ଭୁବନେଶ୍ବର: ଭୁବନେଶ୍ବର ରେଳଷ୍ଟେସନ୍କୁ ବିଶ୍ବସ୍ତରୀୟ କରିବା କାର୍ଯ୍ୟର ସମୀକ୍ଷା କରିଥିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଅଧିକାରୀମାନଙ୍କ ସହ ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ ଓଡ଼ିଶାବାସୀଙ୍କ ବହୁ ବର୍ଷର ଆକାଂକ୍ଷା ପୂରଣ ହେବାକୁ ଯାଉଛି। ଷ୍ଟେସନ୍ର ନବକଳେବର ଲାଗି ପ୍ଲାନିଂ ଓ ଡିଜାଇନ୍ ପ୍ରସ୍ତୁତ ସରିଛି। ଟେଣ୍ଡର୍ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି। ଏବେ ଯେଉଁଠି ରେଳ ଷ୍ଟେସନ୍ କାର୍ଯ୍ୟକ୍ଷମ ରହିଛି, ତାହାକୁ କିଭଳି ଅନ୍ୟତ୍ର ସ୍ଥାନାନ୍ତର କରାଯିବ, ସେ ଦିଗରେ ପଦକ୍ଷେପ ନିଆଯାଉଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୟ ଦେଲେ ଖୁବ୍ଶୀଘ୍ର ଏହି ବହୁ ପ୍ରତିକ୍ଷୀତ ପ୍ରକଳ୍ପର ଭୂମି ପୂଜନ ହେବ। ଇତି ମଧ୍ୟରେ ଦୁଇ ମାସ ବିତିବାକୁ ବସିଲାଣି। କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଦୁଇଥର ଓଡ଼ିଶା ଗସ୍ତ ସାରି ଫେରିଲେଣି। ଏହି ଦୁଇ ମାସ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବହୁ ଥର ଓଡ଼ିଶା ଆସି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ଫେରିଛନ୍ତି। ମାତ୍ର ଆଜି ପର୍ଯ୍ୟନ୍ତ ପ୍ରକଳ୍ପର ଭୂମି ପୂଜନ ହୋଇପାରି ନାହିଁ। ବାସ୍ତବରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରେଳ ମନ୍ତ୍ରଣାଳୟକୁ ସମୟ ଦେଉନାହାନ୍ତି ନା କିଛି ଅଦୃଶ୍ୟ କାରଣ ଲାଗି ଭୂମି ପୂଜନ ଅଟକି ରହିଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଭୂମି ପୂଜନ କାହିଁକି ବିଳମ୍ବ ହେଉଛି ସେନେଇ ରେଳପଥର କୌଣସି ଅଧିକାରୀ ବି ମୁହଁ ଖୋଲୁନାହାନ୍ତି।
କେନ୍ଦ୍ର ରେଳମନ୍ତ୍ରୀଙ୍କ ଘୋଷଣାକୁ ଦୁଇ ମାସ ବିତିବ
କାମ ଆଗେଇବାରେ କଣ୍ଟା ସାଜୁଛି କିଏ?
