସେମାନେ ନିର୍ମାଣ କରିବା ପୂର୍ବରୁ ଆମ ଅନୁମତି ନେବାକୁ ପଡ଼ିବ। ଏହାସହ ସେମାନେ କ’ଣ ଡିଜାଇନ୍ ପ୍ରସ୍ତୁତ କରୁଛନ୍ତି ତାହାକୁ ଦେଖାଇବେ। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ହିଁ କାମ କରିବାକୁ ଅନୁମତି ମିଳିବ। ନହେଲେ ଆମେ କାମ କରାଇଦେବୁନି। ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଯେଉଁ ଷ୍ଟେସନ ବିଲଡିଂ କରିବେ ସେଥିରେ ମଲଟି ମୋଡାଲ ହବ୍‌ ବ୍ୟବସ୍ଥା ରହିବ ନା ନାହିଁ, ଯଦି ରହିବ ତେବେ ବିଡିଏ ପରବର୍ତ୍ତୀ ସମୟରେ ନିର୍ମାଣ କଲେ ଏହା କାମରେ ଆସିବ ନା ନାହିଁ ତାହାକୁ ଦେଖିବାକୁ ପଡ଼ିବ। ତାହାପରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ।

ସମ୍ବନ୍ଧିତ ଖବର