ଅନ୍ୟପକ୍ଷରେ ଭୁବନେଶ୍ୱର ରେଳ ଷ୍ଟେସନର ପ୍ରସ୍ତାବିତ ପୁନଃବିକାଶ କାର୍ଯ୍ୟ ତଦାରଖ ପାଇଁ ଷ୍ଟେସନ ସାମ୍ନାରେ ଅସ୍ଥାୟୀ କ୍ୟାମ୍ପ ଅଫିସ୍ କାର୍ଯ୍ୟ ଆରମ୍ଭ ହୋଇଛି। ଯାତ୍ରୀଙ୍କ ଅନୁକୂଳ ସୁବିଧା ସହିତ ବିଶ୍ୱସ୍ତରୀୟ ଭିତ୍ତିଭୂମି ସହ ରେଳ ଷ୍ଟେସନର ଉନ୍ନତୀକରଣ କରାଯାଉଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଏହି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ଓ ତଦାରଖ କରୁଛନ୍ତି। ବିଶ୍ୱସ୍ତରୀୟ ଭିତ୍ତିଭୂମି ସହ ଯାତ୍ରୀମାନଙ୍କୁ ଅନୁକୂଳ ପରିବେଶ ଓ ସୁବିଧା ଯୋଗାଇ ଏହି ପ୍ରକଳ୍ପ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ବିକାଶ ପ୍ରକ୍ରିୟାରେ ଅନେକ ସୁବିଧା ପ୍ରଦାନ କରାଯିବାକୁ ଯୋଜନା ହୋଇଛି। ନୂତନ ବିଲଡିଂ, ବିସ୍ତୃତ ଚଳପ୍ରଚଳ କ୍ଷେତ୍ର ସହ କନକୋର୍ସ, ପ୍ଲାଟଫର୍ମ ଲାଇଟିଙ୍ଗ, ୱେଟିଂରୁମ୍, ଏୟାର କନ୍ସୋର୍ସ, ପ୍ଲାଟଫର୍ମ, ପ୍ଲାଟଫର୍ମ ଆଶ୍ରୟସ୍ଥଳର ନବୀକରଣ, ଫୁଡ୍ କୋର୍ଟ ଜୋନ୍, ସପିଂ କ୍ଷେତ୍ର, ବର୍ଜ୍ୟବସ୍ତୁ ପରିଚାଳନା, ଶୌଚାଳୟ, ସବୁ ପ୍ଲାଟଫର୍ମକୁ ଯୋଡିବା ପାଇଁ ଫୁଟଓଭର ବ୍ରିଜ ସହିତ ଲିଫ୍ଟ ଓ ଏସ୍କାଲେଟର ବ୍ୟବସ୍ଥା ରହିବ। ଯାତ୍ରୀମାନଙ୍କ ଆରାମ ପାଇଁ ବହୁତ ଆବଶ୍ୟକୀୟ ଯାତ୍ରୀ ପରିସେବାକୁ ପ୍ରାଥମିକତା ଦିଆଯାଉଛି।
ଏଥିସହ ସୁସଜ୍ଜିତ ସେବା ରାସ୍ତା, ଯାନ ପାର୍କିଂ, ଡ୍ରେନ୍, ସାଇନେଜ୍ ଓ ଡିଭାଇଡରର ବ୍ୟବସ୍ଥା ରହିବ। ନୂତନ ବିଲ୍ଡିଂରେ ସୁସଜ୍ଜିତ ସର୍କୁଲାର କ୍ଷେତ୍ର ବ୍ୟତୀତ ଉଚ୍ଚମାନକ ଡର୍ମିଟୋରି ଓ ରିଟାୟାରିଙ୍ଗ ରୁମ୍ ରହିବ। ଏହି ବିକାଶ କାର୍ଯ୍ୟରେ ରେଳ ଅଂଶ କାମ ରେଳବାଇ ନିଜେ କରିବ। ଏହି କାର୍ଯ୍ୟକୁ ଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଭୁବନେଶ୍ବର ରେଳଷ୍ଟେସନର ପୁନଃ ବିକାଶ କାର୍ଯ୍ୟ ପାଇଁ ରେଳ ମନ୍ତ୍ରଣାଳୟ ୩୦୮ କୋଟି ଟଙ୍କା ମଞ୍ଜୁର କରିଛି। ଏହି ପ୍ରକଳ୍ପକୁ ପୂର୍ବତଟ ରେଳପଥ ନିର୍ମାଣ ବିଭାଗକୁ କାର୍ଯ୍ୟ ସମ୍ପାଦନ ଲାଗି ନିୟୋଜିତ କରାଯାଇଛି। ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। କାର୍ଯ୍ୟ ସଂସ୍ଥା ନିୟୋଜିତ ହୋଇ ସାରିଛି। ପ୍ରକଳ୍ପର ନିର୍ମାଣ ଅବଧି କାର୍ଯ୍ୟ ଆରମ୍ଭରୁ ୨୪ମାସ ମଧ୍ୟରେ ସମାପ୍ତ କରିବାକୁ ଧାର୍ଯ୍ୟ କରାଯାଇଛି। ଓଡ଼ିଶାର ଚାଲିଥିବା ସମସ୍ତ ରେଳ ପ୍ରକଳ୍ପରେ ଜାତୀୟ ଗୁରୁତ୍ୱ ରହିଛି। ରେଳପଥ ପ୍ରକଳ୍ପଗୁଡିକ ପାଇଁ ସମସ୍ତ ପ୍ରକାର ତଥ୍ୟ /ନିବେଶ ଆଦେଶ ଦିଆଯାଇଥିବା ରେଳପଥ ପକ୍ଷରୁ କୁହାଯାଇଛି।
ସୂଚନା ଅନୁଯାୟୀ, ବିଶ୍ବସ୍ତରୀୟ ହେବାକୁ ଥିବା ଏହି ଷ୍ଟେସନରେ ବିମାନବନ୍ଦର ପରି ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ ହେବ। ରେଳ ଷ୍ଟେସନ୍ର ଦୁଇପାର୍ଶ୍ବ ଯଥା ମାଷ୍ଟରକ୍ୟାଣ୍ଟିନ ଓ କଟକ ରୋଡ୍ ପାର୍ଶ୍ବରେ ଥିବା ପ୍ରବେଶ ପଥର ବିକାଶ କରାଯିବ। ଉଭୟ ପୂର୍ବ ଓ ପଶ୍ଚିମ ପାର୍ଶ୍ବରେ ଷ୍ଟେସନ୍ ଭିତରକୁ ପ୍ରବେଶ ଲାଗି ଦୁଇଟି ବାଟ ରହିବ ଏବଂ ବାହାରକୁ ଆସିବା ଲାଗି ଯାତ୍ରୀଙ୍କ ଲାଗି ଗୋଟିଏ ବାଟ ରହିବ। ଷ୍ଟେସନ୍ରେ ଦୈନିକ ଯେପରି ୧ ଲକ୍ଷ ୪୩ହଜାର ୪୫ଜଣ ରେଳଯାତ୍ରୀ ଚଳପ୍ରଚଳ ହୋଇପାରିବେ, ସେନେଇ ସୁବିଧା ଉପଲବ୍ଧ କରାଯିବ। ଏଥିସହ ପ୍ରତିଦିନ ଷ୍ଟେସନ୍ରୁ ୭୭ହଜାର ୫୮୧ଜଣଙ୍କ ଯିବା ଲାଗି ବ୍ୟବସ୍ଥା ହେବ। ମୁଖ୍ୟ ପ୍ରବେଶ ପଥ ବିଲଡିଂ ୧୧ ମହଲା ବିଶିଷ୍ଟ କରାଯିବ। ପ୍ରଥମ ପର୍ଯ୍ୟାୟରେ ଗ୍ରାଉଣ୍ଡ ଫ୍ଲୋର୍ ସହ ୪ ମହଲା ହେବ। ପରବର୍ତ୍ତୀ ସମୟ ତଥା ଦ୍ବିତୀୟ ପର୍ଯ୍ୟାୟରେ ୭ ମହଲା ନିର୍ମାଣ ହେବ। ଷ୍ଟେସନ୍ର ପୂର୍ବ ପାର୍ଶ୍ବରେ ଗ୍ରାଉଣ୍ଡ ଫ୍ଲୋର୍ ସହ ୪ ମହଲା ଓ ଗ୍ରାଉଣ୍ଡ ଫ୍ଲୋର୍ ସହ ୬ ମହଲା ବିଶିଷ୍ଟ ଦୁଇଟି ବିଲଡିଂ କରିବାକୁ ରୂପରେଖ ପ୍ରସ୍ତୁତ ହୋଇଛି।